Unknown

 

 

 

 

 

 

 

 

 

 

 

ମୋ ଦେବତା

ପ୍ରଭାତ କୁମାର

 

ପଦେ ଅଧେ

 

ସ୍ୱାମୀହିଁ ସତୀର ଚିର ନମସ୍ୟ......ଇହକାଳ ପରକାଳର ଦେବତା । ଦୁଃଖ ଆସେ ସମୁଦ୍ର ପାଣିପରି ଦୁଇକୂଳ ଲଙ୍ଘି । କିନ୍ତୁ ସତୀ ପଛେଇ ଯାଏନା, ତା' କର୍ତ୍ତବ୍ୟ ପଥରୁ ଓହରି ଯାଏନା । ସେ ଜାଣେ, ସ୍ୱାମୀହିଁ ତା’ର ଇହକାଳ ପରକାଳର ସାଥୀ......ମୁକ୍ତି ଦାତା । ସୁଖ ପରେ ଦୁଃଖ ଆସେ ଜନମ ସଙ୍ଗେ ମରଣପରି ଓ ଦୁଃଖ ପରେ ଦୁଃଖ ଆସେ ବୋଝ ଉପରେ ନଳିତା ବିଡ଼ା ଲଦିଲାପରି । ସେଥିରେ ସତୀ ଭାଙ୍ଗି ପଡ଼େନା ।

 

ଦେହର ଶେଷ ରକ୍ତ ବିନ୍ଦୁ ଅଜାଡ଼ି ଦେଇ ସତୀ ଆଗେଇ ଯାଏଁ ସ୍ୱାମୀର ମଙ୍ଗଳପାଇଁ । ନିଜ ଜୀବନକୁ ତୁଚ୍ଛ ମନେ କରି ସ୍ୱାମୀ ଦେବତାର ଜୀବନ ଭିକ୍ଷା କରେ ପରମେଶ୍ୱରଙ୍କ ପାଖରେ ।

 

ଶେଷରେ କ'ଣ ସତୀ ବିଜୟୀ ହୁଏ ?

 

ହୁଏ.........

 

ଲେଖକ

Image

 

ସବୁ ଦିନପରି ସେ ଦିନବି ସହସ୍ର କିରଣଧାରୀ ସୂର୍ଯ୍ୟ ଦେବତା ତମସାକୁ ଦୂରେଇଦେଇ ଧୀର ପଦକ୍ଷେପରେ ଉଠିଆସୁଥିଲେ ତାଙ୍କ ରାଜ୍ୟରେ ରାଜତ୍ୱ କରିବାକୁ । ତାଙ୍କର ଉଷ୍ଣ କିରଣ ବିଛୁଡ଼ି ଦେବାକୁ ଏଇ ହସ କାନ୍ଦର ଧରା ପୃଷ୍ଠରେ । କିଏ ବା ଖୁସି ନ ହୁଏ ସୂର୍ଯ୍ୟ ଦେବତାଙ୍କର ଶୁଭ ଆଗମନରେ ! ଗିରି ବନ, ପଶୁ ପକ୍ଷୀ, ନର ଦେବତା ସମସ୍ତେ । ସମସ୍ତେ ଚାହାନ୍ତି ତାଙ୍କ ପ୍ରତିଭାମୟ କିରଣରୁ ଚେନାଏ ପାଇବାପାଇଁ । ଆଉ ସେହି ଚେନାଏ କିରଣ ପାଇଲେ ମନର ଗହନ ବନରେ ଆନନ୍ଦର ଚୁନି ଚୁନି ଫୁଲ ଫୁଟିଉଠେ ସୌରଭ ଢାଳି । ସେହି ମନର ଫୁଲକୁ ଖୋଜିବୁଲେ ମନର ଭ୍ରମର । ଆଉ ସେହି ମନର ଫୁଲଟିକୁ ମନର ଭ୍ରମର ପାଇଲେ ଆନନ୍ଦରେ ଆତ୍ମବିହ୍ଵଳ ହୋଇ ହଜାଇଦିଏ ନିଜକୁ ।

 

ଆଜି ଠିକ୍ ସେମିତି ଦୀର୍ଘ ଦିନ ପରେ ପ୍ରକାଶ ମନର ଭ୍ରମର ଆନନ୍ଦରେ ନିମଗ୍ନ । ସବୁ ଦିନ ଠାରୁ ଖୁବ୍ ବେଶି ଆନନ୍ଦ ଆଜି ତା’ ମନରେ; କାରଣ ଯୁବକ, ଯୁବତୀମାନେ ଦୀର୍ଘ ଦିନ ଧରି ଯେଉଁ ଦିନଟିକୁ ଅଶେଷ ଆକାଂକ୍ଷିତ ମନରେ ଚାହିଁ ରହିଥାନ୍ତି, ଆଜି ଠିକ୍ ସେହି ଦିନଟି ପ୍ରକାଶ ଜୀବନରେ ଉପସ୍ଥିତ । ସଂସାରୀ ଜୀବନର ପ୍ରଥମ ପାହାଚରେ ସେ ଆଜି ଦଣ୍ଡାୟମାନ...ନୂତନ ଚଲାପଥର ପଥିକ ହେବାକୁ ଯାଉଛି ସେ । ଜାଣେନା, ଏ ଅଦେଖା ଚଲାପଥରେ ସେ ପାଦରଖି ଚାଲିପାରିବ କି ନା; ତଥାପି ସେ ଆନନ୍ଦର ଶିହରଣରେ ଶିହରି ଉଠୁଛି–ଅଫୁରନ୍ତା ଉଦ୍‍ବେଗରେ ମନ ତା’ର ଭାସିଯାଉଛି ଅଜଣା ରାଇଜକୁ–

 

ଆଜି ତା’ ଜୀବନର ଶୁଭବାସର ରାତି, ମଧୁମିଳନର ପ୍ରଥମ ଅଧ୍ୟାୟ । ଯେଉଁମାନଙ୍କୁ କାମ ଦେବତାର ଅଦେଖା ଫୁଲଶର ଛୁଇଁ ଦେଇ ଯାଇଛି, ସେଇମାନେ ଲାଳାୟିତ ଏଇ ଶୁଭ ରାତିଟି ପାଇଁ । ପ୍ରଣୟ ଫାଶର ଯେଉଁମାନେ ଆବଦ୍ଧ, ସେଇମାନେହିଁ କେବଳ ବୁଝି ପାରିବେ ସେଦିନର କଥା, ଆଉ ସେଇ ମହକଭରା ରାତିର ମହତ୍ତ୍ୱ ।

 

ପ୍ରକାଶ ମନରେ ଆନନ୍ଦର ଫଲ୍‍ଗୁଧାରା । କୁମାରୀ ଦେହର ଅନାସ୍ୱାବିତ ସ୍ପର୍ଶପାଇଁ ମନପ୍ରାଣ ତା’ର ଅଧୀର ହୋଇଉଠୁଛି । ଗଭୀର ଉତ୍କଣ୍ଠାର ସହ ସେ ପ୍ରତୀକ୍ଷା କରିଛି ସେହି ଶୁଭସମୟର ଆଗମନିକୁ । ସମୟର ବ୍ୟବଧାନ ହୃଦୟରେ ଭରିଦେଉଛି ମୁଠା ମୁଠା ଯନ୍ତ୍ରଣା ।

 

ଦୀର୍ଘ ବାରଘଣ୍ଟା ପରେ ଦିନ କ୍ରମେ କ୍ରମେ ଶେଷ ଆଡ଼କୁ ନଇଁ ଆସିଲା । ସୂର୍ଯ୍ୟ ଦେବତା ତାଙ୍କର ନାଲି ଟୁକୁ ଟୁକୁ ମୁହଁଟିକୁ ଲୁଚାଇ ଦେଲେ ଦୂର ଦିଗ୍‍ବଳୟର ପଛ ପାଖରେ । ରଙ୍ଗ ବୋଳା କିରଣ ଧୀରେ ଧୀରେ ଅପସରି ଯାଉଥିଲା ଏ ହସ କାନ୍ଦର ଦୁନିଆ ଉପରୁ ।

 

କ୍ରମେ କ୍ରମେ ରଜନୀ ରାଣୀ କଳାପଣତ ତଳେ ଧରା ପୃଷ୍ଠକୁ ଲୁଚାଇ ଦେବାକୁ ମନ୍ଥର ଗତିରେ ମଧୁର ପଦଚାଳନା କରି ଆଗେଇଆସିଲା ସମସ୍ତ ଜୀବଜଗତକୁ ବିଶ୍ରାମ ଦେବାକୁ । ସୁଖଦ ରାତି କାହାରି ମନରେ ଦୁଃଖ ଅଜାଡ଼ି ଦେବାକୁ ଆସେନି, ସୁଖ ସମ୍ପଦର ବିପୁଳ ଆନନ୍ଦ ଆଣି ପ୍ରେମିକା ମନରେ ନୂତନତାର ଉତ୍ସ ଭରିଦେଇ ଯାଏଁ । ଆଉ...ସବୁ ରାତି ପରି ସେ ଦିନବି ସେ ରାତିଟି ପ୍ରକାଶକୁ ନୂଆ ଲାଗୁଥିଲା । ଜୀବନର ନୂତନ ଅନୁଭୂତି ପାଇଁ ସେ ଉଦ୍‍ଗ୍ରୀବ ହୋଇ ଉଠୁଥିଲା । ମନ ତା’ର ଚଞ୍ଚଳ ହୋଇଉଠୁଥିଲା ପ୍ରାଣ-ପ୍ରିୟତମାର କୋମଳ ଦେହସ୍ପର୍ଶ ପାଇବା ପାଇଁ..

 

ନିଶୂନ ରାତି । ବର୍ଷାର ମୁହୁର୍ମୁହୁ ସ୍ଵନରେ ଚଉଦିଗ ଉଛୁଳି ଉଠୁଛି । ଟପର ଟପର ବର୍ଷାର ସଙ୍ଗୀତ ସହିତ ବିଜୁଳି କନ୍ୟାର ଚମକ ଦିଆ ନୃତ୍ୟ ସତେ ଯେପରି ଜୀବନର ନୂତନ ଅନୁଭୂତି ପାଇଁ, ପ୍ରକାଶକୁ ସ୍ଵାଗତିକା ଜଣାଉଛି ! ରାତିର ନିସ୍ତବ୍ଧତା ଭେଦକରି ଘରର କୋଳାହଳ ଉଛୁଳିଉଠୁଛି । ମିଳନର ଶୁଭ ଇଶାରା ଦେଉଛି ସାହାନାଇର ବେସୁରା ରାଗିଣୀ । ପ୍ରକାଶର ଇନ୍ଦ୍ରିୟଗୁଡ଼ିକ ତନ୍ମୟ ହୋଇ ଉଠୁଛି ମିଳନର ମଧୁର ସ୍ପର୍ଶପାଇଁ । ରହି ରହି ସେ ଭାବି ଚାଲିଛି !

 

ଦୀର୍ଘ ସମୟ ପରେ ଭାବନା ରାଜ୍ୟରୁ ବିରତି ନେଇ ହାତ ଘଡ଼ିକୁ ଚାହିଁଲା ପ୍ରକାଶ ।

 

"ରାତି ଦୁଇଟା"–

 

ଗୁରୁଗମ୍ଭୀର ପଦ ଚାଳନା କରି ସେ ପ୍ରବେଶ କଲା ବାସର ଘରେ । ଥରୁଟିଏ ପାଇଁ ଘରର ଚଉଦିଗରେ ଆଖିବୁଲାଇ ଆଣିଲା । ଘରଟି ବେଶ୍ ସୁସଜ୍ଜିତ । ଘରର ଗୋଟିଏ କୋଣକୁ ଅଭିସାରିକା ବେଶରେ ଠିଆହୋଇଛି, ନବବଧୂ ବୀଣା । କନକ ଦୀପଟି ତୀକ୍ଷ୍ଣ ରେଖା ଛାଡ଼ି ଦପଦପ ହୋଇ ଜଳୁଛି । ଉଜ୍ଜ୍ଵଳ ଦୀପ୍ତିମୟ ଜୀବନ ପରମେଶ୍ୱରଙ୍କ ଅଙ୍ଗରେ ଲୀନ ହୋଇ ଗଲାପରି ପ୍ରଦୀପର ଉଜ୍ଜ୍ଵଳ ଶିକ୍ଷାଗୁଡ଼ିକ ବାୟୁମଣ୍ଡଳରେ ଲୀନ ହୋଇଯାଉଛି । ସତେ ଯେମିତି ସେ ସ୍ୱାଗତ କରି ଡାକୁଛି, "ଆସ, ମୋତେ ଛୁଇଁ ତୁମେ ଦୁହେଁ ଶପଥ କର, ଜୀବନରେ ଦୁହେଁ ଦୁହିଁଙ୍କୁ ଛାଡ଼ି ଯେମିତି ଦୂରେଇ ଯିବନି । ତୁମ ଦୁଇଟି ପ୍ରାଣକୁ ଏକତ୍ର କରିବାପାଇଁ ମମତା ରଜ୍ଜୁର ଗୋଟିଏ ଖିଅରେ ବାନ୍ଧି ଦେବାକୁ ମୁଁ ଜଳି ଜଳି ତୁମରି ପ୍ରତୀକ୍ଷାରେ ଚାହିଁ ରହିଛି । ତୁମ ଦୁଇଟି ଜୀବନର ଅଦୃଶ୍ୟ ବନ୍ଧନର ମୂକ ସାକ୍ଷୀ ମୁଁ...

 

ଏମିତି ଅଗଣିତ ଜୀବନ ମୋ ଆଖି ଆଗକୁ ଆସିଛନ୍ତି । ସେମାନଙ୍କ ଭିତରୁ କେତେ ଅଛନ୍ତି, କେତେ ବା ସେପାରିକୁ ଟିକଟ କାଟି ସାରିଛନ୍ତି; କିନ୍ତୁ ମୁଁ ସେମିତି ଯୁଗ ଯୁଗ ଧରି ଜଳି ଆସୁଛି ।

 

ବୀଣା ସେମିତି ଏକଧ୍ୟାନରେ ଠିଆ ହୋଇ ଭାବିଚାଲିଛି କେତେ କ’ଣ ପ୍ରକାଶର ଆଗମନକୁ ସେ ଲକ୍ଷ୍ୟ କରି ପାରିନି । ସେ ଭାବିଚାଲିଛି ଅତୀତର ହଜିଲା ସ୍ନେହ ମମତା । ଜନ୍ମ ମାଟିର ସାଙ୍ଗସାଥୀ, ଆଉ ବାପା, ମାଙ୍କର ସ୍ନେହ ମମତା ମନେ ପକାଇ ସେ ଅଧୀର ହୋଇଉଠୁଛି-। ଆଖି ଯୋଡ଼ିକ ତା’ର ଓଦା ହୋଇ ଆସୁଛି ପଛକଥା ଭାବି ଭାବି । ବେଳେ ବେଳେ ମନେ ପଡ଼ୁଛି ସାଙ୍ଗସାଥୀମାନଙ୍କ କଥା । ଯାହାଙ୍କ ସହିତ ଅଠରଟି ଫଗୁଣ ସେ ହସ କାନ୍ଦରେ କଟାଇ ଦେଇଛି-। ତା’ ସାଙ୍ଗସାଥୀ ଏଇ ଚତୁର୍ଥୀ ରାତିର ଅନୁଭୂତି ତା’ ଆଗରେ ଯାହାସବୁ କୁହନ୍ତି, ତା’ କ’ଣ ସତ...-? ସେଇ କଥା ଭାବି ହୃଦୟର ପ୍ରତ୍ୟେକ ଅଣୁରେ ତା’ର ଚେଇଁଉଠୁଛି ଛାତିଥରା ପୁଲକ । ସରମରେ ଶଢ଼ି ଯାଉଛି ବୀଣା । ଭାବୁଛି ତା’ର ଅଜଣା ଅଚିହ୍ନା ସ୍ୱାମୀଙ୍କ ପ୍ରତି ପ୍ରଥମେ ସେ କେମିତି ବ୍ୟବହାର କରିବ ! ଦୀର୍ଘ ଦିନ ସେ ହସ ଖେଳରେ କଟାଇ ଆସିଛି ବାପଘରେ ଏସବୁ ତ ସେ ଜାଣେନା-! ପୁଣି ଫେରିଯାଉଛି ପୂର୍ବ ଭାବନାକୁ । ଜନ୍ମ ମାଟିର କଥା ଭାବି ହେଉଛି ସେ ।

 

ପ୍ରକାଶ ଦୀର୍ଘ ସମୟ ହେବ ଏକଲୟରେ ଚାହିଁ ରହିଛି ବୀଣାର ମନୋଭାବ ଜାଣିବାପାଇଁ । ତା’ର ନୀରବତା ପ୍ରକାଶ ସହ୍ୟ କରି ପାରୁନି ମୋଟେ । ଆଜି ନୂତନ ପଥର ଆଗନ୍ତୁକ ସେ । ମନପ୍ରାଣରେ ତା’ର ଖେଳିଯାଉଛି ନବ ଉନ୍ମାଦନାର ଢେଉ । ମନ ତା’ର ଚହଲି ଉଠୁଛି । ବୀଣାର କମନୀୟ ସାଜସଜ୍ଜା ଦେଖି ଆତ୍ମହରା ହୋଇ ପଡ଼ୁଛି ସେ । ମନ କହୁଛି ଧାଇଁ ଯାଇ ପ୍ରିୟତମା ବୀଣାକୁ ହୃଦୟରେ ତା’ର ଜଡ଼ାଇ ଧରିବ, କିନ୍ତୁ ପୁଣି ପଛେଇ ଯାଉଛି ପ୍ରକାଶ । ଉତ୍ତଳା ମନଟା ତା’ର ଛନକାହରିଣୀ ପରି ହେଉଛି, ଖାଲି ଅପ୍ରତ୍ୟାଶିତଭାବେ ପ୍ରିୟତମା ବୀଣାର ଓଷ୍ଠରୁ ମଧୁ ଖାଇବାକୁ ଆଗେଇ ଯାଉଛି ସେ ।

 

ନିଜକୁ ଟିକେ ସମ୍ଭାଳି ନେବାକୁ ବାଧ୍ୟ ହୋଇ ଭାବନା ସମୁଦ୍ରରେ ବୁଡ଼ି ଯାଉଛି ସେ ! ନବବଧୂ ବୀଣାକୁ ପାଖକୁ ଡାକିବାର ମନରେ ସହସ୍ର ଉତ୍କଣ୍ଠା ଥିଲେ ମଧ୍ୟ ତଥାପି ସେ ଡାକି ପାରୁନି-। ସଙ୍କୋଚ ତା’ର ମନର ଉଦ୍‍ବେଗକୁ ପ୍ରତିହିତ କରୁଛି । ଆଉ ଆଗେଇ ଯାଇ ପାରିଲାନି ପ୍ରକାଶ-। କିଛି ସମୟ ନୀରବ ନିଶ୍ଚଳଭାବେ ଚାହିଁ ରହିଲା ବୀଣାକୁ ।

 

କିନ୍ତୁ ବୀଣା– ? ଏବେବି ଭାବନା ରାଜ୍ୟରେ ସେ ଘୂରି ବୁଲୁଛି । ମନତାର ତୁହାଇ ତୁହାଇ ଆହୁରି ଭାବନା ରାଜ୍ୟକୁ ପାଦ ବଢ଼ାଇ ଆଗେଇ ଚାଲିଛି । ନିର୍ବାକ କାଷ୍ଠ ପିତୁଳା ପରି ଠିଆ ହୋଇ ରହିଛି ବୀଣା । ପତଳା ନାଇଲେନ୍ ଶାଢ଼ିଟି ଅର୍ଦ୍ଧନମିତଭାବେ ଲୋଟି ପଡ଼ିଛି ପାଦ ତଳକୁ ।

 

ଏଥର ଠିକ୍ ବୁଝି ପାରିଲା ପ୍ରକାଶ । ମସ୍ତବଡ଼ କର୍ତ୍ତବ୍ୟ ତା’ ଉପରେ । ସେ ସ୍ତ୍ରୀ ସେ କେବେହେଲେ ଆଗ କଥା କହିବନି । ତେବେ..ତାକୁ ପ୍ରଥମେ କଥା କହିବାକୁ ହେବ ? ମନରେ ତା’ର ଭାବନାର ଅସରନ୍ତି ଖିଅ ପୁରୁଷ ସେ, ସେ ଆଗକଥା କହିବ ପ୍ରଶ୍ନ ଆଉ ମୀମାଂସା ନିଜକୁ ନିଜେ ନୀରବରେ ଠିଆ ହୋଇ କରି ଯାଉଥିଲେ ସେ ।

 

ହଁ, ହଁ ତାକୁହିଁ ପ୍ରଥମେ କଥା କହିବାକୁ ପଡ଼ିବ । ଆଉ ଅଧିକ ଭାବିବା ପୂର୍ବରୁ ମନରାଇଜର ଶତ ଉତ୍କଣ୍ଠାକୁ ରୋକିବାକୁ ପ୍ରକାଶର ଧର୍ଯ୍ୟ ନଥିଲା । ସମୁଦ୍ରର ଫେନିଳ ତରଙ୍ଗ ପରି ମନ ତା’ର, ଇନ୍ଦ୍ରିୟ ତାଡ଼ନାରେ ତରଙ୍ଗାୟିତ ହୋଇ ଉଠୁଥିଲା । ମନର ଅସରନ୍ତି ଭାବନାରେ ଆଉଟି ପାଉଟି ହେଉଥିଲା ସେ । ଆଉ ଭାବିପାରିଲାନି ପ୍ରକାଶ । ପାଦଟିଏ ଆଗେଇଯାଇ ବୀଣାକୁ ଡାକିବାକୁ ଚେଷ୍ଟା କଲା । କିନ୍ତୁ ଡାକି ପାରିଲାନି । ପାଟି ତା’ର ଆପେ ଆପେ ବନ୍ଦ ହୋଇଗଲାପରି ଅନୁଭବ କରୁଥିଲା । କିନ୍ତୁ କାହିଁକି ତା’ର ଏପରି ଦୁର୍ବଳତା; ? ପୁରୁଷ ସିଂହ ସେ । ଅସହାୟ ମନରେ ସାହସ ବାନ୍ଧି ଆଉପାଦେ ଆଗେଇ ଯାଇ ପ୍ରକାଶ ଡାକିଲା; ବୀଣା......ବୀଣା......

 

ଅଜଣା କଣ୍ଠର ଆଭାସ ପାଇ ଚମକି ଉଠିଲା ବୀଣା, ଦେହ ! ତା’ର ଶୀତେଇ ଉଠିଲା । ହୃତପିଣ୍ଡ ସ୍ପନ୍ଦନରେ ମାତ୍ରା ଅଧିକରୁ ଅଧିକ ବଢ଼ି ଚାଲିଲା । ଫେରିପଡ଼ି ପଛକୁ ଚାହିଁଲା ସେ......ସ୍ୱାମୀ ଦେବତାକୁ ଆଗରେ ଦେଖି ମନେ ମନେ ସଂକୁଚିତ ହୋଇ ପଡ଼ିଲା । ସ୍ୱାମୀଙ୍କ ଉଦ୍ଦେଶ୍ୟରେ ଥରୁଟିଏ ପାଇଁ ତଳେ ମୁଣ୍ଡଲଗାଇ ନୀରବରେ ଗୋଟିଏ କଣକୁ ଆଉଜି ପଡ଼ିଲା ସେ-। ନୀଳ ଅବଗୁଣ୍ଠନ ମଧ୍ୟରୁ ଗୋଲାପି ମୁହଁଟି ତା’ର ଝଟକି ଉଠୁଥିଲା ଅସ୍ପଷ୍ଟଭାବେ ଆଉ ସେଇ ପତଳା ଶାଢ଼ି ତଳେ ଗୋରୀ ମୁହଁଟିକୁ ଲୁଚାଇ ଲୁଚାଇ ଚାହୁଁ ଥିଲା ତା’ର ପତି ପରମେଶ୍ୱରଙ୍କୁ-। ନୀରବ ନିଶ୍ଚଳଭାବେ ଠିଆ ହୋଇ ରହି ଚାହୁଁ ଥିଲା ତା’ର ପତି ଦେବତାର କମନୀୟ କାନ୍ତିଙ୍କୁ-

 

ବୀଣାଠାରୁ କୌଣସି ଉତ୍ତର ନପାଇ ଛଟପଟ ହେଉଥିଲା ପ୍ରକାଶର ଅବୁଝା ମନ । ଉତ୍କଣ୍ଠାର ଅସ୍ଥିରତାର ନିଆଁରେ ପୋଡ଼ି ଯାଉଥିଲା ସେ । କ’ଣ କରିବ ? ପ୍ରୀୟତମା ବୀଣାର କଣ୍ଠ ନିସୃତ ବାଣୀ ଶୁଣିବାକୁ ସେ ପିପାସିତ ଚକୋର ପରି ଚାହିଁ ରହିଥିଲା । ଅଧିକ ସମୟ ଆଉ ଅପେକ୍ଷା କରିପାରିଲାନି ପ୍ରକାଶ; ଉତ୍କଣ୍ଠା ମନନେଇ ପୁଣି ଡାକିଲା...ବୀଣା......ବୀଣା.....

 

କୌଣସି ଉତ୍ତର ଦେଇ ପାରିଲାନି ବୀଣା । ପତିଦେବତାଙ୍କୁ ତା’ର ପ୍ରଥମେ କ’ଣ କହିବ ତାହାହିଁ ସେ ଭାବୁଥିଲା । କିଛି ଉତ୍ତର ଦେବା ପାଇଁ ଭାଷା ରାଜ୍ୟରେ ସେ ଭାଷା ଖୋଜି ପାଉନଥିଲା ।

 

ବୀଣାର ଏପରି ନୀରବତା ଦେଖି ଅସ୍ଥିର ହୋଇ ଉଠିଲା ପ୍ରକାଶ ମନ । ମନରେ ତା’ର ଅସୁମାରି ପ୍ରଶ୍ନ । ବୀଣା ତଥାପି ନୀରବ... ? ଅଭିମାନ ନା ଲଜ୍ଜା ?

 

ଭାବିଲା ଏଘରୁ ସେ ଚାଲିଯିବ । ଭାବିବ, ସେ ବିଭା ହୋଇନି । ଅତୀତରେ ସେ ଯେମିତି ନିଃସଙ୍ଗ ଥିଲା ଆଜିବି ଠିକ୍ ସେମିତି ଅଛି । କିନ୍ତୁ ମନତାର ଯେମିତି କହିଉଠୁଛି ଆଜିଦିନଟିକୁ ଦୂରେଇ ଦେଇ ଗଲେ ଆଉ କ’ଣ ଏପରି ଶୁଭ ମୁହୂର୍ତ୍ତଟିଏ ତୁ ଜୀବନରେ ପାଇବୁ ?

 

ସମସ୍ତ ଭାବନାକୁ ଦୂରେଇ ଦେଇ ଦରଜା ଖୋଲି ବାହାରକୁ ପଳାଇଯିବାକୁ ଚେଷ୍ଟା କଲା ପ୍ରକାଶ; କିନ୍ତୁ ପାଦ ତା’ର ଆଗକୁ ପଡ଼ିଲାନି । ଶେଷ ଥର ପାଇଁ ଚେଷ୍ଟା କରିବ ଭାବି ପ୍ରକାଶ କହି ପକାଇଲା ଦେଖ ବୀଣା, ତୁମକୁ ଏତେ ଡାକିବା ସତ୍ତ୍ୱେବି ତୁମେ ବେଶ୍ ନୀରବରେ ରହିଛ । ଏପରି ନୀରବ କ’ଣ ଆଜି ସାଜେ ବୀଣା ? ବେଶ୍ କଥା ନକୁହ, ଏଇ ମୋର ଶେଷଥର ପାଇଁ ଡାକ । ତୁମେ ଯଦି କଥା ନ କୁହ, ମୋର ବା ଆଉ ଉପାୟ କ’ଣ ? ମୋ ପଥରେ ମୁଁ ଶେଷରେ ଚାଲିଯିବାକୁ ବାଧ୍ୟ ହେବି ।

 

ବୀଣା...........

 

ଏଥର କିନ୍ତୁ ନୀରବରେ ରହିପାରିଲାନି ବୀଣା । ଅଜଣାତରେ ଅସ୍ପଷ୍ଟ କଣ୍ଠରୁ ତା’ର ବାହାରି ଆସିଲା ମାତ୍ର ଦୁଇଟି ଅକ୍ଷର, "ଆଜ୍ଞା" ଅଜଣାତରେ ଥରି ଉଠିଲା ସେ ।

 

ଦେହରେ ଇଲେକ୍‍ଟ୍ରୀ ସକ୍ ଲାଗିଲାପରି ଏ ଦୁଇଟି ଅକ୍ଷର ପ୍ରକାଶର ସାରା ଅବୟବରେ ଆନନ୍ଦର ତରଙ୍ଗ ଖେଳାଇ ଦେଲା । ପ୍ରାଣେ ପ୍ରାଣେ ତା’ର ଆନନ୍ଦ ତରଙ୍ଗ ଅନୁଭବ କରୁଥିଲା ସେ । ପ୍ରକାଶ କୃତ୍ରିମ ହସଟିକେ ହସିଦେଇ ପୁଣି କହିଲା, ବୀଣା ଠିଆ ହୋଇ ରହିଲ କାହିଁକି ?

 

ବସନା.........ସମୟ ଯେ ଖୁବ୍ କମ୍ ।

 

ନୀ.....ର....ବ...... ।

 

କଥା ମାନିବନି ? କହୁଛି ପରା, ଏଇ ପାଖକୁ ଆସି ବସ । ଆଧୁନିକ ଯୁଗର ଯୁବତୀ ତୁମେ । ଏତେ ଲଜ୍ଜା ସଙ୍କୋଚ ତୁମକୁ କ’ଣ ଶୋଭା ପାଏ ?

 

ଆଉ ଅବାଧ୍ୟ ହେଲାନି ବୀଣା । କଅଁଳ ଶିଶୁଟି ପରି ପ୍ରିୟତମଙ୍କ କଥାକୁ ସେ ଚାହିଁ ରହିଥିଲା । ପ୍ରକାଶ ପାଖରୁ ଟିକେ ଦୂରେଇ ବସିଲା ସେ ।

 

ପ୍ରକାଶ ଟିକେ ହସି ଥଟ୍ଟାରେ କହିଲା ଆହୁରି ପାଖକୁ ବସ..ନା,...ମୋତେ ଛୁଇବନି ?

 

ବୀଣାକୁ ହସ ଲାଗୁଥିଲେବି ହସି ପାରିନି ସେ । ହୃଦୟ ଭିତରେ ହସକୁ ଚାପିରଖି ଆହୁରି ଟିକେ ପାଖକୁ ବସିଲା ମୁଣ୍ଡରେ ସରୁ ଓଢ଼ଣା ଟାଣି ।

 

ଓଢ଼ଣା ଦଉଚ କ’ଣ ? ମୁହଁ ଦେଖାଇବନି ?

 

କିଛି କହୁନା ଯେ ? ମୁଁ ରହିବାରୁ ତୁମକୁ ଖରାପ ଲାଗୁଛି ବୋଧେ ନା ? ହଉ...ମୁଁ ଚାଲି ଯାଉଛି । ବୀଣାର ସରଳ ମନକୁ ପରୀକ୍ଷା କରିବାକୁ ଏତକ କହି, ଉଠି ଆସୁଥିଲା ପ୍ରକାଶ । ବୀଣା କିନ୍ତୁ ଧୈର୍ଯ୍ୟ ଧରି ବସିରହି ପାରିଲାନି । ଭାବୁଥିଲା, ଏ ଶୁଭ ରାତିଟି କେବଳ ତା’ର ନୀରବତା ଯୋଗୁଁ ଅଶ୍ରୁଳ ହେବାକୁ ଯାଉଛି । ତଥାପି ସେ ଅପରିଚିତ ସ୍ୱାମୀଙ୍କୁ ତା’ର କ’ଣ କହିବ ତା’ ଭାବି ସ୍ଥିର କରିପାରୁ ନଥିଲା ।

 

ବିଚଳିତ ବୀଣା ହଠାତ ପ୍ରକାଶର ହାତକୁ ଜାବୁଡ଼ି ଧରି ଆଣି ସୁସଜ୍ଜିତ ଖଟଉପରେ ବସାଇ ନିଜେ ବସି ପଡ଼ିଲା ପ୍ରିୟତମଙ୍କ ପାଖକୁ ଲାଗି ।

 

ପ୍ରକାଶ ପୁଣି ଆରମ୍ଭ କଲା, ଓଢ଼ଣା ଖୋଲ......ତୁମର ଶ୍ରୀମୁଖ ଦର୍ଶନପାଇଁ ମୁଁ ପରା ପିପାସିତ ନୟନରେ ଚାହିଁ ରହିଛି । ତୁମର ଶ୍ରୀମୁଖ କ’ଣ ଦର୍ଶନ ଦେବନି ?

 

ତଥାପି ବୀଣା ନୀରବରେ ବସିରହିଥିଲା । ପ୍ରିୟତମଙ୍କ କଥାର ଭାବଭଙ୍ଗୀକୁ ଉପଲବ୍‍ଧି କରୁଥିଲା ସେ ।

 

ହଁ, ବୀଣା ତୁମକୁ ମୁଁ ବାଧ୍ୟ କରୁନି ଓଢ଼ଣା ଖୋଲିବାକୁ । ଯଦି ଏ ମୁହଁ ଚିରଦିନ ଠିକ୍ ଏମିତି ଏଇ ଓଢ଼ଣା ତଳେ ଲୁଚାଇ ରଖିପାରିବ ତେବେ ଲୁଚାଅ, ସେଥିରେ ମୁଁ ପ୍ରତିବାଦ କରୁନି ।

 

ପ୍ରକାଶର କଥାଶୁଣି ତନ୍ମୟ ହୋଇ ଉଠିଲା ବୀଣା । ନିଜର ଭୁଲ୍ ସେ ବୁଝିପାରିଲା । ଆରେ ସତେତ.....କାହାକୁ ସେ ମୁହଁ ଲୁଚାଉଛି । ସିଏ ଯେ ତା’ର ସ୍ୱାମୀଦେବତା, ଇହକାଳ ପରକାଳର ସାଥୀ । ନା ନା, ତାଙ୍କୁ ସେ ଲାଜ କରିବନି । ତାଙ୍କରି ଚରଣ ତଳେ ଲୋଟିଯିବ ସେ...... । ମୁଣ୍ଡରୁ ଆସ୍ତେ ସରୁ ଓଢ଼ଣାଟି ଖସାଇ ଦେଇ ପ୍ରିୟତମକୁ ଚାହିଁବାକୁ ଚେଷ୍ଟା କଲା ବୀଣା-। କିନ୍ତୁ ଚାହିଁ ପାରିଲାନି ସେ । ମାତ୍ର ଥରଟିଏ ଚାହିଁଦେଇ ମୁହଁ ବୁଲାଇ ନେଲା । ଅଦେଖା ଲାଜ ସଙ୍କୋଚରେ ସୁନ୍ଦର ଗୋରା ମୁହଁଟି ତା’ର ଫିକା ପଡ଼ିଆସିଲା ।

 

ପ୍ରିୟତମର କମନୀୟ ଶ୍ରୀମୁଖକୁ ଆଉଥରେ ଦେଖିବାର ଶତ ଇଚ୍ଛା ଥିଲେବି ଆଉ ଚାହିଁପାରୁ ନଥିଲା ବୀଣା ।

 

ଚାରି ଚକ୍ଷୁର ମିଳନ ଆନନ୍ଦରେ ଆତ୍ମହରା ହୋଇ ହସି ଉଠିଲା ପ୍ରକାଶ । ପ୍ରିୟତମାର ଗୋଲାପି ମୁହଁଟିକୁ ଆଉଥରେ ଦେଖିବାପାଇଁ ଡହଳ ବିକଳ ହେଉଥିଲା ତା’ର ମନଭ୍ରମରଟି ।

 

ଭାବନାର ଖିଅକୁ ବଦଳେଇ ନେଇ ପୁଣି ପ୍ରଶ୍ନକଲା ପ୍ରକାଶ; ତୁମେ ମୋତେ ଜୀବନରେ ପାଇ ସୁଖୀ ହୋଇ ପାରିବତ ? ଜୀବନରେ ଆପଣାର କରି ପାରିବତ... ?? କୁହ ବୀଣା.....ନୀରବ କାହିଁକି ? ବୀଣା ମନରେ ପ୍ରଶ୍ନବାଚି ?? କିଛି ଉତ୍ତର ଦେଇପାରିଲାନି ସେ । କେବଳ ମୁଣ୍ଡ ହଲାଇ ଛୋଟ ହଁ ଟିରେ କଥାର ସମ୍ମତି ଜଣାଇଲା ।

 

"ଦେଖ ବୀଣା, ସଂସାର ପଥରେ ପଥିକ ହେବାକୁ ହେଲେ ବହୁ ବାଧାବିଘ୍ନ, ବହୁ ଝଡ଼ ଝଞ୍ଜା ସହିବାକୁ ହେବ । ସଂସାର ଚକ୍ରର କଠୋର ନିଷ୍ପେଷଣରେ ନିଷ୍ପେଷିତ ହୋଇ ମନର ଗୋଡ଼ ହାତ ଭାଙ୍ଗିବାକୁ ହେବ । ମୋ ସହିତ ସୁଖ ଦୁଃଖ ଅନୁଗାମିନୀ ହୋଇ ସଂସାରର ଗତିସଙ୍ଗେ ତାଳ ମିଳାଇ ନାଚିପାରିବତ ତୁମେ ? ବୀଣା ଠାରୁ ଉତ୍ତର ପାଇବାପାଇଁ ଏତକ କହି ନୀରବ ହେଲା ପ୍ରକାଶ ।

 

ପ୍ରିୟତମଙ୍କର କଥା ଶୁଣି ଅଧୀର ହୋଇ ପଡ଼ିଲା ବୀଣା । ଅନନ୍ତ ଭାବନାରେ ଆଉଟି ପାଉଟି ହେଉଥିଲା ତା’ର କୋମଳ ମନ । ଭାବୁଥିଲା, ଏକି ପ୍ରଶ୍ନ ତାକୁ ? ଯାହାକୁ ସେ ଇହକାଳ ପରକାଳର ଦେବତା ବୋଲି ବାଛି ନେଇଛି ତାଙ୍କ ସହିତ ସୁଖ ଦୁଃଖର ଅନୁଗାମିନୀ ହୋଇ ଯିବନିତ ଆଉ କାହା ସହିତ ଯିବ ସେ– । ସେ ଜାଣେ ଅବଳା ନାରୀର ଏକମାତ୍ର ସହାୟ ପତିପରମେଶ୍ଵର...ପତି ଦେବତା । ପତିହିଁ ତା’ର ସବୁ...ଆରାଧ୍ୟ ଦେବତା ।

 

ପୁଣି ପ୍ରକାଶର ସେଇ ପ୍ରଶ୍ନ, ରୁହ ବୀଣା; ଶତ ଦୁଃଖ କଷ୍ଟରେ ହାତଧରି ଆଗେଇ ଯାଇ ପାରିବତ ?

 

କି ଉତ୍ତର ଦେବ ବୀଣା ? କ’ଣ କହି ଏ ଜଟିଳ ପ୍ରଶ୍ନର ସମାଧାନ କରିବ ସେ...

 

ଅସ୍ପଷ୍ଟ କଣ୍ଠରୁ ତା’ର ବାହାରି ଆସିଲା, ତୁମେ ମୋର ଇହକାଳ ପରକାଳର ଦେବତା,...ମୁକ୍ତିଦାତା । ଯେଉଁ ସମୟ ଠାରୁ ଧର୍ମକୁ ସାକ୍ଷୀରଖି କନକବେଦୀ ଉପରେ ତୁମକୁ ପତି ଦେବତା ବୋଲି ବରଣ କରିଛି, ସେଇ ସମୟଠାରୁ ମୁଁ ଜାଣେ ତୁମେହିଁ ମୋର ପତି ମୁକ୍ତି ଦାତା । ତୁମବିନା ଏ ସଂସାରରେ ମୋର ଆଉ କେହି ସହାୟ ନାହିଁ ।

 

ପ୍ରକାଶର ମନ ଯେଉଁ କେଇପଦ କଥା ଶୁଣିବାପାଇଁ ଆକାଂକ୍ଷିତଭାବେ ଚାହିଁ ରହିଥିଲା ପ୍ରିୟତମା ବୀଣାଠାରୁ ତା’ ପାଇଁ ନିଜକୁ ନିଜେ ଧନ୍ୟ ମନେକରୁଥିଲା ସେ । ସର୍ବାଙ୍ଗ ତା’ର ଶିହରି ଉଠୁଥିଲା । ଭାବୁଥିଲା, ଧନ୍ୟପରମେ ଲୀଳା । ଯିଏ ଯେଉଁପରି ଈଶ୍ଵର ତାକୁ ସେହିପରି ମିଳାଇ ଦିଅନ୍ତି । ଆଉ ଯାହାର ମନ ଯେଉଁପରି ତା’ର ଫଳ ସେହିପରି ।

 

ହଠାତ ପ୍ରଶ୍ନୀଳ ଚକ୍ଷୁକୁ ବୀଣା ଉପରୁ ଫେରାଇ ନେଇ ହାତ ଘଣ୍ଟାକୁ ଚାହିଁଲା ପ୍ରକାଶ । ଚାରିଟା ତିରିଶି ମିନିଟ୍ । ସମୟ ଖୁବ୍ କମ୍ ! ରାତି ମାତ୍ର ଆଉ ଘଣ୍ଟାଏ ଦୁଇଘଣ୍ଟା ବାକି । ଚତୁର୍ଥୀ ରାତିର ନିୟମ ତାକୁ ପାଳନ କରିବାକୁ ହେବ । ଏଇ ବାସର ରଜନୀକୁ ତାକୁ ମଧୁମୟ କରିବାକୁ ପଡ଼ିବ । ଦୀର୍ଘଦିନର ବିପୁଳ ଆଶାକୁ ସେ ରୂପ ଦେବ ଏଇ କେଇଟି ମୁହୂର୍ତ୍ତ ମଧ୍ୟରେ । ତୃଷିତଆତ୍ମାକୁ ସେ ଶୀତଳ କରିବ ପ୍ରିୟତମା ଓଷ୍ଠରୁ ପ୍ରଣୟ ପିଇପିଇ–

 

ପ୍ରଣୟର ମୋହ ଯେ ପ୍ରକାଶକୁ ବିବେକ ଚ୍ୟୁତ କରିପକାଇଲାଣି ସେ ତାହା ପ୍ରାଣେ ପ୍ରାଣେ ଅନୁଭବ କରୁଥିଲା । ହେଲେ ସେ କୌଣସି ବାଟ ଖୋଜି ପାଉନଥିଲା । ପ୍ରିୟତମା ହେଲେ ମଧ୍ୟ ନୂଆ । କ’ଣ କହି ସେ ତା’ର ଆଦିମ ଲାଳସାକୁ ଚରିତାର୍ଥ କରିବ ତା’ ଭାବିପାରୁ ନଥିଲା ସେ-। କ’ଣ କହିବାକୁ ଭାବିଥିଲେବି ଜିଭ ଲେଉଟୁ ନଥିଲା ତା’ର ।

 

ଅସ୍ଥିର ମନନେଇ ସୁସଜ୍ଜିତ ଶଯ୍ୟାରେ ଲୋଟିପଡ଼ି ଡାକିଲା ପ୍ରକାଶ; ଶୋଇ ପଡ଼ ବୀଣା ରାତି ଯେ ଅନେକ ହେଲାଣି । ତମେ ଶୋଇପଡ଼ କହି ନୀରବ ହେଲା ବୀଣା । ବଡ଼ ଅଡ଼ୁଆରେ ପଡ଼ିଲା ସେ ଅଜଣା କମ୍ପନରେ ସର୍ବାଙ୍ଗ ତା’ର ଚହଲି ଉଠୁଥିଲା । ପ୍ରକାଶ ଉଠିପଡ଼ି ବୀଣାକୁ ଧରିବାକୁ ଗଲାବେଳେ ପ୍ରଦୀପଟିକୁ ଲିଭାଇ ଦେବାକୁ ଚେଷ୍ଟା କଲା ବୀଣା । ବୀଣାକୁ ବାଧାଦେଇ ପ୍ରକାଶ କହିଲା ଲିଭାଅନି ବୀଣା । ସେ ପରା ଆମର କୁଳଦୀପ । ଏ ବାସର ରଜନୀର ମୂକ ସାକ୍ଷୀ-। ତାକୁ ଲିଭାଇ ଦେଲେ ଆମର ଏ ଶୁଭମିଳନ ସାକ୍ଷୀ କିଏ କହିଲ ?

 

ବୀଣା ଅନୁଭବ କରି ନଥିଲେବି ବୁଝିଲା ସବୁକଥା, ହେଲେ ତଥାପି ସେ ନୀରବରେ ଠିଆ ହୋଇ ରହିଥିଲା ।

 

ଦୀର୍ଘସମୟ ପରେ କନକ ପ୍ରଦୀପର ଉଜ୍ଜ୍ଵଳ ଶିଖାଟି ଭଳି ଲିଭି ଆସିଲା । ଘରେ ରାଜତ୍ୱ କରି ବସିଲା ଅନ୍ଧକାରର ଘନଘଟା । ପ୍ରଣୟର ଆକର୍ଷଣରେ ଦୁହେଁ ଦୁହିଁଙ୍କ ସାନ୍ନିଧ୍ୟ ପାଇବାକୁ ବ୍ୟଗ୍ର ହୋଇଉଠୁ ଥିଲେ ।

 

ପ୍ରକାଶର ପୁଣି ସେହି କୋମଳ କଣ୍ଠନିସୃତ ବାଣୀ–ଆସ ବୀଣା ବୀଣାର ସେହି ପୁନରାବୃତ୍ତି ଉତ୍ତର "ତମେ ଶୋଇପଡ଼" ।

 

ପ୍ରକାଶ ମନରେ ପ୍ରଣୟ କଣ୍ଠକର ଦାରୁଣ ଯନ୍ତ୍ରଣା, ହତାଶାର ତୀକ୍ଷ୍ଣମ ରେଖା । ଦ୍ଵନ୍ଦିଳ ମନ ନେଇ ପ୍ରକାଶ ଆରମ୍ଭ କଲା "ଦେଖ ବୀଣା; ତୁମେ କ’ଣ ମୋତେ ବିବାହକରି ସୁଖୀ ହୋଇ ପାରିବନି ? କୁହ ବୀଣା–: ପ୍ରକୃତରେ ତୁମେ ଯଦି ମୋତେ ପାଇ ଜୀବନକୁ ତୁମର ସରସ ସୁନ୍ଦର କରି ନପାରିବ ତେବେ–

 

ଅନ୍ତର ତଳେ ସ୍ୱାମୀପ୍ରତି ଭଲ ପାଇବାର ଝଙ୍କାର ନଉଠିଲେ ସେଥିରେ ମନରେ ତୃପ୍ତି ଆସେନା । ବେଦି ଉପରେ ପୁରୋହିତ କେଇଟି ସୁଦ୍ଧ ମନ୍ତ୍ର ପଢ଼ି କ’ଣ ଦୁଇଟି ଅପରିଚିତ ଆତ୍ମାକୁ ଏକତ୍ର କରିଦିଅନ୍ତି ? ଗୋଟିଏ ରଜ୍ଜୁରେ ବାନ୍ଧିଦିଅନ୍ତି ??? ନା-ବୀଣା, ମନ ସହିତ ମନ, ଅନ୍ତର ସହିତ ଅନ୍ତର ନ ମିଶିଲେ ସେ ବିବାହରେ କୌଣସି ମୂଲ୍ୟ ନାହିଁ । ଲୋକ ଦେଖାକୁ ଅବଶ୍ୟ ସମସ୍ତେ ସ୍ୱୀକାର କରିବେ ଏ ବିବାହକୁ, ମାତ୍ର ଚିରଦିନଲାଗି ମନ ବନରେ ଯେଉଁ ଅବଶୋଷର ବାଡ଼ବାଗ୍ନୀ ଜଳିବ ତାକୁ କ’ଣ କେହି ଲିଭାଇ ପାରିବେ ?

 

କୁହ ବୀଣା ?? ତୁମ ପାଖରୁ ତା’ର ଉତ୍ତର ନପାଇଲେ ପ୍ରକାଶର ଏ ନିଷ୍ଠୁର ବାକ୍ୟରେ କାନ୍ଦିପକାଇଲା ବୀଣା । କଅଁଳ ମନତାର ଥରିଉଠିଲା । ଭାବୁଥିଲା ତା’ର ନୀରବତା ଯୋଗୁଁ ପ୍ରାଣର ପ୍ରିୟତମ ତା’ର ଦୁଃଖରେ ମର୍ମାହତ । ବାସ୍ତବିକ ଆଜିରେ ତା’ର ନୀରବତା ଶୋଭନୀୟ ନୁହେଁ ।

 

ବୀଣାମନରେ ଯେ ପ୍ରଣୟର କାମନା ତରଙ୍ଗ ଲହଡ଼ି ମାରୁନଥିଲା ତା’ ନୁହେଁ ବରଂ ଅଧିକ ଛଟପଟ ସେ ହେଉଥିଲା କାମ ଦେବତାର ଫୁଲଶରର ଦାରୁଣ ଆଘାତ ପାଇ । ପ୍ରିୟତମଙ୍କ ଉପରେ ଲୋଟିଯିବାକୁ ମନରେ ସହସ୍ରଇଚ୍ଛା ଥିଲେବି ପାଖକୁ ଯାଇପାରୁ ନଥିଲା ସେ । ନାରୀ ସେ, କେମିତି ବା ଯିବ ! ଲଜ୍ଜା ତା’ର ଅଙ୍ଗର ଭୂଷଣ । ଲଜ୍ଜାରେ ଭାଙ୍ଗିପଡ଼ୁଥିଲା ସେ.....

 

ପ୍ରିୟତମଙ୍କ କୋଳରେ ଲୋଟି ଯିବାର ଉଦ୍‍ବେଗ ଆକାଂକ୍ଷା ଥିଲେବି ତଥାପି ସେ ପଛେଇ ଯାଉଥିଲା । ଲାଜରେ କୋମଳ ମନ ତା’ର ସଂକୁଚିତ ହୋଇ ପଡ଼ୁଥିଲା । ଭାବୁଥିଲା; ପ୍ରିୟତମ ବିନା ଯେ ତା’ର ଅନ୍ୟଗତି ନାହିଁ । ଯିଏ ଇହକାଳ ପରକାଳର ସାଥୀ, ଯାହାକୁ ନେଇ ସେ ସୁଖର ସଂସାର ଗଢ଼ିବ ତାଙ୍କ ସହିତ......

 

ବୀଣା ଆଉ ଅଧିକ ଭାବନା ରାଜ୍ୟକୁ ଆଗେଇ ଯିବାବେଳେ ଭାବନାରେ ପୂର୍ଣ୍ଣଚ୍ଛେଦ ଟାଣି ପ୍ରକାଶ ଡାକିଲା, ଆସ ବୀଣା.......ଶୋଇପଡ଼......ମନର କାମନାକୁ ସମ୍ଭାଳି ନେଇ ବୀଣା କହି ପକାଇଲା କାହିଁକି ? ଆରେନିଦ ଆସିବଣି ଯେ.....

 

ପ୍ରକାଶର କଥା ଛଡ଼ାଇ ଆଣି ବୀଣା କହି ପକାଇଲା, କାହାକୁ........ ? ମୋତେନା, ତୁମକୁ ?

 

ବୀଣାର ଥଟ୍ଟାଳିଆ କଥାରେ ନହସି ରହିପାରିଲାନି ପ୍ରକାଶ । ଅଜଣା ଆବେଗରେ ସେ କହିପକାଇଲା ହଉ, ତେବେ ଆସନା....ମନର ଶତ କାମନାକୁ ଆଉ ଚାପିରଖି ପାରିଲାନି ବୀଣା । ପ୍ରିୟତମଙ୍କ ପାଖକୁଲାଗି ନୀରବରେ ଶୋଇପଡ଼ିଲା ସେ । ଅନ୍ଧକାର ଘରର ମନଆଲୋକରେ ପ୍ରିୟତମଙ୍କ ମୁହଁକୁ ଦେଖି ଦେଖି ଆନନ୍ଦ ଉପଲବ୍‍ଧି କରୁଥିଲା ।

 

ପ୍ରକାଶ ଆଉ ଅସହଣି ମନର ଅକୁହା ଆଶାକୁ ଅନ୍ତର ଭିତରେ ଚାପିରଖି ପାରିଲାନି । ତୁମକୁ ସ୍ପର୍ଶକରିବାକୁ ଅନୁମତି ମିଳୁ କହି ବୀଣାଉପରେ ଆଉଜି ପଡ଼ିଲା ସେ । ପ୍ରିୟତମାର ଘନକୃଷ୍ଣ ଚିକୁରକୁ ଏପଟ ସେପଟ କରୁ କରୁ ଉଷ୍ମ ଚୁମ୍ବନରେଖାଟି ଆଙ୍କିଦେଲା ।

 

ବୀଣାର ଉଷ୍ମରକ୍ତ ଉତ୍‍କ୍ଷୀପ୍ତ ହୋଇ ଉଠିଲା ପୁରୁଷର କର ସ୍ପର୍ଶପାଇ । ପ୍ରିୟତମଙ୍କ ସହିତ ଗୋଟିଏ ହୋଇ ମିଶିଯିବାକୁ ଶତ ଇଚ୍ଛା ଥିଲେବି ମନର ରୁଦ୍ଧ ବେଦନାକୁ ସମ୍ଭାଳିନେଇ ବୀଣା କହିପକାଇଲା, ଧେତ୍......ଏ କ’ଣ କରୁଛ...... ?

 

ପୁରୁଷଠାରୁ ନାରୀ ଯାହା ପାଇବାକୁ ଇଚ୍ଛାକରେ.....ତାହାହିଁ ତୁମକୁ ମୁଁ ଉପଯାଚକଭାବେ ଦେଉଛି । ଏଥିରେ ତୁମର ଭୟକରିବାର କ’ଣ ଅଛି ? ଏତକ କହୁ କହୁ ପ୍ରିୟତମା ବୀଣାକୁ ଛାତିଉପରକୁ ଭିଡ଼ି ନେଲା ସେ । ଘନଘନ ଚୁମ୍ବନରେଖା ଭରିଦେଲା ବୀଣାର ସାରା ଦେହରେ । ବୀଣା ଆଉ ନଥିଲା ସେତେବେଳକୁ । ମୃଦୁ ଚୁମ୍ବନରେ ହଜିଯାଇଥିଲା ସେ । ମଜି ଯାଇଥିଲା ପ୍ରିୟତମଙ୍କ କୋମଳ କୋଳେ । ଟାଉକା ଅଧର ତାରଲାଗି ଆସୁଥିଲା ପ୍ରକାଶର ପୁରନ୍ତା ପୁରନ୍ତା ଗାଲ ଉପରକୁ ! ପ୍ରେମକୁ ଆହୁରି ରସାଣିତ କରିବାକୁ ବୀଣାର ଓଠଟି ପ୍ରକାଶ ମୁହଁରେ ଲାଗିରହିଥିଲା ଆହୁରି ଘନିଷ୍ଠଭାବେ ।

 

ପ୍ରକାଶର ଦୁଷ୍ଟାମିକୁ ଏଡ଼ାଇବାକୁ ବୀଣାର ଆଉ ଶକ୍ତିନଥିଲା । ପ୍ରୀୟତମର ସୂକ୍ଷ୍ମ ଉପଚାର ପ୍ରୟୋଗରେ ଜଡ଼ାଇ ଯାଇଥିଲା ତା’ ଦେବତା ଦେହରେ । ମନ ତା’ର ଶିହରି ଉଠୁଥିଲା । କୋମଳ ସ୍ପର୍ଶପାଇଁ ମାଂସଳ ଛାତିତାର ଦୋହଲି ଉଠୁଥିଲା ।

 

ପ୍ରକାଶ ଆଉ ଥୟଧରି ପାରୁନଥିଲା । ଟାଉକା ଅଧର ତା’ର ଲମ୍ବି ଆସୁଥିଲା ପ୍ରିୟତମା ବୀଣାର ନରମ ଛାତି ଉପରକୁ ।

 

ତା’ପରେ.........

 

ୟା ଭିତରେ ଦୀର୍ଘଦିନ କଟି ଯାଇଛି । ଦେଶଚାରା ମତେ ବୀଣା ଆସନ୍ତା କାଲି ତା’ର ବାପ ଘରକୁ ଯିବ । ପ୍ରିୟତମାର ବିଚ୍ଛେଦ କଥା ଶୁଣି ଦୁଃଖରେ ଭାଙ୍ଗିପଡ଼ୁଛି ପ୍ରକାଶ । ମନରେ ତା’ର ବିଷାଦର ସୁଦୀର୍ଘ ତୀକ୍ଷ୍ମମ ରେଖା । ଆଖି ତା’ର ଅବାରିତ ଲୁହଧାର ବୁହାଇ ଦେଉଛି ପ୍ରିୟତମା, ବୀଣାର ଯିବାକଥା ଶୁଣି । ବସି ଭାବୁଛି; କେମିତି ସେ ପ୍ରାଣର ପ୍ରୀତି ପ୍ରତିମାକୁ ପାଖରେ ନପାଇ ଦୀର୍ଘଦିନ ବଞ୍ଚି ରହିବ...ସେ, ଯେ ଆଜି ପ୍ରିୟାର ମମତା ଡୋରିରେ ନିବିଷ୍ଠଭାବେ ଶୃଙ୍ଖଳିତ-

 

ବୀଣାର ମନ ଯିବାକୁ ଆନନ୍ଦରେ ଯେତିକି ଅଧୀର ହୋଇ ଉଠୁଛି ପ୍ରିୟତମାର କଥା ଭାବି ଭାବି ତାଠାରୁ ଅଧିକଭାବେ ଦୁଃଖରେ କାତର ହୋଇ ପଡ଼ୁଛି ସେ । ପତି ଦେବତାର ଅଧୀରତା ବୀଣା ମନରେ କ୍ରନ୍ଦନର ମୂର୍ଛନା ତୋଳୁଛି । ପ୍ରକାଶର ଦୁଃଖ ଦେଖି ପଳ ପଳ ହୋଇ ବୀଣାର କୋମଳ ହୃଦୟ ଦଗ୍‍ଧିଭୂତ ହେଉଛି । ଆଉ ସହିପାରୁନି ସେ......ଏଇ କେଇଟି ଦିନ ଭିତରେ ପ୍ରିୟତମର ସ୍ନେହ ସୁହାଗରେ ସେ ଏତେ ଆବଦ୍ଧ ହୋଇ ପଡ଼ିଛି ଯେ, ପ୍ରକାଶକୁ କ୍ଷଣେ ନଦେଖିଲେ ପାଗଳୀନି ପରି ବିଳପି ଉଠୁଛି ତା’ର କୋମଳ ହୃଦୟ । ଆଖି ତା’ର ଥୟଧରୁନି ଜମା......ବୀଣା ମନରେ ବାରମ୍ବାର ଆସୁଛି ସେଇ ଗୋଟିଏ କଥା; କେମିତି ସେ ପତି ପରମେଶ୍ୱରଙ୍କୁ ତା’ର ଏତେ ଦୁଃଖରେ ରଖି ଦୂରେଇ ଯିବ । ନିଃସଙ୍ଗ ଜୀବନ ନେଇ ସୁଖରେ ସେ ରହିପାରିବତ..... ? ପ୍ରିୟତମର ସ୍ନେହ ସୁହାଗ ହରାଇ ବଞ୍ଚି ପାରିବତ ସେ...... ???

 

ନା ନା ସେ ଯାଇପାରିବନି । ଯିବାର ପ୍ରସ୍ତାବକୁ ସେ ଭାଙ୍ଗିଦେବ ହୁଏତ ଏଥିରେ ଅପବାଦ ରଟିବ, ରଟୁ ......ତଥାପି ସେ ହସି ହସି ଦେବତାପାଇଁ ତା’ର ସବୁ ସହି ପାରିବ । ଦେବତାଙ୍କୁ ତା’ର ଦୁଃଖରେ ରଖି ସେ କ’ଣ ଶାନ୍ତିରେ ଗୋଟିଏ ନିଃଶ୍ୱସ ମାରିପାରିବ ? ଏ ଅସରା ଦିନଗୁଡ଼ାକ ପ୍ରିୟତମଙ୍କୁ ହରାଇ ସେ କ’ଣ ସୁଖରେ ବିତାଇ ପାରିବ... ? ଅନେକ ଝିଅ ନିଜର ସ୍ୱାମୀ ଶ୍ଵଶୁରମାନଙ୍କୁ ଅମର୍ଯ୍ୟାଦା କରନ୍ତି । ଶ୍ଵଶୁର ଘରକୁ ବନ୍ଦି ମନେକରି ଆକୁଳ ବିକଳ ହୁଅନ୍ତି ବାପ ଘରକୁ ଯିବାପାଇଁ । କିନ୍ତୁ...ବୀଣା ସେଥିରୁ ଦୂରେଇ ରହିବାକୁ ଚାହିଁଛି । ସେ ଜାଣେ ଏଇଘରହିଁ ତା’ର...ଏଠି ସମସ୍ତେ ତା’ର ଅତି ଆପଣାର । " କିଏବା ଆଉ ଅଛି ଏତେବଡ଼ ସଂସାରରେ । ସ୍ୱାମୀ ଆଉ ଶାଶୂ ବୁଢ଼ୀଟି । ଏଇ ଶାଶୂ ବୁଢ଼ୀଟି ତା’ର କେତେ ଭଲ ମଣିଷ । ଝିଅଠୁ ଅଧିକ ସ୍ନେହ କରନ୍ତି ତାକୁ । ସେ ଯେଉଁଦିନ ନଖାଇବ ଶାଶୂବୁଢ଼ୀ ତା’ର ଖାଆନ୍ତିନି । କେତେ ଓଟରା ଘୋଷରା କରନ୍ତି ତାକୁ ଖାଇବାପାଇଁ । ତା’ର ଯିବାକଥା ଶୁଣି ଶାଶୂ ମଧ୍ୟ ଦୁଃଖରେ ଅଧୀର ହୋଇ ପଡ଼ିଛନ୍ତି । କେମିତି ସେ ଛାଡ଼ିଦେଇ ବାପଘରକୁ ଯିବ... ?

 

ଭାବନା ସମୁଦ୍ରରେ ଅଣନିଃଶ୍ୱାସୀ ହୋଇ ପଡ଼ୁଛି ବୀଣା । ଯେମିତି ତାକୁ ଶୁଭିଗଲାପରି ଜଣାଯାଉଛି ତା’ ଦେବତାର କଣ୍ଠସ୍ଵର । ଦରଦର ଭରା କଣ୍ଠରେ ସେ ଯେମିତି କହୁଛନ୍ତି, ତୁମେ ମୋତେ ଦୂରେଇ ଦେଇ ଯାଇପାରିବ ବୀଣା ? ସତରେ ତୁମେ କ’ଣ ମୋତେ ପର କରି ଚାଲିଯିବ... ? ବେଶ୍......ହେଉ ଯାଅ । କିନ୍ତୁ ମୋତେ ଆଉ ଫେରି ପାଇବନି ।

 

ବୀଣାକୁ ଦିଶିଗଲାପରି ଲାଗୁଛି ପ୍ରିୟତମର ଛଳଛଳ ଆଖି ଯୋଡ଼ିକ । ଲୁହଭରା ଆଖିରେ ସେ ଯେମିତି କ’ଣ କହିବାକୁ ଯାଇ କହିପାରୁନାହାନ୍ତି ।

 

ପୁଣି ଶାଶୂବୁଢ଼ୀର କଥା ଭାବି ଭାବି ଅଧୀର ହୋଇ ଉଠୁଛି ବୀଣା । ଏତେବଡ଼ ସଂସାର ଚଳାଇବାକୁ କେହିନାହିଁ । ଦେହ, ପା, ଖରାପ ହେଲେ ହାତ ବୁଲାଇବାକୁ ଟିକେ କେହିନାହିଁ ।

 

ନା, ନା ଯିବନି ସେ । କାହିଁକି ସେ ଦୁଇଦିନିଆ ସୁଖ ଭୋଗ କରିବାକୁ ଯିବ । ଏଇ ତା’ର ଭଙ୍ଗା ଦଦରା କୁଡ଼ିଆ । ଏଇ କୁଡ଼ିଆକୁ ସେ ଗଢ଼ି ତୋଳିବ ରୂପର ତାଜମହଲ କରି । ଆନନ୍ଦର ଫୁଲ ଫଳରେ ହସାଇ ଦେବ ସେ ଏଇ ଭଙ୍ଗା ଦଦରା ନୀଡ଼ଟିକୁ ତା’ର ।

 

ଭାବନାରେ ବିବ୍ରତ ହୋଇ ବସିପଡ଼ିଲା ବୀଣା । ଆଖିପତା ତା’ର ଓଦାହୋଇ ଆସିଲା ଟୋପା ଟୋପା ଲୁହ କଣିକାରେ । ପଛ ପାଖରୁ ଲୁଗା କାନିଟାକୁ ଟାଣିଆଣିଲା ଲୁହ ପୋଛିବାପାଇଁ-

 

ଆରେ....ଲୁଗା କାନିରେ କ’ଣ ଗୁଡ଼ାଏ ଯେ ବନ୍ଧା ହୋଇଛି । ଖୋଲିବସିଲା ବୀଣା । ନାମାଙ୍କିତ ଚିଠିଟି ଦେଖି କେତେ କ’ଣ ଚିନ୍ତାରେ ବୁଡ଼ିଗଲା ମନତାର । ଅଜଣାତରେ ହାତରୁ ତା’ର ଚିଠିଟି ତଳକୁ ଖସିପଡ଼ିଲା ।

 

ସେଦିନର କଥାକୁ ମନେ ପକାଇ କାନ୍ଦି ଉଠିଲା ବୀଣା । ହଁ...ହଁ...ଠିକ୍ ସେଇ ଦିନର କଥା । ଯେଉଁଦିନ ଜନ୍ମଦାତ୍ରୀ ତା’ର ସମସ୍ତଙ୍କୁ ପରକରି ସେପାରିକୁ ଚାଲିଯାଇଥିଲା । ଠିକ୍ ତା’ର ମନେଅଛି ହଜିଲା ବୋଉର କଥା । ରୋଗ ଶଯ୍ୟାରେ ପଡ଼ିମଧ୍ୟ ଉପଦେଶ ଦେବାକୁ ଭୁଲି ନଥିଲା ବୋଉ ତା’ର । ଖନିଖନି ପାଟିର କଥା ଏବେବି ମନରୁ ତା’ର ଭୁଲିନି । ଆଖିରେ ଲୁହଆଣି ତାକୁ କହିଥିଲା "ମା, ବୀଣା....ମୁଁ ଆଉ ବଞ୍ଚି ପାରିବିନି ମା । ସେପାରିରୁ ମୋତେ ଡାକରା ଆସିଯାଇଛି । ମୋର ଏହି ଶେଷ ସମୟର କେଇପଦ କଥା ଯେପରି ଭୁଲି ନଯାଉ ।

 

ମନରେ ମୋର ଅବଶୋଷ ରହିଗଲା ମା, ତୋର କପାଳରେ ସିନ୍ଦୂର ରେଖା ଦେଖି ପାରିଥିଲେ ଶାନ୍ତିରେ ମୁଁ ମରିପାରିଥାନ୍ତି । ଅନେକ ଆଶା କରିଥିଲି । କିନ୍ତୁ ଭଗବାନ୍ ତା’ ପୂରଣ କରାଇ ଦେଲେନି ।

 

ଏତକ ବୋଉ ପାଟିରୁ ଶୁଣି କାନ୍ଦିପକାଇ ଥିଲା ସେ । ଆଖିରୁ ତା’ର ବହିପଡ଼ିଥିଲା ଅବାରିତ ଲୁହଧାରା ।

 

"କାନ୍ଦେନା ମା, ମୋର; କହି ଅଲରା ବଲରା କେଶରାଶିକୁ ତା’ର ଶାଉଁଳୁ ଶାଉଁଳୁ ତା’ର ସେଇ ପରିଚିତ କୋଳକୁ ଆଉଜାଇ ନେଇ କହିଥିଲା, "ସ୍ୱାମୀହିଁ ସ୍ତ୍ରୀର ପରମ ଦେବତା । ସ୍ୱାମୀ ବିନା ସ୍ତ୍ରୀ କେବେ ଶାନ୍ତି ପାଏନା । ଯେଉଁମାନେ ସ୍ୱାମୀ ଦେବତାର ଅମଙ୍ଗଳ ପାଞ୍ଚନ୍ତି, ଯେଉଁ ସ୍ତ୍ରୀମାନେ ସ୍ୱାମୀକୁ ନିଜ ଅଧୀନରେ ରଖିବାକୁ ଚାହାଁନ୍ତି, ଯେଉଁମାନେ ଦୋଷା ଦୋଷ ଧରନ୍ତି, ଗୋଟିଏ କଥାରେ କହିବାକୁ ଗଲେ ଯେଉଁମାନେ ସ୍ୱାମୀ ଦେବତାକୁ ଭଲ ପାଆନ୍ତିନି, ସେମାନେ ରାକ୍ଷାସୀ, ସେମାନେ ଦୋଚାରୁଣୀ । ସ୍ୱାମୀ ବିନା ସ୍ତ୍ରୀର ଗତିମୁକ୍ତି ନାହିଁ । ସ୍ୱାମୀ ସୁନ୍ଦର ହୁଅନ୍ତୁ ବା ଅସୁନ୍ଦର ହୁଅନ୍ତୁ, ଧନୀ ହୁଅନ୍ତୁ ବା ଗରିବ ହୁଅନ୍ତୁ, ତଥାପି ସ୍ୱାମୀ ଯେ ସ୍ତ୍ରୀର ଚିରନମସ୍ୟ ଏକଥା ଯେମିତି ଭୁଲି ନଯାଉ ।" ଆଉ କ’ଣ କହିବାକୁ ଯାଇ କହି ପାରିନଥିଲା ବୋଉ ତା’ର । ଏଇତକ ଏକା ନିଃଶ୍ୱାସକରେ କହି ପକାଇ ଚିରଦିନ ପାଇଁ ଅନ୍ତିମ ବିଦାୟ ନେଇଥିଲା ।

 

ଆଉ ଭାବିପାରିଲାନି ବୀଣା । କଇଁ କଇଁ ହୋଇ କାନ୍ଦି ଉଠିଲା ସେ । ଆଖି ଯୋଡ଼ିକ ତା’ର ଲୁହରେ ଭରି ଆସୁଥିଲା । ଲୁଗା କାନିରେ ଲୁହ ପୋଛିଲା ବୀଣା । ଆରେ ଚିଠିଟା ପଡ଼ିଯାଇଛି ଭାବି ପଡ଼ିଥିବା ଚିଠିକୁ ଉଠାଇଆଣି ଖୋଲି ବସିଲା ସେ–

 

ପ୍ରାଣର ବୀଣା ମୋର–କ୍ଷୁଦ୍ର ପତ୍ରଟି ପଢ଼ି ମୋତେ ଭୁଲ୍ ବୁଝିବନି । କ’ଣ ବା ଲେଖିବି-? ଅବଶମନ, ନୀରସ ଆତ୍ମା, କ୍ଳାନ୍ତଶରୀର ନେଇ କ’ଣବା ଲୋତକ ଭରା ଜୀବନର କାହାଣୀମାଳାଗୁଡ଼ାକ ରୂପାୟନ କରିବି ? ଏବେବି ଲେଖନୀ ଧରିବାକୁ ଗଲାବେଳେ ଏ ପିଆସା ଆଖିରେ ଆସୁଛି ଅସରନ୍ତି ଲୁହଧାର । ପ୍ରାଣରେ ଆସୁଛି ଅଦେଖା ହା-ହୁତାଶର ବିରହ ଝଞ୍ଜା, ମନ ଅଙ୍ଗନରେ ଯେଉଁ ଅସହ୍ୟ ଯନ୍ତ୍ରଣା ଭରିରହିଛି ତାକୁ ରୂପାୟନ କରିବାକୁ ମୋର ଶକ୍ତିକାହିଁ....-??

 

ପ୍ରିୟତମାର; ପ୍ରଥମ ଦେଖାରେ ଆଦରରେ ତୁମକୁ ତୋଳି ନେଉଥିଲି ନିଜରକରି ! ଜୀବନର ପ୍ରଥମ ପାହାଚରେ ପାଇ ବରିନେଇଥିଲି ତୁମକୁ ପ୍ରାଣର ପ୍ରିୟତମ ଭାବି ଅନ୍ତର ପ୍ରଦେଶର ଗଭୀର ଆହ୍ୱାନରେ । ପ୍ରକୃତରେ ତୁମେହିଁ ମୋ ଜୀବନର ଏକମାତ୍ର....

 

ତୁମବିନା ଏ ହୃଦୟରେ ଅନ୍ୟ କାହାରି ସ୍ଥାନ ନାହିଁ । ତୁମେହିଁ ଏ ହା-ହା କାର ଦଗ୍‍ଧିଭୂତ ଜୀବନର ଶୀତଳ ଚନ୍ଦ୍ରମା ।

 

ଏଇ କେଇଟି ଦିନ ଭିତରେ ତୁମଠାରୁ ମୁଁ ଯେତିକି ଭଲପାଇବାର ଅଧିକାରୀ ହୋଇଛି ତା' ହୁଏତ ଜୀବନରେ ମୁଁ ଶୁଝି ପାରିବିନି । ସେଥିପାଇଁ ତୁମ ପାଖରେ ଚିରଦିନ ମୁଁ ଋଣୀ ରହିଗଲି......

 

ଭାବି ନଥିଲି ଜୀବନରେ ମୋର ଏପରି ବିରହ ଧକ୍‍କା ଆସିବ ବୋଲି । ଭାବିଥିଲି ତୁମକୁ ନେଇ ମୁଁ ସୁଖରେ ସେତୁ ପ୍ରତିଷ୍ଠା କରିବି । କିନ୍ତୁ....ମୁଁ ଦୁଃଖୀ, ସୁଖ ବା କାହୁଁ ପାଇବି ?

 

ତୁମକୁ ଦୂରେଇ ରଖି ମୋର ବଞ୍ଚି ରହିବାର ସାର୍ଥକ ଅଛି କି...... ? କେମିତି ଏ ଦୀର୍ଘଦିନ ତୁମକୁ ନଦେଖି ବଞ୍ଚିବି ।

 

ହୁଏତ ଆଉ କେଇଟି ମୁହୂର୍ତ୍ତପରେ ରାତି ପାହିଲେ ତୁମେ ମୁହଁଛପା ଦେଇ ଚାଲି ଯିବ ବହୁଦୂରେ । ମୁଁ ବି.... । ରାତି ପାହିବା ସଙ୍ଗେ ସଙ୍ଗେ ମୋ ରାତି, ବି ଚିରଦିନ ପାଇଁ ପାହିଜିବ । ସମସ୍ତଙ୍କ ଆଖିର ଆଢ଼ୁଆଳକୁ ମୁଁ ବି ଚାଲି ଯିବି ।

 

ତୁମେ ସୁଖରେ ରୁହ ଏହାହିଁ ପରମେଶ୍ୱରଙ୍କ ପାଖରେ ମୋର ନିତ୍ୟ କାମନା । ଯଦି କୌଣସି ମୁହୂର୍ତ୍ତରେ ମୋ କଥା ମନେ ପଡ଼େ ଭାବିବ, ମରିଯାଇଛି; ସସାଗରା ଧରାରୁ ନିଶ୍ଚିହ୍ନ ହୋଇ ଯାଇଛି ମୋର ଅସ୍ଥିତ୍ୱ ।

 

ଦୁଃଖ କରିବନି ପ୍ରିୟତମା ଜୀବନରେ ଯଦି ବଞ୍ଚିରହେ, ତେବେ ତୁମର ହସହସ ଶ୍ରୀମୁଖରୁ ସୁଧାଝରା କଥା ଶୁଣି ପାରିବି ନଚେତ ଏଇ ମୋର ଶେଷ ଦେଖା....

 

ହୁଏତ ତୁମେ ସୁଖରେ ରହି ଭୁଲି ଯାଇ ପାର, କିନ୍ତୁ ମୁଁ ଯଦି ବଞ୍ଚିରହେ ଏ ଜୀବନରେ ତୁମକୁ ଭୁଲି ପାରିବିନି । ଯଦି ମରିଯାଏ ତଥାପି ମରଣର ପରପାରିରେ ଠିଆ ହୋଇ ପ୍ରତୀକ୍ଷା କରିବି ତୁମକୁ । ତୁମରି ଗୁଣ ବାହୁନି କାନ୍ଦୁଥିବି ଚିରଦିନ ପାଇଁ । ସେପାରିରେ ରଖି ଦେଖୁଥିବି କିପରି ଆନନ୍ଦରେ ରହିଛ ତୁମେ....

 

ବିଶେଷ ଲେଖି ପାରୁନି ପ୍ରିୟତମା; କେଇଟି ଦିନର ମଧୁର ମିଳନକୁ ସ୍ଵପ୍ନ ମନେ କରି ଭୁଲିଯିବ । ଶେଷରେ; ବିଦାୟର ଶେଷ ସମୟରେ ଶେଷ ଚୁମ୍ବନ ନେବ । ଶେଷରେ ଚିରଦିନ ପାଇଁ ବିଦାୟ ମାଗୁଛି । ଶେଷ ମେଲାଣି ଦିଅ । (ଇତି)

 

ତୁମର ପ୍ରିୟତମ

–ପ୍ରକାଶ

 

ଚିଠିଟି ପଢ଼ି ଆହୁରି ଜୋର୍‍ରେ କାନ୍ଦି ଉଠିଲା ବୀଣା ଆପାଦ ମସ୍ତକତାର କାତରତାରେ ଥରି ଉଠିଲା । ଦୁନିଆ ତାକୁ ବିଷପରି ବୋଧହେଲା । ମନର ଦୁର୍ବିଷହ ଜ୍ୱାଳାକୁ ସହିବାକୁ ଆଉ ଶକ୍ତିନଥିଲା ତା'ର । ଭାବୁଥିଲା; ବଞ୍ଚି ରହିବା ତା’ର ଆଉ ଦରକାର ନାହିଁ । କାହାକୁ ବା ଆଉ ନେଇ ସେ ବଞ୍ଚି ରହିବ....କିଏ ବା ଆଉ ତା’ର ଆପଣାର ଅଛି !

 

ଉଷ୍ମଲୁହରେ ବୀଣାର ଆଖି ଯୋଡ଼ିକ ଧୋଇ ହୋଇ ଯାଉଥିଲା । ପଛକଥାଗୁଡ଼ାକ ଭାବି ଭାବନା ତା'ର ଧିମେଇ ଆସୁଥିଲା ! ପାଗଳିନୀ ପରି ହୋଇ ଉଠିଲା ବୀଣା । ଠିଆ ହୋଇଥିବା ସ୍ଥାନରେ ଗଛ କାଟିଲା ପରି ପଡ଼ିଗଲା ସେ ।

 

ଦୀର୍ଘ ସମୟ ପରେ ଚେତନା ଫେରିଲା ବୀଣାର । ନିସ୍ତେଜ ଆଖି ଖୋଲି ଚାହିଁଲା ସେ-। ପ୍ରିୟତମଙ୍କ କୋଳରେ ନିଜକୁ ଦେଖି ଆଖିକୁ ବିଶ୍ୱାସ କରିପାରିଲାନି । ଲୁହ ବୋଳା ଆଖିରେ ପ୍ରିୟତମ ମୁହଁକୁ ଚାହିଁ ଆହୁରି ଜୋର୍‍ରେ କାନ୍ଦି ଉଠିଲା ।

 

ପ୍ରକାଶବି ଆଖିରୁ ଲୁହଝରାଇ ନୀରବରେ କାନ୍ଦୁଥିଲା । ତା' ଦେବତାର ଆଖିରେ ଲୁହ ଦେଖି ମର୍ମାହତ ହୋଇ ପଡ଼ିଲା ବୀଣା । ପ୍ରିୟତମଙ୍କୁ କିଛି କହିବାକୁ ଯାଇ କେବଳ ଆଖିରୁ ଲୁହ ଝରାଉ ଥିଲା !

 

କେହି କାହାକୁ କିଛି କହି ପାରୁନଥିଲେ । ଉଭୟ ଉଭୟଙ୍କୁ କିଛି କହିବାକୁ ଯାଇ କୋହର ଅସ୍ଥିରତାରେ ଅଣନିଃଶ୍ୱାସୀ ହୋଇ ପଡ଼ୁଥିଲେ । ଦୁହିଁଙ୍କ ଆଖିରେ ଲୁହର ଶ୍ରାବଣୀ ।

 

ମନରୁ ଆବେଗତାରେ ହାତଦୁଇଟିକୁ ପ୍ରିୟତମଙ୍କ ଗଳାରେ ଛନ୍ଦିଦେଇ ବୀଣା କହି ଉଠିଲା; ତୁମେ ଯେବେ ମୋତେ ଦୂରକୁ ଠେଲି ଦେବ ମୋର ଅବସ୍ଥା କ’ଣ ହେବ ତା' ଥରେ ଚିନ୍ତା କରିଛ ଦେବତା ? ତୁମେହିଁ ମୋର ସବୁ ସ୍ୱାମୀ, ଦେବତା; ପ୍ରିୟ ପ୍ରେମିକ ସବୁକିଛି । ତୁମ ବିନା ଦୁନିଆରେ ମୋର କେହି ନାହିଁ ।

 

ପ୍ରକାଶ ପାଷାଣ ପରି ପ୍ରାଣପ୍ରିୟା ବୀଣାର ବକ୍ତବ୍ୟ ଶୁଣି ଯାଉଥିଲା । କିଛି କହିବାକୁ କଣ୍ଠ ତା'ର ବାଷ୍ପରୁଦ୍ଧ ହୋଇ ଆସୁଥିଲା । କ’ଣ ସେ କହି ପ୍ରିୟତମାକୁ ତା’ର ସାନ୍ତ୍ୱନା ଦେବ......

 

ଚିନ୍ତାକୁଳ ମନ ଆଉ ଦୁଃଖର ପ୍ରାଚୁର୍ଯ୍ୟତାରେ ଆତ୍ମହରା ହୋଇ ଉଠୁଥିଲା ସେ । ଅନ୍ତରର କୋହକୁ ଚାପିରଖି ପ୍ରକାଶ କିଛି କହିବାକୁ ଗଲାବେଳେ, ବୀଣା ପୁଣି କହି ଉଠିଲା; ଏ କ’ଣ ତୁମ ମନର ପ୍ରକୃତ କଥା ଦେବତା ? ପ୍ରକୃତରେ ତୁମେ କ’ଣ......ନିରାଶ କରିବ ?? ତୁମର ଲିଖିତ ପତ୍ରଟି ପଢ଼ି ମନ ଖାଲି ଜମା ସ୍ଥିର ହେଉନି । ହୃଦୟ ମୋର ସର୍ବଦା କାନ୍ଦୁଛି । ଆଉ ଏହା ଯଦିତୁମ ମନର ପ୍ରକୃତ କଥା ହୋଇଥାଏ ତେବେ ତା' ପୂର୍ବରୁ ସାଂସାରରୁ ଆଗ ମୁଁ ବିଦାୟ ନେଇ ଯାଇଥିବି । ତୁମର ଉଦ୍ଦେଶ୍ୟ ପୂରଣ ହେବା ପୂର୍ବରୁ ମୋ ମରଣ ତୁମେ ଶୁଣିବାକୁ ପାଇବ ।

 

ପ୍ରିୟତମାର ନିଃସହାୟ କଥାଶୁଣି ବିଚଳିତ ହୋଇପଡ଼ିଲା ପ୍ରକାଶ । କ’ଣ କହି ପ୍ରିୟତମାକୁ ତା’ର ସାନ୍ତ୍ୱନା ଦେଇ ଲୁହଭରା ଆଖିରେ ହସର ଜୁଆର ଦେଖିବ ତା' ଭାବି ପାରୁ ନଥିଲା ।

 

ବୀଣାକୁ ଆଜି କିଛି ଭଲ ଲାଗୁନି । ପ୍ରିୟତମର କଥା ଭାବି ଭାବି ମନଗହନ ବନରେ ତା'ର ବିଚ୍ଛେଦର ନିଆଁ ଜଳି ଜଳି ଉଠିଛି । ପ୍ରିୟତମଙ୍କର ଆଦର ଟିକକ ହରାଇ ସେ ଆଜି ପାଗଳିନୀ ସାଜିଛି ! ତାକୁ ଜଣା ଯାଉଛି, ସ୍ୱାମୀବିନା ସେ ଯେମିତି ସ୍ତ୍ରୀର ସତ୍ତା ଅସମ୍ଭବ । ପ୍ରାଣର ଦେବତା ବିନା ଦୁନିଆରେ ତା’ର ଯେପରି ଆଉ କେହି ନାହିଁ । ସ୍ୱାମୀଙ୍କି ହରାଇ ନିଜକୁ ଅସହାୟ ମଣୁଛି ବୀଣା ! ସେ ଯେମିତି ସମୁଦ୍ରୋମୁଖୀ ସ୍ରୋତନଦୀ ଆଉ ଦେବତା ତା'ର ସୁ-ପ୍ରସସ୍ତ ସୁନୀଳ ସାଗର । ମନତାର ଭାବନା ରାଶିରେ ଅଡ଼ୁଆ ତଡ଼ୁଆ ହୋଇ ଉଠୁଛି । କାହିଁ କେତେ ନାହିଁ ନଥିବା ଭାବନା ଭାବୁଛି ବୀଣା । ମନେ ପଡ଼ୁଛି ଯେଉଁ ଦିନ ସେ ପ୍ରିୟତମଙ୍କ ପାଖରୁ ବିଦାୟ ଆଣି ଆସିଲା-। ତା'ର ଆସିବା ସମୟରେ ପ୍ରିୟତମ ତା’ର ଦୁଃଖରେ ଅଧୀର ହୋଇ ପଡ଼ିଥିଲେ । ଦେବତାଙ୍କୁ ତା’ର ଦୁଃଖରୁ ପ୍ରଶମିତ କରିବାକୁ କହିଥିଲା; ଏକସାଙ୍ଗରେ ଦୁଇଟି ଜୀବନକୁ ନଷ୍ଟ କରିବାକୁ ପ୍ରୟାସ କରନି ଦେବତା । ସଂସାରରେ ବଞ୍ଚିରହି ଯଶସ୍ୱୀ ହୁଅ । ସ୍ତ୍ରୀ ମରିଯାଉଛନ୍ତି, ସ୍ୱାମୀତ ପୁଣି ଧୈର୍ଯ୍ୟଧରି ବଞ୍ଚି ରହୁଛନ୍ତି । ମନେକର ମୁଁ ମରି ଯାଇଛି । ଏଇ କଥାରେ କାନ୍ଦି ଉଠିଥିଲେ ତା' ଦେବତା ।

 

ଆଉ ସେ କେତେ ବୁଝାଇ ଶୁଝାଇ କହିଥିଲା; ଏଇ ସାମାନ୍ୟ କଥାରେ ଏତେ ଦୁଃଖିତ ହୁଅନ୍ତି; ମୁଁ କ'ଣ ସତେରେ ମରି ଯାଉଛି । ତୁମକୁ ଏକାକରି ଦେଇ ପାରିକି ମୁଁ କ’ଣ ଯାଇ ପାରିବି-

 

ସେ ଦିନ କିଛି କହି ପାରିନଥିଲେ ପ୍ରିୟତମ ତା’ର । ଦୁଃଖରେ ଖାଲି ଅଧୀର ହୋଇ ପଡ଼ିଥିଲେ । ହାତକୁ ତା’ର ଟାଣି ନେଇ କୁହୁଳା ଛାତି ତଳେ ତାଙ୍କର ଚାପି ଧରିଥିଲେ । ମୁହଁର ଭାଷାରେ ଦୁଃଖର ବେଦନାକୁ ସେ ପ୍ରକାଶ କରି ନପାରି ସ୍ପର୍ଶ ମାଧ୍ୟମରେ ଜଣାଇ ଦେଇଥିଲେ ତାକୁ ।

 

ପତି ଦେବତାର ଦୁଃଖ ଆଉ ସହି ପାରିନଥିଲା ସେ । ଆଖିରୁ ତା’ର ଲୋତକ ଆକାରରେ ମନର କ୍ଳାନ୍ତି ଝରିପଡ଼ିଥିଲା । ପ୍ରିୟତମଙ୍କୁ ତା’ର ସାନ୍ତ୍ୱନା ଦେବାକୁ ଯାଇ ସେ କହିଥିଲା; ତଥାପି ତୁମେ ଏତେ ଅବୁଝା । ଛି, ମୋ ସୁନାଟା ପରା......ମୋ ରାଣ......ତୁମେ କାନ୍ଦନି ଆଉ..... ।

 

ଶେଷରେ କହିଥିଲା, ଭୁଲି ଯିବନି ଦେବତା, ବିଦାୟ ଦିଅ ମୋତେ ।

 

ଏଇ କଥାରେ ଅଧିକଭାବେ କ୍ଷତବିକ୍ଷତ ହୋଇ ପଡ଼ିଥିଲେ ପ୍ରିୟତମ ତା’ର । ତା’ କଥାରେ ଉତ୍ତର ଦେବାକୁ ଯାଇ କହିଥିଲେ, ହଁ......ଭୁଲିଯିବି ବୀଣା । ଏକଥା ତୁମେ ଭାବି ପାରୁଛ-? ଏତକ କହୁ କହୁ ବାହୁ ବେଷ୍ଟନୀରେ ଆବଦ୍ଧ କରି ବିଦାୟର ସ୍କୃତି ସ୍ଵରୂପ ଚୁମ୍ବନ ରେଖାଟିଏ ଆଙ୍କି ଦେଇଥିଲେ ତା’ର ଲୁହ ବୋଳା ଚିବୁକରେ । ଆଉ ଶେଷରେ ଆବେଗ ହୃଦୟରେ କହିଥିଲେ, ଭୁଲି ଯିବନି ବୀଣା । ରିତିମତ ଚିଠିଦେବ । ତୁମର ହସ୍ତଲିଖିତ ସ୍ଵର୍ଣ୍ଣଲିପି ପାଇବାରୁ ଯେମିତି ବଞ୍ଚିତ ନ ହୁଏ ।

 

ଭାବନାରୁ ନିଜକୁ ଦୂରେଇ ଆଣିଲା ବୀଣା । ମନ ତା’ର କେଉଁଠି ଲାଗୁନି । ଭାବୁଛି, ଦଉଡ଼ି ଯାଇ ପତି ପରମେଶ୍ୱରଙ୍କୁ ତା’ର ଦେଖି ଆସିବ । କେତେ ଦିନ ହେବ ଦେଖିନି ସେ । ଆଖି ତା’ର ଖୋଜି ବୁଲୁଛି ପ୍ରିୟତମର ସନ୍ଧାନ । ପ୍ରକାଶର କମନୀୟ ରୂପ ଆଖି ଆଗରେ ତା'ର ନାଚି ଉଠୁଛି । ଢଳ ଢଳ ସୁନ୍ଦର ମୁହଁଟି ବୀଣା ମନରେ ରୋଶଣି ଜଳାଇ ଦେଇଛି ।

 

କଳ୍ପନାର ଚୁନିଚୁନି ଲହଡ଼ି ସୃଷ୍ଟି କରୁଛି ତା’ ମନ ସରୋବରରେ ।

 

ବୀଣା ଭାବୁଛି, ଆଜି ତାକୁ ସାଙ୍ଗସାଥୀର ସୁହାଗ ଭଲ ଲାଗୁନି କାହିଁକି । ଦିନେ ଏଇ ସାଙ୍ଗସାଥୀ ମେଳରେ କେତେ ହସ ଖେଳକରି ଆସିଛି ସେ । ହସ କାନ୍ଦର ପରିସର ମଧ୍ୟରେ ଦୀର୍ଘ ଅଠରଟି ଫଗୁଣ କଟାଇ ବାହି ଆଣିଛି ତା’ର ନାଉରି ବିହୀନ ଜୀବନ ତରୀକୁ ।

 

ପୁଣି ଭାବୁଛି, ହଜିଲା ଜନ୍ମଦାତ୍ରୀ ବୋଉର କଥା । ଅନେକ ସମୟରେ ନିରୋଳାରେ ବସିବାବେଳେ ଜନ୍ମଦାତ୍ରୀର କଥା ଭାବି ଭାବି ଆଖିରୁ ତତଲା ଲୁହଧାର ଗଡ଼ାଏ ବୀଣା । ଭାବେ; ଏମିତି କାନ୍ଦିଲେ ହୁଏତ ବୋଉ ତା’ର ଫେରି ଆସିବ । ମରଣ ପରେ କେହି ଫେରନ୍ତିନି ଜାଣି ସୁଦ୍ଧା ସେ କାନ୍ଦେ । ଥୟଧରି ପାରେନି ମୋଟେ । ନୟନର ଅଶ୍ରୁବୁନ୍ଦା ଜନ୍ମଦାତ୍ରୀର ଶାନ୍ତି ଉଦ୍ଦେଶ୍ୟରେ ଢାଳିଦିଏ ।

 

ଆଉ ଏଇ କେଇଦିନ ହେବ ସବୁକଥା ବୀଣା ମନରୁ ଦୂରେଇ ଯାଇଛି । ସମସ୍ତ ମନରାଇଜକୁ ତା’ର ଅଧିକାର ବସିଛି ମନଦେବତାର ଚିନ୍ତା । ପରମ ଠାକୁର ପତି ଦେବତା ବିନା ସେ ଆଉ କିଛି ଚିନ୍ତା କରିପାରୁନି ! ପ୍ରିୟତମକୁ ଜପାମାଳ କରି ବଞ୍ଚି ରହିଛି ସେ ।

 

କିଛି ଉପାୟ ନ ପାଇ ନୀରବରେ ଖାଲି ଆଖିରୁ ଲୁହ ଗଡ଼ାଏ ବୀଣା । ହସ କାନ୍ଦର ପରିସର ଭିତରେ ଦିନଟି କଟିଯାଏଁ । କିନ୍ତୁ ରାତ୍ରି ହେଲେ ଦେହରୁ ତା’ର ରକ୍ତ ଶୁଖିଯାଏ । ଛାତିରେ ତା’ର ବିରହର ଜ୍ଵଳନ୍ତ ଶିଖା ଜଳିଉଠେ । କାମନାରେ ଆଉଟି ପାଉଟି ହୋଇ ଉଠେ ଯୁବତୀ ମନ ତା’ର । ଶୋଇବାକୁ ଯାଇ ଆଖି ଲୁହରେ ତକିଆ ଭିଜାଏ । ପ୍ରାଣପ୍ରିୟ କଥା ଭାବି ଭାବି ଜମା ଶୋଇ ପାରେନି । ପୁଣି ସଞ୍ଚିତ ଲୁହକୁ ଅଜାଡ଼ି ଦିଏ ପ୍ରିୟତମଙ୍କ ଉଦ୍ଦେଶ୍ୟରେ । କାନ୍ଦି କାନ୍ଦି ବେଦମ୍ ହୋଇ ପଡ଼େ ସେ । ଆଖି ମୁଦେ ପ୍ରିୟତମଙ୍କ ଉଦ୍ଦେଶ୍ୟରେ ମୁଣ୍ଡ ଲଗାଇ..... । ରାତିରେ ସ୍ଵପ୍ନରେ ପ୍ରିୟତମଙ୍କର ଦେଖାହୁଏ ।

 

ରାତି ପାହେ ପୁଣି ପ୍ରିୟତମଙ୍କର ଭାବନାରାଣୀ ବୀଣା ମନରେ ଧକ୍‍କା ଦିଏ । ପ୍ରିୟତମଙ୍କଠାରୁ ଚିଠି ପାଏ । ଖୋଲି ବସେ...ପ୍ରାଣର ବୀଣା ମୋର;

 

ଅନ୍ତର ପ୍ରଦେଶରୁ ଗଭୀର ସ୍ନେହ ନେବ । ସୁଦୂରରୁ ପଠାଉଥିବା ଦୀର୍ଘଦିନର ସଞ୍ଚିତ ସ୍ନେହଟିକୁ ଦୂରକୁ ଦୂରେଇ ନଦେଇ ତୁମ ଅନ୍ତର ପ୍ରଦେଶର କୌଣସି ଏକ ନିଭୃତ କୋଣରେ ଟିକିଏ ସ୍ଥାନ ଦେବାକୁ କୁଣ୍ଠାବୋଧ କରିବନି ।

 

ସମୟ ରାତି ବାରଟା । ତୁମେ ହୁଏତ ନିଦ୍ରାଦେବୀଙ୍କ ଶୁକୋମଳ ଶଯ୍ୟାରେ ଶୋଇ ସ୍ଵପ୍ନରାଜ୍ୟରେ ବିଚରଣ କରୁଥିବ । କିନ୍ତୁ ମୋ ଆଖିରେ ଟିକିଏ ହେଲେ ତନ୍ଦ୍ରା ନାହିଁ ! ମୁଁ ଲେଖୁଛି ମୋ ପ୍ରାଣରସାଥୀ ପାଖକୁ ଖଣ୍ଡେ ଲୁହଝରା ଭାଷା ଲିପି ।

କ’ଣ ଯେ ଲେଖି ତୁମକୁ ମୁଁ ଖୁସି କରିବି ତା’ ମୋର ଏ ନିରସ ମନକୁ ଆଜି ଆସୁନି । ଅମାନିଆ ଲୁହଧାର ବହି ଯାଉଛି ଧାରଧାର ହୋଇ । ହୃଦୟର ଯନ୍ତ୍ରଣା ତୁହାଇ ତୁହାଇ ବଢ଼ି ଚାଲିଛି । ଦେହ ହାତ ମୋର ଅବଶ ହୋଇ ଆସୁଛି, କିନ୍ତୁ ପ୍ରାଣଟା ବୋଧେ ତୁମରିପାଇଁ ବାହାରି ଯାଉନି ।

ନିଃସଙ୍ଗ ଜୀବନ କାଟେ ମୁଁ ଦୁଃଖର ଅନ୍ତରାୟ ମଧ୍ୟରେ । ଖୋଜିବୁଲେ ତୁମକୁ...ନିରାଶ ହୁଏ । ତୁମ ହସ ହସ ମୁହଁର ଦରୋଟି କଥା କେଇପଦ ପ୍ରତିକ୍ଷଣରେ ଶୁଭିଗଲା ପରି ଲାଗେ । ଚମକି ଉଠେ । ଖୋଜି ବୁଲେ ତୁମକୁ, ଘରସାରା ତନ୍ନ ତନ୍ନ କରି । କିନ୍ତୁ ପାଏନା...

ହୃଦୟ ଭିତରେ ତୁମର ନିଟୋଳ ମୁହଁଟି ସର୍ବଦା ଉଙ୍କିମାରେ । ହୃଦୟ ମନରୁ ଶେଫାଳୀ ଝଡ଼ିପଡ଼େ । ଅନ୍ତରାତ୍ମା ବିଳପି ଉଠେ ମୋର !

ସତେ ପ୍ରିୟତମା; ତୁମକୁ ମୁଁ କୌଣସି ମୁହୂର୍ତ୍ତରେ ଭୁଲି ପାରୁନି । ଜପାମାଳି ପରି ତୁମରି ନାଁକୁ ଜପିଜପି ଦୁଃଖରେ ଦିନ କାଟିବା ବ୍ୟତୀତ ଆଉ ବା ଏ ମନ୍ଦ ଭାଗ୍ୟରେ କ’ଣ ଅଛି ।

ରାତିରେ ଶୋଇବାକୁ ଯାଇ ଭାବି ବସେ ତୁମରି କଥା । ଅତୀତ କଥା ମନେପଡ଼ି ଆଖିକୁ ନିଦ ଆସେନି । ପ୍ରାଣରେ ହା-ହାକାର ଜନ୍ମେ । ହୃଦୟର ଯନ୍ତ୍ରଣା ଏତେ ପରିମାଣରେ ବ୍ୟଥିତ କରାଏ, ଆଉ ବଞ୍ଚି ରହିବାକୁ ଭଲ ଲାଗେନି ଜମା । ଏ ପୋଡ଼ା ପ୍ରାଣ ଉପରେ ପ୍ରତିଶୋଧର ନିଆଁ ଜଳିଉଠେ । ଆଗେଇ ଯାଏଁ ଚିରଦିନ ପାଇଁ ଏ ସଂସାର ବକ୍ଷରୁ ଲଭିଯିବାକୁ । କିନ୍ତୁ ଠିକ୍ ସେଇ ସମୟରେ ମନେପଡ଼େ ତୁମର କଥା କେଇପଦ–: "ତୁମେ ଯଦି ଏମିତି କରିବ କାହାକୁ ନେଇ ମୁଁ ବଞ୍ଚିରହିବି ଦେବତା' । ତୁମ ପୂର୍ବରୁ ମୁଁ, ସେପାରିର ଚଲାପଥରେ ବହୁଦୂର ଆଗେଇ ଯାଇଥିବି ।"

ମନରେ ବାରମ୍ବାର ଆସେ ତୁମର ଏଇ କଥା କେଇପଦ । ଏଇ ଦ୍ଵନ୍ଦ୍ୱ ଭାବନା ଭିତରେ ବୁଡ଼ିରହି, ପୁଣି ମୋତେ ବଞ୍ଚିରହି ଲୁହ ଗଡ଼ାଇବାକୁ ହୁଏ ।

ତୁମଠାରୁ ମୁଁ ରହିଛି ଅନେକ ଦୂରରେ । ଚାହିଁଲେ ଆଖି ପାଇବନି କି, ଡାକିଲେ ଡାକବି ଶୁଭିବନି । ତୁମର ଘର, ଗ୍ରାମ ଦେଖିନି ସତ, ତଥାପି ମୋର ଏ ଅତୃପ୍ତ ଆଖି ବୁଲି ଆସୁଛି ତୁମରି ପାଖରୁ, ତୁମର ହସ ହସ ମୁହଁଟି ପ୍ରତିକ୍ଷଣରେ ଆଖି ଆଗରେ ମୋର ନାଚି ଉଠୁଛି । ଅତୃପ୍ତ ଆତ୍ମା ମୋର ଖୋଜି ବୁଲୁଛି ତୁମକୁ । ତୁମର ଦେଖାପାଇବା ପାଇଁ କେତେ ମୁଁ ଖୋଜୁଛି...କେବେ ମୁଁ ଡାକୁଛି...କେତେ ମୁଁ ତୁମରି ଉଦ୍ଦେଶ୍ୟରେ ଲୁହ ଢାଳୁଛି । ତଥାପି...ତଥାପି ତୁମକୁ ପାଇ ପାରୁନି ପ୍ରିୟତମା । ତୁମ କଥା ଭାବିବାକୁ ଭଲଲାଗୁଛି ସତ, ଭାବିବାମାତ୍ରେ ଦୁଃଖ ନୈରାଶ୍ୟ ବେଢ଼ି ରହୁଛି ପ୍ରତ୍ୟେକ ସମୟପାଇଁ । କେତେ କଥା ଏ ହତଭାଗ୍ୟ ଆଣେ କଳ୍ପନାକୁ । କିନ୍ତୁ କାର୍ଯ୍ୟରେ ପରିଣତ କରିପାରେନା । ମନର କେତେ ଆଶାରେ କଳ୍ପନା ରାଜ୍ୟରେ ଘୂରି ବୁଲେ ମୁଁ ତୁମରି କଥା ଓ ତୁମରି ଛବିଟି ନେଇ, କିନ୍ତୁ ନୟନ କୋଣରେ ଟିକେବି ତୁମକୁ ଦେଖିବାକୁ ପାଏନା । ଭାବି ବସେ, ଗଲା ଦିନର ମଲା କଥାଗୁଡ଼ାକ । ଏମିତି ଘଣ୍ଟାଘଣ୍ଟା ଧରି ଭାବନାର କ୍ଷୀଅ ଉପବେଷ୍ଟନି କରେ ମୋତେ । ଅସରନ୍ତି ଭାବନା ମନକୁ ବିବ୍ରତ କରେ । ସେ ଭାବନା ମୋର ବୃଥାରେ ପରିଣତ ହୁଏ ।

ତୁମେ କେଉଁଠି ଆଉ ତୁମଠୁ ମୁଁ କେତେ ଦୂରେ...କେବଳ ଅନୁତାପ କରିବାହିଁ ସାର ହୁଏ ।

ସତେ ପ୍ରିୟତମା, ଦୂରରେ ରହି ସୁଦ୍ଧା ତୁମେ ଯଦି ଦେଖି ପାରୁଥାନ୍ତ, ତେବେ ହୁଏତ ବିଶ୍ୱାସ କରି ପାରନ୍ତ ତୁମପାଇଁ ଏ ଅନ୍ତର କିପରି ହେଉଛି । କିପରି କ୍ରନ୍ଦନର ମୂର୍ଛନା ତୋଳୁଛି ।

କେଇଟି ଦିନର ବ୍ୟବଧାନ ମୋତେ ଲାଗୁଛି କାହିଁ କେତେ ଯୁଗପରି । ଜଡ଼ପିଣ୍ଡଟି ଏଠି ପଡ଼ିରହିଛି ସତ, ମାତ୍ର ପ୍ରାଣଟା ମୋର ଘୂରି ବୁଲୁଛି ତୁମରି ପାଖେ ପାଖେ । ବେଳେ ବେଳେ ତୁମକଥା ମନେପଡ଼ି ମନର ଭାବନା କ୍ଷିପ୍ର ଗତିରେ ବଢ଼ି ଚାଲେ ସମୟ ସଙ୍ଗେ ତାଳ ଦେଇ । ଅତୀତରେ ହଜିଯାଇଥିବା କେଇଟି ମଧୁମୟ ରାତିର କଥା ମନେ ପଡ଼େ । ଆଖିରୁ ଝରିପଡ଼େ ବିନ୍ଦୁ ବିନ୍ଦୁ ଲୁହ...ସତରେ ବୀଣା; ତୁମର କମନୀୟ ଛବିଟି ପ୍ରତ୍ୟେକ ସମୟପାଇଁ ଆଖିଆଗରେ ମୋର ନାଚି ବୁଲୁଛି । ହତଭାଗ୍ୟର ଅନ୍ତରତଳେ ଆଙ୍କୁଛି ଅଲିଭା ଦାଗ । ଅଲୋଡ଼ା ଜୀବନ ପିପାସିତ ନୟନ ଚାହିଁରହିଛି ତୁମର ଦର୍ଶନ ଲାଳସାରେ । ଚାହିଁଲେ ଆଖି ପାଉନି । ଦୂରେ...ବହୁ ଦୂରେ...

ଅତୃପ୍ତ ଆଖିର ଲୁହଧାର ଏବେବି ବନ୍ଦ ହୋଇନି । ଆଉ ଲେଖି ପାରୁନି ପ୍ରାଣପ୍ରିୟା, ହାତ ମୋର ଅବଶ ହୋଇ ଆସୁଛି । ଏତିକିରେ ବିଦାୟ ମାଗୁଛି । ଖୁବ୍ ଭଲରେ ଆଛ'ନା... ? ହଉ ଥାଅ... ଶେଷରେ ତୁମର ସ୍ଵର୍ଣ୍ଣ ହସ୍ତଲିପି ଖଣ୍ଡେ ପାଇବାପାଇଁ ମୋର ଅଳି । ଇତି ।

ତୁମର ପ୍ରିୟତମ

ପ୍ରକାଶ

 

ଚିଠିଟି ପଢ଼ି ଧୈର୍ଯ୍ୟଧରି ପାରିଲାନି ବୀଣା । ପିଲାଙ୍କ ପରି ଭୋ...ଭୋ ହୋଇ କାନ୍ଦି ଉଠିଲା ସେ । ପ୍ରିୟତମଙ୍କ ଅଶ୍ରୁଭରା ଚିଠି ବୀଣା ମନରେ ତୀକ୍ଷ୍ଣ ଛୁରିକା ବିନ୍ଧ କରୁଥିଲା । ହୃଦୟର ବୀଣା ତନ୍ତ୍ରୀରେ ଖାଲି ବାଜି ଉଠୁଥିଲା ପ୍ରିୟତମଙ୍କର ବିରହ ରାଗିଣୀ । ଛାତି ତଳେ ତା’ର ଗୁଞ୍ଜୁରି ଉଠୁଥିଲା ପ୍ରାଣପ୍ରିୟଙ୍କର କୋମଳ କଥା । ଆଖି ତା’ର ସୀମାହୀନ ପଥ ଅତିକ୍ରମ କରି ଆଗେଇ ଯାଉଥିଲା ପତି ଦେବତାଙ୍କର ପଦାର ବିନ୍ଦକୁ । ସଜଳ ଆଖିର ତତଲା ଲୁହଧାର ଛୁଇଁ ଥିଲା ଗଣ୍ଡମଣ୍ଡଳ । ମନ ରାଇଜର ଅସହଣି ଯନ୍ତ୍ରଣାକୁ ସହି ନପାରି ଚିଠି ଲେଖି ଜଣାଇବାକୁ ସ୍ଥିର କରି ଲେଖି ବସିଲା ବୀଣା–

 

ହୃଦୟର ଦେବତା ମୋର;

 

ଏ ଅଭାଗିନୀ ଦାସୀର ଭୂମିଷ୍ଠ ପ୍ରଣାମଟି ତୁମର କୋମଳ କୋଳରେ ଯଦି ସ୍ଥାନ ନ ଦିଅ ତେବେ ତୁମର କୋମଳ ଚରଣ ତଳେ ଟିକିଏ ସ୍ଥାନ ଦେବାକୁ କୁଣ୍ଠା ବୋଧ କରିବନି ।

 

କ’ଣ ଯେ ଲେଖି ଅବୁଝା ମନକୁ ତୁମର ସ୍ଥିର କରିବି ତା’ ମଧ୍ୟ ଭାବି ପାରୁନି । ଲେଖନୀ ଧରିବାକୁ ଗଲାବେଳେ ଏ ପିଆସି ଆଖିରେ ଆସୁଛି ଅସରନ୍ତି ଲୁହ କଣିକା, ତଥାପି ତୁମ ପାଖକୁ ଚିଠି ଲେଖିବାକୁ କ୍ଷାନ୍ତ ହେଉନି ।

 

ଆସିବା ଦିନଠାରୁ ମନମୋର ଅଶାନ୍ତିରେ ନିମଗ୍ନ ଥିଲା । ସେଦିନ ତୁମ ଆଖିର ଲୁହଧାର ମନରାଇଜରେ ମୋର ଶତ ଝଡ଼ ଝଞ୍ଜା ସୃଷ୍ଟି କରିଥିଲା । ଭାବିଥିଲି, ତୁମ ପାଖରୁ ଖଣ୍ଡେ ଚିଠି ପାଇଲେ ଅନ୍ତରାତ୍ମା ମୋର ଶାନ୍ତି ପାଇବ । ଏ ମଲା ଶରୀରରେ ଜୀବନ ପଶିବ ! କିନ୍ତୁ...ଆଜି ତୁମର ପତ୍ରଟି ମୋର ସର୍ବାଙ୍ଗ ଚହଲାଇ ଦେଇଛି । ଏ ପିପାସିତ ଆଖିରୁ ମୋର ଝରାଇ ଦେଇଛି ଟୋପା ଟୋପା ଲୁହର ଗଜରା... । ତୁମେ ଭାବୁଥିବ ପ୍ରିୟା ମୋର ଘରକୁ ଯାଇ, ସାଙ୍ଗସାଥୀ ଓ ପରିବାରର ସୌଜନ୍ୟମାନଙ୍କ ସହିତ ଖୁବ୍ ସୁଖରେ ଦିନ କାଟୁଥିବ, କିନ୍ତୁ କିପରି ମୁଁ ଦିନ କାଟୁଛି ତା’ ତୁମେ ସ୍ୱଚକ୍ଷୁର ନ ଦେଖିଲେ କଳ୍ପନାବି କରିପାରିବନି । ସେ କଥା ଭାବିଲେ ଅବଳା ମନ ମୋର ଚହଲି ଉଠେ ।

 

କଳ୍ପନା ଓ ଭାବନାରେ ଦିନଟି କଟିଯାଏଁ । ରାତି ଆସିଲେ ବୁକୁ ମୋର ଫାଟିଯାଏଁ ତୁମକୁ ନପାଇ । ଅତୀତର କଥାଗୁଡ଼ିକ ମନେପଡ଼ି ଅଶ୍ରୁର ତୀକ୍ଷ୍ଣରେଖା ସୃଷ୍ଟି କରେ ମନ ଭିତରେ ମୋର । ଶୟନ କକ୍ଷର ନିତ୍ୟ ନୈମିତ ଘଟନାରାଜି ଆଖି ଆଗରେ ନାଚି ନାଚି ଦୂରେଇ ଯାଏଁ । ଆଉ ଭାବି ପାରେନି ମୁଁ ଅନ୍ତରର ବେଦନାକୁ ଚାପିରଖି ଦୀର୍ଘଶ୍ୱାସ ପକାଇ ଆଖିକୁ ଯେତେ ବନ୍ଦ କଲେବି ନିଦ ଆସେନି । ଖାଲି ଛଳ ଛଳ ଆଖିରୁ କଳ କଳ ନାଦରେ ବହିପଡ଼େ ଅସରନ୍ତି ଲୁହଧାର ।

 

ଏଇ ମୁହୂର୍ତ୍ତରେ ମନ ହେଉଛି ତୁମ ପାଖକୁ ଦଉଡ଼ି ଯିବାକୁ ଯଦି ଚଢ଼େଇଟିଏ ହୋଇଯାନ୍ତି ନା; ତେବେ ଏଇ ରାତି ରାତି ତୁମ ପାଖକୁ ଉଡ଼ିଯାନ୍ତି । ନିଦରୁ ତୁମକୁ ଉଠାଇ ଦିଅନ୍ତି । ଜମା ଶୁଆଇ ଦିଅନ୍ତିନି । ରାତିସାରା ତୁମରି କୋଳରେ ମୁଣ୍ଡରଖି ଗପ ଶୁଣନ୍ତି । ସକାଳ ହେଲେ ପୁଣି ଫେରି ଆସନ୍ତି । କିନ୍ତୁ ଏସବୁ ମୋର ଏକ ପ୍ରକାର ପ୍ରଳାପ ମାତ୍ର...

 

ସୀମାହୀନ ଭାବନା ମୋର ଲମ୍ବିଯାଉଛି କାହିଁ କେତେ ଦୂରକୁ । ମନରେ ଖାଲି ଚେଇଁ ଉଠୁଛି ଦୀର୍ଘ ଘଟନାବଳି ।

 

ଆଜି ମୁଁ ତୁମର ବିରହ ଯାତନା ପ୍ରାଣେ ପ୍ରାଣେ ଅନୁଭବ କରୁଛି । ଆସିଲା ଦିନୁ କୌଣସିଥିରେ ମନ ଲାଗୁନି । ଯାହା କଲେ ଆସି ଉଭା ହେଉଛି ତୁମର ଗଭୀର ଶ୍ରୀମୁଖ । ଅବିଶ୍ରାନ୍ତ ଗତିରେ ମନେପଡ଼ି ଖାଲି ବହିଯାଉଛି ଧାରଧାର ତପ୍ତ ଅଶ୍ରୁ । ମନମୋର ଶିହରି ଉଠୁଛି । ବିରହର ଦାବାଗ୍ନୀରେ ଦେହ ମୋର ଆଜି କ୍ଷତ ବିକ୍ଷତ ପ୍ରିୟତମ । କ୍ଷତବିକ୍ଷତ ଏ ମନପ୍ରାଣ ସବୁକିଛି । ହତାଶିଆ ମନମୋର ହା-ହୁତାଶରେ ଜଳୁଛି ସିନା ଚିରଦିନ ପାଇଁ ଲିଭି ଯାଉନି । ଯଦି ଏ ପ୍ରାଣଟା ପରପାରିକି ଚାଲିଯାନ୍ତା ତେବେ ହୁଏତ ଲିଭିଯାନ୍ତା ଏ ଅନ୍ତରରୁ କ୍ଷୁଧିତ ଆତ୍ମାର ବିରହ ଜ୍ୱାଳା । ପ୍ରାଣଟା ରହି ଖାଲି ଛଟପଟ ହେବା ସାରସିନା । ସତେ ପ୍ରିୟ; ଏ ଦୀର୍ଘଦିନ ତୁମକୁ କ’ଣ ନଦେଖି ମୁଁ ବଞ୍ଚିପାରିବି... ? ଏ କଥା ତ ମୋ ମନକୁ କାହିଁକି ପରତେ ଆସୁନି ।

ପ୍ରତ୍ୟେକ ସମୟରେ ମନରେ ମୋର ସ୍ଥାନ ପାଉଛି ତୁମରି କଥା । ଗୋଟିଏ ମୁହୂର୍ତ୍ତ ସୁଦ୍ଧା ମୁଁ ତୁମକଥା ଭୁଲି ପାରୁନି, ଭୁଲି ଯିବାକୁ ଚେଷ୍ଟାକରି ବରଂ ବେଶି ପରିମାଣରେ ତୁମକୁ ମନେପକାଇ ବସୁଛି ।

ବୁଝିପାରିବନି ଦେବତା; ଏ ଅଭାଗୀନିର ଅନ୍ତର ତୁମପାଇଁ କେମିତି ଛଟପଟ ହେଉଛି ! ତୁମ ଅବୁଝା ମନର ତପ୍ତ ଲୁହ ଏବେବି ମୋ ମନରେ ତନ୍ନ ତନ୍ନ ପ୍ରଶ୍ନ କରୁଛି । ମୋତେ ଦେଖା ଯାଉଛି, ତୁମର ସୁନ୍ଦର ମୁହଁଟି କେମିତି ନ ଖାଇ ନ ପିଇ କଳା ପଡ଼ିଗଲାଣି । ଏମିତି ଅଧୈର୍ଯ୍ୟ ହେଲେ ମୁଁ କ’ଣ ଶାନ୍ତିରେ ରହିପାରିବି ?

ସେ ଦିନର କଥା ଏବେବି ମନକୁ ମୋର ସ୍ଥିର କରି ଦେଉନି । ତୁମର ସେଇ ନିଷ୍ଠୁର କଥା ପଦକ ଅନ୍ତରକୁ ମୋର ଆନ୍ଦୋଳିତ କରୁଛି । କହିଥିଲ ନା, "ତୁମ ସହିତ ଏଇ ମୋର ଶେଷ ଦେଖା ବୀଣା ।"

 

ଏଇ ପଦକ ପ୍ରାଣକୁ ମୋର ବ୍ୟାକୁଳିତ କରୁଛି । ଅସରନ୍ତି ଝଡ଼ଝଞ୍ଜା ମନରାଇଜରେ ମୋର ବତାସ ବୁହାଇ ଦେଇଛି । ସେ ଦିନର କଥା ମନେ ପଡ଼ି କିଛିଭଲ ଲାଗୁନି । ସବୁକଥା ଭୁଲିଯାଅ, ମୋର ଅବୁଝା ରାଜା । କେଇଟି ଦିନପାଇଁ ମନରୁ ମୋ କଥା ପୋଛି ଦିଅ । ଆଉ କେଇଟି ଦିନ ପରେ ପୁଣି......ଏତିକିରେ ରହିଲି । ତୁମ ମଧୁଝରା ପତ୍ର ଅପେକ୍ଷାରେ ଆକୁଳ ଅନ୍ତରରେ ଚାହିଁରହିଲି । ଶେଷରେ ତୁମ ଚରଣରେ ପ୍ରଣତି ଜଣାଇ ଲେଖନୀ ରଖୁଛି । ଇତି ।

 

ତୁମର ପଦସେବିକା

ବୀଣା

 

ପ୍ରକାଶ ଆଜି ଭାବନାର କାଉଁରୀ ଦେଶରେ ଘୂରି ବୁଲୁଛି । ପଥହରା ପାନ୍ଥପରି ଅନ୍ୱେଷଣରେ ସେ ଆଜି ଅର୍ଦ୍ଧପାଗଳ । ବିଚ୍ଛେଦର ଦାରୁଣ ଆଘାତରେ ହୃଦୟ ତା’ର କ୍ଷତବିକ୍ଷତ । ପ୍ରିୟତମାର ଚିଠି ପାଇ ଆହୁରି ଆତ୍ମହରା ହୋଇଉଠିଛି ସେ । ଚିଠି କଥା ଭାବି ଯେତିକି ଆନନ୍ଦ ହେଉଛି, ସେତିକି ଦୁଃଖରେ ଅଧୀର ହୋଇ ଉଠୁଚି । ପ୍ରାଣପ୍ରିୟା ବୀଣାର ଲେଖା ପ୍ରକାଶ ମନରେ ନବ ପ୍ରେରଣା ଭରିଦେଇଛି । ଭାବୁଛି, ଏଇ ମୁହୂର୍ତ୍ତରେ ସେ ପ୍ରିୟତମା ପାଖକୁ ତା’ର ଦଉଡ଼ିଯିବ । ଓଠକୁ ଓଠ ମିଳାଇ ପଚାରିବ, ସତେ କ'ଣ ମୋତେ ଭଲପାଅ ବୀଣା ?

 

ଆଉ ଯଦି ଭଲ ପାଅ, ପ୍ରାଣର ବୋଲି ଭାବ, ତେବେ ଏତେ ହନ୍ତସନ୍ତ କରି ମାରୁଛ କାହିଁକି... ?

 

ହଁ ହଁ ନିଶ୍ଚୟ ଯିବ ସେ । କିଛି ନହେଲେ ତ ପ୍ରିୟତମାର ଦେଖାପାଇବ ! ଆଖିରେ ଆଖି ତ ଥରକପାଇଁ ମିଶାଇ ପାରିବ...

 

ପୁଣି ପଛେଇ ଯାଉଛି ପ୍ରକାଶର ଚଞ୍ଚଳ ମନ କେମିତି ସେ ଯିବ ! ଶକ୍ତି ସମାଜର ବେଷ୍ଟନୀ ମଧ୍ୟରେ ଆବଦ୍ଧ, ସଂସାରର ନିର୍ମମ ଦଣ୍ଡରେ ଦଣ୍ଡିତ ସେ । ଅପବାଦର ଡିଣ୍ଡିମ ସହିପାରିବ ତ ସେ...... ?

 

ନା ନା ସେ ଅପବାଦର ଡିଣ୍ଡିମ ସହିପାରିବନି । ବରଂ ଚିଠି ଲେଖି ମନର ବେଦନାକୁ ପ୍ରିୟତମାକୁ ତା’ର ଜଣାଇଦେବ । ଏଇ ଚିଠିହିଁ ତା’ର ସବୁ, ଦୁଃଖ ଆଉ ସୁଖ । ତା’ରିଦ୍ୱାରା ସେ ଜାଣିବ ପ୍ରିୟତମାର ଅଶ୍ରୁଭରା କାହାଣୀ, ଆଉ ଜଣାଇବ ଅନ୍ତର ଭରା ଦୁଃଖ ।

 

ଏମିତି କେତେ ସମୟରେ କେତେ କଳ୍ପନା କରିବସେ ପ୍ରକାଶ । ମନର ଆବେଗରେ କଳ୍ପନା ରାଜ୍ୟରେ ଭାସି ଯାଏଁ କାହିଁ କେଉଁ ଦୂର ଦୂରାନ୍ତକୁ । ପୁଣି ଫେରିଆସେ ଚେତନାକୁ । ଫେରିଆସେ କଳ୍ପନାର ରୁପେଲି ଜାଲ କାଟି । ପ୍ରିୟତମାର ଚିଠିକୁ ପକେଟରୁ କାଢ଼ି ବାରମ୍ବାର ପଢ଼େ । ବାଉଳା ମନରେ କାନ୍ଦିଉଠେ ପ୍ରିୟତମାର କଥା ଭାବି ଭାବି ଆଉ ଥୟଧରି ବସିପାରେନି । ପୁଣି ଲେଖିବସେ ପ୍ରିୟତମା ପାଖକୁ...ଅସରନ୍ତି ଦିନର ଅସରନ୍ତି କଳ୍ପନାକୁ ପ୍ରକାଶ ରୂପଦିଏ ଲେଖନୀ ମାଧ୍ୟମରେ । ମଝିରେ ମଝିରେ ଲେଖାରେ ପୂର୍ଣ୍ଣଚ୍ଛେଦ ଟାଣି ପ୍ରକାଶ ଭାବିବସେ ଅସୁମାରି କଥା, ପୁଣି ଲେଖନୀ ଚଳାଏ...ମନରେ ପୂର୍ଣ୍ଣତା ନ ଆସିବା ଯାଏଁ ଲେଖନୀକୁ ବିଶ୍ରାମ ଦିଏନି । ସେ ରାତି ତା’ର ସ୍ୱାଭାବିକ ଗତିରେ ବଢ଼ି ବଢ଼ି ଅନେକ ହୁଏ, ତଥାପି ପ୍ରକାଶର ଲେଖନୀ ଆଗକୁ ଆଗକୁ ଆଗେଇ ଚାଲିଥାଏ ।

 

ବାହାରୁ ପ୍ରକାଶର ବୋଉ ଖାଇବାକୁ ଡାକନ୍ତି । ଆଉ ଲେଖି ପାରେନି ସେ । ତରତର କରି ଲେଖା ବନ୍ଦ କରିଦିଏ । ଭାବିବସେ ବୋଉର କଥା । ଏଇ ବୋଉ ତା’ର ବୁଢ଼ୀ ହୋଇଗଲାଣି-। ଆଉ ବଳ ପାଉନି ତା’ର କୌଣସି କାମ କରିବାକୁ । ଦେହରେ କେବଳ ହାଡ ଦିଖଣ୍ଡ ବ୍ୟତୀତ ଆଉ କିଛି ନାହିଁ । ବୋଉ ଯଦି ତା’ର ଆଖିବୁଜିଦିଏ, କିଏବା ଆଉ ତା’ର ସାହାଭରସା ଅଛି-। ଏମିତି କେତେ ଦୁର୍ଭାବନା କରୁ କରୁ ବୁଢ଼ୀ ଘରଭିତରକୁ ପଶିଆସେ । "ତୁ ଖାଇବୁନି କି ପ୍ରକାଶ ? ଚାଲିଲୁ ଦିଟା ଖାଇଦେବୁ ! ଦେହ ମୋର ଜରରେ କମ୍ପୁଛି, ମୁଁ ଟିକେ ଶୋଇବି ।"

 

ଏତକ କହୁ କହୁ ପ୍ରକାଶ ଦେହରେ ହାତ ବୁଲାଇଆଣି ବୁଢ଼ୀ କହିଉଠେ, "ପୁଅଟା ମୋର ଶୁଖିଗଲାଣି । ହେ ପ୍ରଭୁ, ଧରମଦେବତା ପୁଅକୁ ମୋର କୋଟି ଆଇଶ ଦିଅ । ସତ ପଥରେ ନିଅ ତାକୁ ।" କହୁ କହୁ ବୁଢ଼ୀ ଆଖିରେ ଲୁହ ଜକେଇ ଆସେ । ପୁଣି ପଚାରିବସେ ବୁଢ଼ୀ ଇଏ ପରା ତୋର ଆଇ. ଏ. ର ଶେଷ ପରୀକ୍ଷା । ଛୋଟ 'ହଁ' ଟିଏ ମାରି ପୁଣି ଭାବନାରେ ମଜି ଯାଏଁ ପ୍ରକାଶ ।

 

"ଆ...ଖାଇବୁ ଆସିଲୁ । ଖାଇଦେଇ ପଛକେ ତୁ ତୋର କ’ଣ କରୁଥା । " ଡାକିଦେଇ, ଖାଇବାକୁ ଦେବାକୁ ବାହାରିଯାଏ ।

 

ପ୍ରକାଶ ଆଉ ବସି ପାରେନି । ତରତର ହୋଇ ଖାଇବାକୁ ବାହାରିଯାଏ । ଥଙ୍ଗେଇ ଥଙ୍ଗେଇ ହୋଇ ବୁଢ଼ୀ ବାଢି ଥୋଇଦିଏ ପ୍ରକାଶ ଆଗରେ । ପ୍ରକାଶ କିନ୍ତୁ ଶାନ୍ତିରେ ଦିଟା ଖାଇ ପାରେନି । ଜନ୍ମଦାତ୍ରୀର କଥା ଭାବି ଭାବି ପେଟକୁ ତା’ର ଭାତ ଯାଏନି । ଖାଇବା ପାଖରୁ ଉଠି ଯାଏଁ ସେ । ଧାଇଁ ଯାଏଁ ବୋଉ ପାଖକୁ । ଦେହହାତ ଆଉଁଶି ଦିଏ । ଦରକାର ପଡ଼ିଲେ ନିଜ ହାତରେ ପଥ୍ୟ ତିଆରି କରି ଖୋଇଦିଏ ବୁଢ଼ୀକୁ । ଅସୁବିଧା ପଡ଼ିଲେ ଦିନେଦିନେ ଉପବାସ ରହିଯାଏ ପ୍ରକାଶ; ତଥାପି ପରର ଅନୁଗ୍ରହ ଆଶା କରେନା ।

 

ବୀଣା ଚାହିଁ ବସିଥାଏ ପ୍ରିୟତମ ପ୍ରକାଶର ମଧୁମୟ ପତ୍ର ଅପେକ୍ଷାରେ । ଚିଠି ପାଇବା ଟିକିଏ ଡେରି ହେଲେ ପାଗଳିନୀ ପରି ହୋଇଉଠେ ସେ । ଦୁନିଆ ତାକୁ ବିଷପରି ଲାଗେ । ଖାଇବା ପିଇବା ସବୁ ଭୁଲିଯାଏ ସେ । ବସି ବସି ଖାଲି ଆଖିରୁ ଲୁହ ଝରାଏ । ଯିଏ ଯେତେ ପଚାରିଲେ ମଧ୍ୟ କାହାକୁ ସେ ହୃଦୟ ଖୋଲି କିଛି କୁହେନା ।

 

ସମୟ ଗଡ଼ିଯାଏ ଦୁଃଖ ସୁଖର ସଂଘର୍ଷ ମଧ୍ୟରେ । ପ୍ରିୟତମଙ୍କର ଚିଠି ପାଏ ବୀଣା । ଆନନ୍ଦରେ ହଜାଇଦିଏ ନିଜକୁ । ଚିଠିଟିକୁ ଛାତି ତଳେ ଯାକିଧରି ହୃଦୟର ଯନ୍ତ୍ରଣା କ୍ଷଣକପାଇଁ ଅପନୋଦନ କରିନିଏ । ପ୍ରିୟତମର ଚିଠିଟି ପଢ଼ୁ ପଢ଼ୁ ନିଜକୁ ନିଜେ ଭୁଲିଯାଏ ସେ । ଆଖିଲୁହ ତା’ର ଘନେଇ ଆସେ । ତଥାପି ସେ ଆଶାକରି ବସେ ଦିନରାତି ପ୍ରାଣପ୍ରିୟର ଚିଠି ପାଇବାକୁ । ହୃଦୟର ଯନ୍ତ୍ରଣା ସହିନପାରି ପୁଣି ଧାଇଁଯାଇ କାଗଜ କଲମର ଉପଯୋଗ କରିବସେ ପତିଦେବତା ପାଇଁ ତା’ର–

 

ହେ ମୋର ଚିର ପ୍ରିୟତମ;

 

ଗତ କାଲି ତୁମର ସ୍ଵହସ୍ତଲିପିଟି ପାଇଲି । ମନ ଆନନ୍ଦରେ ଖୋଲି ବସିଲି ପଢ଼ିବାପାଇଁ; କିନ୍ତୁ ପଢ଼ିପାରିଲିନି । ତପ୍ତ ଅଶ୍ରୁଧାର ଖାଲି ଏ ପିଆସି ଆଖିରୁ ଅବିଶ୍ରାନ୍ତ ଗତିରେ ଗଡ଼ିପଡ଼ିଲା । ଶେଷରେ ଲେଖାଥିବା କବିତାଟି ପଢ଼ି ଆହୁରି ଅଧୀର ହୋଇ ପଡ଼ିଲା ଏ ଅସହାୟ ପ୍ରାଣଟା । ସତେ ପ୍ରାଣପ୍ରିୟ; ତୁମେ ଏତେ ଦୁଃଖିତ ? କ’ଣ ବା ତୁମର ଏ ହତଭାଗିନୀ ଦାସୀ କରିପାରିବ !

 

ପ୍ରଥମେ ଦେଖିବାକୁ ପାଇଲି ଭୁଲିଯିବାକୁ ଲେଖିଛ, ନୁହେଁ...ତୁମକୁ ଭୁଲିଯିବି, ଏକଥା ତୁମେ ବିଶ୍ୱାସ କରିପାରୁଛ... ?

 

ତୁମରିପାଇଁ ଏ ଅତୃପ୍ତ ଆତ୍ମା କିପରି ଡହଳ ବିକଳ ହେଉଛି...କେତେ ହା-ହା-କାର କରୁଛି, ସେକଥା ଏ ପୋଡ଼ା ହୃଦୟ ଜାଣେ, ଆଉ ଜାଣନ୍ତି ସର୍ବନିୟନ୍ତା ପରମେଶ୍ୱର ।

 

ହେ ମୋର ପ୍ରାଣର ଦେବତା, ଯେଉଁଦିନୁ ଏ ମୂଲ୍ୟହୀନ ଦେହକୁ ତୁମରି କର କମଳରେ ଅର୍ପଣ କରିଛି, ସେଇଦିନୁ ମୁଁ ଜାଣେ ତୁମେହିଁ ମୋର ସବୁ ! ଏ ଦେହ, ମନ, ପ୍ରାଣ ସବୁ ତୁମରି । ହୃଦୟ ମନ୍ଦିରରେ ତୁମେହିଁ ମୋର ଉପାସ୍ୟ ଦେବତା, ଏ ହୃଦୟରାଜ୍ୟର ତୁମେହିଁ ଏକମାତ୍ର ଅଧୀଶ୍ଵର । ଆଉ କେମିତି ବା ତୁମକୁ ଭୁଲିବି କହିଲ... ? କୌଣସି ସ୍ତ୍ରୀ କ’ଣ ନିଜର ପତିଦେବତାଙ୍କୁ ଭୁଲିଯାଇ ପାରେ ? ଯେଉଁମାନେ ପତିପରମେଶ୍ୱରଙ୍କୁ ଭୁଲିଯାଇ କେବଳ ମାତ୍ର ପ୍ରବଞ୍ଚନା କରନ୍ତି, ସେମାନେ ବିଟପୀ, ଦୋଚାରୁଣୀ, କାଳନାଗୁଣୀ । ସତେ ପ୍ରିୟତମ ତୁମର ଏପରି ଧାରଣା ଦେଖି ଦୁଃଖ ଲାଗିଲା । ତୁମେ କ’ଣ ଭାବିପାରୁଛ ତୁମକୁ ମୁଁ ଭୁଲିଯାଇ ପାରିବି ବୋଲି ?

 

ବେଳେ ବେଳେ ଆଖିଆଗରେ ଆସେ ସେଇ ହଜିଲା ଅତୀତର କୋମଳ ପରଶ । ଅତୀତ କଥା ଭାବି ଭାବି ଆଖିରେ ଲୁହ ଜମେ, ଛାତି ଭିତରେ ହାତୁଡ଼ିର ପାହାର ବସେ, ଜୀବନର ଅଲିଭା ଅଭୁଲା ଦିନଗୁଡ଼ାକ ଗୋଟି ଗୋଟି ହୋଇ କରାଳ କାଳସ୍ରୋତରେ ଭାସିଯାଏ, ତେବେବି ମଣିଷର ଆଶା ଶେଷ ହୁଏନା...ମନରେ ଆଶା ହୁଏ ନିକଟରେ ତୁମର ଦେଖା ପାଇବି । ପୁଣି ମନପ୍ରାଣ ଭରି ସ୍ନେହ କରିବି, କୁହୁଳା ଛାତିର ସାଇତା କଥାଗୁଡ଼ାକ ଗୋଟି ଗୋଟି କରି ଖୋଲି କହିବି; କିନ୍ତୁ ସେ ଆଶା ମୋର ଫଳବତୀ ହୁଏନା, ତୁମେ ଯେ ଆଜି ଅନେକ ଦୂରରେ... !

 

ଦୀର୍ଘଦିନର ମାଇଲ ଖୁଣ୍ଟିକୁ ଚାହିଁଲେ ତାର ଅବସ୍ଥିତି ରହିଛି କାହିଁ କେତେ ଦୂରରେ, କିନ୍ତୁ ଦୀର୍ଘଦିନର କଥାଗୁଡ଼ାକ ଏପର୍ଯ୍ୟନ୍ତବି ମନରୁ ଲିଭି ଯାଇନି । ଅଲିଭା ବତିପରି ଅହରହଃ ଠିକ୍ ସେମିତି ଜଳୁଛି, ଜଳାଉଛି ଏ ତପ୍ତପ୍ରାଣକୁ । ଅତୃପ୍ତ ଆତ୍ମା ମୋର ଖୋଜି ବୁଲୁଛି ତୁମକୁ ଛାୟାକୁ କାୟା ଖୋଜିଲା ପରି । କିନ୍ତୁ ଟିକିଏ ହେଲେବି ଦେଖା ପାଉନି ।

 

ସଜଳ ଆଖିର କଜଳ ଲୁହ ଦୁଇଧାର ହୋଇ ବହିଯାଏ ମନର ଅବସାଦ ମେଣ୍ଟାଇବାପାଇଁ । ତପ୍ତ ଅଶ୍ରୁବୁନ୍ଦା ଚୁମ୍ବିତ କରେ ଆରକ୍ତ ଚିବୁକକୁ ମୋର । ନୀରବରେ ଖାଲି ମୁଁ ଲୁହ ଝରାଏ । ଆଉ ବା କ’ଣ କରିବି...କାହାକୁ ବା କହିବି ଏ ପୋଡ଼ା କଥାଗୁଡ଼ାକ । କିଏ ବା ବୁଝିବ...ବୁଝିଲେ ବା ସାନ୍ତ୍ୱନା ଦେବ କିଏ... ?

 

ଦିନଟି କଟିଯାଏଁ ତୁମରି ଚିନ୍ତାରେ; କିନ୍ତୁ ରାତିଟି ଆସେ ଏ ଅସରା ଆଖିରୁ କେଇବୁନ୍ଦା ଲୁହ ନିଗାଡ଼ି ନେବାପାଇଁ । ଜୀବନର ନୂତନ ପରଶଠାରୁ ଗୋଟି ଗୋଟି ହୋଇ ସବୁ ମନେପଡ଼େ । ଏ ପୋଡ଼ା ହୃଦୟକୁ ଆହୁରି ଦହଗଞ୍ଜ କରିବାକୁ ତୁମ ସ୍ମୃତିଗୁଡ଼ିକ କଣ୍ଟକପରି ବାଜିଉଠେ ଏ ଛିନ୍ନ ପ୍ରାଣରେ ।

 

ସତରେ ଦେବତା, ତୁମର କ’ଣ କୌଣସି ଦିନ ମୋ କଥା ମନେପଡ଼େନା ? ଏତେ ଲେଖୁଛି ଆସିବାପାଇଁ; ତଥାପି ତୁମର କ’ଣ ଥରୁଟିଏ ପାଇଁ ଇଚ୍ଛା ହେଉନି ଆସିବାକୁ ? ହଉ...

 

ବିଶେଷ କିଛି ଲେଖୁନି । ପ୍ରକୃତରେ ଯଦି ତୁମର ହତଭାଗିନୀ ପ୍ରିୟାକୁ ଭଲପାଉଥାଅ ତେବେ ନିଶ୍ଚୟ ଆସିବ... । ତୁମକୁ ନ ଦେଖିଲେ ଆଉ ମୁଁ ବଞ୍ଚିପାରିବିନି । ଥରକପାଇଁ......

 

ଆସିବ ନିଶ୍ଚୟ, ମୋ ରାଣ......

 

ହଉ ତୁମ ସ୍ନେହ ଏଇଥିରୁ ଜଣାଯିବ ଯେ......

 

ଏତିକିରେ ହତଭାଗିନୀ ପ୍ରିୟାକୁ ବିଦାୟ ଦିଅ । ଇତି ।

 

ତୁମର ସ୍ନେହ ଭିକାରୁଣୀ

ବୀଣା

 

ଚିଠିଟି ପଠାଇଦେଇ ପ୍ରିୟତମର ଚିଠି ପାଇବାପାଇଁ ପ୍ରତୀକ୍ଷାରେ ବସି ବସି ଦିନ ଗଣେ ବୀଣା । ପ୍ରାଣପ୍ରିୟ ଦେଖା ପାଇବାପାଇଁ କେତେ ନିରାଶା ଆଉ ପ୍ରତୀକ୍ଷା ଭିତରେ ଆଶାର ତାଜମହଲ ଗଢ଼ି ପୁଣି ଭାଙ୍ଗି ପକାଏ ସେ ।

 

ସମୟ ଗଡ଼ିଚାଲେ ଅବିଶ୍ରାନ୍ତ ଗତିରେ । ଦିନପରେ ଦିନ ଗଡ଼ି ଗଡ଼ି ଆସେ ଆଶ୍ଵିନ ମାସର ଜ୍ୟୋତ୍ସ୍ନା ରାତି । କୁଆଁରୀ ଜହ୍ନରୁ ଗଡ଼ି ଗଡ଼ି ହୁଏ କୁମାର ପୂର୍ଣ୍ଣିମା । ଚନ୍ଦ୍ରମାର ସୁଶୀତଳ କିରଣ ତଳେ କୁଆଁରୀ ଝିଅମାନେ ଆନନ୍ଦରେ ହଜାଇ ଦିଅନ୍ତି ନିଜକୁ କେତେ ରକମର ଖେଳ ଖେଳି ।

 

ଆଉ ଆଜି...... ?

 

ଦୀର୍ଘ ଦିନର କେତେ ହସକାନ୍ଦ ପରେ ସେଇ ମାଦକ ଭରା ପୁନେଇଁ ରାତି ଉପସ୍ଥିତ । ପୁନେଇଁ ଜହ୍ନର ଜ୍ୟୋତ୍ସ୍ନାର ଫୁଆରାରେ ପ୍ରକୃତିରାଣୀ ଆଜି ଶୁକ୍ଳଶାଢ଼ି ପିନ୍ଧି ଅଭିସାରିକା ବେଶରେ-। ଚାନ୍ଦିନୀ ପଖଳା ରାତିପାଇଁ କୁଆଁରୀ ଝିଅମାନେ ଆଜି ବେସୁରା ରାଗିଣୀ ତୋଳି ଗାଁ ଦାଣ୍ଡ ଚହଲାଇ ଦେଉଛନ୍ତି । ଆନନ୍ଦରେ ହଜି ଯାଇଛନ୍ତି ।

 

କିନ୍ତୁ ବୀଣା...... ?

 

ସେ ଆଜି ନୀରବରେ ବସି ବସି ଲୁହ ଢାଳୁଛି । ସେ ଆଜି ବିରହିଣୀ ସାଜିଛି ପ୍ରିୟତମଙ୍କ ସ୍ନେହ ଟିକକ ହରାଇ । ମନରାଇଜରେ ଆଜି ତା’ର ବହିଯାଉଛି ବିରହଜନିତ ବାତ୍ୟା । ମନ-ନଦୀର ଅବିଶ୍ରାନ୍ତ ଭାବନାରେ ତୁହାଇ ତୁହାଇ କୋହର ଢେଉ ଉଠୁଛି । ଭାବୁଛି, ଦିନେ ଯେଉଁ ଜ୍ୟୋତ୍ସ୍ନା ରାତିକୁ ଆଦରରେ ସ୍ୱାଗତ ଜଣାଉ ଥିଲା, ଆଜି ତାହା ଭଲ ଲାଗୁନି କାହିଁକି ? କାହିଁକି ସେ ନିଜକୁ ନିଃସହାୟ ମଣୁଛି ? ନା ନା ସେ ଏସବୁ ଆଉ ଭାବିବନି । କାଲି ତ ତା’ର ପ୍ରିୟତମ ଆସିବେ ବୋଲି ଜଣାଇଛନ୍ତି... । ଆଉ ସେ ଭାବିବ କାହିଁକି ।

 

ଏଇ ତା’ର ସାଙ୍ଗସାଥୀମାନଙ୍କର କଣ୍ଠଧ୍ଵନି ଶୁଭୁଛି । ସେ ଦଉଡ଼ି ଯାଇ ତାଙ୍କରି ସାଥିରେ ଆନନ୍ଦରେ ହଜାଇଦେବ ନିଜକୁ । ହଁ ହଁ ନିଶ୍ଚୟ ଯିବ ସେ......

 

ଭାବନାରେ ବିବ୍ରତ ହୋଇ ବସିଥିବା ସ୍ଥାନରୁ ଉଠି ପଡ଼ି ଆଗକୁ ପାଦ ବଢ଼ାଇଲା ବୀଣା-। କିନ୍ତୁ...ଏ କ’ଣ...ଏ କ’ଣ ତାକୁ ଦେଖାଯାଉଛି । ସତେ କ’ଣ ପ୍ରିୟତମ ତା’ର ଆସୁଛନ୍ତି । ଆହୁରି ଆଗକୁ ତରତର ହୋଇ ଦଉଡ଼ିଗଲା ବୀଣା । ଦେବତା..ମୋ ଦେବତା କହି କୁଣ୍ଢାଇପକାଇଲା ସେଇ କାଳ୍ପନିକ ଛାୟାକୁ ତନ୍ମୟ ହୋଇ । କିନ୍ତୁ ଏ କ’ଣ... ? ଏଯେ କଟାଯାଇଥିବା ଗଛ ଗଣ୍ଡିଟାର ଛାଇଟା ମନେ ପଡ଼ିଲା, ଗତକାଲି ତାଙ୍କର ଏଇ ଗଛର ଅଧରୁ କାଟି ଦେଇଥିଲେ-। ସେଇ ମୂଳଗଣ୍ଡିଟା ଏ ଜହ୍ନ ଆଲୁଅରେ ଅସ୍ପଷ୍ଟଛାଇ ସୃଷ୍ଟି କରୁଛି । ନିଜର ଭାବ ବିହ୍ୱଲତା ଯୋଗୁଁ ସଙ୍କୋଚରେ ଭାଙ୍ଗିପଡ଼ିଲା ବୀଣା । ମନ ତା’ର କାନ୍ଦିଉଠିଲା ପ୍ରିୟତମଙ୍କର ଦୀର୍ଘଦିନ ହେଲା ଦର୍ଶନ ପାଇ ନଥିବା ଯୋଗୁଁ ଆତ୍ମହରା ହୋଇ ସେ କହି ଉଠିଲା; ହେ ଦେବତା ତୁମର ଦର୍ଶନ ଟିକେ କ'ଣ ଏ ହତଭାଗିନୀ ପାଇବନି ? ମୁଁ ଯେ ତୁମରି ପ୍ରତୀକ୍ଷାରେ ବସି ଦିନ ଗଣୁଛି । ମୁଁ ଯେ ତୁମରି ଲାଗି ପାଗଳିନୀ ସାଜିଛି...ଆହୁରି କ’ଣ କହିବାକୁ ଯାଇ କହିପାରିଲାନି ସେ । ନୀରବରେ କିଛି ସମୟପାଇଁ ବସି ପଡ଼ିଲା ସେଇଠି ।

 

ଯେତେବେଳେ ବୀଣାର ଚେତନା ଆସିଲା ମୁଣ୍ଡ ତା’ର ନଇଁ ଆସିଲା; ସରାଗ ମନ ତା’ର ଭାଙ୍ଗି ପଡ଼ୁଥିଲା ଲାଜରେ । ଆରେ...ଏଇ ଅଳ୍ପ ସମୟ ପରେ ସିଏ ଯେ ଏସବୁ କ’ଣ କହିଗଲା । ଏ ଯେ ରାତି । ଆଉ ପ୍ରିୟତମ ତା’ର କାହାନ୍ତି । ନା ନା ଏତେ ରାତିରେ ସେ ବା କାହିଁକି ଆସନ୍ତେ ! କିନ୍ତୁ ସେ ଏ ସବୁ କାହିଁକି କହିଗଲା ! ତା’ କଥା ଯଦି କେହି ଶୁଣିଥାଏ......ଆଉ ବସିବା ଉଚିତ ମନେ ନକରି ନିଜ କୋଠରିକୁ ଧାଇଁ ଆସିଲା ବୀଣା । ଆଖି ବୁଜି ଶୋଇ ପଡ଼ିଲା ଖଟ ଉପରେ । ହେଲେ ଶୋଇ ପାରିଲାନି–ସେ । ପ୍ରିୟତମଙ୍କର ସ୍ମୃତିର ତୀକ୍ଷ୍ଣ ଶରର ଆଘାତରେ ଛଟେଇ ପଟେଇ ହେଉଥିଲା । ସୀମାହୀନ-ଭାବନା ପରିଧି ଭିତରେ ଘୂରି ବୁଲୁଥିଲା ତା’ର ବାଉଳା ମନ । ମନ ତା’ର ଡେଇଁ ଡେଇଁ ଆଗେଇ ଯାଉଥିଲା ଦୂରକୁ ଦୂରକୁ, ପ୍ରିୟତମଙ୍କ ସନ୍ଧାନରେ...... ।

 

ରାତି ପାହିଲା । କଳା ପରଦା ଦୂରେଇ ଯାଇ ଦେଖାଦେଲା ଲାଲ ଉଷ୍ମ ପରଦା । ଦରଦୀ ବନ୍ଧୁ ଦିନମଣିଙ୍କୁ ପାଇ ପଦ୍ମକଳିକାଟି ତା’ର ଗୋଟି ଗୋଟି ପାଖୁଡ଼ା ମେଲି ହସି ଉଠିଲା । ବିରହ ଚକୋର ବିରହିଣୀ ଚକୋଇକୁ ପାଇ ଆନନ୍ଦରେ ଉଠିଗଲେ କେଉଁ ଅଜଣା ରାଇଜକୁ ।

 

ବୀଣା ଧଡ଼ପଡ଼ ହୋଇ ଉଠିପଡ଼ିଲା । ଆରେ...ଏତେ ସମୟ ପର୍ଯ୍ୟନ୍ତ ଶୋଇପଡ଼ିଲା ସେ । ଆଜି ପରା ପ୍ରିୟତମ ଆସିବେ ବୋଲି ଚିଠିଦ୍ୱାରା ଜଣାଇଥିଲେ । ଆଜି ତାରିଖ ପନ୍ଦର, ନା-? ନିଜକୁ ନିଜେ ପ୍ରଶ୍ନ କରି ଉଠିଲା ବୀଣା । ଠିକ୍ ତ କାହିଁ ତା’ର ମନେ ପଡ଼ୁନି । ଚିଠିଥାଳରୁ ଚିଠିଟି ଆଣି, କାନ୍ଥରେ ଟଙ୍ଗାଯାଇଥିବା କ୍ୟାଲେଣ୍ଡରକୁ ଚାହିଁଲା ସେ ।

 

ହଁ–ହଁ ଆଜି ତା’ର ପତି ଦେବତା ଆସିବେ । ସତେ କ’ଣ ଆସିବେ......ଏମିତି କେତେ ଥର ଆସିବାପାଇଁ ଲେଖି ଦିନେ ହେଲେ ଆସି ନାହାନ୍ତି । ଆଉ......ସତେ କ’ଣ ଆଜି ଆସିବେ ? ପ୍ରିୟତମର ଲେଖାକୁ ବିଶ୍ୱାସ କରିପାରୁନି ବୀଣା । ତଥାପି ମନ ତା’ର ଛଟେଇ ପଟେଇ ହେଉଛି, ପ୍ରିୟତମଙ୍କ ଆଗମନପାଇଁ । ମନ ତା’ର କେଉଁଠି ସ୍ଥିର ହେଉନି । କେତେବେଳେ ସେ ଦାଣ୍ଡକୁ ଧାଇଁଯାଉଛି ତ କେତେବେଳେ ବାଡ଼ିକୁ ଧାଇଁ ଯାଇ ଚାହିଁ ଚାହିଁ ଫେରୁଛି ।

 

ଚାହୁଁ ଚାହୁଁ ଦଶଟା ବାଜିଲା, ତଥାପି ପ୍ରକାଶର ଦେଖା ନାହିଁ । ବୀଣା ମନରେ ଭାବନାର ଖର ସ୍ରୋତ । ତେବେ କ’ଣ ପ୍ରିୟତମ ତା’ର ଥଟ୍ଟାରେ ଲେଖିଥିଲେ......କାହିଁକି ଏପର୍ଯ୍ୟନ୍ତ ଆସିଲେନି ! ଏମିତି କେତେ କଥା ଭାବି ଭାବି ନିରାଶା ଆଉ ପ୍ରତୀକ୍ଷାରେ ବସିଛି ବୀଣା-। ମନରେ ତା’ର ଅନନ୍ତ କାମନା......

 

ପ୍ରିୟତମାର ଶତ ଅନୁରୋଧ ଏଡାଇ ନ ପାରି ପ୍ରକାଶ ଧାଇଁ ଆସିଛି ଦର୍ଶନ ଲାଳସାରେ । ନିରୋଳା କୋଠରିରେ ବସିଛି ସେ । ମନ ଉପବନରେ ତା’ର କେତେ ଆଶାର ରଜନୀଗନ୍ଧା । କେତେ କଳ୍ପନା ରାଶି ତା’ ମନ ଅଙ୍ଗନରେ । ନିରୋଳାରେ ଆନମନା ହୋଇ ଭାବିଚାଲିଛି ସେ...

ପ୍ରାଣପ୍ରିୟର ଆଗମନରେ ବୀଣା ମନରେ ଶତଦଳ ଫୁଟି ଉଠିଛି । ପ୍ରିୟତମଙ୍କ ସହିତ ମନଖୋଲା ଦିପଦ କଥାବାର୍ତ୍ତା ହେବାପାଇଁ ଯେତିକି ଆକାଂକ୍ଷିତ ହୋଇଉଠୁଛି, ଲଜ୍ଜାରେ ସେତିକି ସେତିକି ଭାଙ୍ଗିପଡ଼ୁଛି । ଛାତି ତଳୁ ତା’ର କିଏ ଯେମିତି କହିଉଠୁଛି, 'କାହାକୁ ତୁ ଲଜ୍ଜା କରୁଛୁ ? ସିଏ ଯେ ତୋର ପତି-ଦେବତା...ପତି-ପରମେଶ୍ଵର......

ଆଉ କିଛି ନ ଭାବି ପ୍ରିୟତମଙ୍କ ପାଖକୁ ଆଗେଇ ଗଲା ବୀଣା । ଦେହ ତା’ର ଅଜଣା କମ୍ପନରେ ଶୀତେଇ ଉଠୁଥିଲା । ପ୍ରିୟତମଙ୍କର ଗଭୀର ଭାବନା ଦେଖି ଚଟ୍ କରି ଆଖି ଦୁଇଟି ବୁଜି ଧରିଲା ସେ ।

ପ୍ରକାଶ ଭାବନାରୁ ନିଜକୁ ଦୂରେଇ ଆଣି ପ୍ରକୃତିସ୍ଥ ହୋଇ କହିଉଠିଲା, ଆଖି ବନ୍ଦ କରନି...ମୁଁ ଜାଣେ ଯେ......

ବୀଣା ଆହୁରି ଜୋର୍‍ରେ ଗୋଟିଏ ହାତରେ ଆଖି ବୁଜିଧରି ପ୍ରକାଶ ହାତରେ ଆଙ୍ଗୁଠିଦ୍ୱାରା ଲେଖିଦେଲା, "କୁହ......ମୁଁ, କିଏ...... ?"

"ଏତେବେଳେ ଦେବୀଙ୍କ ଦର୍ଶନ ମିଳିଲା ?"

"ଦେବତା ତ ଆଗରୁ ଲୋଡ଼ି ନ ଥିଲେ । ଆଉ..." କହି ଆଖି ଖୋଲିଦେଲା ବୀଣା । ଦୁହେଁ ସମ ତାଳରେ ହସିଉଠିଲେ ।

"ଠିଆହୋଇ ରହିଲ କାହିଁକି ବୀଣା ? ବସ..."ପ୍ରିୟତମଙ୍କ ପାଖକୁ ଲାଗି ବସିପଡ଼ିଲା ବୀଣା । ପ୍ରକାଶର ହାତକୁ ଧରି ସାଉଁଳୁ ସାଉଁଳୁ କହି ପକାଇଲା, "କେମିତି ଏ ହତଭାଗିନୀ କଥା ତୁମ ମନରେ ପଡ଼ିଲା ? ଏ ଗରିବ ଘରକୁ କେମିତି ତୁମର ପାଦ ପଡ଼ିଲା ?"

ଆହତ ସିଂହପରି ପ୍ରକାଶ କହି ଉଠିଲା, "ଆଉ ଅଧିକ ଆଘାତ ଦେବାକୁ ଚେଷ୍ଟା କରନି ବୀଣା । ଦୁନିଆରେ ବଡ଼ଲୋକ କିଏ ତା’ ଆଜି ପର୍ଯ୍ୟନ୍ତ ମୁଁ ଚିହ୍ନିନି । ଆଜି ଯେ ଧନୀ କାଲି ସେ ଦାଣ୍ଡର ଭିକାରି ଆଉ ଆଜି ଯେ ଦାଣ୍ଡର ଭିକାରି କାଲି ସେ ଲକ୍ଷପତି । ଦୁନିଆରେ ଏକମାତ୍ର ଜଣେହିଁ ବଡ଼ଲୋକ । "

"ଭାଙ୍ଗେ ସେଇ, ଆଉ ଗଢ଼େ ସେଇ" ।

ଦାମ୍ପତ୍ୟ ଜୀବନର ବିଚ୍ଛେଦ କାହାଣୀ ଖୋଲି ବସିଛନ୍ତି ପ୍ରିୟ ଆଉ ପ୍ରଣୟିନୀ । ବୀଣା କହି ଚାଲିଛି ତା’ ଜୀବନର ଅସରା ଇତିବୃତ୍ତି । ଅସରା କାହାଣୀର କୂଳକିନାରା ଲମ୍ବିଯାଉଛି କାହିଁ କେତେ ଦୂରକୁ ।

ହଠାତ ପ୍ରକାଶ କଥାର ଭାବଧାରା ବଦଳେଇ ପ୍ରଶ୍ନକଲା; "ସବୁ ଭଲ ତ... ?"

ହଁ...ସେମିତି...ତୁମ ଦୟାରୁ...

କେତେଦିନ ରହିଲା ଯିବାକୁ... ?

କେଉଁଠିକି... ?

ତୁମ ଘରକୁ...

ଏଇ ତ ଆମ ଘର...

ନା–ନା ଏ ତୁମର ଭୁଲ୍ ଧାରଣା । ଏ ଘରେ ତୁମେ ବିଦେଶିନୀ ।

ଯଦି ଯିବାକୁ ମନା କରେ, ତେବେ...

ନଯାଅ...

ସେଠାକୁ କିଏ ଯିବ ମ...ଥଟ୍ଟାରେ କହି ପକାଇଲା ବୀଣା । ପ୍ରକାଶର ହୃଦୟରେ ବୀଣାର କଥା କେଇପଦ ଚିଆଁ ଦେଲା ପରି ଲାଗୁଥିଲେବି କିଛି କହିବାକୁ ଉଚିତ ମନେ ନ କରି ସାଇକେଲ୍ ଘୂରାଇ ବାହାରିପଡ଼ିଲା । ବୀଣାର ଶତ ଅନୁରୋଧକୁ ଉପେକ୍ଷା ନକରି ଆଗକୁ ପାଦ ବଢ଼ାଇଲା ସେ । ଶେଷରେ ପ୍ରିୟତମାର ଓଠକୁ ମୃଦୁ ସ୍ପର୍ଶରେ ହଲାଇ ଦେଇ କହିଲା, ଯାଉଛି ବୀଣା ! ଗାଳି ଦେବନି...

ପ୍ରିୟତମଙ୍କୁ ଆଖି ଲୁହରେ ବିଦାୟ ଦେଲା ବୀଣା । ଶେଷ ଅଶ୍ରୁ ବୁନ୍ଦା ଅଜାଡ଼ି ଦେଇ ପ୍ରିୟତମା ପାଖରୁ ବିଦାୟ ନେଲା ପ୍ରକାଶ । "ପ୍ରେମର ପ୍ରକୃତ ମୂଲ୍ୟ ବୁଝାଯାଏ ସେଇଠି, ଯେଉଁଠି ବିଚ୍ଛେଦର ଦାରୁଣ କଷାଘାତ ପରେ ମିଳନ ଆସି ସୁଦ୍ଧା ଚିର ଚଞ୍ଚଳ ଗତିରେ ଚାଲିଯାଏ ।"

ଆଉ ଅଧିକ ସମୟ ଅପେକ୍ଷା ନ କରି ସାଇକେଲ ପେଡ଼ାଲ ଉପରେ ପାଦଦେଲା ପ୍ରକାଶ ।

ଆଗକୁ ଆଗକୁ ଆଗେଇ ଚାଲିଛି ପ୍ରକାଶ । ପ୍ରିୟତମାର କେଇପଦ କଥାକୁ ସେ ଶତଚେଷ୍ଟା କରି ଭୁଲିପାରୁନି । ଭାବୁଛି; ପ୍ରକୃତରେ କ’ଣ ତାହାହିଁ ଚାହେଁ ବୀଣା...... ? ଏଇ କ’ଣ ତା’ର ମନର ପ୍ରକୃତ କଥା ! ହୃଦୟ ତା’ର ଆନ୍ଦୋଳିତ ହୋଇଉଠୁଛି । ଆଖିରେ ଜକେଇ ଆସୁଛି ଲୁହ...ସୀମାହୀନ ଭାବନାର କୂଳକିନାରା ନ ପାଇ ଭାବନା ସ୍ରୋତରେ ଉବେଇ ଟୁବେଇ ହେଉଛି ପ୍ରକାଶ !

ନିର୍ଜୀବ ପ୍ରତିମା ପରି ଏକ ଲୟରେ ପ୍ରିୟତମର ଗତିପଥକୁ ଚାହିଁ ରହିଥିଲା ବୀଣା । ସମୁଦ୍ରର ଶେଷ ଲହରୀଟି ଦୂରକୁ ଦୂରକୁ ଯାଇ ନୀଳସାଗର ବକ୍ଷରେ ଲୀନ ହୋଇଗଲା ପରି ପ୍ରକାଶ ଦୂରକୁ ଦୂରକୁ ଯାଇ ଲୀନ ହୋଇ ଯାଉଥିଲା ବୀଣା ଚକ୍ଷୁର ଅନ୍ତରାଳରେ । ଆଉ ସହିପାରୁ ନଥିଲା ବୀଣା । ଆଖିର ଲୁହ ତା’ର ବୋଲ ମାନୁନଥିଲା । ପ୍ରିୟତମଙ୍କ ଉଦ୍ଦେଶ୍ୟରେ ବୀଣା ଢାଳି ଦେଉଥିଲା ଆଖିରୁ ଅଜସ୍ର ଲୁହଧାର......

ୟାଭିତରେ ପାଞ୍ଚଟି ଦିନ କଟିଯାଇଛି । ସେ ଦିନର ଘଟନାରାଜି ଏପର୍ଯ୍ୟନ୍ତବି ବୀଣା ମନରୁ ଭୁଲିଯାଇନି । ସେ ଖାଲି ପ୍ରିୟତମର କଥାକୁ ମନେପକାଇ ଝୁରି ହେଉଛି । ନିରୋଳାରେ ନିଜ କୋଠରିରେ ବସିଛି ବୀଣା । ମନରେ ତା’ର କେତେ ଆଦି ଅନ୍ତହୀନ ଭାବନା । ମନ-ଗୋଲାପ ତା’ର ପ୍ରିୟତମ ଭ୍ରମରକୁ ଆଉ ଥରେ ପାଇବାପାଇଁ କଳ୍ପନାର ଜାଲ ବୁଣି ଚାଲିଛି । କିନ୍ତୁ...

 

ଭ୍ରମର... ।

 

ସେ ଯେ ଆଜି ଅନେକ ଦୂରରେ । ତଥାପି, ଅବାସ୍ତବ କଳ୍ପନାରେ ନିଜକୁ ଡୁବେଇ ରଖିଛି ବୀଣା । କେତେବେଳେ ଶେଯ ଉପରେ ଶୋଇପଡ଼ୁଛି ତ, କେତେବେଳେ ଉଠିପଡ଼ି ମନେ ମନେ କେତେ କ'ଣ ଗୁଣିହେଉଛି । ପୁଣି ବେଳେ ବେଳେ ପିଲାଙ୍କପରି ଖିନିମିନି ହୋଇ କାନ୍ଦିଉଠୁଛି-

 

ହଠାତ ବାହାରେ କାହାର ପାଦଶବ୍ଦ ଶୁଣି ଘରୁ ବାହାରି ଆସିଲା ବୀଣା । ପୋଷ୍ଟ ପିଅନକୁ ଦେଖି କିଛି କହିବା ପୂର୍ବରୁ ପିଅନ ଖଣ୍ଡେ ଲଫାପା ଚିଠି ବଢ଼ାଇ ଦେଇ ଚାଲିଗଲା । ବୀଣା ଚିଠି ଖଣ୍ଡିକ ପାଇ ଧାଇଁଗଲା ନିଜ କୋଠରିକୁ । ମନ ତା’ର ଜମା ବଳିଲାନି ମୁହୂର୍ତ୍ତେ ବିଳମ୍ବ କରିବାକୁ ।

 

ଖୋଲି ପଢ଼ିବସିଲା–

 

ପ୍ରାଣର ଗୋଲାପ ମୋର;

 

ସୁଦୂରରେ ରହି ତୁମରି ସୁବାସ ଆସ୍ୱାଦନ କରିବା ଲାଗି ବ୍ୟାକୁଳ ଏ ତରଙ୍ଗାୟିତ ମନ, ପ୍ରାଣ...ଆଉ ଏ ପୋଡ଼ା ହୃଦୟ...ଦୂରରେ ରହି ଏବେ ସୁଦ୍ଧା ମୁଁ ତୁମ ସ୍ନେହର ଫୁଲଶରର ଆଘାତ ଅନୁଭବ କରିବସେ । ତୁମରି କୁସୁମିତ ପରଶ ପାଇବାପାଇଁ ଏବେବି ମନ-ରାଇଜରେ ଶତ ଝଡ଼-ଝଞ୍ଜା ସୃଷ୍ଟି କରେ ! ଏତେ ଦୂରରୁ ତୁମର ସୁବାସିତ ସୁଗନ୍ଧ ମୃଦୁ ସମୀରଣ ବହିଆଣେ ଚୁନିଚୁନି କରି । ତୁମରି ପରିଚିତ ସୁଗନ୍ଧ ମୋତେ ନେଇଯାଏଁ ଦୂରକୁ...ଦୂରକୁ । କେଉଁ ସପନ ସାଥିରେ ମନଟି ମୋର ହଜିଯାଏଁ, ତା’ ବି ମୁଁ ଭାବି ପାରେନି......

 

ଦିନ ଯାଇ ଆସେ ରାତି, ମନ ଖୋଜେ ସାଥୀ, ସପନ ସାଥୀ ରାତି ପାହେ, ତପନ ସାଥୀ ଉଷା ଧାଏଁ । ଶ୍ରମିକ ଧାଏଁ ଶ୍ରମକୁ, ଭ୍ରମର ଧାଏଁ ଫୁଲରାଣୀ ପାଖକୁ, ଆଉ ଏ ଅମାନିଆ ମନଟା ଧାଏଁ...

 

କେଉଁଠି କି ଜାଣ... ?

 

ଏ ଅମାନିଆ ମନଟା ଧାଏଁ ବୀଣାରାଣୀ ପାଖକୁ ।

 

ସତେ ପ୍ରିୟତମା, ତୁମେ ଯଦି ଆଜି ପାଖରେ ଥାନ୍ତ, ତେବେ ହୁଏତ ଏମିତି ଦୁଃଖରେ ଦିନଗୁଡ଼ାକ କଟୁ ନଥାନ୍ତା । ତୁମରି ନରମ କୋଳରେ ମୁଣ୍ଡରଖି ଶାନ୍ତିରେ ନିଃଶ୍ୱାସଟିଏ ମାରିପାରନ୍ତି-। ଦୁହେଁ ମିଶି ଆମ ସୁନାରସଂସାର ଗଢ଼ିବାର କେତେ ପରିକଳ୍ପନା କରନ୍ତେ । କେତେ ହସଖୁସି ହୁଅନ୍ତେ । ଆଉ ଏଇ ହସଖୁସି ମଝିରେ ମୁଁ ତୁମ ଗୋଲାପି ଅଧରରେ ଆଙ୍କି ଦିଅନ୍ତି ଅଜସ୍ର ଚୁମ୍ବନ-। ଆଉ ତା'ପରେ......ତୁମେ କହି ଉଠନ୍ତ, କେଡ଼େ ଦୁଷ୍ଟ ତୁମେ । ତୁମର ଏଇ ଥଟ୍ଟାଳିଆ କଥା କେଇପଦ ମୋତେ ପ୍ରେମରାଜ୍ୟକୁ ଆହୁରି ନିବିଡ଼ ଭାବରେ ଭିଡ଼ିନିଅନ୍ତା । ନିଜର ଆଶ୍ଳେଷ ଭିତରେ ରଖି ଆହୁରି ଘନ ଘନ ଚୁମ୍ବନ ରେଖା ଆଙ୍କି ଦିଅନ୍ତି ତୁମର ପାଟଳ ଗଣ୍ଡଦେଶରେ-। ଆଉ ତା'ପରେ......

 

କିନ୍ତୁ ଏସବୁ କ’ଣ ମୁଁ ଲେଖିଯାଉଛି । ସେଦିନ ଯେ କହିଥିଲ ସେଠାରେ ମୋର କିଏ ଅଛି । ବାସ୍ତବିକ, ମୁଁ ବା ତୁମର କିଏ, ଆଉ ମୋ ସହିତ ତୁମର ବା ସମ୍ପର୍କ କ'ଣ ? ମୁଁ କେଉଁ ଦାଣ୍ଡର ଭିକାରି, ଆଉ ତୁମେ କେଉଁ ଏକ ନୀଳ-ସରୋବରର ନଳିନୀ । ତୁମକୁ ପାଇବା ମୋର ଆକାଶ କୁସୁମ ପରିକଳ୍ପନା । ତଥାପି ଯେ ମୁଁ ଅନ୍ଧାର ଭିତରେ କାହିଁକି କୁହୁଡ଼ି ପହଁରି ଚାଲିଛି, ତା’ ବି ଜାଣେନି । ଛାଡ଼ ସେ ସବୁର ପୁନରାବୃତ୍ତି କରି ଆଉକିଛି ଲାଭ ନାହିଁ । ସେ ମୋର ମନ୍ଦଭାଗ୍ୟ ।

 

ତୁମେ ଦିନକପାଇଁ କ’ଣ ନାହିଁ କରୁଛ ଆସିବାକୁ । ମୁଁ କହୁଛି ତୁମେ ଆସନି । ସତରେ ବୀଣା; ତୁମେ ନ ଆସି ଯଦି ସୁଖରେ ରହିପାର, ତେବେ ମୁଁ କହୁଛି ତୁମେ ଆସନି । ଅବଶ୍ୟ ମୁଁ ଜାଣେ, ତୁମରି ବିଚ୍ଛେଦ ହୃଦୟରେ ମୋତେ କଠୋର ଆଘାତ ଦେବ । ଚିର ଦିନପାଇଁ ଆଖିରୁ ଲୁହ ନିଗାଡ଼ିବ; ତଥାପି ତୁମେ ଯଦି ସେଠାରେ ରହି ସୁଖୀ ହୋଇପାର, ତେବେ ସେ ଦୁଃଖରେ, ସେ ଭାବନାରେ, ସେ ଲୁହ ନିଗାଡ଼ିବାରେ ମୋର ଅନୁଶୋଚନା ନାହିଁ । ମୁଁ ଧରି ନେବି, ତାହାହିଁ ମୋର ଏ ଅଲୋଡ଼ା ଜୀବନର ଭାଗ୍ୟଲିପି ।

 

ସମୟ ଗଡ଼ିଯାଏ ଅବିଶ୍ରାନ୍ତ ଗତିରେ । ମନରେ ଆଶାହୁଏ ଆଉ କେଇଟି ଦିନ ପରେ ହୁଏତ ପୁଣି ତୁମେ ମୋର ଏ ଶୂନ୍ୟ କୋଳକୁ ଫେରିଆସିବ । ହସିଉଠିବ ମୋର ଏ ଶୂନ୍ୟ କୋଳ । ତୁମରି କୋମଳ ପରଶ ଦେଇ ଲିଭାଇ ଦେବ ହୃଦୟରୁ ମୋର ଅସୁମାରି ଦିନର ଅସୁମାରି ଯନ୍ତ୍ରଣା-। ତୁମରି ଚନ୍ଦନ ଶୀତଳ ପରଶରେ ମୁଁ ଭୁଲିଯିବି ଜଡ଼ ଜୀବନର ସମସ୍ତ ବ୍ୟର୍ଥତା, କିନ୍ତୁ ତା' ମୋର ଏ ହୀନିମାନିଆ କପାଳରେ ବୋଧେ ଲେଖା ନାହିଁ । ଚିରଦିନ ତୁମରି ନାଁ'କୁ ଜପିଜପି ଦୁଃଖରେ ଦିନ କାଟିବା ବୋଧେ ମୋର ଏ ପୋଡ଼ାକପାଳର ଭାଗ୍ୟଲିପି । ତୁମକୁ ଭାବିଭାବି ଆଖିରୁ ଲୁହ ନିଗାଡ଼ିବା ବୋଧେ ଭଗବାନ୍‍ଙ୍କର ମୋ ପ୍ରତି ଅଭିଶାପ ! ଆଉ ଅଧିକ ଲେଖିବାକୁ ଚାହୁଁନି-। ଖୁବ୍ ଆନନ୍ଦରେ ଅଛ, ନା ? ହଉ ଥାଅ । ଶେଷରେ ତୁମ ସାଙ୍ଗସାଥୀମାନଙ୍କୁ ସ୍ନେହାଶୀର୍ବାଦ ଏବଂ ତୁମପାଇଁ ଗୋଟିଏ....

 

କ’ଣ...... ?

 

ବୁଝି ପାରିଲନି ବୋଧେ... ? ତଥାପି...

 

ସେଇମ...

 

ଚୁମ୍ବନ...

 

ତୁମପାଇଁ ଏ କବିତାଟି ପଠାଇଲି :–

 

କି ମନ୍ତ୍ର ଫୁଙ୍କିଲ ପ୍ରିୟା ହେ କାନେ ନ ପାରେ ଭୁଲି,

ଏତେ ସ୍ନେହ କରି କେମିତି ଦୂରେ ଦେଉଛ ଠେଲି ।

ସମର୍ପି ଦେଇଛି ତୁମରି ହସ୍ତେ ଜୀବନ ମୋର...

କେମିତି ନିଷ୍ଠୁର ହୋଇ ହେ ପ୍ରିୟା କରୁଛ ପର

ତୁମ ସ୍ନେହ-ଋଣ ନ ପାରେ ଶୁଝି ସାରା ଜୀବନେ,

ଦୂରେଇ ଦେବାକୁ ଆଶା କି ଥିଲା ତୁମର ମନେ ?

ତୁମ ସ୍ମୃତି ଆଣେ ମନରେ ବ୍ୟଥା ଦ୍ଵିଗୁଣ ପଣେ,

ହୃଦୟ ଥରାଇ ଆଖିରେ ମୋର ଲୋତକ ଆଣେ ।

ଲେଖିବାକୁ ହସ୍ତ ନ ଚଳେ ଭାବି କଥା ତୁମର...

ଭଲପାଇବାର ଏହି କି ପ୍ରତିଦାନ ମୋହର ?

ହୃଦୟକୁ ମୋର ନ ଚିହ୍ନି ଦୂରେ ଦେଇଛ ଠେଲି,

ତୁମ ସୁଖପାଇଁ ତୁମଠୁ ଦୂରେ ଯାଉଛି ଚାଲି ।

ତୁମରି ମଙ୍ଗଳପାଇଁକି ଦୀପ ଦିଏ ଜଳାଇ...

ସୁଖେ ଦିନ ନିଅ ପ୍ରିୟା ହେ ସବୁ ମନୁ ଲିଭାଇ ।

ତୁମରି ବିହୁନେ ନିଶ୍ଚୟ ଯିବ ଜୀବନ ମୋର,

ଏ ଅସରା ଦୁଃଖ କହିବି ଅବା କାହା ଆଗର ।

ଭାବି ନ ଥିଲି ମୁଁ ଜୀବନେ ଏହା ଘଟିବ ବୋଲି;

କାହାକୁ କହିବି ଏ ଦୁଃଖ ମୋର ଅସରା ବାଲି ।

ବାଲିକୁ କେ ଗଣି ପାରିବ, ମାପିବ କେ ଆକାଶ,

କେ ଗଣିବ ଜଳ ରାଶିକୁ, ଆକାଶର ନକ୍ଷତ୍ର... ?

ତେସନେ ମୋ ଦୁଃଖ ଜୀବନେ ଅଧିକରୁ ଅଧିକ,

ଭାବିଲେ କି ହେବ ? ଏ ମୋର କର୍ମନିୟନ୍ତା ଦୁଃଖ ।

ଝରି ଆସେ ଉଷ୍ମ ଲୁହ ଯେ ଆଖି କୋଣରୁ ଛପି,

ପୋଡ଼ା କପାଳ ମୋ ଅଟଇ ତାହା ମୋ ଭାଗ୍ୟଲିପି ।

କି ଲେଖା ଲେଖିବି ପ୍ରିୟା ମୋ ଆଉ ହସ୍ତ ନ ଚଳେ;

ତୁମରି ଶ୍ରୀମୁଖ ଚନ୍ଦ୍ରମାଟିକୁ ନିତି ମୁଁ ଭାଳେ ।

ଭୁଲି ଯାଇ ସବୁ ମୋ କଥା ତୁମେ ସୁଖରେ ରୁହ,

ଅତୀତର ସବୁ ସ୍ମୃତିକୁ ମନୁ ଲିଭାଇ ଦିଅ... ।

ଭୁଲି ଯାଅ ପ୍ରିୟା ମୋହରି କଥା ମନରୁ ତୁମ;

ପୋଛି ଦିଅ ତୁମ ହୃଦରୁ ସଖୀ ମୋହର ନାମ...

ଅଭିମାନ ଭୁଲି ଶେଷରେ ପ୍ରିୟା ବିଦାୟ ଦିଅ...

ଶେଷ ସ୍ନେହ ନେଇ ପ୍ରିୟା ମୋ, ତୁମେ ସୁଖରେ ଥାଅ... ।

 

ତୁମ ଅନାଦରର

ପ୍ରକାଶ

 

ଏ ଦୀର୍ଘ ଚିଠିଟି ପଢ଼ି ଆତଙ୍କରେ ଅଧୀର ହୋଇଉଠିଲା ବୀଣା । ଆଖିରୁ ତା’ର ବହିଯାଉଥିଲା ଲୁହର ଝରଣା । ଚିଠିଟିକୁ ଥର ଥର କରି ଯେତେ ଥର ପଢ଼ିଲେବି ଶାନ୍ତି ପାଇପାରୁନି ବୀଣା ! ପ୍ରିୟତମଙ୍କର କେଇପଦ ଲେଖା ମନରେ ତା’ର ହତାଶାର ଅଗ୍ନି ଶିଖା ଜଳାଇ ଦେଇଛି । ସେ ଖାଲି ଛଟପଟ ହେଉଛି ବ୍ୟଥାତୁର ହୃଦୟ ନେଇ । ଚିଠିଟିକୁ ମୂଳରୁ ଶେଷ ପର୍ଯ୍ୟନ୍ତ ପଢ଼ୁଛି; ଖିନିମିନି ହୋଇ କାନ୍ଦିଉଠୁଛି ଥୋଇଦେଇ । ପୁଣି ଖୋଲି ପଢ଼ୁଛି ।

 

କାନ୍ଦି...କାନ୍ଦି ଆଖି ଯୋଡ଼ିକ ବୀଣାର ଫୁଲିଗଲାଣି; ତଥାପି ଅବାରିତ ଲୁହଧାର ଆଖିରୁ ତା’ର ବହି ଚାଲିଛି । ନିଜକୁ ନିଜେ ଶତ ସହସ୍ର ଧିକ୍‍କାର କରୁଛି ସେ–"କାହିଁକି ହତଭାଗୀ ମୁଁ ତାଙ୍କୁ ସେପରି କହିଲି, କାହିଁକି ମୋ ଦେବତାଙ୍କ ମନରେ ଦୁଃଖ ଦେଲି । କେତେ ଦୁଃଖରେ ସେ ଦିନ କାଟୁଛନ୍ତି । ଭାବୁଛି, ବଞ୍ଚିରହିବା ତା’ର ଦରକାର ନାହିଁ । କାହିଁକି ସେ ବଞ୍ଚି ରହିବ । କାହାକୁ ନେଇ ସେ ଆଶା-ତରଣୀକୁ ତା’ର ବାହିବ ! ନା-ନା ସେ ବଞ୍ଚି ପାରିବନି । ତା’ ଜୀବନ ଫୁଲଟି ଯେମିତି ଅନ୍ଧକାରରେ ଫୁଟିଛି, ସେମିତି ଅନ୍ଧକାରରେହିଁ ଝଡ଼ିଯିବ । ଟିକିଏ କିଛି ଖାଇ ଦେଇ ଚିର ଦିନପାଇଁ ନିଶ୍ଚିନ୍ତରେ ଶୋଇଯିବ ସେ ।

 

ଏମିତି କେତେ ଦୁର୍ଭାବନାରେ ଆଉଟି ପାଉଟି ହୋଇ ଉଠିପଡ଼ିଲା ବୀଣା । ହଠାତ ପଛଆଡ଼ୁ କାହା ହାତର ପରଶ ପାଇ ଚମକିଉଠିଲା । ବୁଲିପଡ଼ି ପଛପାଖକୁ ଚାହିଁଲା ସେ । କାହିଁ କେହି ତ ନାହିଁ...ତେବେ...

 

ଅବାକ ହୋଇ ଠିଆ ହୋଇ ରହିଛି ବୀଣା । ଛାତି ତଳୁ ତା’ର କିଏ ଯେମିତି କହିଉଠୁଛି; ତୁ ସିନା ମରିଯିବାକୁ ଭାବୁଛୁ ବୀଣା, ତୋ ଦେବତା କେମିତି ରହିବେ, ତା’ କ'ଣ ଆଉ ଦେଖିପାରିବୁ-? ତୋତେ ନ ପାଇ ପ୍ରିୟତମ କ’ଣ ତୋର ବଞ୍ଚିପାରିବେ, ଭାବୁଛୁ ?

 

ଭାବନାରୁ ନିଜକୁ ଦୂରେଇ ଆଣିଲା ବୀଣା । ନା-ନା ସେ ଏଇ ଅଶରୀରୀ ଆତ୍ମାକୁ ଅଶରୀରରେ ମିଶାଇ ଦେବନି । ସେ ବଞ୍ଚି ରହିବ...ହଁ...ହଁ ସେ ବଞ୍ଚିରହିବ ତା’ ଦେବତାପାଇଁ । ସେ ପ୍ରିୟତମଙ୍କୁ ତା’ର କଥା ଦେଇଛି । ସମସ୍ତ ଝଡ଼-ଝଞ୍ଜା ସହି ଆଗେଇ ଯିବବୋଲି । ଆଉ କେମିତି ବା ତାଙ୍କୁ ଛାଡ଼ି ଚାଲିଯିବ ! ତାକୁ ହରାଇ ପ୍ରିୟତମ ତା’ର ବଞ୍ଚିପାରିବେନି । ତା’ ଲାଗି ଦେବତା ତା’ର ଅକାଳରେ ଝଡ଼ି ପଡ଼ିବେ......

 

Unknown

ନା–ନା ଯାଇ ପାରିବନି ସେ । ପତି ଦେବତାଙ୍କ ସ୍ନେହ ବନ୍ଧନର କଠିନ ରଜ୍ଜୁକୁ ଛିଡ଼ାଇ ଅଦେଖା ରାଇଜକୁ ସେ ଯାଇ ପାରିବନି । ସେ ବଞ୍ଚି ରହିବ । ଦେବତାର ପାଦତଳେ ପଡ଼ି ନିଜର ଭୁଲ୍‍ପାଇଁ କ୍ଷମା ମାଗିବ । ଅନୁନୟ ବିନୟ କରି ପାଦତଳେ ଲୋଟିପଡ଼ିବ ସେ ......

 

ଯଦି ତା’ ଦେବତା ଦୂରେଇ ଦିଅନ୍ତି, ତଥାପି ସେ ଭିଜିଲା ଆଖିନେଇ ବଞ୍ଚିରହିବ । ଜୀବନର ଶେଷ ମୁହୂର୍ତ୍ତ ପର୍ଯ୍ୟନ୍ତ ଠାକୁରଙ୍କୁ ଡାକିବ ତା’ ପତି-ଦେବତାର ମଙ୍ଗଳ ମନାସି । ଏ ଜୀବନ ବିନିମୟରେ ପ୍ରିୟତମଙ୍କୁ ସେ ସୁଖୀ କରିବ ।

 

ତିନ୍ତିଲା ଆଖିଯୋଡ଼ିକ ଲୁଗା କାନିରେ ପୋଛି ଆଗକୁ ଆଗେଇ ଗଲା ବୀଣା । ଧରିବସିଲା ଆଦରର ଲେଖନୀଟିକୁ ତା’ର । ପ୍ରିୟତମଙ୍କୁ ଜଣାଇ ଦେବ ତା’ର ଏ ଅସରା ଦୁଃଖ କାହାଣୀ । ରୂପାୟନ କରିବସିଲା ମନର ଅକୁହା କଥା କେଇପଦ । ଆଖିରୁ ତା’ର ତଡ଼ିତ୍ ବେଗରେ ବହିଯାଉଥିଲା ଲୁହର ଅଜସ୍ର ଧାର... ।

 

କଠିନ ପରିଶ୍ରମ କରି ପ୍ରତିଦିନପରି ଘରକୁ ଫେରିଛି ପ୍ରକାଶ । ଉପଯୁକ୍ତ ଉଚ୍ଚ ଶିକ୍ଷିତ ସେ; କିନ୍ତୁ କୌଣସି ଦିନ ଆଶା କରିନି ପରର ଗୋଲାମଗିରି କରିବାକୁ । ଚାକିରି କରି ଦି'ପଇସା ରୋଜଗାର କରିବାକୁ ଉପଯୁକ୍ତ ମନେକରିନି ସେ । ଉନ୍ନତ ଧରଣର ଫସଲ ଏବଂ ବୈଜ୍ଞାନିକ ପ୍ରଣାଳୀରେ ଚାଷକରି ଅଧିକ ଫସଲ ଉତ୍ପାଦନ କରିବାକୁ ପସନ୍ଦ ମନେକରିଛି । ତେଣୁ ବୀର କିଷାନ୍‍ଭାବେ ପରିଚିତ ହେବାକୁ ଜୀବନର ଲକ୍ଷ୍ୟରୂପେ ବାଛି ନେଇଛି ।

 

ତା’ର ଜୀବନ ଗଢ଼ା ମାଟି-ମା, ସଙ୍ଗେ ଯୁଦ୍ଧକରି ଫସଲ ଉତ୍ପାଦନ କରିବା । ଦେହରୁ ରକ୍ତ ନିଗାଡ଼ି ରକ୍ତ ତୋଳିବା ଫସଲ ଆକାରରେ । ଦୁନିଆକୁ ଆଦର୍ଶ ଦେଖାଇବା ଭଳି ଜଣେ କୃଷକଭାବେ ।

 

ମାଟି-ମା' ଦେହରେ ସୁନା ଫଳାଇ ପାଏ ସେ ଅସୀମ ଆନନ୍ଦ । ସକାଳୁ ଯାଇ ଦିନ ଦିପହରେ ଘରକୁ ଫେରେ । ମା' ବୁଢ଼ୀଟି ଶାଗ ପଖାଳ ଦିଟା ସାଇତି ରଖିଥାଏ ପ୍ରକାଶପାଇଁ । ସେଥିରୁ ଦି'ଟା ପେଟକୁ ନେଇ ପ୍ରକାଶ ପୁଣି ବାହାରି ଯାଏଁ ମାଟି-ମା'ର ସେବା କରିବାକୁ । କଠିନ ପରିଶ୍ରମ କରେ, ସେଥିପାଇଁ ଜଣେ ଆଦର୍ଶଭାବେ କେତେଥର ସେ କୃଷକ ସମ୍ମିଳନୀରେ ପୁରସ୍କୃତ ହୋଇଛି । ଫେରୁ ଫେରୁ ସଞ୍ଜହୁଏ । ଘରକୁ ପଶି ଆସୁ ଆସୁ ବୁଢ଼ୀ ପଚାରି ବସେ; ଏତେବେଳେ ଯାଏଁ କ’ଣ କରୁଥିଲୁ କି ପ୍ରକାଶ ? ଆହୁରି ଆଗରୁ ଟିକେ ଆସିଲେ କ’ଣ ହୁଅନ୍ତାନି... ।

 

ପ୍ରକାଶ ଟିକେ ଶଙ୍କିଯାଇ କୁହେ, ଦେଖୁଛୁ ତ ବୋଉ, ବର୍ଷକୁ ବର୍ଷ କିପରି ଫସଲ ମାଡ଼ ଖାଉଛି ! ଏ ବର୍ଷ ମରୁଡ଼ି ତ ଆରବର୍ଷ ବାତ୍ୟା । ପୁଣି ତା'ପରେ ବର୍ଷା, ବନ୍ୟା । ଆଉ ଏ ବର୍ଷ ଟିକେ ଭଲକରି ମିହନ୍ତ ନ କଲେ ଚଳିବ କେମିତି ?

 

ବୁଢ଼ୀ ପାକୁଆ ପାଟିରେ ଟିକେ ହସିଦେଇ କୁହେ; ତୁ ନିଜେ ନ ଖଟିଲେ କ’ଣ ଚଳନ୍ତାନି-? କ’ଣ ଯେ ଆମର ଅଭାବ ଅଛି ? ଠାକୁରେ ଆମକୁ ସବୁ ଦେଇଛନ୍ତି, ବୁଝିଲୁ ! ନିଜେ ନଖଟି ମଜୁରିଆ ଲଗାଇ ସବୁ ସୁବିଧା କର ଏଣିକି । ବୁଢ଼ୀ ଆହୁରି ଟିକେ ପାଖକୁ ଲାଗିଯାଇ ପ୍ରକାଶ ଦେହରେ ହାତ ବୁଲାଇ ଆଣି କୁହେ, ଦେଖିଲୁ, ଦେହଟା କେମିତି ସଳିତାପରି ହେଲାଣି-! ନା, ତୁ ଆଉ ଏତେ ପରିଶ୍ରମ କରନା । ଯେତେ ବୁଝାଇଲେ ଏ ଅବୁଝା ପୁଅଟା କ’ଣ ମୋର ବୁଝୁଛି-! ବୁଢ଼ୀ ଆଉ କ’ଣ କହିବାକୁ ଗଲାବେଳେ ପାଟିରୁ କଥା ଛଡ଼ାଇ ଆଣି ପ୍ରକାଶ କହିଉଠେ–ଆଚ୍ଛା ବୋଉ; ତୋର ଇଚ୍ଛା ମଜୁରିଆମାନେ କାମ କରିବେ । ସେମାନେ ତ ମଣିଷ ? ତାଙ୍କର ଅଭାବ ବୋଲି ସେମାନେ କାମ କରିବେ, ଆଉ ଆମେ ଧନୀ ବୋଲି କାମ କରିବାନି । ନା ବୋଉ-! ଈଶ୍ଵର ସମସ୍ତଙ୍କୁ ଜନ୍ମ ଦେଇଛନ୍ତି କର୍ମ କରିବାପାଇଁ । କର୍ମ କରିବା ମନୁଷ୍ୟର କର୍ତ୍ତବ୍ୟ ।

 

ବୁଢ଼ୀ ଆଉ ପ୍ରକାଶ କଥାରେ କିଛି ପ୍ରତିବାଦ କରିପାରେନି, ବସିବା ଜାଗାରୁ ଉଠିଯାଏ-। ଆସେ ରାତି । କ୍ଳାନ୍ତ ଶରୀରକୁ ଶଯ୍ୟାଶାୟୀ କରେ ପ୍ରକାଶ । ପ୍ରିୟତମାର ପ୍ରତିଛବି ଆଖି ଆଗରେ ତା’ର ନାଚିଉଠେ । ବୀଣାର କଥା ଭାବିଭାବି ଆଖିରୁ ଲୁହ ଗଡ଼ାଏ ସେ । ତାକୁ ଜଣାଯାଏ ପ୍ରାଣପ୍ରିୟା ତା’ର ପାଖରେ ଥିଲାପରି । ଶୟନକକ୍ଷରେ ତା’ର ଲୁଚିଲୁଚି ତା’ ସହିତ ପରିହାସ କରୁଛି ଭାବି ଉଠିପଡ଼ି ଘରସାରା ତନ୍ନତନ୍ନ କରି ଖୋଜିବସେ । ପର ମୁହୂର୍ତ୍ତରେ ନିଜର ଭ୍ରମ ବୁଝିପାରି ନୀରବରେ ଲୁହ ଗଡା଼ଏ ଖାଲି । ପ୍ରାଣପ୍ରିୟାର କଥା ଭାବି ଭାବି ଶୋଇପଡ଼େ ସେ । ନିଦ୍ରାଦେବୀଙ୍କ କାଉଁରୀ ପରଶରେ ଆଖି ଯୋଡ଼ିକ ତା’ର ନଇଁଆସେ । ନିଦ୍ରାରେ ଶୋଇ ସ୍ଵପ୍ନ ରାଜ୍ୟରେ ବିଚରଣ କରୁ କରୁ ପ୍ରିୟତମାର ଭେଟପାଏ ପ୍ରକାଶ ।

 

ରାତି ପାହେ । ପ୍ରକାଶ ବାହାରି ଯାଏଁ ନିଜର କାର୍ଯ୍ୟ ସମ୍ପାଦନା କରିବାକୁ । ଘରକୁ ଫେରୁ ଫେରୁ ସଞ୍ଜ ହୋଇଯାଏ !

 

ସବୁଦିନପରି ଆଜିବି ସଞ୍ଜରେ ଘରକୁ ଫେରୁଛି ପ୍ରକାଶ । ମନରେ ତା’ର ପ୍ରିୟାର ଭାବନାରାଶି ଜମାଟ ବାନ୍ଧିଛି । ଭାବୁଛି; ଦୀର୍ଘଦିନ ହେବ ଚିଠି ନ ପାଇ ଚାତକିନିପରି ସେ ଚାହିଁ ବସିଥିବ ନିଶ୍ଚୟ । ଭାବନାରେ ଛଟ ପଟ ହେଉଥିବ ! ନା, ଚିଠି ଦେବିନି ! ଥରେ ଅନୁଭବ କରୁ ବୀଣା; ନିରାଶା ଆଉ ପ୍ରତୀକ୍ଷା ଭିତରେ ରହିଲେ ମନରେ କେମିତି ହା-ହାକାର ଜନ୍ମେ ।

 

ଏମିତି ଭାବିଭାବି ଘରେ ପହଞ୍ଚିଯାଇଛି ପ୍ରକାଶ । ଦରଜା ଖୋଲି ନିଜ କୋଠରିକୁ ପ୍ରବେଶ କଲା ସେ । ମନରେ ତା’ର ହତାଶାର ସ୍ପଷ୍ଟରେଖା । କ୍ଳାନ୍ତ ନୀରସ ମନ । ଆଖିପଡ଼ିଲା ଟେବୁଲ ଉପରେ ଥୁଆହୋଇଥିବା ଖଣ୍ଡିଏ ଲଫାପା ଚିଠି ଉପରେ । ପ୍ରିୟତମାର ହାତଲେଖା ଅକ୍ଷରରୁ ଜାଣିନେଲା ସେ । ତରତର କରି ଖୋଲି ବସିଲା–

 

ପ୍ରାଣର ଦେବତା ମୋର,

 

ଅଭାଗୀନିର ଶେଷ ପ୍ରଣତିଟିକୁ ତୁମର ପବିତ୍ର ଅନ୍ତରରେ ଥରୁଟିଏ ପାଇଁ ସ୍ଥାନ ଦେବାକୁ ମୋର ଶେଷ ଅନୁରୋଧ ଓ ଶେଷ ଇଚ୍ଛା । ତୁମର ଦୀର୍ଘ ଚିଠିଟି ପାଇ ମନ ମୋର ଅସ୍ଥିର ହୋଇଉଠିଛି । ମୋପ୍ରତି ତୁମର ଏପରି ଧାରଣା ଦେଖି ନିଜକୁ ମୁଁ ଶତ ଧିକ୍‍କାର କରୁଛି ।

 

ଏଇ ସାମାନ୍ୟ କଥାରେ ତୁମେ ଏତେ ରାଗ କରିଛ ସାଥୀ, ଏତେ ଅଭିମାନ କରିଛ...-? ନ ଯିବା କଥା ତୁମକୁ ଥଟ୍ଟାରେ କହିଥିଲି ବୋଲି ତୁମେ ତାହା ସତ ବୁଝିଛ ? ସତରେ ଦେବତା; ତୁମେ କ’ଣ ବିଶ୍ୱାସ କରିପାରୁଛ ତା’ ମୋର ମନର କଥା ? ହଁ ସେ କଥା ତୁମେ ବିଶ୍ୱାସ କରି ନଥିଲେ ଏପରି ଭାବରେ ବା ଚିଠିଟି ଲେଖିଥାନ୍ତ କାହିଁକି !

 

ଏଇ ଛୋଟ କଥାରେ ତୁମେ ଏତେ ଦୁଃଖିତ ହେବ, ତା’ ମୁଁ କଳ୍ପନାରେ ସୁଦ୍ଧା ଭାବି ନଥିଲି । ତୁମେ ବା କାହୁଁ ଜାଣିବ ଏ ଅଭାଗୀନିର ଅନ୍ତର ତୁମପାଇଁ କେମିତି ହେଉଛି ।

 

ଦୀର୍ଘ କେଇଦିନ ହେବ ତୁମର ହସ୍ତଲିପି ନ ପାଇ ମନରେ ଯେଉଁ ହା-ହୁତାଶର ଝଡ଼-ଝଞ୍ଜା ବହି ଚାଲିଛି, ତା’ ହୁଏତ ନ ଦେଖିଲେ କଳ୍ପନା କରିପାରିବନି ତୁମେ ।

 

ଦେବତା ମୋର-ସ୍ତ୍ରୀ ଯଦି ଦୋଷ କରିଥାଏ ସ୍ୱାମୀଦେବତା ତ ପୁଣି କ୍ଷମା ଦିଅନ୍ତି । ତୁମ ପାଦ ଧରି କ୍ଷମା ଭିକ୍ଷା କରୁଛି...ନା; ଏ ଭୁଲ୍‍ପାଇଁ କ୍ଷମା ନାହିଁ... ? କ୍ଷମା ନ ଦେଲେ ମନ ମୋର ଶାନ୍ତ ହେବନି । ସତରେ ପ୍ରିୟତମ, ତୁମେ କ’ଣ ତୁମର ପାଗଳୀ ପ୍ରିୟାକୁ କ୍ଷମା ଦେବନି... ? କୁହ ଦେବତା କ୍ଷମା ଦେଇଛ ତ... ?

 

ମନ ହେଉଛି ଦଉଡ଼ି ଯାଇ ଅବୁଝା ରଜାଙ୍କୁ ମୋର ବୁଝାଇ ଦିଅନ୍ତି, ତୁମପାଇଁ ଅନ୍ତର ମୋର କିପରି ହେଉଛି । କିନ୍ତୁ...ଏହା ମୋର ଅବାସ୍ତବ ପରିକଳ୍ପନା । ଏ ଜୀବନରେ ଚାହେଁନି ମୁଁ ଧନ, ଜନ, ମାନ-ସମ୍ମାନ ଚାହେଁ ଖାଲି ତୁମେ ପାଖରେ ଥାଅ ମୋର । ଚାହେଁ...ଚିର ଦିନପାଇଁ ତୁମରି ପାଦତଳେ ଲୋଟିଯିବାକୁ । ଯାହାକୁ ତୁମେ ପାଦତଳେ ସ୍ଥାନ ଦେଇଛ, ତାକୁ ପୁଣି ତୁମେ ଦୂରେଇ ଦେବାକୁ ଚାହୁଁଛ କିପରି ? କହିଲ; କାହାକୁ ବା ନେଇ ମୁଁ ରହିବି...... ?

 

ହେ ମୋର ଚିର ପ୍ରିୟତମ !

 

କ’ଣ ବା ଏ ଜୀବନର ଦୁଃଖଗୁଡ଼ାକ ଲେଖିବି । କ’ଣ ବା ଲେଖି ଏ ହତଭାଗିନୀ ମନକୁ ତୁମର ଖୁସି କରିପାରିବ, ସେ ଭାଷାବି ମନକୁ ଆସୁନି । ସତରେ ସାଥୀ; ଯେଉଁ ଦିନ ସେ ଅଜଣା ରାଇଜରୁ ତୁମ ପାଖରୁ ବିଦାୟ ଆଣି ଏ ଦୂର ରାଇଜକୁ ଆସିଥିଲି, ସେଦିନ ତୁମର ଛବିଟି ଏ ହତଭାଗୀ ଅନ୍ତରରେ ଦାରୁଣ ଆଘାତ ଦେଇଥିଲା, ଏବେବି ମଧ୍ୟ ଦେଉଛି । ଯେତେବେଳେ ଏସବୁ ଛପିଲା କଥା ମନେପଡ଼େ କୋହ ଉପରେ କୋହ ଆସେ । ଅଜାଣତରେ ଝରିଯାଏ ଲୁହ ଧାର । କିନ୍ତୁ ପର ମୁହୂର୍ତ୍ତରେ ଛାତିତଳୁ କିଏ ଯେମିତି କହିଉଠେ; ଦୁଃଖ କରନା ତୁ... । ହୀନିମାନିଆ ଜୀବନ ତୋର । ହୀନିମାନୀ ତୁ । ସୁଖ ଚାହିଁଲେ ବା ପାଇବୁ କେଉଁଠୁ ।

 

ତୁମରି ପ୍ରତିଛବିଟି ଘେରି ରହେ ମୋତେ ପ୍ରତ୍ୟେକ ସମୟପାଇଁ । ମରୀଚିକାପରି ତୁମରି ସୌମ୍ୟ ମୂର୍ତ୍ତିଟି ଆଖିଆଗରେ ମୋର ମନ୍ଥର ଗତିରେ ନାଚିଉଠେ । ନିଜର ସତ୍ତା ହରାଇ ତୁମର କମନୀୟ ରୂପକୁ ଧରିବାକୁ ଧାଇଁ ଯାଇ ନିରାଶ ହୁଏ ମୁଁ.......ମନ ମୋର ଭାଙ୍ଗିପଡ଼େ, ହୃଦୟ ମୋର ଯନ୍ତ୍ରଣାରେ ଭରିଯାଏ । ପୁଣି ମନେପଡ଼େ ଅତୀତରେ ହଜିଯାଇଥିବା କେଇଟି ଶୁଭ୍ରରାତିର ଘଟନାବଳି...

 

ସେ ଦିନ ହଜିଯାଇଛି; କିନ୍ତୁ ସେ ଦିନର କଥା ଏବେବି ମନ ଭିତରୁ ହଜିଯାଇନି । ଏଇ ଦୀର୍ଘ ଦିନ ଭିତରେ କେତେ କ’ଣ ପାଇଛି ସାଥୀ; କିନ୍ତୁ ଶତ ଆଶାକରି ତୁମର ସେ ହସ ହସ ଓଠର ସୁଧାଝରା କଥା ଆଉ ଶୁଣିବାକୁ ପାଇ ପାରୁନି...ପାଇ ପାରୁନି ତୁମର ଆଦର ସ୍ନେହ ଟିକକ । ସମସ୍ତେ ସବୁ କଥା ବୁଝିବେ, ହେଲେ ଏ ଭୋକିଲା ମନର ଦାରୁଣ ବ୍ୟଥା ତୁମ ବିନା ବା ଆଉ କିଏ ବୁଝିବ...

 

ତୁମର ମଧୁଭରା ପତ୍ରକୁ ଚାହିଁ ଚାହିଁ ଆଖି ପାଣି ଆଖିରେ ମଲାଣି ତଥାପି ତୁମର ଚିଠି ପାଇବା ଏ ଅଭାଗୀନି ଜୀବନରେ ଜୁଟୁନି । ଦୁଇଖଣ୍ଡ ପତ୍ର ଦେବାପରେବି ତୁମ ପାଖରୁ ଖଣ୍ଡିଏ ହେଲେ ପତ୍ର ପାଇଲିନି । ତେଣୁ ବାଧ୍ୟ ହେଲି ଏ ଶେଷ ପତ୍ର ଖଣ୍ଡିକ ଲେଖିବାକୁ । "ଭଲପାଇବା ଯଦି ସ୍ୱର୍ଗୀୟ ଦାନ ହୁଏ, ତେବେ ସ୍ତ୍ରୀ ହୋଇ ତୁମ ପାଖରୁ କ’ଣ ଖଣ୍ଡେ ଚିଠି ପାଇବାକୁ ଆଶା କରିବନି ?" ତୁମେ ମନରେ ରାଗ କରି ମୋ ପାଖକୁ ପତ୍ର ଦେଉନା ! ହଉ...

 

ଏଇ ମୋର ଶେଷ ଚିଠି ବୋଲି ମନେ କରିବ । ଯଦି ଏ ଚିଠିର ଉତ୍ତର ନ ପାଏ ତେବେ ମୋ ବାଟ ମୁଁ ବାଛି ନେବି । କେଇଟି ଦିନ ପରେ ଶୁଣିବାକୁ ପାଇବ ତୁମ ଅନାଦରର ବୀଣା ଆଉ ନାହିଁ । ହୁଏତ ତୁମେ ଦୁଃଖ କରିବ କି ଖୁସି ହେବ ସେ କଥା ମୁଁ ଜାଣେନା । ଜୀବନରେ ଆଉ ହୁଏତ ଦେଖା ହେବନି । ଶେଷଥର ପାଇଁ ତୁମର ହସ ହସ ମୁହଁଟିକୁ ଦେଖି ପାରିଥିଲେ ମନ ମୋର ଅଶେଷ ସାନ୍ତ୍ୱନା ଲାଭ କରିଥାନ୍ତା । କିନ୍ତୁ ହତଭାଗୀ ମୁଁ...ଜୀବନରେ ମୋର ସେ ସୁଯୋଗ ବା କାହୁଁ ଜୁଟିବ...

 

କେଇଟି ଦିନର ପରିଚୟ ଭିତରେ ତୁମଠାରୁ ସମସ୍ତ ସ୍ନେହର ଅଧିକାରିଣୀ ହୋଇଛି ! ତୁମ ସ୍ନେହ ରାଜ୍ୟରେ ମୁଁ ଋଣୀ ପ୍ରିୟତମ, ତେଣୁ । ତୁମେଇହିଁ ମୋର ଚିର ବନ୍ଦ୍ୟ...ଆରାଧ୍ୟ...ବିଶ୍ଵନିୟନ୍ତା ପରମେଶ୍ୱରଙ୍କ ପାଦରେ ମୁଁ ଆରତି କରୁଛି ତୁମରି ସ୍ନେହ ଋଣ ଶୁଝିବାକୁ । ପର ଜନ୍ମରେ ଯେପରି ତୁମରି କୋଳକୁ ଫେରିଆସେ । ଶେଷରେ ମୋତେ ଭୁଲ୍ ବୁଝିବନି ଦେବତା, ତୁମର ସ୍ନେହ ଟିକକ ହରାଇ ମୁଁ ବଞ୍ଚିରହିବାକୁ ଚାହେଁନି, ତେଣୁ...

 

ତୁମେ ସୁଖରେ ରୁହ, ଜୀବନ ତୁମର ମଧୁମୟ ହେଉ...ଚଲାପଥରେ ତୁମର ଫୁଲ ଚନ୍ଦନ ପଡ଼ୁ...ଏହାହିଁ ମୋର ପରମେଶ୍ୱରଙ୍କ ପାଖରେ ନିତି କାମନା ।

 

ଶେଷଥର ପାଇଁ ତୁମର କୋମଳ ପାଦ ଧରି କ୍ଷମା ମାଗୁଛି । ଏଇ ସ୍ଵଳ୍ପ ପରିଚୟ ଭିତରେ ଯଦି କୌଣସି ଦିନ ଅଜାଣତରେ ତୁମ ମନରେ ଦୁଃଖ ଦେଇଥାଏ, ତେବେ କ୍ଷମା ଦେବ ଏବଂ ଭୁଲିଯିବ ।

 

ମୋର ଆଶା, ତୁମକୁ ଯଦି ମୁଁ ଅନ୍ତର ଭରି ଭଲ ପାଉଥାଏ, ଯଦି ମୁଁ ତୁମକୁ ଦେବତା ଭାବି ହୃଦୟର ଫୁଲକୁ ତୁମ ଚରଣ ତଳେ ଅଞ୍ଜଳି ଦେଇଥାଏ, ତେବେ ପରଜନ୍ମରେ ତୁମକୁ ନିଶ୍ଚୟ ପାଇବି । ନିଶ୍ଚୟ...

 

ହଉ...ବିଶେଷ ଆଉ ଲେଖିପାରୁନି । ତୁମେ ଯେଉଁ ଚୁମ୍ବନଟି ପଠାଇଥିଲ ତା’ ଗ୍ରହଣ କଲି, କିନ୍ତୁ ତୁମ ଚୁମ୍ବନଟି ଭାରି ଦୃଷ୍ଟ । ତୁମ ଚୁମ୍ବନଟି ମୋର କେଉଁଠି ଅଲିଭା କ୍ଷତ ଲେଖିଛି ଜାଣ-?

 

ନା...ନା...କହିବିନି । ଲାଜ ଲାଗୁଛି ।

 

ଜାଣି ପାରିଲନି... ? ସେଇଠି ମ...

 

ତଥାପି ବୁଝିପାରିଲନି... ?

 

ଗୋଲାପି ଅଧରରେ ମୋର..

 

ଆଉ ବିଶେଷ ଲେଖିବାକୁ ମୋର ଧୈର୍ଯ୍ୟ ନାହିଁ । ହାତ ମୋର ଅବଶ ହୋଇ ଆସୁଛି । କ୍ଳାନ୍ତ ଲେଖନୀ ମୋର, ତା’ର ପ୍ରଭୁ ପାଖରେ ଶେଷଥର ପାଇଁ ବିଦାୟ ମାଗୁଛି । ପ୍ରକୃତରେ ମୋ ପ୍ରତି ଯଦି ତୁମର ସ୍ନେହ ଶ୍ରଦ୍ଧା ଥାଏ ତେବେ...ରହିଲି । ଇତି ।

 

–କେଇପଦ କବିତା ତୁମପାଇଁ ପଠାଇଲି–

 

କିଅବା ଲେଖିବି ପ୍ରିୟତମ ମୋର ଏ ପୋଡ଼ା ହୃଦୟ କଥା,

ଦୀର୍ଘ ଆଠ ମାସ ସତର ଦିନର ଦାରୁଣ ହୃଦୟ ବ୍ୟଥା...;

ହସ୍ତ ନଚଳଇ ମନ ନବଳଇ ଦୁଃଖରେ ମନ ଅଧୀର,

ଭାବି ତୁମ କଥା ହୃଦେ ଆଣେ ବ୍ୟଥା ନୟନୁ ବହଇ ନୀର ।

ଦିନଟିଏ ଲାଗେ ଶହେବର୍ଷ ସମ ରାତିଟିଏ ଲାଗେ ଯୁଗେ;

ଜୀବନ ମରୁରେ ଏକୁଟିଆ ବସି ନିତି ତୁମ କଥା ଭାବେ... ।

ସତେ ପ୍ରିୟତମ ଏଡ଼ିକି ନିଷ୍ଠୁର ହୃଦୟ ଅଟେ ତୁମର,

ଏତେ ଭଲପାଅ ବୋଲି କହୁଥିଲ ନଦିଅ ଖଣ୍ଡେ ପତର...

ଚାହିଁ ଚାହିଁ ବସି ଦିନଯାଏ ଖସି ନଦିଅ ଚିଠି ଉତ୍ତର,

ଭାବୁଛ ଦେବତା ! ତୁମ ହସ୍ତଲିପି ବିନା କି ସମ୍ବଳ ମୋର ?

ହତାଶା ମନରେ ଆଶ୍ଵାସନ ଭରେ ତୁମ ସ୍ଵର୍ଣ୍ଣ ହସ୍ତଲିପି,

ସେଥିରୁ ବଞ୍ଚିତ କଲେ ହେ ଦେବତା ବଞ୍ଚିବି କିଆଶା ରଖି;

ତୁମ ହସ୍ତ ଲିପି ପାଇଁ ହୁଏ ସୁଖୀ କିନ୍ତୁ ହେଲା କେତେ ଦିନ;

ନପାଇ ତୁମର ସୁଧାଝରା ପତ୍ର ଦୁଃଖରେ କାଟଇ ଦିନ ।

କୁହ ହେ ଦେବତା–

ଖୋଲି କୁହ କଥା ରାଗିଛ କି ମୋ ଉପରେ;

କିବା ଅଭିମାନେ, ରହିଛ ଗୁମାନେ ? ଭାବି ନେତ୍ରୁ ଲୁହ ଝରେ ।

ହେ ମୋର ଦେବତା–

କି କହିବି କଥା ମନେ ବହେ ଦୁଃଖସୁଅ,

କୁହ ପ୍ରିୟତମ ସତେ କି ରାଗିଛ ? ସବୁକଥା ଖୋଲି କୁହ ।

ତୁମ ମନେ ଦେଇ ଅସରନ୍ତି ଦୁଃଖ ନାହିଁ ଭଲ ମୋର ମନ,

ତୁମେ ମୋ ଜୀବନ ମୁଁ ତ ଜଡ଼ପିଣ୍ଡ ଏକଥା ପ୍ରିୟ ନଜାଣ ।

ହେ ମୋର ପରାଣ ଦେବତା ନ ଜାଣ ଏ ଛୋଟ ହୃଦୟ କଥା,

ତୁମରି ଶ୍ରୀମୁଖ ଦର୍ଶନ ବ୍ୟତୀତ ମନେ ନାହିଁ ଆନ ଚିନ୍ତା ।

ଶୟନେ ସ୍ୱପନେ କିବା ଜାଗରଣେ ନାଚେ ମନେ ତୁମ ଛବି,

ଅନ୍ତରରେ କୋହ ନୟନରେ ଲୁହ ରହେ ମନେ ଭାବି ଭାବି ।

ତୁମେ କି ନଜାଣ ହୃଦୟର ବ୍ୟଥା ! କାହାପାଇଁ ନିଶି ଦିନ,

ମରେ ଝୁରି ଝୁରି ବୁହାଇଣ ବାରି ଏ ବିରହିଣୀ ପରାଣ ।

କିଅବା ଲେଖିବି ଦୁଃଖ ଜଣାଇବି କିବା ବୁଝାଇବି କୁହ,

ତୁମ ପ୍ରତିଛବି ନୟନରୁ ମୋର ସର୍ବଦା ଝରାଏ ଲୁହ ।

ହୃଦୟ ନଦୀରେ ସ୍ରୋତ ବହେ ଖରେ ଭାବନା ହୋଇ ପ୍ରବଳ,

ତୁମରି ଶ୍ରୀମୁଖ ଦିଶେ ଜକ ଜକ ହୁଅଇ ପ୍ରାଣ ଆକୁଳ ।

ତୁମ ସ୍ନେହରେ ମୁଁ ବନ୍ଧା, ସଦାଦିନ ତୁମେ ମୋ ମନ ଦେବତା;

ତୁମରି ଜୀବନେ ମିଶୁ ମୋ ଜୀବନ ଏହା ମୋ ସର୍ବଦା ଚିନ୍ତା ।

ଆଶାରେ ଆଶାରେ ମରେ ନିରାଶାରେ କଳ୍ପନା ସାର ଜୀବନେ,

ତୁମେ ମୋ ଶରତ, ତୁମେ ମୋ ବସନ୍ତ

ମୋ ମନ ମରୁ ଉଦ୍ୟାନେ ।

ମୋ ମନ ମରୁରେ ତୁମେ ମୋ ସାଗର ମୁଁ ତ ମରୁଭୂମି ସିନା,

ତୁମରି ପାଦରେ ମୋହରି ଭରସା ବାରେ କର ଦାସୀ ଘେନା ।

ତୁମେ ଆଦିମୂଳ ମୁଁ ତୁମ କମଳ ମୁଁ ତୁମ ସରସୀ କଇଁ,

ସୂର୍ଯ୍ୟ ଚନ୍ଦ୍ରକୁ ସେ ଯେସନେ ଇଚ୍ଛନ୍ତି ତେସନେ ଇଚ୍ଛଇ ମୁହିଁ ।

ତୁମେ ମୋର ପ୍ରିୟ ମୁଁତ ପ୍ରଣୟିନୀ ତୁମେହିଁ ମୋର ଜୀବନ,

ଏ ତପ୍ତପରାଣ ବ୍ୟଥା କେ ବୁଝିବ ମନ ତ ଗହନ ବନ ।

ହୃଦୟ ମନ୍ଦିର ନାହାନ୍ତି ଦେବତା ମନ୍ଦିର ପଡ଼ିଛି ଖାଲି,

ଦେବେ କି କରୁଣା ହେବ ଏ ଦାସୀକୁ ପୂଜା ଦେବ ଦୀପ ଜାଳି ।

ତୁମରି ବିରହ ମନେ ଆଣେ କୋହ ହୃଦୟ ବହ୍ନି ଜଳାଇ,

ତୁମେ କଲେ ପର ହେବି ମୁଁ କାହାର ଅକାଳେ ମରିବି ମୁହିଁ ।

ଚାତକିନୀ ପରି ଆଶା ମନେଧରି କଳ୍ପନା ବତି ଜଳାଇ,

ତୁମ ହସ୍ତଲିପି ପାଇବାପାଇଁକି ମରମେ ଝୁରି ମରଇ ।

ଯେହ୍ନେ ଜଳେ ଥାଇ କୁମୁଦ ଇଚ୍ଛଇ ଚାନ୍ଦର ଆଗମପାଇଁ,

ଚାତକିନୀ ପରି ବସିଛି ତେସନେ ତୁମରି ଶ୍ରୀମୁଖ ଧ୍ୟାଇ ।

ଶରଧା ମୋଠାରେ ଥିଲେ ହେ ଦେବତା ସହୃଦୟେ ବିଚାରିବ,

ସ୍ନେହ ଭଣ୍ଡାରରୁ କଣିକାଏ ସ୍ନେହ ଏ ଦାସୀକୁ ଦାନ ଦେବ ।

 

ଇତି ।

ତୁମର ହତଭାଗିନୀ ପ୍ରିୟା

ବୀଣା

 

ଚିଠିଟିକୁ ମୂଳରୁ ଶେଷ ପର୍ଯ୍ୟନ୍ତ ପଢ଼ି ପାରିଲାନି ପ୍ରକାଶ । ଆଖି କୋଣରେ ତା’ର ଜକେଇ ଆସୁଥିଲା ଟୋପା ଟୋପା ଲୁହ ବିନ୍ଦୁ । ଅନ୍ତରର ନିଭୃତ କାନନରୁ ତା’ର ବାଜି ଉଠୁଥିଲା ପ୍ରିୟତମାର କରୁଣ କଣ୍ଠଧ୍ଵନି । ତରୁଣ ମନ ତା’ର ତୁହାଇ ତୁହାଇ କ୍ରନ୍ଦନର ମୂର୍ଛନା ତୋଳୁଥିଲା । ନିଜକୁ ନିଜେ ଅପରାଧୀ ମନେ କରୁଥିଲା ସେ । କାହିଁକି ସେ ପ୍ରିୟତମା ପାଖକୁ ତା’ର ସେପରି ଲେଖିଲା... । କାହିଁକି ସେ ନୀରବରେ ଆଜିପର୍ଯ୍ୟନ୍ତ ରହିଛି । ପ୍ରିୟତମା ତା’ର ଚିଠି ନ ପାଇ କେତେ ଦୁଃଖରେ ଦିନ କାଟୁନଥିବ– ?" ତାକୁ ନପାଇଲେ ପ୍ରିୟା ତା’ର ବଞ୍ଚିପାରିବନି–ଲେଖିଛି ! ବାସ୍ତବିକ 'ପ୍ରିୟତମା ବୀଣା ତାକୁ କେତେ ଭଲ ନପାଏ ? ଆଉ ସେ କାହିଁକି ପ୍ରାଣପ୍ରିୟା ମନରେ ତା’ର ଦୁଃଖ ଦେଲା ? ଥଟ୍ଟା କଥାକୁ ସେ ନ ବୁଝି ମନରେ ରାଗ, ଅଭିମାନ ଆଣିଲା କାହିଁକି ? ନିଜକୁ ନିଜେ ଅମୀମାଂସିତ ପ୍ରଶ୍ନ କରି ଉଠିଲା ପ୍ରକାଶ ।

 

ଚିଠିଟିକୁ ଉଠାଇ ଆଣି ପୁଣି ଥରେ ପଢ଼ିଲା । କିନ୍ତୁ ପୁଣି ସେଇ ଏକା କଥା । ଆଖିର ଲୁହ ପୁଣି ଅବିଶ୍ରାନ୍ତ ଗତିରେ ବହି ଚାଲିଲା । ବୀଣାର କଥାକୁ ମନେ ମନେ ଗୁଣି ହେଉଥିଲା ପ୍ରକାଶ । ବୀଣାର କେଇପଦ ଲେଖା ପ୍ରକାଶ ମନରେ ଲୁହର ପ୍ଳାବନ ଛୁଟାଉ ଥିଲା । ସମସ୍ତ ଭୋକଶୋଷ ସେ ଭୁଲିଯାଇଥିଲା ପ୍ରିୟତମା ଚିଠିରେ ସୁଧାଧାରା ପିଇ ।

 

"ବାସ୍ତବିକ ସ୍ନେହ ମମତାରେ ନିବିଡ଼ ସମ୍ପର୍କରେ ଦୁଇଟି ପ୍ରାଣର ମମତା ଯେଉଁଠି ଗଢ଼ିଉଠିଥିବ, ଯେତେ ଦୂରରେ ଥିଲେ ସୁଦ୍ଧା ଜଣେ ଅନ୍ୟ ଜଣକ ଦୁଃଖରେ କେବେ ଶାନ୍ତିରେ ନିଃଶ୍ୱାସଟିଏ ମାରି ପାରିବନି ।" ଠିକ୍ ସେମିତି ପ୍ରକାଶ ପ୍ରିୟତମା ବୀଣା ଦୁଃଖରେ ଅଧୀର ହୋଇ ଉଠୁଥିଲା । ସମସ୍ତ ମାନ ଅଭିମାନ, ଦୁଃଖ ରୋଷକୁ ଚାପି ପ୍ରିୟତମା ମନରେ ଆଶାର ସଞ୍ଚାର କରିବାକୁ ପ୍ରକାଶ ଆଗେଇ ଯାଉଥିଲା ଲେଖନୀରେ ରୂପ ଦେବାକୁ–

 

ସ୍ନେହର ପାଗଳୀ ମୋର,

 

ତୁମର ଚିଠିଗୁଡ଼ିକ ପଢ଼ିଲେ କେଉଁ ଏକ କୁହୁକ ନଗରୀର ସପନ ପୁରୀରେ ପହଞ୍ଚେ । ଜଣାଯାଏ ନନ୍ଦନ କାନନର ପାରିଜାତକୁ ହାତରେ ପାଇ ଭାଗ୍ୟବାନ୍ ମୁଁ... । କିନ୍ତୁ ଆଜି ତୁମର ପତ୍ରଟି ପଢ଼ି ମନରେ ମୋର ବହି ଚାଲିଛି ହା-ହତାଶାର ପ୍ରଳୟଙ୍କରୀ ଝଡ଼ ଝଞ୍ଜା । ତୁମର କୁହାପାଇଁ ନିଜ ଉପରେ ରାଗ କରିଛ; ମୋଠୁ କ୍ଷମା ଚାହିଁଛ । କିନ୍ତୁ ପ୍ରିୟତମ, ମୁଁ କ’ଣ କହୁଛି ତୁମର ଭୁଲ୍ ବୋଲି ।

 

କାହା ପାଖରେ ତୁମେ କ୍ଷମା ମାଗୁଛ ? ଅନେକ ଥର ତ କହିଛି ସ୍ୱାମୀ-ସ୍ତ୍ରୀଙ୍କର ପ୍ରାଣ ଅଭିନ୍ନ । ସ୍ୱାମୀ-ସ୍ତ୍ରୀ ପ୍ରାଣ ଗୋଟିଏ ।

 

ପ୍ରକୃତରେ ତୁମେ କ’ଣ ମୋ ମନର କଥା ଜାଣି ପାରାନା ? ଏବେବି କ’ଣ ତୁମର ସେଇ ଅବିଶ୍ୱାସ ମୋ ଉପରେ– ? କେମିତିବା ବୁଝେଇବି କେତେ ପରିମାଣରେ ଭଲ ପାଏ ତୁମକୁ ମୁଁ । ଅନେକ ଭାବୁଛି–କିନ୍ତୁ ରୂପାୟନ କରି ପାରୁନି କିଛିଟା ।

 

ଅନେକ ସମୟରେ ତୁମରି ସ୍ମୃତିକୁ ଆନମନା ହୋଇ ଭାବି ବସେ । ଭାବନା ଜଳଧିରେ ଉବେଇ ଟୁବେଇ ହେଲାବେଳେ ଆଖିର ଜଲରାଶି ସରିତ ସ୍ରୋତରେ ବହିଯାଏ ସଂଯମର ବନ୍ଧ ନମାନି । ଏମିତି କେତେ ଯେ ଲୁହର ଝରଣା ଝରିଯାଏ, ତା’ କେବଳ ରହିଯାଏ ହୃଦୟର ଅନ୍ତରାଳରେ ମୋର–

 

ଅନ୍ତରର ଦାରୁଣ ଆଘାତ ସହି ନପାରି ଧାଇଁଯାଏ, ଲେଖନୀ ଧରି ଲେଖି ବସେ । ଭାବେ, ଏ ପୋଡ଼ା ହୃଦୟର ସାଇତା ଅକୁହା କଥା କେଇପଦ ଏ ଲିପିକାରେ ଅଜାଡ଼ି ଦେଇ ଟିକେ ଶାନ୍ତି ପାଇବି ବୋଲି, ଲେଖି ପାରେନି ମୁଁ...ଅବାରିତ ଲୁହଧାର ବହିଯାଏ ଏ ଅତୃପ୍ତ ନୟନ କୋଣରୁ । ନିରାଶ ହୋଇ ହତାଶା ମନରେ ଲେଖନୀକୁ ଶଯ୍ୟାଶାୟୀ କରେ । ଭାବେ, ଆଉ ଲେଖିବିନି...କିନ୍ତୁ ପୁଣି ମନର ପ୍ରବଳ ଆକାଂକ୍ଷା ବଳବତୀ ହୋଇ ଉଠେ । ଲେଖି ବସେ–ମୋ ପ୍ରାଣର ପ୍ରତିମା ପାଖକୁ ଆଖି ଲୁହ ଭସା ଚିଠି ।

 

କେତେ ରାତିରେ ତୁମକୁ ସ୍ଵପ୍ନ ଦେଖେ; ତୁମେ ମୋ କୋଳରେ ଶୋଇଛ । ତୁମର ପ୍ରେମ ରାଜ୍ୟରେ ମୁଁ ଘୂରି ବୁଲୁଛି । ଚାଉଁକିନା ନିଦ ଭାଙ୍ଗିଯାଏ । ଉଠିପଡ଼ି ଦେଖେ ପାଖରେ କେହି ନାହିଁ–ଶୋଇ ହୁଏନି । ଆଉ ନରମ ଦେହଟି ଅଧିକରୁ ଅଧିକ ଗରମ ହୋଇ ଉଠେ । ମନର ଯନ୍ତ୍ରଣା ପ୍ରାଣକୁ ଅସ୍ଥିର କରି ପକାଏ । ଆଖିର ଲୁହକୁ ସାଥୀ କରି ଶୋଇ ରହିବା ବିନା ଆଉବା ଉପାୟ କ’ଣ...

 

ପ୍ରତିଦିନ ଆସେ ଗ୍ରାମର ଶେଷଭାଗକୁ । ମନେ ପଡ଼େ ତୁମର କଥା ଗୋଟି ଗୋଟି ହୋଇ । ପ୍ରାଣରେ ହା-ହାକାର ଜନ୍ମେ । ତୀକ୍ଷ୍ଣ ଦୃଷ୍ଟି ନିକ୍ଷେପ କରେ ତୁମର କମନୀୟ କାନ୍ତିକୁ ଥରକପାଇଁ ଦେଖିବାକୁ । କିନ୍ତୁ–ଏତେ ଦୂରରେ ଥାଇ ତା’ ବା କେମିତି ସମ୍ଭବ, ହେବ, ତଥାପି ଏ ଅବୁଝା ମନ, ଆଶାୟୀ ଆଖି ପ୍ରତି ମୁହୂର୍ତ୍ତରେ ବୁଲି ଆସେ ତୁମରି ସୁଶ୍ରୀ ଶରୀର ଉପରେ–ପ୍ରକୃତରେ ତୁମର ସ୍ଵରୂପ ଦେଖିବାକୁ ସିନା ପାଏନି, କଳ୍ପନା–ଚିତ୍ରିତ କମନୀୟ ଛବିଟି ତୁମର ପ୍ରତ୍ୟେକ ସମୟପାଇଁ ଆଖି ଆଗରେ ମୋର ନାଚି ବୁଲେ । ଆଦୌ ଶାନ୍ତିରେ ରଖେଇ ଦିଏନି । ସତରେ ବୀଣା, ବେଳେ ବେଳେ ଏ ଘର ସଂସାର ଛାଡ଼ି କେଉଁ ଏକ ଅଜଣା ରାଇଜକୁ ଚାଲି ଯିବାକୁ ଇଚ୍ଛା ହୁଏ । ଭାବନା ମନକୁ ବିବ୍ରତ କରେ । ଭାବନାର କୂଳକିନାରା କେଉଁ ଦୂରକୁ ଦୂରକୁ ଲମ୍ବି ଯାଏଁ ଯେ, ତା’ ମୋର ଏ ମନର ମାପ କାଠିରେ ମାପିବାକୁ ଯାଇ ନିରାଶ ହୁଏ ମୁଁ–

 

ଭାବି ଭାବି ଦିନ ଯାଏଁ ଆଉ ଝୁରି ଝୁରି ରାତି ପାହେ । ଆଶାର ବାଲି ବନ୍ଧ ଭାଙ୍ଗି ପଡ଼େ ବିଚଳିତ ହୋଇ ।

 

ତୁମରି କେତେ କଥା, କେତେ ସ୍ମୃତି ଆସେ ଲେଲିହାନ ଜିହ୍ଵା ବିସ୍ତାର କରି ଏ ପୋଡ଼ା ହୃଦୟକୁ ଆହୁରି ହୃତ୍ ହୃତ୍ କରି ଜାଳିବାପାଇଁ । ବସନ୍ତର ବିନା ଆଗମରେ ଯେମିତି କୌଣସି ଫୁଲ ଫୁଟିପାରେନି ଠିକ୍ ସେମିତି ତୁମକୁ ଦୂରରେ ରଖି ଏ ହୃଦୟ ବନରେ ଆନନ୍ଦବି ଟିକିଏ ଜନ୍ମେନା ।

 

ସତେ ପ୍ରିୟତମା; ତୁମକୁ କାହିଁକି ମୁଁ ନିମିଷକ ପାଇଁ ଭୁଲି ପାରୁନି କହିଲ– ? ସବୁବେଳେ ତୁମରି କଥା ନେଇ ଜଳିପୋଡ଼ି ମାରୁଛି ମୁଁ । ଯେଉଁ ଆଡ଼କୁ ଚାହିଁଲେ ଖାଲି ତୁମରି ରୂପ, ତୁମରି ଚାଲି–ତୁମରି ହସ ହସ ମୁହଁର ଦିଫାଳ ଓଠ ଦିଶିଯାଉଛି ।

 

ତୁମକୁ ଥରଟିଏ ହେଲେ ନୟନ କୋଣରେ ପକାଇବାକୁ ପାଏନି ସତ; କିନ୍ତୁ ତୁମରି ଫଟୋଟି ଦେଖି ଦେଖି ପାଏ ମୁଁ ଅସୀମ ଆନନ୍ଦ । ମନର ଅବସାଦ କ୍ଷଣକପାଇଁ ମେଣ୍ଟାଇ ନିଏ ସିନା, ହେଲେ ପରକ୍ଷଣରେ ଏ ଅବୁଝା ମନଟା ଜମା ବୁଝେନା ।

 

ସତେ ପ୍ରିୟତମା, ତୁମେ ଥିଲେ ହୁଏତ ଦିନଗୁଡ଼ିକ ଏପରି ହା-ହୁତାଶରେ କଟୁ ନଥାନ୍ତା-। ଏହି ନିରୋଳା ଆମ ସଂସାର-ଶଯ୍ୟା ଉପରେ ଯୋଡ଼ି ଯାଉଁଳି କପୋତ କପୋତୀ ପରି, ଆଖିରେ ଆଖି ଦେଇ, ଚଞ୍ଚୁରେ ଚଞ୍ଚୁ ଥୋଇ ରଚୁଥାନ୍ତେ ଆମର ମିଳନର ଫୁଲଶଯ୍ୟା...କିନ୍ତୁ...

 

ଦୂରେଇ ହେବା କଥା ଲେଖିଛ ! ତା’ ତୁମେ ବିଶ୍ୱାସ କରି ପାରୁଛ ବୀଣା ? ତୁମକୁ ଦୂରେଇ ଦେଇ ମୁଁ ବଞ୍ଚିପାରିବି, ଏ କଥା ତୁମେ ମନକୁ ଆଣିପାରୁଛ ? କଳ୍ପନା କରି ପାରୁଛ ??

 

ଛି, ରାଣୀଟି ମୋର–ଏମିତି ଦୁଃଖିତ ହୁଅନି । ପଛ କଥା ସବୁ ଭୁଲି ଯାଅ–ମୋ ରାଣ–

 

ତୁମେ ପାଗଳୀଙ୍କ ପରି ଏସବୁ କ’ଣ ଲେଖୁଛ ? ଏଥିରେ ମୁଁ ଶାନ୍ତିରେ ରହି ପାରିବି ତ-?? ମୋତେ ପରା ଅବୁଝା ବୋଲି କୁହ, ଆଉ ତୁମେ ଏମିତି ଲେଖିଲେ ମୁଁ ଶାନ୍ତି ପାଇବି ତ ? ହଉ–ଆଉ ବିଶେଷ ଲେଖି ତୁମର ମନକୁ ବ୍ୟଥିତ କରିବାକୁ ଚାହୁଁନି । ଶେଷରେ ଖଣ୍ଡେ ହସ୍ତଲିପି ପାଇଁ ତୁମ ପାଖରେ ମୋର ଅଳି । ଏତିକିରେ ଚାହିଁ ରହିଲି । ଇତି ।

 

ତୁମ ଆଦରର

ଦେବତା

 

ମାଘମାସର ବାଘୁଆ ଜାଡ଼କୁ ଦୂରେଇଦେଇ ଋତୁରାଜ ବସନ୍ତ ଧରାପୃଷ୍ଠକୁ ଓହ୍ଲାଇ ଆସିଲା ମନ୍ଦମଳୟର ଶିହରଣ ଆଣି । ଯେଉଁ ବସନ୍ତରାଜକୁ ସମସ୍ତ ଜୀବଜଗତ କେତେ ଉଦ୍‍ବିଗ୍ନ ମନରେ ଚାହିଁ ରହିଥାନ୍ତି, ଯାହାର ପରଶ ପାଇବାପାଇଁ ସମସ୍ତେ ଲାଳାୟିତ ହୁଅନ୍ତି, ସେହି ଋତୁରାଜ ବସନ୍ତ ଆସିଲା ଠିକ୍ ଗୋଟିଏ ବର୍ଷ ପରେ ସାରା ଜୀବଜଗତ ମନରେ ଆନନ୍ଦର ଢେଉ ଅଜାଡ଼ି ଦେବାକୁ । ସଜାଡ଼ି ବସିଲା ସେ ଗଛ ଲତାର ଖୋଲା ଦେହକୁ ନବ କିଶଳୟରେ । ଫୁଲ ଫଳରେ ମଣ୍ଡାଇଦେଲା ସାରା ଦେହଟାକୁ ।

 

ବସନ୍ତର ପରଶପାଇଁ ପ୍ରକୃତି ରାଣୀ ମୁକୁଳା ଆକାଶ ତଳେ ହସିଉଠେ । ଯୁବକ ଯୁବତୀଙ୍କ ଦେହରେ ନବ ପ୍ରେରଣା ଭରିଯାଏ । ଯୁବକ ହୁଏ ଆତ୍ମହରା...ଯୁବତୀ ହୁଏ ବେପଥୁ । ଯୁବକ ପ୍ରିୟତମାକୁ ନେଇ ସ୍ଵପ୍ନ ରାଜ୍ୟରେ ବିଚରଣ କରେ, ଆଉ ଯୁବତୀ...ଦୂରାନ୍ତର ପ୍ରିୟତମଙ୍କ ଉଦ୍ଦେଶ୍ୟରେ ପ୍ରତୀକ୍ଷାରେ ସାରା ରାତି ବିନିଦ୍ର ହୋଇ ବିତାଏ, ଆଖି ପାଣି ଆଖିରେ ମରେ, ଅଭିସାରିକା ବେଶରେ ତା’ର । ଲଗାମ ଛଡ଼ା ମନଟା ପ୍ରିୟତମଙ୍କୁ ପାଇବାପାଇଁ ଏଣେତେଣେ ଧାଇଁଯାଏ । ଆଉ ବୀଣା...

 

ସେ ବି ଯୁବତୀ । ଅଙ୍ଗରେ ତା’ର ଭାରା ଯୌବନର ଫୁଟନ୍ତା ଫୁଲ । ସେ ବା ସେଥିରୁ ବାଦ୍ ଯିବ କିପରି ?

 

ପାଖ ବଗିଚାରେ ବସିଛି ବୀଣା । ଭାବନାର ରେଶମୀ ଜାଲକୁ ମନ ଭିତରେ ବୁଣି ଚାଲିଛି ସେ । ହେନା, ଟଗର, ଜୁଇ, ମଲ୍ଲୀ, ସୁ-ଶୀତଳ ମନ୍ଦ ସମୀରଣରେ ଦୋହଲି ଦୋହଲି ଦୋଳି ଖେଳୁଛନ୍ତି । ମନ୍ଦମନ୍ଦ ସମୀରଣରେ ଫୁଟନ୍ତା ଫୁଲର ସୁ-ମଧୁର ସୁବାସ ଭାସିଯାଉଛି ଦୂର ଦୂରାନ୍ତକୁ ।

 

ନୀରବରେ ଏକଲୟରେ ଚାହିଁ ରହିଛି ବୀଣା–ଭ୍ରମର ଦଳ କେତେ ଆନନ୍ଦରେ ମଜି ଯାଇଛନ୍ତି ଫୁଲରାଣୀ ଦେହରେ । ପ୍ରିୟତମ ଭ୍ରମରକୁ ଫୁଲରାଣୀ ପାଇ ଆନନ୍ଦରେ ହଜିଯାଇଛି । ମୃଦୁ ସମୀରଣରେ ହଲି ହଲି ସେ ଯେମିତି ଅଭିମାନରେ ପ୍ରିୟତମକୁ ତା’ର ପରଶ ଦେବାକୁ ମୁଣ୍ଡ ହଲାଇ ନାହିଁ କରୁଛି । କିନ୍ତୁ...ଭ୍ରମର....

 

ସେ ଆଦୌ ମନ ମାନୁନି । ଏ ଫୁଲରୁ ସେ ଫୁଲକୁ ଉଡ଼ି ନିବିଡ଼ଭାବେ ଲଗାଇ ଦେଉଛି ତା’ର ଟାଉକା ଓଠକୁ । ଆଉ ଫୁଲରାଣୀ ତା’ର ଖୋଲିଲା ପାଖୁଡ଼ା ଦେହରେ ପୁରାଇ ପ୍ରିୟତମକୁ ତା’ର କେତେ ଆଦର କରୁଛି । ବୋଳି ଦେଉଛି ତା’ର ପ୍ରେମର ରେଣୁ ପ୍ରିୟତମର ସାରା ଦେହରେ-। ରଙ୍ଗାଇ ଦେଉଛି ତା’ର ରଙ୍ଗିଲା ଅଧରକୁ ।

 

ନୀରବରେ ଦେଖି ଦେଖି ବୀଣା ଆଉ ସହି ପାରିଲାନି । ଭାବିଲା ଏ ବଗିଚାର ସମସ୍ତ ଫୁଲକୁ ସେ ଛିଣ୍ଡାଇଦେବ । ଏ ବଗିଚାର ସବୁ ଫୁଲ ବିଟପୀ....ଦୋଚାରୁଣୀ । ଗୋଟିଏ ଭ୍ରମର ପରେ ଆଉ ଗୋଟିଏ ଭ୍ରମରକୁ ନେଇ ଖେଳ କରିବା ଏମାନଙ୍କର କାମ । ଏମାନଙ୍କର ଜୀବନ କଳୁଷିତ....ପଙ୍କିଳ ନରକ ।

 

ହଁ ହଁ...ଦୁନିଆର ଆଦର୍ଶପାଇଁ ସବୁ ଫୁଲକୁ ସେ ନଷ୍ଟ କରିଦେବ । ଆଉ ସହି ପାରିଲାନି ବୀଣା । ଉଠିପଡ଼ିଲା, ଗୋଟିକ ପରେ ଗୋଟିଏ ଫୁଲ ଛିଣ୍ଡାଇ ଚାଲିଲା–

 

ଲଳିତ କଣ୍ଠରେ କୁହୁ କୁହୁ ତାନରେ ପାଖକୁଞ୍ଜରୁ ରାବିଉଠିଲା କଳା କୋକିଳ । ଚମକି ଉଠିଲା ବୀଣା । ଚେତନା ଫେରିଆସିଲା ଭାବନାକୁ ଦୂରେଇ ଦେଇ ।

 

ଆରେ ଏ ବଗିଚାର ସବୁ ଫୁଲଗୁଡ଼ିକ ଯେ ସେ ଛିଣ୍ଡାଇ ଦେଲାଣି ! କାହାପାଇଁ ଏ ଫୁଲଗୁଡ଼ାକ ସେ ଛିଣ୍ଡାଇଲା–ତା’ର ଦେବତା ତ ଆସି ନାହାନ୍ତି ? ଫୁଲ ସେ କ’ଣ କରିବ–ପ୍ରିୟତମ ଯେ ତା’ର ଆଜି ଅନେକ ଦୂରରେ । ତେବେ କାହିଁକି ସେ ଫୁଲଗୁଡ଼ିକ ନଷ୍ଟକଲା ?

 

ହଁ–ହଁ ସମସ୍ତ ଫୁଲଗୁଡ଼ିକୁ ସେ ପାଦରେ ଦଳି ନଷ୍ଟ କରି ଦେବ । ସବୁଫୁଲ ଏ ବଗିଚାରୁ ଛିଣ୍ଡାଇ ଦୂରକୁ ଫିଙ୍ଗିଦେବ ।

 

କିନ୍ତୁ କାହିଁକି ? ମନକୁ ମନ ପ୍ରଶ୍ନ କରିଉଠିଲା ବୀଣା–ସିଏ ତ ଦୁନିଆର ବଗିଚାରେ ଗୋଟିଏ ଫୁଲହୋଇ ଫୁଟିଛି । ତାକୁ ହୁଏତ କେହି–

 

ନା–ନା ତାକୁ କେହି ଛିଣ୍ଡାଇ ନେଇପାରିବେନି । ସେ ଜଣକର । ଏ ବଗିଚାର ଫୁଲପରି ଗୋଟିଏ ପରେ ଗୋଟିଏ ଭ୍ରମରକୁ ସେ ପ୍ରଶ୍ରୟ ଦେବନି । ଯାହାକୁ ସେ ଥରକପାଇଁ ଦେବତା ପଦରେ ଅଭିଷିକ୍ତ କରିଛି ସେଇ ତା’ର ସର୍ବସ୍ଵ–

 

ସେ ତା’ର ପାଇଲା ଧନକୁ ସଜାଇ ଦେବ ଦେବତାଠୁ ଆହୁରି ସୁନ୍ଦର କରି, ଗଢ଼ିନେବ ମନର ମଣିଷପରି । ପ୍ରିୟତମକୁ ତା’ର ପଣତ କାନିରେ ବାନ୍ଧିରଖିବ ।

 

ହସିଲା ହସିଲା ଓଠରେ ସେ ପ୍ରିୟତମ ଦେହରେ ତା’ର ବୋଳି ଦେବ ପ୍ରେମର ମହୁଆ–ଲୋଟିପଡ଼ି ପ୍ରିୟତମର ପାଦତଳେ କହିବ, "ହେ ଦେବତା; ଲମ୍ପଟ ଭ୍ରମରପରି ଦଗାଦାର ସାଜନି ତୁମେ ।"

 

କଳ୍ପନାଜଗତରେ ଭାସିବୁଲୁଛି ବୀଣା । ମନରେ ତା’ର କଳ୍ପନାର ଲକ୍ଷ ଅଡ଼ୁଆ ତଡ଼ୁଆ ସୂତାଖିଅ । କେତେବେଳେ ଛିଡ଼ିଯାଉଛି ତ କେତେବେଳେ ଯୋଡ଼ିହୋଇ ଲମ୍ବିଯାଉଛି କାହିଁ କେତେ ଦୂରକୁ ।

 

ଭାବନା ଆଉ କାମନାରେ ନିଜର ସତ୍ତା ହରାଇ ଅଣ୍ଟିରେ ଥିବା କେଇଟି ଫୁଲକୁ ସୂତା ଖିଅରେ ଗୁନ୍ଥି ଚାଲିଛି ବୀଣା । ବେଳେ ବେଳେ ଫୁଲଗୁନ୍ଥା ବନ୍ଦକରି କ’ଣ ମନେମନେ ଭାବି ହେଉଛି । ଛୁଞ୍ଚିଧରି ଫୁଲର କୋମଳ ପାଖୁଡ଼ାରେ ପ୍ରିୟତମଙ୍କ ନାଁକୁ ବାରମ୍ବାର ରୂପାୟିତ କରୁଛି ।

 

ହଠାତ ବୀଣାର ନୀରବତା ଭଙ୍ଗ କରି କୋଇଲିଟା ପୁଣି କୁହୁ–କୁହୁ ଗାଇଉଠିଲା । ବୀଣାର ଫୁଲମାଳଟି ତଳେ ଖସିପଡ଼ିଲା । ମୁଣ୍ଡଟେକି ସେ ଚାହିଁଲା ବସନ୍ତର ସାଥୀ ଆଡ଼କୁ ।

 

କୋଇଲିଟା ଉଡ଼ିଆସିଲା ବୀଣା ବସିଥିବା ବଗିଚାକୁ । ନାଲିଆ ନାଲିଆ ଥଣ୍ଟରେ ତା’ର କଅଁଳ କଳିକୁ ଖୁମ୍ପି ଖୁମ୍ପି, ଟିକି ଟିକି ଗୋଡ଼ରେ ତା’ର ଡେଇଁ ଡେଇଁ ଖେଳି ବୁଲୁଥିଲା ଏ ଡାଳରୁ ସେ ଡାଳକୁ । ପୁଣି ଉଡ଼ିଯାଉଥିଲା ଏ ଗଛରୁ ସେ ଗଛକୁ-ଲୁଚି ଯାଉଥିଲା ଫୁଲ ପତ୍ରରେ ଅନ୍ତରାଳରେ–ପ୍ରିୟତମ ଫଗୁଣପାଇଁ ତା’ର ତୋଳୁଥିଲା ମନମତାଣିଆ ଅଭୁଲା ସଙ୍ଗୀତ ।

 

ଆଖି ଫେରାଇ ଆଣି ଭାବିବସିଲା ବୀଣା । ଆଜି ଯେ ତା’ର ପବିତ୍ର ଜନ୍ମଦିନ । ଏଭଳି ଶୁଭଦିନରେ ପ୍ରିୟତମକୁ ତା’ର କ’ଣ ସେ ଉପହାର ଦେବ ତା’ ଭାବି ଠିକ୍ କରିପାରୁ ନଥିଲା ।

 

"ଏଇ ଦୁଷ୍ଟ କୋକିଳଟା ଯଦି ତା’ ପାଖକୁ ଆସନ୍ତା, ତେବେ ହୁଏତ ଦେବତାପାଇଁ ତା’ର ପଠାଇ ଦିଅନ୍ତା ଏଇ ନାନା ରଙ୍ଗର ଫୁଲ ମାଳଟିକୁ ତା’ର ଥଣ୍ଟରେ ଦେଇ । ପାଟିକରି ପାଗଳୀଙ୍କ ପରି କୋଇଲିକୁ ଡାକିଲା ବୀଣା । କିନ୍ତୁ ସେ ଡେଇଁ ବୁଲୁଥିଲା ତା’ ପ୍ରିୟତମ ଫଗୁଣକୁ ଖୋଜି ଖୋଜି ।

 

ଉଠିପଡ଼ି ବସନ୍ତ ଦୂତକୁ ଧରିବାକୁ ଦଉଡ଼ିଗଲା ବୀଣା । କିନ୍ତୁ ସେ ଉଡ଼ିଯାଉଥିଲା ନୂତନ କୂଜନ ତୋଳିବାକୁ–ବୀଣା ରାଗିଉଠି କେତେ କ’ଣ ଗାଳିଦେଲା କୋକିଳକୁ ଧାଇଁଗଲା ଦୁଃଖସୁଖର ସାଥୀ ଲେଖନୀଟି ପାଇଁ ତା’ର । ଯାଉ ସେ ଅମାନିଆ ପକ୍ଷୀଟା; ତଥାପି ସେ ପ୍ରିୟତମ ପାଇଁ ତା’ର ଏଇ କୋକିଳକୁ ଦୂତଭାବେ ରଖି କେଇପଦ କବିତା ଲେଖି ଆଜି ପରା ଶୁଭ ଦିନରେ ଉପହାର ଦେବ । ୟା ବ୍ୟତୀତ ଆଉ କିଛି ତା’ର ସମ୍ବଳ ନାହିଁ । ଏଇ ଲେଖନୀହିଁ ତା’ର ଶ୍ରେଷ୍ଠ ସମ୍ବଳ । ଲେଖିବସିଲା–

 

ଅବୁଝା ରଜା ମୋର–

 

ହେ, ବସନ୍ତ ପିକବର କହୁଛି ମୋ ବୋଲ କର

ପ୍ରିୟ ପାଶେ ଯାଅ ମୋର ଚିଟାଉ ନେଇ,

ପିକରେ ଡେରି ନକରି ଆସିବୁ ଝଟତି ଫେରି

ଫେରନ୍ତା ବାଟକୁ ତୋର ରହିଲି ଚାହିଁ ।

 

ବନେ ବନେ ଭ୍ରମି ଭ୍ରମି ଗିରି କାନନେ ବିଶ୍ରାମି

ପିଇ ଗିରି ଝର ଜଳ ଯିବୁ ଚଞ୍ଚଳ,

ବ୍ୟଥା ହେବ ଯେବେ ଲବେ କୁଞ୍ଜେ ବିଶ୍ରମିବୁ ତେବେ

ତହୁଁ ଯିବୁ ସାଥୀ ପାଶେ ନକରି ବେଳ ।

 

ନଦ ନଦୀ ଗିରି ଛାଡ଼ି କୋଇଲି ତୁ ଯିବୁ ଉଡ଼ି

ମିଳିବୁ ମୋ ପ୍ରିୟ ଗ୍ରାମ ପ୍ରାନ୍ତରେ ଯାଇ,

ସେଠାରେ ରେ ପିକବର ମଇତ୍ର ହେବୁ ତାହାର

ଯହିଁ ମୋ କାନ୍ତ ସେ ପଥ ଦେବ ଦେଖାଇ ।

 

ପ୍ରିୟତମ ଦେଖାପାଇଁ ବସିଥିବୁ ପଥ ଚାହିଁ

ସ୍ଵ-ସୁରେ ତୁ ଗାଉଥିବୁ ମୋହରି ଗୀତ,

ବିନୟେ କହୁଛି ମୁହିଁ କହିବୁ ସବୁ ଫିଟାଇ

କାତର ନକରି କାନ୍ତେ ନହୋଇ ଭୀତ ।

 

ତୋତେ ଦେଖି ମୋ ଦେବତା ପଚାରିବେ କେତେ କଥା

ଆଦର କରି ତୋ ଦେହ ଦେବେ ଆଉଁଶି

ଚନ୍ଦ୍ରମା ବଦନେ ମୋର ଘୋଟିଅଛି ଅନ୍ଧକାର

କହିବୁ ସେ ତୁମପାଇଁ ଝୁରି ମରୁଛି ।

 

କହିବୁ ବିରହେ ରହି ଦୁଃଖରେ ଦିନ କାଟଇ

ଅନୁଷଣେ ଲୋଡ଼ୁ ଅଛି ଅତି ବିମନେ,

ଖୋଜେ କେତେ ନିତି, ନିତି ଲୁହ ତାଙ୍କର ବ୍ରତତୀ

ନପାଇ ତୁମକୁ ଦୁଃଖେ ରହେ ମଉନେ ।

 

କେ ନାହିଁ ପାଶେ ନିର୍ଜନ ହତଭାଗିନୀ ଶୟନ–

କରେ କହିବୁ କୋକିଳ ସବୁ ବୁଝାଇ,

କାହିଁରେ ନଲାଗେ ମନ ହୁଏ ଚିତ୍ତ ଛନ ଛନ

ବିରହୀ ହୃଦୟ ଦହେ ନହୁଏ ସହି ।

 

ଝୁରି ଝୁରି ନିତି ସ୍ନେହ– ଢାଳି ଢାଳି ଆଖି ଲୁହ

ପରାଣ ତେଜିବ ନିଶ୍ଚେ ପ୍ରିୟ ଅଭାବେ,

ଦିନ ରାତି ସଦା ଝୁରେ କ୍ଳାନ୍ତି ଧୁଏ ଆଖି ନୀରେ

ପ୍ରିୟତମ ବିନେ ଶାନ୍ତି ନପାଏ ଲବେ ।

 

ଆହୁରି କହିବୁ ମନୁ- ପାସୋରିଛି ଗଲା ଦିନୁ

ହସ କେମନ୍ତ ପ୍ରକାର ଶାନ୍ତି କେମନ୍ତ,

ଭାବି ଭାବି ଗତ କଥା ହୃଦୟେ ଆସଇ ବ୍ୟଥା

ଦୁଃଖେ ଦିନ କାଟେ ମନେପଡ଼ି ଅତୀତ ।

 

ଲୋଡ଼ୁ ଅଛି ଅନୁକ୍ଷଣେ ସୁଖକୁ ଦୁଃଖରେ ଗଣେ

ପ୍ରିୟର ବିଚ୍ଛେଦେ ହତଭାଗିନୀ ଜୀବ,

ଗଲା ଦିନୁ ସନ୍ତାପରେ ନ ମଣୁଛି ଘର ଦ୍ୱାରେ

ତବ ସ୍ନେହେ ବନ୍ଧ । ଦାସୀ ଝୁରି ମରିବ ।

 

ଭାଗ୍ୟକୁ ନିନ୍ଦଇ କେତେ ଚାହିଁ ଚାହିଁ ତବ ଚିତ୍ରେ

ଆସି ରୋଧେ ହଟକରି ନୟନ ବାରି,

କହିବୁ ପୁଣି ଚେତାଇ ପିକରେ, ମଧୁର ତୁହି

ହତଭାଗିନୀ ମୁଁ, ବା ଦୋଷ ଦେବି କାହାରି ।

 

ତବ ଆଗମକୁ ଚାହିଁ କାତରେ କାନ୍ଦି ଉଠଇ

ପ୍ରାଣପ୍ରିୟ କଥା ଭାବି ପ୍ରିୟା ତୁମର,

କହିବୁରେ କେତେ ଦୁଃଖେ ରହି ଦିନ ରାତି ଜାପେ

ହୃଦୟ ଦେବଙ୍କୁ ସ୍ମରୀ ବୀଣା ତୁମର ।

 

ଏପରି କାନ୍ତରେ କହି ବାହୁଡ଼ିବୁ ପିକ ତୁହି

ଭାବନ୍ତି କି ? ମୋ ଦେବତା ଦେବୁ ଉଦନ୍ତ,

ପଡ଼େ କି ମୋ କଥା ମନେ ଭାବନ୍ତି କି କ୍ଷଣେ ଦିନେ

ଏ ଜୀବନ ଯିବ ଭାବି ଭାବି ମୋ କାନ୍ତ ।

 

ଉଡ଼ି ଯା' କଳା କୋକିଳ କହିବାକୁ ନାହିଁ ବେଳ

ସେ ପରା ଅଟନ୍ତି ମୋର ପରାଣ ସାଇଁ,

ଉଡ଼ି ଯା'–ଉଡ଼ି ଯା' ପିକ ନୁହ ମନେ ଦକ ଦକ

ପ୍ରିୟ ମୋର ବସିଥିବେ ତୋ ପଥ ଚାହିଁ । ଇତି ।

 

ତୁମର ଅବୁଝା

ରାଣୀ

 

ମନର ବିରହ ବେଦନାକୁ ଆଉ ଅଧିକଭାବେ ରୂପାୟନ କରିବାର ଶତ ଇଚ୍ଛା ଥିଲେବି ଆଉ ଲେଖିପାରୁ ନଥିଲା ବୀଣା । ହାତ ତା’ର ଥରି ଉଠୁଥିଲା । ପିଚ୍ଛିଳ ଆଖି ତା’ର ଲୁହରେ ଭରି ଆସୁଥିଲା । ମନ ଗୋଲାପ ତା’ର ଝରି ବସୁଥିଲା କାମନାର କୋମଳ ପାଖୁଡ଼ା–

 

ଏଇ କେଇଟି ଦିନ ଭିତରେ ବିଚ୍ଛେଦ୍ୟ ଯନ୍ତ୍ରଣାରେ ଦୁହେଁ ଦୁହିଁଙ୍କୁ କେତେ ଆକୁଳ ଅନ୍ତରରେ ଖୋଜି ବୁଲିଛନ୍ତି-ଦିବା ଆଉ ନିଶୀଥ ନେଇ । ପ୍ରକାଶ ଖୋଜିଛି ବୀଣାକୁ ଆଉ ବୀଣା ଖୋଜିଛି ପ୍ରିୟତମାକୁ ତା'ର....ଅଭିଶପ୍ତ ଚକୁଆ ଚକୋଇ ପରି ଦୁଃଖର ପରିଧି ମଧ୍ୟରେ ଦିନ କାଟନ୍ତି । ବିରହିଣୀ ଚକୋଇ ପରି ଆଖିଲୁହ ଆଖିରେ ମାରି ବୀଣା ଚାହିଁ ରହିଥାଏ ପ୍ରିୟତମଙ୍କର ସାନ୍ନିଧ୍ୟ ଲାଭ କରିବାପାଇଁ । କେତେ ଆଶା ତା’ର ନିରାଶାରେ ପରିଣତ ହୁଏ, କେତେ କଳ୍ପନାର ତାଜମହଲ ମାଟିରେ ମିଶି ଯାଏଁ....କେତେ ଜ୍ୟୋତ୍ସ୍ନାସ୍ନାତ ରଜନୀ ଅଭିସାରିକା ବେଶରେ ତା’ର ବିତେ...ତଥାପି ଆଶା ତା’ର ରହିଯାଏ କଳ୍ପନା-ନଦୀର ଆର ପାରିରେ ।

 

ଦିନମାନର ହାଡ଼ ଭଙ୍ଗା ପରିଶ୍ରମ ଭିତରେବି ପ୍ରିୟତମକୁ ତା'ର ଭୁଲି ପାରେନି ପ୍ରକାଶ-। ଆଖି ଲୁହ ତା’ର ଜମାଟ ବାନ୍ଧେ ପ୍ରିୟାକୁ ପାଇବା ଆଶାରେ ।

 

ଚକୁଆ ଚକୋଇ ପରି ଅଭିଶପ୍ତ ଜୀବନ ନେଇ ଖୋଜି ବୁଲନ୍ତି ମିଳନପାଇଁ; କିନ୍ତୁ ବିଚ୍ଛେଦ୍ୟର ଘନଘଟା ଆଖିରେ ତାଙ୍କର ଲୋତକ ଆଣେ ।

 

ଆଲୁଅ ସଙ୍ଗେ ଅନ୍ଧାର, ଜନମ ସଙ୍ଗେ ମରଣ, ହସ ପରେ କାନ୍ଦ, ଦୁଃଖ ପରେ ସୁଖ, ବିଚ୍ଛେଦ ପରେ ମିଳନ–ଏ ହସ କାନ୍ଦ ଦୁନିଆର ଚିରନ୍ତନ ନୀତି ।

 

ଦୀର୍ଘଦିନ ବିଚ୍ଛେଦ ପରେ ବୀଣା ଆଜି ଫେରିଆସିଛି ତା’ର ସେଇ ପରିଚିତ ନିରୋଳା ନୀଡ଼ଟିକୁ । ପ୍ରିୟତମ କୋଳକୁ ତା’ର.....ମଣିଷ ଦୀର୍ଘଦିନ ଧରି ଯାହା ପାଇବାର ଆଶା କରେ ଦିନେନା ଦିନେ ତା’ ପାଏ । କଳ୍ପନା ତା’ର ବାସ୍ତବରେ ପରିଣତ ହୁଏ, ଆଶା ତା’ର ଫଳବତୀ ହୁଏ ।

 

ବୀଣା ଆଜି କଳ୍ପନାକୁ ତା’ର ବାସ୍ତବରେ ପାଇଛି । ଢଳ ଢଳ ଆଖିରେ ତା’ର ଆନନ୍ଦର ଢେଉ । ମନ-ଯମୁନାରେ ତା’ର ଜମାଟ ବନ୍ଧା ଆନନ୍ଦ ଲହରୀ !

 

ପ୍ରିୟତମାକୁ ପାଇ ପ୍ରକାଶର ମନ ଆନନ୍ଦରେ ହସିଉଠିଛି । ଦୀର୍ଘଦିନର ଆଶାକୁ ସେ ପୂରଣ କରିଛି ପ୍ରିୟତମାର ଅଙ୍ଗ ସ୍ପର୍ଶରେ । ପ୍ରାଣପ୍ରିୟାର ଅଧରକୁ ତା’ର ରଙ୍ଗାଇ ଦେଇଛି ପ୍ରେମର ଅବିର ପୁରନ୍ତା ପୁରନ୍ତା ଗାଲରୁ ଚୁମ୍ବନର ସୁଧା ଧାର ପିଇ....ଆଙ୍କି ଦେଇଛି ପ୍ରେମର ଅଦେଖା କ୍ଷତ ପ୍ରେମର ପରଶ ବୋଳି ପ୍ରାଣର ପ୍ରୀତି-ପ୍ରତିମାକୁ ତା’ର ସଜାଇ ଦେଇଛି ପ୍ରଣୟିନୀ ବେଶରେ....

 

କଅଁଳ ଖରାର ତେରଛା କିରଣ ଗଛ ଲତା ଉପରେ ନ ପଡ଼ୁଣୁ ପ୍ରକାଶ ବାହାରି ଯାଏଁ କାମ କରିବାକୁ । ମାଟି-ମା' ସହିତ ଯୁଝି ହେବା ତା’ର କାମ । ମା' ପାଖରେ ସେ ଅଳି କଲା ପରି ମାଟି, ମା' ସାଙ୍ଗରେ ଅଳି କରେ, ମୁଣ୍ଡ ଝାଳ ତୁଣ୍ଡରେ ମାରେ; ବରଷକ ଆହାରପାଇଁ । ଦେହର ରକ୍ତକୁ ପାଣି ଫଟାଇ ମାଟି-ମା' ବକ୍ଷରୁ ଆହାର କାଢ଼ି ଆଣେ ।

 

ଘରର ସମସ୍ତ କାମ ସୁଚାରୁରୂପେ ଚଳାଇ ନିଏ ବୀଣା । ଶାଶୂ ବୁଢ଼ୀକୁ ତା’ର ହାତ ଲଗାଇ ଦିଏନି କୌଣସି କାମରେ । ବୁଢ଼ୀ କେତେ ବାଧ୍ୟ କରେ ଉପରେ ପଡ଼ି ଦି'ପାଇଟି କାମ କରି ନେବାକୁ । କିନ୍ତୁ ବୀଣା, ଶାଶୂଟିକୁ ତା’ର ସେ ସୁଯୋଗ ଦିଏନି ଜମା । ଭାବେ, କାହିଁକି କାମ କରିବ । ସେ କ'ଣ ଅଦମ୍ଭ ହୋଇଛି....ଏଇ କାମ କ’ଣ ତାଠୁ ବଳେଇ ଯାଉଛି ?

 

ବୀଣା ଚାହିଁ ରହି ଥାଏ ପ୍ରିୟତମକୁ ତା’ର ତୃଷାର୍ତ୍ତ ଆଖି ନେଇ । ପ୍ରିୟତମଙ୍କ ଦୀର୍ଘ ସମୟରେ ଅଦର୍ଶନରେ ପାଗଳୀନି ପରି ହୋଇପଡ଼େ ବୀଣା । ସବୁ କାମ ଛାଡ଼ି ଧାଇଁ ଯାଏଁ ବାଡ଼ିକୁ-। ପ୍ରିୟତମଙ୍କୁ ଚାହିଁ ଚାହିଁ ଫେରେ । ପୁଣି ଲାଗି ପଡ଼େ ତା’ କାମରେ...

 

ସକାଳର ସୂର୍ଯ୍ୟ ସଞ୍ଜରେ ଅସ୍ଥାଚଳକୁ ଯାଏଁ । ବୀଣା ସଞ୍ଜବତି ଧରି ଆଗେଇ ଯାଏଁ ବୃନ୍ଦାବତୀଙ୍କ ଆରାଧନା ପାଇଁ । ମନରେ କିଛି କାମନା ନଥିଲେବି, ଦେବତା କିପରି ତା’ର ସୁଖରେ ରୁହନ୍ତୁ ତା’ର ଦିନ ତାଙ୍କରି ପାଦତଳେ କଟୁ, ଏତିକି ମାତ୍ର ଜଣାଏ ।

 

ପ୍ରକାଶ ଫେରେ କ୍ଳାନ୍ତ ନୀରସ ମନନେଇ । ପ୍ରିୟତମାର ହସିଲା ହସିଲା ଓଠ ଦେଖି ମନ ବଗିଚାରେ ତା’ର ଅସଂଖ୍ୟ ରଜନୀ ଗନ୍ଧା ଫୁଟିଉଠେ । ସମସ୍ତ କ୍ଳାନ୍ତିକୁ ସେ ଭୁଲି ମଜିଯାଏ ପ୍ରଣୟିନୀ ବୀଣାର ରକ୍ତିମ ଅଧର ମିଳାଇ....

 

ପ୍ରକାଶ ନିଷ୍ପ୍ରଭ ଦେହକୁ ତା’ର ବିଶ୍ରାମ ଦିଏ ଆଖି ଦୁଇଟି ମୁଦିମୁଦି । ବୀଣା ତା’ର କର୍ତ୍ତବ୍ୟ ଶେଷ କରି ଧାଇଁ ଯାଇ ପ୍ରିୟତମ ଦେହରେ ମଧୁର ହସ୍ତ ଚାଳନା କରି ବସେ । ପ୍ରିୟତମର ପ୍ରଶସ୍ତ ବକ୍ଷ ଉପରେ ମୁଣ୍ଡ ରଖି ଶୋଇପଡ଼େ । ପ୍ରକାଶର ନିଦ ଭାଙ୍ଗି ଯାଏଁ । ପ୍ରିୟମାକୁ ତା’ର ଆହୁରି ଜୋର୍‍ରେ ଭିଡ଼ି ରଖେ ଛାତି ଉପରେ ତା’ର । ଦୁଇଟି ଦେହ ଅଦେଖା ପରଶ ଉପଭୋଗ କରନ୍ତି କ୍ଷଣିକପାଇଁ......

 

କେତେ ରାଇଜର କେତେ କଥା ପଡ଼େ । ହସ ଖୁସି ହୁଏ । ଛୋଟ ଛୋଟ କଥାରେ ମାନ, ଅଭିମାନ ହୁଏ । ବୀଣା ଅଭିମାନ କରି ବସେ ଅଭିମାନିନୀ ସାଜି ।

 

ପ୍ରକାଶ ସ୍ଥିର ହୋଇ ରହିପାରେନା । ପ୍ରାଣପ୍ରିୟାକୁ ତା’ର କୋଳକୁ ଟାଣି ଆଣେ । ପ୍ରାଣ ପ୍ରିୟାର କରସ୍ପର୍ଶ ପାଇଲେ ବୀଣାର ଶତ ଅଭିମାନ ଘଡ଼ିକେ ମିଳାଇ ଯାଏଁ । ସମୁଦ୍ରୋମୁଖୀ ନଦୀ ତା’ର ପ୍ରିୟ ସାଗର ବକ୍ଷରେ ମିଶିବାପାଇଁ ଚଞ୍ଚଳ ଗତିରେ ଧାଇଁ ଗଲା ପରି ବୀଣା ଧାଇଁ ଯାଏଁ ତା’ର ଦେବତା ବକ୍ଷରେ ଏକ ହୋଇ ମିଶିଯିବାକୁ । ପ୍ରକାଶ ପ୍ରାଣପ୍ରିୟାକୁ ତା’ର କୋଳରେ ଜାକି ଧରି ପ୍ରଶ୍ନ କରେ, "ସତେ କ’ଣ ମୋତେ ଭଲ ପାଅ ବୀଣା ? ବୀଣା ମନରେ ଯାହାଭାବେ ତା’ କିଛି କହି ପାରେନା । ଖାଲି ନୀରବରେ ହସେ ।

 

"ମୁଁ ଯଦି ବର୍ତ୍ତମାନ ମରିଯାଏ ? ତେବେ....

 

ପ୍ରକାଶ ଆଉ ଗର୍ବ କହିବାକୁ ଗଲାବେଳେ ବୀଣା ଆଉ ସହିପାରେନା । ପାଟିରେ ହାତଦେଇ ପାଟିକୁ ବୁଜି ରଖେ ।

 

ବୀଣା ମନରେ ଲହଡ଼ି ଭାଙ୍ଗେ, ଦେବତା ତା’ର ମରିପାରିବେନି । ସେ ଆମର....ସେ ଅକ୍ଷୟ....ଚିରନ୍ତନ ସେ....

 

ତାଙ୍କ ପ୍ରାଣ ସହିତ ତା' ପ୍ରାଣ ଯେ ଓତପ୍ରୋତଭାବେ ଜଡ଼ିତ । ନା–ନା ଦେବତାକୁ ତା’ର ମରିବାକୁ ଦେବନି । ଉତ୍ତେଜିତ ମନ ନେଇ କହି ଉଠେ, ତୁମେ ମରି ପାରିବନି ଦେବତା, ସତୀ ସାବିତ୍ରୀଙ୍କ ପରି କଠୋର ସାଧନା କରି ତୁମକୁ ଫେରାଇ ଆଣିବି । ଆଉ ତା' ଯଦି ନ ପାରେ....ଦୁଇଟି ପ୍ରାଣର ଜଳନ୍ତା ଜୁଇ ହୁତ୍‍ହୁତ୍ ହୋଇ ଜଳିଉଠିବ ମଶାଣି ପଦାରେ ।

 

–ଏ ତୁମ ଅନ୍ତର କଥା ନା ଛଳନାରେ ଉଶ୍ୱାସ ବାଣୀ ବା ?

 

ବୀଣାଭାବେ ଏବେବି ଏ ଛୋଟ ହୃଦୟକୁ ତୁମେ ବୁଝି ପାରିଲନି ଦେବତା । କେମେତି ବା କହିବି, ତୁମକୁ ମୁଁ କେତେ ପରିମାଣରେ ଭଲ ପାଏ ବୋଲି । ବାୟୁସୁତ ହନୁମାନ ପରି ଯଦି ତା’ର ଶକ୍ତି ଥା'ନ୍ତା ହୃଦୟ ଚିରି ସେ ଦିଅନ୍ତା....ପ୍ରିୟତମକୁ ତା’ର । କିନ୍ତୁ ସେ ଶକ୍ତି ନାହିଁ–

 

ବୀଣା ପୁଣି ଟିକେ ଅଭିମାନରେ ଆଡ଼ରୁଷା କରି ବସେ । ପ୍ରକାଶ କୋଳେଇ ଆଣେ ଅବୁଝା ରାଣୀକୁ ତା’ର । ବୀଣା ଅଭିମନାଭରା ଦରଦ କୁହେ–ଏମିତି ପୁଣି ତମେ...

 

ଛି...ପାଗଳୀଟା, ଏମିତି ଅଭିମାନ କରନ୍ତି ? ଅଭିମାନିନୀ; ଅଭିମାନ କ’ଣ ଭାଙ୍ଗିବନି ?

 

ବୀଣା କିଛି କୁହେନା, ଖାଲି ହସିଦିଏ ପ୍ରିୟତମକୁ ଚାହିଁ ବୀଣାର ଗୋଲାପି ଗଣ୍ଡ ଦେଶରେ ମୃଦୁ ଆଘାତ ଦିଏ ପ୍ରକାଶ । ଅବୁଝା ରାଣୀଟି କହି, ନିବିଡ଼ଭାବେ ଜାକି ଧରେ ବୀଣାକୁ ।

 

–ମୁଁ ତୁମର ଅବୁଝା ରାଣୀ, ଆଉ ତୁମେ ମୋର—

 

କ’ଣ– ?

 

ଅବୁଝା ରଜା ।

 

ବୀଣାର ଉପମାରେ ନହସି ରହି ପାରେନି ପ୍ରକାଶ ।

 

ରାତି ବଢ଼ି ଚାଲେ । ଦୁହିଁଙ୍କ ଆଖିରେ ନିଦଭରି ଯାଏଁ । ଜଣେ ଜଣଙ୍କ କୋଳରେ ମୁଣ୍ଡରଖି ଶାନ୍ତିରେ ହଜିଯାଏଁ ନିଦ୍ରାଦେବୀଙ୍କ ସୁକୋମଳ ପରଶରେ–

 

ଦିନେ ଦିନେ ପ୍ରକାଶର ଫେରିବା ଡେରିହେଲେ ଆଦୌ ଭଲଲାଗେନି ବୀଣାକୁ । ସେମିତି ଚାହିଁ ବସିଥାଏ ଉପବାସରେ । ପ୍ରକାଶ ବିଲରୁ ଫେରି ପଚାରିବସେ, "ଖାଇନା କି ବୀଣା-?

 

ବୀଣା କିଛି କୁହେନା । ପ୍ରକାଶ ପ୍ରିୟା ମୁହଁକୁ ଦୁଇହାତରେ ଟେକିଧରି ଗେଲ କରେ ।

 

–ତୁମେ କ’ଣ ମୋତେ ସତେରେ ଭଲପାଅ ଦେବତା ?

 

ସେକଥା ତୁମେଇଁ ଜାଣ । ଉତ୍ତର ଦିଏ ପ୍ରକାଶ ।

 

ବୀଣାର ମନ କହିଉଠେ; ପ୍ରକୃତରେ ସାଥୀ, ତୁମେ ଦେବତା । ଜୀବନେ ମରଣେ ତୁମେ ମୋର ଆରାଧ୍ୟ–ଚିର ନମସ୍ୟ । ମୁଁ କେବଳ ତୁମର ପୂଜାରିଣୀ ମାତ୍ର ! ସେତିକି ମୋର ଯଥେଷ୍ଟ ।

 

ଭାବି ଭାବି କିଛି କହି ପାରେନି ବୀଣା । ମୁହଁ ଉଠାଇ ପ୍ରିୟତମକୁ ତା’ର ଚାହେଁ ! ଆଖି ଯୋଡ଼ିକ ତା’ର କୃତଜ୍ଞତାରେ ନାଇଁ ଯାଏଁ ତଳକୁ ! ଏମିତି ଦିନ କଟେ....ରାତି କଟେ ।

 

ବେଙ୍ଗ କହେ 'ବେଙ୍ଗୁଲି ଲୋ, ପୃଥ୍ଵୀ କ୍ଷଣ କ୍ଷଣକେ ଆନ' ! କେତେବେଳେ ଯେ ମଣିଷ ଉପରେ କେଉଁ ସ୍ରୋତ ବହିଯାଏ ସେକଥା କିଏ କଳ୍ପନା କରିପାରେ ! ଦୁନିଆଁର ଗତି ଲେଉଟେ, ଲେଉଟାଏ ମଣିଷର 'ଅଦେଖା ଭାଗ୍ୟଚକ୍ର । ଭବିଷ୍ୟତ୍‍ରେ ଦୃଷ୍ଟିରଖି ଆଗେଇ ଯାଉଥିବା ମଣିଷ ଇଚ୍ଛାର ବିରୁଦ୍ଧରେ ଫେରି ଚାହେଁ ଅତୀତକୁ ।

 

ଆଜି ପ୍ରକାଶ ବସି ଭାବି ଚାଲିଛି ଅତୀତର ଇତି କଥା । ମନେପଡ଼ୁଛି ତା’ର ସେଦିନର ସେହି ବୁକୁଫଟା ଦୃଶ୍ୟ । ବନ୍ୟା ଆସିଲା, ବନ୍ୟା ପଛେ ପଛେ ବାତ୍ୟା । ଏମିତି ବର୍ଷକୁ ବର୍ଷ ପ୍ରାକୃତିକ ବିପର୍ଯ୍ୟୟ ଲାଗି ରହିଲା । ବିଲରେ ଘାସଗଛବି କଅଁଳିଲା ନାହିଁ ।

 

ଆସିଲା ଅଭାବ ଅନାଟନର ଦୁଃସହ ଦିନ । ଶହ ଶହ ଲୋକ ହଇରାଣ ହେଲେ । ତା' ପାଖରେ ଯାହା ବା ମୁଠାଏ ଥିଲା ଅନ୍ୟମାନଙ୍କର ଦୁଃଖ ସହି ନପାରି ସେତକ ବାଣ୍ଟିଦେଲା । ଆଉବା ଯାହା ଟଙ୍କା, ସୁନା, ରୁପା ଥିଲା ସେତକବି ତା’ର ହେଲା ନାହିଁ ।

 

ଠିକ୍ ସେଇ ବେଳରେ ଜନ୍ମଦାତ୍ରୀ ତା’ର ଆଖି ବୁଜିଲା । ସେତକ ବିକି ସେ ବୋଉର ଶୁଦ୍ଧିଘର କାମରେ ଲଗାଇଦେଲା । ଆଉତ ତା’ର କିଛି ସମ୍ବଳ ନାହିଁ ! କେମିତି ସେ ଏ ଦୀର୍ଘଦିନ ଫସଲ ଉଠିବା ପର୍ଯ୍ୟନ୍ତ ଚଳିବ ତାହାହିଁ ଭାବି ଚାଲିଛି ପ୍ରକାଶ । ଏମିତି କାହିଁ କେତେ କଥା ଜମାଟ ବାନ୍ଧିଛି ମନରେ ତା’ର । ଭାବି ଭାବି ଅଣନିଃଶ୍ୱାସୀ ହୋଇଯାଉଛି ।

 

ବୀଣା ଘରଭିତରକୁ ପଶିଯାଇ ପ୍ରିୟତମର ମନମରା ଭାବଦେଖି ଅଧୀର ହୋଇ ପଚାରିବସିଲା, କ’ଣ ହେଲା ତୁମର ... ? ଏମିତି କ’ଣ ଭାବି ବସୁଛ ??

 

"କାହିଁ କିଛି ନାହିଁ ତ...ବୀଣା ଆହୁରି ପ୍ରକୃତିସ୍ଥ ହୋଇ ପ୍ରିୟତମାକୁ ତା’ର ଜାବୁଡ଼ି ଧରି ପ୍ରଶ୍ନ କଲା; କୁହ;....କ’ଣ ହେଲା ତୁମର ?

 

ପ୍ରକାଶ ରହି ରହି ଆରମ୍ଭ କଲା; ସତେରେ ବୀଣା, ଏ ଦୁଃଖର ପ୍ରାଚୁର୍ଯ୍ୟ ଭିତରେ ବୁଡ଼ିରହି ମୁଁ ଭାବୁଛି ତୁମରି କଥା । ଏଇ କେଇଟି ଦିନ ଭିତରେ ପେଟପୂରା ଗଣ୍ଡାଏ ଖାଇବାକୁ ତୁମକୁ ଯୋଗାଇ ପାରିଲିନି । ଦେଖିଲ, ସୁନ୍ଦର ମୁହଁଟି ତୁମର କେମିତି କଳା ପଡ଼ିଗଲାଣି । ତୁମେ ହୁଏତ...ପ୍ରକାଶ ଆଉ କ’ଣ କହିବାକୁ ଗଲାବେଳେ ପାଟିରେ ହାତ ବୁଜି ଧରିଲା ବୀଣା । "ଆଚ୍ଛା କହିଲ, ମୋ ପାଇଁ ତୁମେ କ'ଣ ଭାବୁଛ ? ମୁଁ ତ ତୁମେ, ଆଉ ତୁମେ ତ ମୁଁ.....ଆମେ ପରା ଗୋଟିଏ ପ୍ରାଣର ଦୁଇଟି ଆଲୋକ । ଆଉ ଗୋଟିଏ କଳାକାରର ଦୁଇଟି ଯୁଗଳ ଛବି । ସ୍ୱାମୀ ସ୍ତ୍ରୀର ଜୀବନ ପରା ଗୋଟିଏ ବୃନ୍ତର ଦୁଇଟି ଫୁଲ ପରି, ଗୋଟିଏ ଫୁଲର ଦୁଇଟି ପାଖୁଡ଼ା ପରି । ତଥାପି ତୁମେ.....

 

ହଁ, ତ ବୀଣା, ତଥାପି ମୁଁ ଏସବୁ କାହିଁକି ଭାବୁଛି ତା' ବି ବୁଝି ପାରୁନି ।

 

"ଏମିତି ଚିନ୍ତା କଲେ କ’ଣ ହେବ କହିଲ ? ଆମ ଭାଗ୍ୟରେ ଯାହା ଥିବ ତା' ହେବ । ସେଇ ପରମେଶ୍ୱରହିଁ ଆମର ଭରସା ।" ବୀଣା ଏମିତି କେତେ ସାନ୍ତ୍ୱନା ଦିଏ ପ୍ରିୟତମକୁ ତା'ର । କିନ୍ତୁ ପ୍ରକାଶ ଆଦୌ ଭାବନାରୁ କ୍ଷାନ୍ତ ହୁଏନି । ଭାବନାରେ ଖାଲି ନିଜକୁ ହଜାଇ ଦିଏ ସେ । ଆଖିରୁ ଲୁହ ଗଡ଼ାଇ ଅତୀତକୁ ଭାବି !

 

ବୀଣା ପ୍ରକାଶକୁ କେତେ ବୁଝାଏ । ଗେଲ କରି ଶୁଆଇଦିଏ ପ୍ରିୟତମକୁ ତା’ର । ପ୍ରକାଶ ଭୁଲିଯାଏ କ୍ଷଣିକପାଇଁ ଅଭାବ ଅନାଟନକୁ । ପ୍ରିୟତମାକୁ ତା’ର ପୁଣି ଗେଲକରି ବସେ । ଆଖିରେ ଆଖି ଦେଇ ଓଠରେ ଓଠ ଥୋଇ ଦୁନିଆର ଜଞ୍ଜାଳକୁ ଭୁଲିଯା'ନ୍ତି ସେ ।

 

ଦିନେ ଦିନେ ପ୍ରକାଶ ସହିତ କାମ କରିବାକୁ ଅଣ୍ଟାଭିଡ଼ି ବାହାରିପଡ଼େ ବୀଣା । କାହିଁକି ସେ ଘରେ ବସି ରହିବ ! ପ୍ରିୟତମକୁ ସେ ଯେତିକି ପାରିବ ସେତିକି ସାହାଯ୍ୟ କରିବ । ବାହାରିପଡ଼େ ପ୍ରିୟତମ ସହିତ ! ପ୍ରକାଶର ବାରଣ ମାନେନି ।

 

ପ୍ରକାଶ କେତେ ନ ଯିବାକୁ ବୁଝାଏ, ନା, ନା ତୁମେ ଯାଅନି ବୀଣା ! ଘରର ଲକ୍ଷ୍ମୀ ତୁମେ, ତୁମେ କାମ କରିବାକୁ ଯିବ...... ?

 

କିନ୍ତୁ ବୀଣାର ସେଇ ଏକା ଜିଦ୍ । ନା ସେ କାମ କରିବାକୁ ନିଶ୍ଚୟ ଯିବ । ଭାବେ, ଦେଶ ସ୍ୱାଧୀନ ହେଲା, ପୁରୁଷ ସହିତ ନାରୀ ସମାନ ଅଧିକାର ପାଇଲା, ତେବେ ସେ ଘର କଣେ ବସି ଆନନ୍ଦ କରିବ କାହିଁକି ? ଦେବତା ସହିତ ତା’ର ମିଶି ଉଦ୍ୟମ କରି ସୁନାର ଫସଲ ତୋଳିବ । ପରକୁ ସେ ହାତ ପତାଇବନି । ନିଜେ ସ୍ଵାବଲମ୍ବୀ ହେବ । ଦେଶକୁ ଗଢ଼ିବ ସୁନାର କରି । ପର ଦେଶର ହାତ ଟେକାକୁ ସେ ଚାହିଁ ରହିବନି । ସବୁ ଦେଶ ସହିତ ସେ ଦେଶକୁ ତା’ର ସମାନ କରିବ-

 

ବୀଣା ଆଉ ପ୍ରକାଶ ଆନନ୍ଦ ମନରେ କାମକୁ ବାହାରି ଯା'ନ୍ତି । ଆଗରୁ ଆସି ରୋଷେଇ କରି ପ୍ରିୟତମକୁ ତା’ର ଚାହିଁ ବସେ ବୀଣା ! ପ୍ରକାଶ ଆସେ; ଦୁହେଁ ଖାଇ ନିଅନ୍ତି ଯାହା ଥାଏ । କାହାରି ମନରେ ଦୁଃଖ ନ ଥାଏ, ନ ଥାଏ ତିକ୍ତତା ।

 

କେଉଁ ଦିନ ଚାଉଳ କିଲେ ଥାଏ ତ କେଉଁ ଦିନ ନଥାଏ । ଦିନେ ଦିନେ ନିଜର ଭାତ ମୁଠାକ ପ୍ରିୟତମ ପାଇଁ ତା’ର ସାଇତି ରଖି ନିଜେ ଉପବାସ ରହିଯାଏ ବୀଣା । ପ୍ରକାଶ ଆସିଲେ ହସି ହସି ଆନନ୍ଦ ମନରେ ବାଢ଼ି ଥୋଇଦିଏ ସେତକ ।

 

ପ୍ରକାଶ ଫେରି ସବୁଦିନ ପରି ପଚାରିବସେ, ଖାଇସାରିଲଣି ବୀଣା ? ଛୋଟ ହଁଟିଏ ମାରି ବୀଣା ସେ ଘରୁ ବାହାରିଯାଏ । ଉପବାସ କଷ୍ଟକୁ କଷ୍ଟ ବୋଲି ମନେକରେନି । ବୀଣାଭାବେ ଏ ଉପବାସ ଯେମିତି ପରମେଶ୍ୱରଙ୍କ ପାଖରେ ଦେବତାପାଇଁ ତା’ର କଠୋର ବ୍ରତ ପାଳନ ।

 

ଅନେକଥର ପ୍ରକାଶ ବୀଣାର ଉପବାସ କଥା ଜାଣିପାରେ । ଆଖିରେ ତା’ର ଲୋତକ ଆସେ କହେ–ବୀଣା ! ତୁମେ ମୋର ଧର୍ମପତ୍ନୀ; ତଥାପି ତୁମ ନିକଟରେ ମୁଁ ଋଣୀ ।

 

ପ୍ରକାଶର ଏ କଥା ପଦକ ଶୁଣିଲାବେଳେ ବୀଣାର ଛାତି ଭିତରଟା ଆପେ ଆପେ କରତି ହୋଇଯାଏ । ହୃଦୟ ତା’ର ଅନ୍ଧକାରରେ ଭରିଯାଏ । ବୀଣାବି ଭାବେନା, ଦେବତା ତୁମ ନିକଟରେ ମୁଁ ଚିରଋଣୀ । କିନ୍ତୁ ୟା ଭିତରେ କିଏ କାହା ପାଖରେ ଋଣୀ ଆଉ କିଏ କାହାକୁ ଦିଏ ଓ କିଏ କାହାଠୁ ନିଏ ସେ କଥା ଦୁହେଁ ଅନୁଭବ କରିପାରନ୍ତିନି ।

 

ପ୍ରକାଶ କଥାରେ ଦୁଃଖିତ ହୁଏ ବୀଣା । ଭାବେ ପ୍ରିୟତମକୁ ତା’ର ପଚାରିବ ଏ କଥା ସେ କାହିଁକି କୁହନ୍ତି ! ଧାଇଁଯାଏ ପଚାରିବା ପାଇଁ । କିନ୍ତୁ ପ୍ରିୟତମକୁ ପାଇ କିଛି କହିପାରେନି ବୀଣା । ସବୁ ସେ ଭୁଲିଯାଏ । କ’ଣ ପଚାରିବ ତା' ବି ଭୁଲିଯାଏ । ଭୁଲିଯାଏ ନିଜର ଅସ୍ତିତ୍ୱ......

 

ଏତେ ଅଭାବରେ ମଧ୍ୟ କାହାରି ମନରେ ଦୁଃଖ ନ ଥାଏ । ପବିତ୍ର ଅନ୍ତରରେ ଦୁହେଁ ଦୁହିଁଙ୍କୁ ଭଲପାଆନ୍ତି । ସବୁ ଦୁଃଖ ଭୁଲିଯା'ନ୍ତି ଆଗାମୀ ଫସଲକୁ ଦେଖି । ମନରେ ତାଙ୍କର ଆନନ୍ଦ ଆଣେ ଲହଡ଼ି ଭଙ୍ଗା ସବୁଜ ଧାନ କିଆରି । ଭବିଷ୍ୟତ୍ ପରିକଳ୍ପନା କରି ଭୋକଶୋଷ ଭୁଲିଯା'ନ୍ତି ସେମାନେ ।

 

ଏଇ ଫସଲ ତାଙ୍କରି ହାତଲଗାରେ ବଢ଼ିଛି । କେତେ ପରିଶ୍ରମ କରିଛନ୍ତି ସେମାନେ । ମୁଣ୍ଡ ଝାଳ ତୁଣ୍ଡରେ ମାରି କ୍ଷେତରେ ହସାଇଛନ୍ତି ସବୁଜ ଧାନଗଛ । ହୁଏତ ଆଉ କେଇଟି ଦିନପରେ ହସିଉଠିବ ତାଙ୍କର ଏ ଶୂନ୍ୟ ଅମାର । ଯାହା ଯାଇଛି ସବୁ ପୁଣି ଫେରିଆସିବ ତାଙ୍କରି ହାତକୁ । ଆଉ ସେ ହଇରାଣ ହେବେନି । ଉପବାସ ରହିବେନି । ପୁଣି ସୁଖ-ସମ୍ପଦରେ ତାଙ୍କର ଦିନ କଟିବ......

 

କଥାରେ ଅଛି "ଲୁଣ ଖାଏ ହାଣ୍ଡି, ଚିନ୍ତା ଖାଏ ଗଣ୍ଡି ।" ପ୍ରକାଶର ଦେହ ଆଜି ଭଲ ନାହିଁ-। ଅଭାବ ଅନାଟନ ମନକୁ ତା’ର କୀଟଦ୍ରଂଷ୍ଟ କରିପକାଇଛି । ଅତୀତ କଥା ଭାବି ଆଜିକି ସେ ଦୁଇ ଦିନ ହେବ ଜ୍ୱରରେ ଶୋଇଛି । ଆଜି କିନ୍ତୁ ସବୁଦିନଠୁ ବେଶି ଜ୍ୱର । ଜ୍ୱରରେ ଆଜି ସେ ପ୍ରଳାପ କରୁଛି । ବୀଣାକୁ କିଛି ଭଲ ଲାଗୁନି ପ୍ରିୟତମର ଅସୁସ୍ଥତା ନେଇ । ମନ ତା’ର ଖାଲି ଛଟେଇ ପଟେଇ ହେଉଛି । ଶତ ବୁଶ୍ଚିକର ଦଂଶନ ଅନୁଭବ କରୁଛି ସେ ।

 

ପ୍ରକାଶ ଶୋଇଛି ଛିଣ୍ଡାଲୁଗା ଦି' ଖଣ୍ଡି ଉପରେ । ରୁଗ୍‍ଣ ଶରୀର ଉପରେ ପଡ଼ିଛି ଖଣ୍ଡେ ଛିଣ୍ଡା ମୋଟା ଚଦର । ଦେହ ହାତ ତା’ର ଭାଙ୍ଗିପଡ଼ିଲାଣି । ମନରେ ତା’ର ଆଉ ସେ ପୂର୍ବ ପ୍ରଫୁଲ୍ଲତା ନାହିଁ । ଖାଲି ମନେ ମନେ କ’ଣ କହି ହେଉଛି ।

 

ବୀଣାକୁ ଆଜି କିଛି ବୁଦ୍ଧି ଦିଶୁନି । ପ୍ରିୟତମର ଅସୁସ୍ଥତା ମନରେ ତା’ର କଠୋର ରେଖାପାତ କରୁଛି । କିଛି ଭାବିପାରୁନି ସେ । ଦୁଶ୍ଚିନ୍ତା ମନନେଇ ବସିପଡ଼ି ପ୍ରିୟତମର ଦେହର ହାତ ବୁଲାଇ ବସିଲା ବୀଣା । ପ୍ରିୟତମର ଦେହରେ ହାତଦେଇ ଚମକି ପଡ଼ିଲା ସେ । ଦେହରେ ତାତି ଖଇଫୁଟୁଛି ।

 

ଥର୍ମୋମିଟରଟା ଆଣି ଜ୍ୱର ମାପିବସିଲା ବୀଣା । ଶହେ ପାଞ୍ଚ ଡିଗ୍ରୀ ଜ୍ଵରର ତାତି ହୁ-ହୁ ହୋଇ ବଢ଼ିଚାଲିଛି । ଛାତି ତା’ର ଥରିଉଠିଲା ।

 

ବୀଣାର ଭାବନାରେ ପୂର୍ଣ୍ଣଚ୍ଛେଦ ଟାଣି ଜ୍ଵରରେ ପ୍ରଳାପ କରିଉଠିଲା ପ୍ରକାଶ, ବୀଣା...ବୀଣା କେଉଁଠି ତୁମେ ? ପାଖକୁ ଟିକେ ମୋର ଆସ...

 

–ଏଇ ତ ! ମୁଁ ତୁମ ପାଖରେ ବସିଛି ପରା–

 

ମୁଁ ଆଉ ବଞ୍ଚିବିନି ବୀଣା । ଦେହ ହାତ ମୋର ଅବଶ ହୋଇ ଆସୁଛି । ମୁଣ୍ଡ ମୋର କ’ଣ ହୋଇଯାଉଛି ।

 

ଏତକ ଶୁଣି କାନ୍ଦି ଉଠିଲା ବୀଣା । ପାହାଡ଼ ପରି ଧୈର୍ଯ୍ୟ ତା’ର ଭାଙ୍ଗିପଡ଼ୁଥିଲା ପ୍ରିୟତମଙ୍କର ପ୍ରଳାପ ଶୁଣି । "ଛି ଏସବୁ ତୁମେ–କି ଅଶୁଭ କଥା କହୁଛ ଦେବତା ! ତୁମେ ନିଶ୍ଚୟ ଭଲ ହୋଇଯିବ" । ପୁଣି ପ୍ରଳାପ କରି ଉଠିଲା ପ୍ରକାଶ ।

 

ବୀଣାର କେତେ ଅନୁରୋଧ, ତୁମେ ପାଟିକରନି ଦେବତା । ନୀରବରେ ଟିକେ ଶୋଇପଡ଼...

 

ବୀଣାର ଶତ ଅନୁରୋଧ, ଶତ ଚେଷ୍ଟାକୁ ବିଫଳକରି ପୁଣି ପ୍ରଳାପ କରିଉଠିଲା ପ୍ରକାଶ-। ବୀଣା ପ୍ରିୟତମକୁ ତା’ର ଜାବୁଡ଼ି ଧରି ଆଉଁଶି ବସିଲା । ମନରେ ତା’ର ଅସରନ୍ତି ଭାବନା-। କିଏବା ଆଉ ପାଖରେ ଅଛି ଯେ କାହାକୁ କହିବ ଡାକ୍ତର ପାଖକୁ ଯିବାକୁ । ମଫସଲ ଜାଗାରେ ଡାକ୍ତର ମିଳିବା କଷ୍ଟକର । ସେଥିରେ ପୁଣି ତା’ ଘରକୁ ଡାକ୍ତର ଆସିଲେ ବାଟଖର୍ଚ୍ଚ ଖୋଜିବ-। କିନ୍ତୁ ଘରେ ତ ପଇସାଟିଏ ନାହିଁ । କ’ଣ ଦେଇ ସେ ଔଷଧ ଆଣିବ...

 

ବସିବା ଜାଗାରୁ ଧୀରେ ଧୀରେ ଉଠିଗଲା ବୀଣା । ପ୍ରକାଶ ଟିକେ ନୀରବରେ ଶୋଇପଡ଼ିଥିଲା ପ୍ରିୟତମାର କୋମଳ ପରଶ ପାଇ...ପାଗଳୀନି ପରି ସେ ଘରର ପ୍ରତ୍ୟେକ ଆସବାବପତ୍ର ଦରାଣ୍ଡି ବସିଲା । କାହିଁ...କିଛି ତ ନାହିଁ... । ମାଟି ଘରଟି ବ୍ୟତୀତ ଆଉ କିଛି ସେ ଘରେ...କାଳର କରାଳ ଗତିରେ ସବୁ ସେମାନେ ହରାଇ ବସିଛନ୍ତି । ଘରର ଚାରିଆଡ଼କୁ ତନ୍ନତନ୍ନ କରି ଚାହିଁଲା ବୀଣା । ନା...କିଛି ନାହିଁ...ଆଖି ଫେରାଇ ଆଣିଲାବେଳେ ଲକ୍ଷ୍ୟ ପଡ଼ିଲା ତା’ର ହାତର କାଚ କେଇପଟ ଉପରେ । ବୀଣାର ମନ ଭିତରଟା ଆନନ୍ଦରେ କୁରୁଳି ଉଠିଲା । ଏଇ ସୁନା କାଚ କେଇପଟ ସେ ବାପଘରୁ ଆଣିଥିଲା । ଏଇ କାଚ ଚାରିପଟ ସେ ବିକ୍ରି କରି ଡାକ୍ତର ପାଖକୁ ଯିବ । ନିଶ୍ଚୟ ସେ ପ୍ରିୟତମକୁ ତା’ର ଭଲ କରିବ । ହାତରୁ କାଚ ଚାରିପଟ କାଢ଼ିଲା ବୀଣା-

 

ହଠାତ ଚମକି ପଡ଼ିଲା ସେ ।

 

ଆରେ ସେ ଯେ ସଧବା, ଖାଲି ହାତ କରିବ କେମିତି ! ପାଖରେ ପଡ଼ିଥିବା କନାଧଡ଼ି ଦି'ଖଣ୍ଡ ଆଣି ହାତରେ ବାନ୍ଧିଲା ବୀଣା । ନା, ଆଉ ସେ ଡେରି କରିବନି । ଏଇ ପାଖ ଗାଁର ପଟ୍ଟନାୟକବାବୁଙ୍କ ଘରକୁ ଯିବ ସେ । ବିଶିଷ୍ଟ ଧନୀ ସେ, ତାଙ୍କରି ଘରେ ଏଇ କାଚକୁ ବିକ୍ରିକରି ଟଙ୍କା ଆଣିବ ।

 

ରାତି ବଢ଼ି ଚାଲିଛି; ତଥାପି ବୀଣାର ସେଥିପ୍ରତି ଲକ୍ଷ୍ୟ ନାହିଁ । ସେ ଆଗେଇ ଚାଲିଛି କାଚ କେଇପଟ ଧରି ଆଗକୁ ଆଗକୁ ପାହୁଣ୍ଡ ପକାଇ...ଅନ୍ଧାରର ଘନଘଟା ବଢ଼ି ଚାଲିବା ସଙ୍ଗେ ସଙ୍ଗେ ବୀଣା ଆଗେଇ ଚାଲିଛି ଆଶାର ସେତୁ ରଚନା କରି...

 

ଦିନ ପରେ ଦିନ ବିତିଯାଏ । ପ୍ରିୟତମକୁ ତା’ର ଦିନ ରାତି ଜଗି ବସେ ବୀଣା । ମନପ୍ରାଣ ଢାଳି ସେବା କରେ ଦେବତାକୁ ତା’ର । ସେଇ କେଇପଟ କାଚବିକ୍ରି କରି ଯେଉଁ ଔଷଧ ଆଣିଥିଲା ରୀତି ମୁତାବକ ଖାଇବାକୁ ଦିଏ । ନିଜେ ନଖାଇ ସେଇ ପଇସାରେ ପଥ୍ୟ ତିଆରି କରି ପ୍ରିୟତମକୁ ଦିଏ । ସେଇଥିରେ ପାଏ ସେ ପରମ ଆନନ୍ଦ । ପ୍ରିୟତମର ସେବାକରି ନିଜକୁ ଧନ୍ୟ ମନେକରେ ବୀଣା ।

 

ଏତେ ଅସୁସ୍ଥତା ଭିତରେବି ବୀଣା କଥା ଭୁଲି ଯାଏନି ପ୍ରକାଶ । ବୀଣା ଦେହ ମୁଣ୍ଡରେ ତା’ର ହାତ ବୁଲାଉ ବୁଲାଉ ପଚାରି ବସେ, ଖାଇସାରିଲଣି ବୀଣା ?

 

"ହଁ ଖାଇସାରିଲିଣି ।"

 

ପ୍ରକାଶ ଥରିଲା ଥରିଲା ହାତକୁ ତା’ର ବୀଣା ମୁଣ୍ଡ ଉପରେ ଥରୁଟିଏ ବୁଲାଇ ଆଣି କୁହେ–ନା, ତୁମେ ଜମା ଖାଉନା ମୋ ଦେହ ଖରାପ ହେଲା ଦିନଠୁ । ଯାଅ......ଖାଇବ ଯାଅ ! ଏତକ କହି ବୀଣାକୁ ପାଖରୁ ଉଠାଇ ଦିଏ ପ୍ରକାଶ ।

 

ପ୍ରିୟତମର ମନବୁଝିବାକୁ ଉଠିଆସେ ବୀଣା; ହେଲେ ଜମା ଖାଏନି ସେ । ଯାହା ବା ଖୁଦ ମଳୁଖ ଥାଏ ସେତକବି ପେଟକୁ ଯାଏନି ତା’ର । ପୁଣି ଧାଇଁଯାଏ ଦେବତା ପାଖକୁ ତା’ର...

 

ଜଗିବସେ ପ୍ରାଣର ପତି-ପରମେଶ୍ୱରଙ୍କୁ । ନିମିଷକ ପାଇଁ ଦୂରେଇ ରହିପାରେନି । ଜଳବିନା ମାଛର ସ୍ଥିତି ଯେମିତି ଅସମ୍ଭବ ପ୍ରିୟତମ ବିନା ତା’ର ସ୍ଥିତି ଠିକ୍ ସେମିତି ଅନୁଭବ କରେ ବୀଣା । ଜଳଠାରୁ ଦୂରେଇ ରହିଗଲେ ମାଛ ଯେମିତି ଛଟପଟ ହୁଏ ପ୍ରକାଶକୁ କ୍ଷଣେ ନ ଦେଖିଲେ ବୀଣା ସେମିତି ଛଟପଟ ହୁଏ । ରାତି ରାତି ଜଗି ବସି ସେବାକରେ । ଦେବତାର ମଙ୍ଗଳପାଇଁ ପରମେଶ୍ୱରଙ୍କୁ ଡାକେ । ଆଖିରୁ ଲୁହ ଗଡ଼ାଏ । ଭାବେ ଭଗବାନ୍ କ’ଣ ଏ ପ୍ରାଣର ଭାଷା ବୁଝିବାକୁ ଏଡ଼େ ନିଷ୍ଠୁର...ହୃଦୟ କ'ଣ ତାଙ୍କର ଏତେ ନିର୍ମମ !

 

ପରକ୍ଷଣରେ ପୁଣି ଭାବେ, ମନରେ ତା’ର ଆଶା ହୁଏ, ଭଗବାନ୍ ନିଶ୍ଚୟ ଡାକ ଶୁଣିବେ-। ସେଇ ଦିନ ସେ ଶୁଣିବେ ଗରିବର ଡାକ, ଯେଉଁଦିନ ତାଙ୍କରି ପରି ଶହ ଶହ ଗରିବ ନିଃସହାୟମାନେ ହୃଦୟ ଖୋଲି ଡାକିବେ । ଥରହର ହେବ ତାଙ୍କର ମଣିମୟ ଆସନ-। ବଡ଼ ଦେଉଳର ପ୍ରତି ପଥର ଖଣ୍ଡବି ଥରହର ହୋଇ ଉଠିବ । ଥରହର ହେବ ବାଇଶ-ପାବଚ୍ଛ । ସେ ଦିନ ଆଉ ସେ ଶୋଇରହି ପାରିବେନି । ଜାଗି ଉଠିବ ତାଙ୍କର ମରଶରୀର । କିନ୍ତୁ...କାହାନ୍ତି ସେ-?

 

ଏମିତି କେତେ ଆଶା ଆଉ ନିରାଶା ଭିତରେ ମନ ତା’ର ଉଡ଼ି ବୁଲେ ଏପାରିରୁ ସେପାରିକୁ, ସେପାରିରୁ ଏପାରିକୁ ହୋଇ...

 

ନିମିଷକ ପାଇଁ ପ୍ରିୟତମଙ୍କର ଭାବନାରୁ କ୍ଷାନ୍ତ ହୁଏନି ବୀଣା । ପତି-ଦେବତା କିପରି ତା'ର ଭଲ ହୋଇ ଯା'ନ୍ତୁ; ଏଇ ଚିନ୍ତା କରି ମନର ମିନତି ବାଢ଼େ ପରମେଶ୍ୱରଙ୍କ ପାଖରେ । ଏଇ ଆରାଧନା ଭିତରେବି ଆଖିରୁ ତା’ର ଲୁହ ବନ୍ଦ ହୁଏନି । ମଉଳା ଫୁଲ ଝରିଲା ପରି ଆଖିରୁ ଲୁହ ତା’ର ଝରିପଡ଼େ ଝର ଝର ହୋଇ । ମନପ୍ରାଣ ଢାଳି ତପସ୍ୟା କରେ ପତି-ଦେବତାଙ୍କର ଶରୀର ଆରୋଗ୍ୟପାଇଁ.....

 

ସମୟ ଗଡ଼ି ଚାଲିଛି ଦିନ, ମାସ ଦଣ୍ଡ ବ୍ୟବଧାନ ନେଇ । ଅବିଶ୍ରାନ୍ତ ଗତିରେ କାହାକୁ ଅପେକ୍ଷା ନକରି ସମୟୋତ୍‍ଥାନ ଗତିରେ ଭଉଁରୀ ଖେଳି ଖେଳି ସମୟ ଯେମିତି ବହି ଚାଲେ ଆଗକୁ, ମଣିଷର ଜୀବନ କୁସୁମଟି ଠିକ୍ ସେମିତି ଗୋଟି ଗୋଟି ପାଖୁଡ଼ା ଖୋଲିଲାବେଳେ ଧୋକା ଖାଇ ଜୀବନ ଉପରେ ବୁହାଇ ଦିଏ ଶତ ଝଡ଼-ଝଞ୍ଜା । କେଉଁଠି ପଡ଼େ ଚିର ତୃଷାରିତ ଶଙ୍ଗ ତ କେଉଁଠି ବାଲୁକା ରାଶିର ସୁପ୍ରଶସ୍ଥ ମରୁଭୂମି । ସମୟ ଯେମିତି ନୀରବରେ ବହି ଚାଲେ, ମଣିଷ ଦୁର୍ଦ୍ଦଶାଗ୍ରସ୍ତ ଜୀବନକୁ ଠିକ୍ ସେମିତି ନିଜ ଉପରେ ବୁହାଇ ଚାଲେ । ନିୟତିର ଅଲଙ୍ଘ୍ୟ ଶକ୍ତିକୁ ଭୋଗିବାକୁ ବାଧ୍ୟ ହୁଏ ।

 

ଆଜି ସେମିତି ପ୍ରକାଶ ଆଉ ବୀଣା ଜୀବନରେ ଦୁର୍ଦ୍ଦଶାର ସୁଅ ବହି ଚାଲିଛି । ସେଦିନର ସୁଖ ଆଜି ହଜି ଯାଇଛି । ଅଭାବ ଅନାଟନର ଅନ୍ଧାର ବାଟ ଆଜି ତାଙ୍କ ଆଗରେ ପକ୍ଷମେଲାଇ ଠିଆହୋଇଛି । ଭବିଷ୍ୟତ୍‍ର ରଙ୍ଗେଲି କଳ୍ପନାରେ ସେ ଯେଉଁ କଳ୍ପନାର ରେଶମୀ ଜାଲ ବୁଣି ଚାଲିଥିଲେ ତା' ଆଜି କଳ୍ପନାରେ ଉଭେଇ ଯାଇଛି । ମନ ରାଇଜର ଅଟଳ ଦମ୍ଭ ଶକ୍ତି ତିଳ ତିଳ ହୋଇ ଭାଙ୍ଗି ରୁଜି ଯାଇଛି ।

 

ପ୍ରକୃତିର ବିପର୍ଯ୍ୟୟ ଆଜି ସମସ୍ତଙ୍କ ମନରେ ଭରି ଦେଇଛି ହା-ହାକାର । ଆଉ ପ୍ରକାଶ ବା ସେଥିରୁ ବାଦ୍ ଯିବ କିପରି ! ସେ ବି ବସି ଭାବୁଛି କେମିତି ତା’ର ଏ ଛୋଟ ସଂସାରକୁ ବାହିନେବ ! ଏ ଦୀର୍ଘ ଦିନ କ’ଣ ନେଇ ସେ ବଞ୍ଚି ରହିବେ ।

 

ସବୁ ତ ଗଲା ! ଯେଉଁ ଆଶାରେ ସେ ବଞ୍ଚି ରହିଥିଲେ ତା’ ଆଉ ନାହିଁ । ବାତ୍ୟା ଆଉ ସମୁଦ୍ର ଲୁଣି ପାଣିରେ ସୁନାର ଫସଲ ସବୁ ତାଙ୍କର ନଷ୍ଟ ହୋଇ ଯାଇଛି । କେଉଁଠି ହେଲେ ବିଲ କଣରେ କଣେ ସୁଦ୍ଧା ଧାନଗଛଟିଏ ନାହିଁ ।

 

ଠିକ୍ ମନେ ଅଛି ତା’ର, ଫସଲ ସବୁ ପାଚି ଆସୁଥିଲା । ସବୁଜ ରଙ୍ଗକୁ ବୁଡ଼ାଇ ଦେଇ ସୁନାରଙ୍ଗ ଧରି ହସି ଆସୁଥିଲା ଧାନ କେଣ୍ଡାମାନ ! ଆଉ କେଇଟି ଦିନ ପରେ ଏଇ ମୁଣ୍ଡରେ ତା’ର ସବୁ ବୋହି ଆଣିଥାନ୍ତା । କିନ୍ତୁ ଆଜି ଆଉ କିଛି ନାହିଁ । କେମିତି ସେ ବଞ୍ଚିବେ.... । ଦୁଇବର୍ଷ ହେଲା ଘର ଛୁଆଣି ହୋଇନି । ଠାଏ ଠାଏ ଫୁଟି ଘରେ ବର୍ଷା ହେଉଛି । କେତେକ ଜାଗାରେ କାନ୍ଥ ପଡ଼ିଗଲାଣି । ଘରେ ଆଉ କାଣି କଉଡ଼ିଟିଏବି ନାହିଁ ବିକ୍ରି କରି ଚଳିବାକୁ । ଯାହା ଥିଲା ସମସ୍ତ ବିକ୍ରି କରି ସେମାନେ ଏଇ କେତେ ଦିନ ଦୁଃଖ କଷ୍ଟରେ ଚଳି ଆସିଲେ । ଏବେ କ’ଣ କରିବେ......ଦୀର୍ଘ ବର୍ଷଟିଏ କେମିତି ଚଳିବେ ! କେଉଁ ସମ୍ବଳନେଇ ପୁଣି ସେ ଫସଲ ଯୋଡ଼ିବେ......

 

କାହିଁ କେତେ, ସୀମାହୀନ ଭାବନାରେ ପ୍ରକାଶର ନିରସ ମନଟି ଲମ୍ବି ଯାଇଛି । ଆଖିରେ ତା’ର ଘନେଇ ଆସୁଛି ଦେହର ରକ୍ତ କଣିକା, ଲୁହ ଆକାରରେ ।

 

ବୀଣାବି ଆଖିରୁ ଲୁହ ଝରୁଛି ଭାବି ଭାବି । ଏଇ କଅଁଳ କଅଁଳ ହାତରେ ତା’ର ସେ କେତେ ପରିଶ୍ରମ କରି ସୁନାର ଫସଲ ହସାଇ ଥିଲା । ଦିନ ରାତି ଖଟି ଖଟି କେତେ ଆଶା କରିଥିଲା; ଦୁଃଖ ତା’ର ଘୁଞ୍ଚିବ...ଅତୀତର ସମସ୍ତ ଦୁଃଖ କଷ୍ଟକୁ ସୁଖ ମଣି ଲାଗି ପଡ଼ିଥିଲା ଫସଲ ଗଣ୍ଡାଏକ ପାଇଁ । କିନ୍ତୁ ଭଗବାନ୍ କଲେ କ'ଣ... ? ବାଦ ସାଧିଲେ ପୁଣି ତାଙ୍କ ସହିତ । ଦଦରା ଗୋଡ଼ ହାତକୁ ପୁଣି ଏଥର ପୂରାପୂରି ଭାଙ୍ଗିଦେଲେ । ଭସାଇ ଦେଲେ ଅଥଳ ସାଗରରେ...ତଥାପି ଠାକୁରଙ୍କୁ ଗାଳିଦିଏନି ବୀଣା ! ନିନ୍ଦା କରି କହି ପାରେନି । ମୋଟେ । ଅଭିମାନ କରି ମୁଣ୍ଡିଆମାରି ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ । "ତୁମେହିଁ ଆମର ଭରସା ପ୍ରଭୁ ! ତୁମେହିଁ ଏ ଅସହାୟର ସହାୟ ! ଦୁଃଖ ଦିଅ ପଛେ ପ୍ରଭୁ ଧୈର୍ଯ୍ୟ ଦିଅ । ସହାୟ ହୁଅ ଏ ଦୀନହୀନକୁ ।

 

ନିୟତିର ନିଷ୍ଠୁର ନିର୍ଦ୍ଦେଶନାରେ ମଣିଷ ଭୋଗେ ଦୁଃଖ । ସମୟ ଆସେ, ପେଟ ଖଣ୍ଡକ-ବି, ପୂରେନି ତା’ର । ବାଡ଼ି ବଗିଚାର ଶାଗପତ୍ରବି ଦୁର୍ଲଭ ହୁଏ ।

 

ଦିନେ ଦିନେ ଏତେ ଅସୁବିଧାପଡ଼େ ଯେ, ପ୍ରକାଶ ଆଉ ବୀଣାକୁ ଉପବାସ ରହିବାକୁ ପଡ଼େ । ରାତି ପାହେ ବାରଓଳି ତଳ ବୁଲି ଶାଗ ମୁଠାଏ, ବଣ ସାରୁରୁ ପୁଳାଏ ଆଣି ସିଝାଇଦିଏ ବୀଣା ! ସେଇଥିରୁ ପୁଳାଏ ଦୁଇଜଣ ଭାଗ କରି ଖାଆନ୍ତି । ବୀଣା ଅଳ୍ପରଖି ପ୍ରିୟତମକୁ ତା’ର ବେଶି ଦିଏ । ଦିନେ ଦିନେ ସେତକବି ବୀଣା ଖାଏନି । ଦେବତାପାଇଁ ତା’ର ସାଇତି ରଖେ । ଦୁଇ ଦିନ, ତିନି ଦିନ ପର୍ଯ୍ୟନ୍ତବି ଖାଲିପେଟରେ ରହେ ବୀଣା । ପ୍ରାଣ ତା’ର ଭୋକରେ ଆଉଟି ପାଉଟି ହୁଏ; ତଥାପି ସେ, ଭଗତକ ତା’ର ଖାଏନି । ପ୍ରିୟତମଙ୍କର ମୁହଁ ଦେଖି ସମସ୍ତ ଦୁଃଖ ଲିଭିଯାଏ ତା' ମାନସପଟରୁ ! ମୁହଁରେ ତା’ର ହସର ପାଖୁଡ଼ା ମେଲିଯାଏ !

 

......ବୀଣାର ଶୁଖିଲା ମୁହଁରେ ହସ ଦେଖି କାନ୍ଦିଉଠେ ପ୍ରକାଶ । ଆତ୍ମା ତା’ର ବାହୁନି ଉଠେ ପ୍ରିୟତମର ଦୁଃଖରେ । ଆଖିରୁ ତା’ର ଲୁହଝରିପଡ଼େ ଅତୀତ କଥା ଭାବି...ଭାବି । ପ୍ରକାଶ କାନ୍ଦେ ବୀଣାବି କାନ୍ଦେ । ଘଣ୍ଟା ଘଣ୍ଟା ଧରି ଭାବିବସନ୍ତି ଏ ଦୁଃଖର ସମାଧାନ ପାଇଁ । ତଥାପି ସମାଧାନ ପାଆନ୍ତିନି । ପୁଣି ଆଖିର ଲୁହକୁ ସାଥୀକରି ଭାବିବସନ୍ତି ।

 

ଏତେ ଅଭାବ ଅସୁବିଧା ସତ୍ତ୍ୱେବି ବୀଣାର ତା’ର ପତି ଦେବତାଙ୍କୁ ଭଲପାଇବାରୁ ବଞ୍ଚିତ କରେନି, କର୍ତ୍ତବ୍ୟରେ ଅବହେଳା କରେନି । କୌଣସି ଖରାପ ଧାରଣା ମନରେ ଆସେନି ତିଳେ ହେଲେ । ବାପଘରୁ ତା’ର ଖବର ଆସେ–ଯିବାକୁ ତାକୁ । କିନ୍ତୁ ବୀଣା ସବୁ ପ୍ରତ୍ୟାଖ୍ୟାନ କରେ, ନା–ଯିବନି ସେ କାହିଁକି ଯିବ...। ସେ ସିନା ବାପଘରକୁ ତା’ର ଚାଲିଯିବ, କିନ୍ତୁ ତା’ ଦେବତା.... ? ଆଉ ଭାବି ପରେନି ବୀଣା । ବିରାଟ ପ୍ରଶ୍ନବାଚୀ ମନରେ ତା’ର ଉଙ୍କିମାରେ, ପ୍ରାଣ ତା’ର ଶତବୁଶ୍ଚିକର ଦଂଶନ ଅନୁଭବ କରେ । ଦେବତାଙ୍କୁ ତା’ର ଛାଡ଼ି ସେ, କ'ଣ ସୁଖ-ଶାନ୍ତିରେ ରହିପାରିବ ? ନା ନା–ଯିବନି ସେ, ନପାଉ ପଛେ ତିନି ଓଳିଏ ପେଟପୂରା ଖାଇବାକୁ; ତଥାପି ଦେବତାପାଇଁ ତା’ର ସବୁ ସେ ହସି ହସି ସହିପାରିବ । ତାଙ୍କରି ପାଦତଳେ ସେ ଲୋଟିପଡ଼ିବ । ସେଇହିଁ ତା’ର ଆନନ୍ଦ । ସେଇଥିରେ ପାଇବ ସେ ଶାନ୍ତି ସେଇଥିରେ ପାଇବ ସେ ମୁକ୍ତି ।

 

ଅନେକ ସ୍ତ୍ରୀ ନିଜର ଭରଣ ପୋଷଣପାଇଁ ସତୀତ୍ଵକୁ ଆତ୍ମବଳି ଦିଅନ୍ତି । ନିଜର ସଅକପାଇଁ, ଆଉ ସାମାନ୍ୟ ଦି ପଇସା ଲୋଭରେ ନିଜର ସତୀତ୍ଵକୁ ଅକୁଣ୍ଠ ଚିତ୍ତରେ ବଳିଦେଇ ପାରନ୍ତି । ଏମିତି କି ଅନେକ ଏଇ ସ୍ତ୍ରୀ ଜାତିର ଅଛନ୍ତି ସେମାନେ ଆଗ ଢଳି ପଡ଼ନ୍ତି ପର ପୁରୁଷ ଆଡ଼େ । କେମିତି ଯେ ନିଜର ଅଦେୟ ଜିନିଷକୁ ଅକୁଣ୍ଠ ଚିତ୍ତରେ ପର ପୁରୁଷକୁ ଦେଇ ସ୍ୱାମୀ ଆଗରେ ଛଳନା କରି ସତୀତ୍ଵର ବେଶ୍ ପରିଚୟ ଦିଅନ୍ତି ସେକଥା କେବଳ ସେଇମାନଙ୍କୁ ଜଣା । ଥରେ ଯାହାକୁ ଦେଲେ ଜୀବନରେ ଆଉ ଫେରାଇ ଆଣି ହୁଏନି, ଯାହାପାଇଁ ନାରୀ ଗର୍ବ କରେ ଯେଉଁଥିପାଇଁ ନାରୀ ଛାତିଫୁଲାଇ ଚାଲେ, ତାକୁ ଯେ ସେମାନେ କିପରି ହସି ହସି ଉପଯାଚିକାପରି ବଳିଦେଇ ପାରନ୍ତି, ସେକଥା ଭାବିଲେ ଆଶ୍ଚର୍ଯ୍ୟଲାଗେ । ଯେଉଁମାନେ ଏସବୁପାଇଁ ଟିକିଏ ହେଲେ ପଛାନ୍ତିନି, ଧର୍ମା-ଧର୍ମକୁ ଭୟକରନ୍ତିନି ଧିକ୍ ସେମାନଙ୍କୁ ଧିକ୍ ତାଙ୍କର ନାରୀ ଜନ୍ମକୁ, ଧିକ୍ ତାଙ୍କର କଳୁଷିତ ଜୀବନକୁ, ଆଉ ଧିକ୍ ତାଙ୍କର....

 

ଆଜିକାଲି ଅନେକଆଧୁନିକ ଝିଅମାନଙ୍କର ଏସବୁ ପେଷା କହିଲେ ଚଳେ । କିନ୍ତୁ ବୀଣା... ? ଏସବୁ ଭାବିଲେ ଦେହ ତା’ର ଥରିଉଠେ । ଜଣାଯାଏ ତାକୁ ଯେମିତି କିଏ ଘେରି ବସିଛନ୍ତି ! ମନ ତା’ର ଚିଡ଼ିଉଠେ ଏଇ ବ୍ୟଭିଚାରିଣୀ ନାରୀମାନଙ୍କ ଉପରେ । ଠାକୁରଙ୍କୁ ଡାକେ; ମୋତେ ସତ୍‍ପଥରେ ନିଅ ଠାକୁରେ, ଗଢ଼ିନିଅ ସତୀ ସୀତା ଓ ସାବିତ୍ରୀପରି ..

 

ଯୁଗେ ଯୁଗେ ନାରୀ ଧର୍ମ ରଖି ଆସିଛି । ଆଉ ଏଇ ନାରୀଲାଗି ସବୁଉଜ୍ଜ୍ୱଳ ହୋଇଉଠିଛି । ସତୀତ୍ଵର ମହତ ରଖି ଯେଉଁମାନେ ଦୁଃଖକୁ କଠିନ ପଥରେ ପଡ଼ାରଖି ଆଗେଇ ଯାଇଛନ୍ତି ସେଇମାନଙ୍କର ନାଁ, ସ୍ୱର୍ଣ୍ଣାକ୍ଷରେ ଲିପିବଦ୍ଧ ହୋଇ ରହିଛି ଏ ପୃଥିବୀ ବକ୍ଷରେ, ଇତିହାସର ଅମର ପୃଷ୍ଠାରେ-ସତୀ ସୀତା, ସାବିତ୍ରୀ, ଅନସୂୟା, ଦମୟନ୍ତୀ....

 

ସ୍ୱାମୀର ସୁଖ-ଦୁଃଖରେ ଯେଉଁମାନେ ଭାଗ ନେଇ ପଥପଦର୍ଶକ ହୋଇ ଆସିଛନ୍ତି ସେଇମାନେ ମହତ୍ ଚରିତ୍ରା....ନାରୀ ଜାତିର ଚିର ନମସ୍ୟ ଅନସୂୟା କ’ଣ ନ କରିଛି ନିଜର ପତିଦେବତା ପାଇଁ ? ସେ କଥା ଭାବି ଭାବି ବୀଣାର ମୁଣ୍ଡ ନଇଁଆସୁଥିଲା ତାଙ୍କରି ଉଦ୍ଦେଶ୍ୟରେ । ଭାବୁଥିଲା ସେ ତାଙ୍କରିପରି ହେବ...ତାଙ୍କରି ଆଦର୍ଶରେ ଅନୁପ୍ରାଣିତ ହେବ । ଶତଦୁଃଖକୁ ସେ ପାଦରେ ତା’ର ଦଳିଦେବ ପତିଦେବତାଙ୍କୁ ପାଖରେ ପାଇ । ଜୀବନକୁ ତା’ର ବିତାଇ ଦେବ ପତି-ପରମେଶ୍ୱରଙ୍କ ସେବାରେ ।

 

ମଣିଷ ଜୀବନରେ ଯେତେବେଳେ ଦୁଃଖ ଆସେ, ସମୁଦ୍ରର ଜୁଆରପରି ମାଡ଼ିଆସେ ଦୁଇକୂଳ ଲଙ୍ଘି । ସମୁଦ୍ରର ବେଳାଭୂମି କ'ଣ ଉତ୍‍କ୍ଷିପ୍ତ ଜୁଆରକୁ ଅବରୋଧ କରିପାରେ ? ନା, ନା, ସମୁଦ୍ରର ବିସ୍ତୀର୍ଣ୍ଣ ବାଲିଭେଳା ଅବରୋଧ କରିପାରେନା । ମାଡ଼ିଚାଲେ ସମସ୍ତ ବାଧାବିଘ୍ନ ଏଡ଼ାଇ ସମୁଦ୍ରର ଉତୁଙ୍ଗ ଲହରୀମାଳ ।

 

ଆଉ ଆଜି ଠିକ୍ ସେମିତି ପ୍ରକାଶ ଆଉ ବୀଣା, ଦୁଇଟି ସରଳ ନିରୀହ ଜୀବନ ଉପରେ ମାଡ଼ିଆସିଛି ଦୁଃଖର ଅଗଣିତ ତରଙ୍ଗମାଳ । ବାତ୍ୟା-ମରୁଡ଼ିର ଭୀଷଣ ଦାଉ ସହି ସହି ହାଡ଼ ଦିଖଣ୍ଡ ନେଇ ଯାହାବା ବଞ୍ଚି ଥାନ୍ତେ, ତା'ପଛେ ପଛେ ହେଲା ଦୁର୍ଦ୍ଧର୍ଷ ବାତ୍ୟା, ଆଉ ଲୁଣାପାଣିର ପ୍ରବଳ ଜୁଆର । ଫସଲ ତ ଦୂରର କଥା, ବିଲରେ ଘାସଗଛଟିଏବି କଅଁଳିଲା ନାହିଁ । ଖାଇବାକୁ କେତେ ଲୋକ ପୋକ, ମାଛିପରି ମଲେ, ଆଉ ଯେଉଁମାନେ ପେଟର ଜ୍ୱାଳା ସହିନ ପାରି ଗଛର ପତ୍ର, ଚୋପା ଖାଇ କ୍ଷୁଧା ନିବାରଣ କଲେ ସେମାନେ ଚାଲିଲେ ପରପାରିକୁ ରୋଗ କବଳରେ ପଡ଼ି । ଶହ ଶହ ଲୋକ ପେଟ ପୋଷିବାପାଇଁ କିଏ କୁଆଡ଼େ ଚାଲିଗଲେ ସେ କଥା ବା କିଏ ଜାଣେ ? ତା’ର ବା ହିସାବ ନିକାଶ ରଖିଛି କିଏ ! ଜନ୍ମଦାତ୍ରୀ ନବଜାତ ଶିଶୁକୁ ଛାଡ଼ି ପେଟ ବିକଳରେ ଚାଲିଗଲା । କିନ୍ତୁ ବୀଣା.... ? ସେ ଯାଇପାରିଲାନି ତା’ର ପ୍ରାଣର ପତି-ଦେବତାଙ୍କୁ ଛାଡ଼ି । ସେ ଜଣେ ପତି-ପରମେଶ୍ୱରଙ୍କୁ ଛାଡ଼ି ଗଲେ ଏ ଜନ୍ମରେ କ'ଣ, ପରଜନ୍ମରେବି ନାରୀର ମୁକ୍ତି ନାହିଁ ।

 

ଅନେକ ସ୍ତ୍ରୀ ଯିବା ସମୟରେ ବୀଣାକୁ ଡାକିଛନ୍ତି ଯିବାକୁ, କିନ୍ତୁ ସେ ଯାଇନି । ମନ ତା’ର କହିନି ଯିବାକୁ । ଏ ସ୍ଥିର କରିନେଇଛି କେଉଁଠିକି ସେ ଯିବନି । ସ୍ୱାମୀ-ଦେବତାଙ୍କ ପାଦତଳେ ପଡ଼ି ମରିବ ପଛେ ତାଙ୍କୁ ଛାଡ଼ି ସେ କେଉଁଠିକି ଯାଇ ପାରିବନି । ତା’ର ପତି-ଦେବତାଙ୍କୁ ଛାଡ଼ି କେମିତି ଯିବ ସେ ! ସେ ପରା ଜଡ଼ପିଣ୍ଡ, ଆଉ ଦେବତା ପରା ତା’ର ପ୍ରାଣ ।

 

ଭାବି ଚାଲିଛି ବୀଣା–ଯେଉଁ ଗ୍ରାମରେ ହସ-କାନ୍ଦର କଲ୍ଲୋଳ ଧ୍ୱନି ଆନନ୍ଦରେ ମୁଖରିତ ହେଉଥିଲା ସେ ଆଜି ଶ୍ମଶାନ ସାଜିଛି । ସେଠାରେ ବାସ କରିବାକୁ ବସିଛନ୍ତି କାଉ, କୁକୁର ଶୃଗାଳ ଦଳ । ଖଣ୍ଡେ ମଢ଼ାକୁ ବେଶ୍ ଆନନ୍ଦରେ ସମସ୍ତେ ମିଳିମିଶି ଖାଉଛନ୍ତି । କାହାରି ମନରେ ହିଂସା ନାହିଁ । ପାଷାଣପରି ଗୋଟିଏ ଜାଗାରେ ବସି ଭାବିଚାଲିଛନ୍ତି ଯୁଗଳ ଦମ୍ପତି–ବୀଣା ଆଉ ପ୍ରକାଶ । ଦେଖି ଦେଖି ଆଖିରୁ ତାଙ୍କର ଲୁହ ଗଡ଼ିପଡ଼ୁଛି । ଦିନେ ଯେ ତାଙ୍କର ଏମିତି ଅବସ୍ଥା ନ ହେବ ସେ କଥା କିଏ ଜାଣେ ! କେମିତି ବା ଆଉ ଜୀବନ ଧରିବେ । ତିନିଦିନ ଉପବାସରେ ଗୋଡ଼ ଚଳୁନି । ଆଖି କୋରଡ଼ କୋରଡ଼ ହୋଇ ଆସିଲାଣି । ଦେହର ପିଞ୍ଜରା କାଠି କେଇଖଣ୍ଡ ସ୍ପଷ୍ଟଭାବେ ଗଣିହୋଇ ପଡ଼ୁଛି । କଥା କହିବାକୁ ଶକ୍ତି ନାହିଁ ତାଙ୍କ ଦେହରେ । ପ୍ରକାଶ ଦେହଠୁ ଅଧିକ ଜୀର୍ଣ୍ଣଶୀର୍ଣ୍ଣ ହୋଇପଡ଼ିଛି ବୀଣାର ରୋଗିଣୀ ଦେହଖଣ୍ଡକ; ତଥାପି ନିଜର ଦେହପ୍ରତି ବୀଣାର ଲକ୍ଷ୍ୟ ନାହିଁ । ପ୍ରିୟତମର ଅସ୍ଥିକଙ୍କାଳ ଦେହକୁ ଚାହିଁଲା ବୀଣା–ଚାହିଁରହିଲା ହୃଦୟ-ଦେବତା ପ୍ରକାଶର ନିସ୍ତେଜ ମୁହଁକୁ । କୋରଡ଼ କୋରଡ଼ ଆଖିରୁ ତା’ର ଗଡ଼ିପଡ଼ିଲା ଟୋପା ଟୋପା ଲୁହଧାର, ହୃଦୟ ତା’ର ଆନ୍ଦୋଳିତ ହୋଇଉଠିଲା ।

 

ଯେତେବେଳେ ସମସ୍ତେ ନିଜର ମାତୃଭୂମି ଛାଡ଼ି ଚାଲିଗଲେ ପ୍ରକାଶ ଆଉ ବୀଣା ବା ରହନ୍ତେ କିପରି ! କ’ଣ ନେଇ ବା ସେ ବଞ୍ଚିରହିବେ ଏଠାରେ ! ତାଙ୍କୁବି ଯିବାକୁ ହେବ ।

 

ମାତୃଭୂମିରୁ ଶେଷଥର ପାଇଁ ଧୂଳି ଆଣି ମୁଣ୍ଡରେ ମାରି କାନ୍ଦି ଉଠିଲେ ଦୁହେଁ । ମମତାମୟୀ ଜନ୍ମଭୂମିର ବିଦାୟ ନେଇ ଯିବାକୁ ପାଦ ତାଙ୍କର ଆଗକୁ ଆଗେଇଲାନି । ପଛରୁ ଯେମିତି କିଏ ଟାଣିଧରୁଛି । ଆଗକୁ ଯିବାକୁ ତାଙ୍କର ଆଉ ପାଦଚଳୁନି; ତଥାପି ତାଙ୍କୁ ଯିବାକୁ ହେବ । ନଯାଇ ବା ଆଉ ଉପାୟ କ’ଣ ? କେମିତି ବା ଜୀବନ ଧରିବେ ।

 

ସମସ୍ତ ଚିନ୍ତାକୁ ଦୂରେଇ ଦେଇ କେଉଁଠିକି ଯିବାକୁଭାବି ବାହାରି ପଡ଼ିଲେ ଦୁହେଁ । ଉପବାସରେ ଗୋଡ଼ ଚଳୁନି । ବୀଣାର ସନ୍ତାନ ପ୍ରସବ ସମୟ ହୋଇ ଆସିଲାଣି । ସେ, ବି ଚାଲିବାକୁ ଅକ୍ଷମ ! ଚାଲିବାର ଶକ୍ତି ନଥିଲେବି ବଞ୍ଚିବାର ଆଶା ଚାଲିବାକୁ ବାଧ୍ୟ କରୁଛି ।

Unknown

 

ପାଦଟିଏ ଆଗେଇ ଯାଇ ଥକାମାରି ଠିଆ ହୋଇପଡ଼ିଲେ ଦୁହେଁ । ବିବାହଦିନରୁ ଦିନଟିଏ ହେଲେ ତାଙ୍କର ସୁଖରେ କଟିଲାନି । ଦୁଃଖର ପାରାବାର ମଧ୍ୟରେ ବହିଆଣିଛନ୍ତି ଜୀବନତରୀ ପୁଣି ଏଇ ଦୁଃଖର ଅଥଳ ସାଗରକୁ । କୁଆଡ଼େ ଯିବେ.....କ’ଣ କରିବେ । ଆଉ କେମିତି ବା ଏଜୀବନ ରଖିବେ ତା’ ଭାବି ସ୍ଥିରକରି ପାରୁନାହାନ୍ତି ଦୁହେଁ । ଲକ୍ଷ୍ୟ ହୀନଭାବେ ପାଦେ ପାଦେ ଆଗେଇ ଚାଲିଛନ୍ତି ବୀଣା ଆଉ ପ୍ରକାଶ ! ଅବଶ୍ୟ ପାଦ ଦୁଇଟି ଆଗକୁ ଉଠୁଛି ଯେତିକି ପଛକୁ ଟାଣୁଛି ସେତିକି ସେତିକି ।

 

ପ୍ରକାଶ ଭାବୁଛି, କେଉଁଆଡ଼େ ନେଇ ଗର୍ଭବତୀ ସ୍ତ୍ରୀକୁ ତା’ର ଯିବ । କିଏ ଦେବ ତାକୁ ଆଶ୍ରୟ । ନୀରସ ମନନେଇ ପ୍ରଶ୍ନକଲା ପ୍ରକାଶ, କେଉଁଆଡ଼େ ଯିବ ବୀଣା ? କିଏ ଦେବ ଆମକୁ ମୁଠିଏ ଭାତ, ମୁଣ୍ଡଗୁଞ୍ଜିବାକୁ ଟିକିଏ ଆଶ୍ରୟ ?

 

କ’ଣ ବା ଉତ୍ତର ଦେବ ବୀଣା ! କିଛି କହିବା ପୂର୍ବରୁ କାନ୍ଦି ଉଠିଲା ସେ । ପ୍ରକାଶବି ଧୈର୍ଯ୍ୟଧରି ରହି ପାରିଲାନି । ଆଖିରୁ ତା’ର ଗଡ଼ିଆସିଲା ଅସରା ଅସରା ଲୁହଧାର ପ୍ରାଣର ପ୍ରତିମା ଦୁଃଖରେ ସମବେଦନା ଜଣାଇ । ଦୁନିଆ ତାକୁ ଦୁଃଖପୂର୍ଣ୍ଣ ପରି ଲାଗିଲା । କ’ଣ କରିବ...., କେଉଁଆଡ଼େ ନେଇ ଗର୍ଭବତୀ ସ୍ତ୍ରୀକୁ ତା’ର ଯିବ....କିଏ ଦେବ ତାକୁ ଆଶ୍ରୟ...

 

ଦୁଃଖରେ ତାଙ୍କର ସମବେଦନା ଜଣାଇବାକୁ କିଏ ବା ଆଉ ତାଙ୍କର ଆପଣାର ହୋଇ ଅଛି !

 

ଭାବନାର ଶେଷନାହିଁ । ମଣିଷ ଯେତେ ଭାବିବନି ବୋଲି ଭାବେ, ଭାବନା ତାକୁ ସେତେ ଜାବୁଡ଼ି ଧରେ....ବିବ୍ରତ କରେ । ଯେମିତି ସେ ଛାଡ଼ିବାକୁ ନାରାଜ । ପ୍ରକାଶ ସେମିତି ଭାବନାର ଅଠା କାଠିରେ ପଡ଼ି ଭାବୁଛି । ଯେତେ ସେ ଭାବୁଛି, ଭାବନାର ଖିଅ ସେତେ ଜମାଟ ବାନ୍ଧୁଛି ମନରେ ତା’ର....ଅସରନ୍ତି ଭାବନା ମନକୁ ତା’ର ଉପବେଷ୍ଟନ କରି ରହୁଛି । ତଥାପି ଆଗକୁ ଆଗକୁ ଆଗେଇ ବୀଣା ଆଉ ପ୍ରକାଶ ସର୍ବନିୟନ୍ତା ପରମେଶ୍ୱରଙ୍କୁ ଡାକି ଚାଲିଛନ୍ତି, "ହେ ଠାକୁରେ, ତୁମେହିଁ ଆମର ଭରସା । ତୁମେହିଁ ଏ ନାବିକବିହୀନ ତରଣୀର କର୍ଣ୍ଣଧାର । ତୁମେ ଯୁଆଡ଼େ ବାଟ କଢ଼ାଇନେବ !" ଏମିତି ମନେ ମନେ କେତେ ଡାକି ଚାଲିଛନ୍ତି ଠାକୁରଙ୍କୁ ଆକୁଳ ଅନ୍ତରରେ କେଉଁଆଡ଼େ ଯିବେ, କ’ଣ କରିବେ, କିଛି ସ୍ଥିର ନକରି ତଥାପି ଆଗକୁ ଆଗକୁ ପାହୁଣ୍ଡ ଉଠାଇ ଚାଲିଛନ୍ତି ଲକ୍ଷ୍ୟହୀନଭାବେ.....

 

ଗୋପାଳବାବୁଙ୍କ ମନରେ ଆଜି ଶାନ୍ତି ନାହିଁ । ଅଚଳାଚଳା ସମ୍ପତ୍ତିର ମାଲିକ ହେଲେ କ’ଣ ହେବ, କୋଳ ତାଙ୍କର ଶୂନ୍ୟ ଥିବାରୁ ତାଙ୍କୁ କିଛି ଭଲ ଲାଗୁନି । ସବୁବେଳେ ସେ ଦୁଶ୍ଚିନ୍ତାଗ୍ରସ୍ତ ମନନେଇ ଦିନ କାଟୁଛନ୍ତି । କଥାରେ ଅଛି, "ଦଇବ ଦଉଡ଼ି ମଣିଷ ଗାଈ, ଯେଣିକି ଟାଣଇ ତେଣିକି ଯାଇ" । ତେଣୁ ମଣିଷର ବା ଉପାୟ କ’ଣ ? ମଣିଷ କେବଳ ସୁଖ ଦୁଃଖର ଦାସ, ନିୟତିର ହାତ ଗଢ଼ା ପିତୁଳା । ସର୍ବନିୟନ୍ତା ପରମେଶ୍ୱରଙ୍କ ନିର୍ଦ୍ଦେଶନାରେ ଚଳିବା ବ୍ୟତୀତ ଅନ୍ୟ ଉପାୟ ତା’ର ନାହିଁ ।

 

କନକଦେବୀ କେତେ ଦିଅଁଦେବତାଙ୍କୁ ଡାକି ମଧ୍ୟ କିଛି ଫଳ ହେଉନି । ତେଣୁ ସର୍ବଦା ସେ ଅଶାନ୍ତିରେ ଆଖିରୁ ଲୁହ ଝରାଉଛନ୍ତି । ସ୍ତ୍ରୀଙ୍କ ନିର୍ଦ୍ଦେଶନାରେ କେତେ ଦାନ ଖଇରାତ, ବିଧିବିଧାନରେ ଠାକୁର ଠାକୁରାଣୀଙ୍କର ପୂଜା ଆରାଧନା କରିଛନ୍ତି ଗୋପାଳବାବୁ । ହେଲେ ଠାକୁରେ ତାଙ୍କର ମନର ଆଶା ପୂରଣ କରିନାହାନ୍ତି । ତାଙ୍କର ଆରତ ଡାକ ଠାକୁରଙ୍କୁ ଶୁଭେ କି ନା, ସେକଥା କେବଳ ସେଇ ଠାକୁରଙ୍କୁହିଁ ଜଣା । "ଆଶ୍ଚର୍ଯ୍ୟ ଏ ଦୁନିଆ ।" ଯିଏ ଭଗବାନ୍‍ଙ୍କୁ ହୃଦୟ ଖୋଲି ଡାକେ । ସେଇ ଭୋଗେ ଅସହ୍ୟ ଦୁଃଖ ନିର୍ଯାତନା, ଆଉ ଯେଉଁମାନେ ସ୍ୱପ୍ନରେ ସୁଦ୍ଧା ଭଗବାନ୍‍ଙ୍କୁ ଡାକିବାକୁ ମନରେ ପ୍ରୟାସ କରନ୍ତିନି, ସେଇମାନେ ରହନ୍ତି ବେଶ୍ ଆନନ୍ଦରେ । ନଅ ଦଶ ତାଲାର ବିଜୁଳି ଆଲୁଅ ତଳେ ।

 

ଆଜି ଠିକ୍ ତାହାହିଁ ଗୋପାଳବାବୁଙ୍କ ଅଦେଖା ଭାଗ୍ୟରେ ଘଟିଛି । କେତେ କେତେ ପୁଣ୍ୟକାମ ପରେବି......କନକ ଦେବୀ ସନ୍ତାନଟିଏ ପାଇବାପାଇଁ କେତେ ଠାକୁର ଠାକୁରାଣୀଙ୍କୁ ଡାକିଛନ୍ତି, କେତେ ଉପବାସ ବ୍ରତ ପାଳନ କରିଛନ୍ତି, କେତେ ମୁଣ୍ଡପିଟିଛନ୍ତି ଦୁଃଖରେ ସେଇ ପଥରର ଠାକୁର ପାଖେ; କିନ୍ତୁ କାହିଁ...କୋଳତ ତାଙ୍କର ପୂରିଉଠିନି.... ।

 

ତେବେ କ’ଣ ଆଉ ସେ କଥା ପଥରରେ ଦେବତା ନାହାନ୍ତି ? ଆଉ କ’ଣ ତାଙ୍କର ପୂର୍ବମହିମା ନାହିଁ ? ତେବେ ଲୋକମାନେ କାହିଁକି ସେ ପାଷାଣର ଦେବତା ଆଗରେ ମୁଣ୍ଡପିଟୁଛନ୍ତି..... ? ମନକୁ ମନ ପ୍ରଶ୍ନ କରିଉଠନ୍ତି କନକଦେବୀ । କିନ୍ତୁ ପର ମୁହୂର୍ତ୍ତରେ ଆଦୌ ବିଶ୍ୱାସ କରିପାରନ୍ତିନି ସେ । ହୃଦୟ ତାଙ୍କର ପରତେ ଯାଏନି । ନା-ନା ସେ ଏସବୁ ଗୁଡ଼ାଏ କ’ଣ ଭାବୁଛନ୍ତି । ଠାକୁରେ ସର୍ବଦା ମଙ୍ଗଳକାରୀ । ତେବେ ସେ କାହିଁକି ଏ ଖରାପ ଭାବନାଗୁଡ଼ାକ ମନକୁ ଆଣୁଛନ୍ତି-ଭାବି ଜିଭକାମୁଡ଼ି ପକାନ୍ତି ସେ– । ମନକୁ ମନ କ’ଣ ଭାବି ଖିନିମିନି ହୋଇ ଉଠନ୍ତି । ନିରାଶାରେ ଫେରନ୍ତି ପଥର ଦେଉଳରୁ.....

 

ପ୍ରାଣଭରି ସ୍ୱାମୀଙ୍କର ସେବା କରନ୍ତି କନକଦେବୀ । ଦେବତା ପରି ଭକ୍ତି କରନ୍ତି ସ୍ୱାମୀଙ୍କୁ । ପାଦଧୂଳି ନପାଇବା ପାର୍ଯ୍ୟନ୍ତ କୌଣସି ଜିନିଷ ପାଟିରେ ଦିଅନ୍ତିନି । ସ୍ୱାମୀଙ୍କର ମଙ୍ଗଳପାଇଁ ଶତ ବ୍ରତ ଉପବାସ ପାଳନ କରନ୍ତି । ପର ମଣିଷକୁ ଆପଣାର କରିବାର ବେଶ୍ ତାଙ୍କର ଗୁଣ ଅଛି । ପରଆପଣା ଭେଦାଭେଦ ତାଙ୍କଠି ନାହିଁ । ଦୁଃଖୀରଙ୍କୀ ଦେଖିଲେ ଆଖିରେ ତାଙ୍କର ଲୁହ ରହେନି । ସନ୍ତାନଟିଏ ପାଇଁ କେତେ ଦାନଖଇରାତ କରନ୍ତି । ସ୍ୱାମୀବି ତାଙ୍କ କଥାରେ କୌଣସି ପ୍ରତିବାଦ କରନ୍ତିନି । କାହିଁକି ପ୍ରତିବାଦ କରିବେ...କିଏ ବା ତାଙ୍କର ଆଉ ଆଗକୁ ପଛକୁ ଅଛି...

 

ତେବେ କାହିଁକି ସେ ଦୁଃଖରେ ଦିନକାଟୁଛନ୍ତି । କାହିଁକି ତାଙ୍କର ମାତ୍ର ଗୋଟିଏ ଆଶା ପୂରଣ ହେଉନି । କାହିଁକି.... ? କି ଦୋଷ କରିଛନ୍ତି ସେ ଦୁଇପ୍ରାଣୀ । କାହିଁକି ତାଙ୍କର କୋଳ ପୂରୁନି ତେବେ କ’ଣ ଅଭିଶପ୍ତ ଜୀବନ ତାଙ୍କର ! ଏମିତି ଅନେକ ସମୟରେ ଅନେକ କଥା ଭାବି ଭୋ–ଭୋ ହୋଇ କାନ୍ଦିଉଠନ୍ତି କନକଦେବୀ ।

 

ଗୋପାଳବାବୁ ସ୍ତ୍ରୀଙ୍କୁ ତାଙ୍କର ସାନ୍ତ୍ୱନା ଦେବାକୁ ଯାଇ ନିଜେବି ଧୈର୍ଯ୍ୟଧରିପାରନ୍ତିନି । କେବଳ ଲୁହର ଶ୍ରାବଣୀ ବରଷିବା ବ୍ୟତୀତ କେହି କାହାକୁ କିଛି କହିପାରନ୍ତିନି ।

 

ପିଲା ରଙ୍କୁଣୀ କନକଦେବୀ ପରପିଲାଙ୍କୁ ଦେଖିଲେ ଆଦର କରି କୋଳକୁ ଟାଣିନିଅନ୍ତି-। କୋଟିନିଧି ପାଇଲାପରି ହୁଅନ୍ତି ସେ । ନିଜର ପିଲାପରି ମନେ କରନ୍ତି । ପର ପିଲାଙ୍କୁ କୋଳରେ ଜାକିଧରନ୍ତି ହୃଦୟର ଯନ୍ତ୍ରଣା ତାଙ୍କର ଲିଭାଇ ଦେବାକୁ । କିନ୍ତୁ ମାତୃହୃଦୟ କାନ୍ଦିଉଠେ । ତନ୍ମୟ ହୋଇ ବୋକ ଦେଇପକାନ୍ତି ସେ । ମାତୃହୃଦୟ ତାଙ୍କର କ୍ଷଣକପାଇଁ ସାନ୍ତ୍ଵନା ପାଏ । ମା ହେବାର ସମସ୍ତ ବାସନା, ମନରୁ ତାଙ୍କର ଆପେଆପେ ଲିଭିଯାଏ । କିନ୍ତୁ ହିଂସୁକ ଲୋକଙ୍କ ଆଖିରେ ତା’ ସବୁ ଯାଏନି । କନକଦେବୀଙ୍କ କୋଳରୁ ତାଙ୍କର ପିଲାକୁ ଛଡ଼େଇ ନିଅନ୍ତି ତାଙ୍କ ପଡ଼ୋଶୀମାନେ-। ଡାହାଣୀଠାରୁ ଆରମ୍ଭ କରି କେତେ ଛି-ଛାକରା କରନ୍ତି ? ତଥାପି ମନରେ ଦୁଃଖ କରନ୍ତିନି କନକଦେବୀ । ପାଟିଖଣ୍ଡକ ଦିଖଣ୍ଡ କରନ୍ତିନି । କଳିକରିବାକୁ ସେ ଭଲପାଆନ୍ତିନି । ନିର୍ମାୟା ଲୋକ ସେ । ସେ ବା ଏତେ ଛନ୍ଦ କାହୁଁ ବୁଝିବେ । ବାରଲୋକଙ୍କ ବାରକଥା, ଢଗଢ଼ମାଳିକୁ ନଜର ଦିଅନ୍ତିନି ସେ । ନିଜର ଭାଗ୍ୟକୁ ଧିକ୍‍କାର କରି ଖାଲି କାନ୍ଦି କାନ୍ଦି ରହନ୍ତି । ମନରେ ତାଙ୍କର ବାରମ୍ବାର ଆସେ, ଆଜି ତାଙ୍କର ଯଦି ପୁଅଟିଏ ଥାନ୍ତା, ସେ ବା କାହିଁକି ପର ପିଲାପ୍ରତି ଆକୃଷ୍ଟ ହୋଇ ଏତେ ନିର୍ଯାତନା ଶୁଣନ୍ତେ, ଆଉ ଭାବିପାରନ୍ତିନି ସେ...କେବଳ ମନେ ମନେ କୋଡ଼ିକଚାଡ଼ି ହୋଇ ରହିବା ବ୍ୟତୀତ ଆଉ ବା ତାଙ୍କର ଉପାୟ କ’ଣ !

 

ଗୋପାଳବାବୁ ସ୍ତ୍ରୀଙ୍କ ମନ ବୁଝିବାପାଇଁ ଯେତେବେଳେ ସେ ଯାହା କୁହନ୍ତି, ସେତେବେଳେ ତା’ କରିବାକୁ ପ୍ରତିବାଦ କରନ୍ତିନି । କାହିଁକି ବା ପ୍ରତିବାଦ କରିବେ, ଏଇ ସ୍ତ୍ରୀ ତ ତାଙ୍କର ସବୁ...

 

ଗରିବ ଦୁଃଖୀରଙ୍କୀଙ୍କ ସେବା କରିବାକୁ ଜୀବନର ସର୍ବଶ୍ରେଷ୍ଠ ଲକ୍ଷ୍ୟରୂପେ ବାଛିନେଇଛନ୍ତି ଗୋପାଳବାବୁ । ଦୁଃଖୀରଙ୍କୀଙ୍କ ସେବା କରି ଭୋକୀ ଗରିବମାନଙ୍କ ଖାଦ୍ୟ ବସ୍ତ୍ର ଦାନକାରି ବିପୁଳ ଆନନ୍ଦ ଅନୁଭବ କରନ୍ତି । ସେଥିରେ ସେ ପାଆନ୍ତି ପରମ ଶାନ୍ତି ।

 

ଲୋକେ କହନ୍ତି "ହରି ଦିଅ ତ ଦିଅ, ଛପର ଫାଡ଼ି ଦିଅ !" ଗୋପାଳବାବୁ ଯେତେ ଦାନ ଖଇରାତ କରୁଛନ୍ତି; ଦିନକୁ ଦିନ ତା’ର ପରିମାଣ ସେତେ ବେଶି ବେଶି ବଢ଼ିଚାଲିଛି । କୌଣସିଥିରେ ତାଙ୍କର ଅଭାବ ନାହିଁ । କେବଳ ଅଭାବ ଗୋଟିଏ ଜିନିଷ ତାଙ୍କର, ଯାହାକୁ ମଣିଷ ଚାହିଁଲେ ଗଢ଼ିପାରେନା କି ଭାଙ୍ଗିଲେ ଭାଙ୍ଗିପାରେନା । ଯେତେ ଯିଏ ଖାଇଲେ ବୋହିଲେ ତାଙ୍କର ଅନ୍ନପୂର୍ଣ୍ଣା ଭଣ୍ଡାରରୁ ସରୁ ନାହିଁ କି ତାଙ୍କ ମନରେ ସେଇଥିପାଇଁ ଟିକିଏ ଦୁଃଖ ନଥାଏ । ସେ ଚାହାନ୍ତିନି ଧନର ପ୍ରାଚୁର୍ଯ୍ୟ ଭିତରେ ଆବଦ୍ଧ ରହିବାକୁ । ସମସ୍ତେ ସୁଖରେ ରହନ୍ତି, ସଂସାର ସୁଖୀ ହେଉ ଏହାହିଁ ତାଙ୍କର ଭାବନା ଏବଂ କାମନା ଥାଏ । ଗରିବ ଦୁଃଖୀ-ରଙ୍କୀଙ୍କ ଦୁଃଖ ବୁଝିବା ଏକମାତ୍ର ତାଙ୍କର କାମ ।

 

ସକାଳୁ କ’ଣଦିଟା ଖାଇନେଇ ବାହାରିଯାନ୍ତି ଲୋକମାନଙ୍କ ସେବା କରିବାକୁ । କେଉଁ ଦିନ କେତେବେଳେ ଫେରନ୍ତି ତା’ର ଠିକ୍ ନଥାଏ ।

 

ଗୋପାଳବାବୁ ଫେରୁଫେରୁ କନକଦେବୀ ପଚାରିବସନ୍ତି କେତେ କଥା । ଏତେ ପୂଜାରୀ ଚାକର ଥାଇ ମଧ୍ୟ ନିଜେ ସେ ସ୍ୱାମୀକୁ ତାଙ୍କର ଖାଇବାକୁ ଦିଅନ୍ତି । ଅନ୍ୟମାନଙ୍କ ହାତରେ ସ୍ୱାମୀଙ୍କ ଦାୟିତ୍ୱ ଦେବାକୁ କେବେ ଇଚ୍ଛାକରନ୍ତିନି ସେ । ନିଜେ ସମସ୍ତ ଯୋଗାଡ଼ କରି ଖାଇବାକୁ ଦିଅନ୍ତି । ସ୍ୱାମୀଙ୍କ ଖାଇବା ପାଖରେ ବସି ପଚାରି ବସନ୍ତି କେତେ କଥା । କେଉଁଠିକି ଯାଇଥିଲ, ସେ ଅଞ୍ଚଳର ଲୋକମାନେ କିପରି ଚଳୁଛନ୍ତି, ଭଲରେ ଅଛନ୍ତି କି, ନା ? ଖାଇବାକୁ ପାଉଛନ୍ତି କି, ନା ? ଏମିତି ବାରପ୍ରକାର ବାରକଥା ।

 

ଗୋପାଳବାବୁ ଖାଉ ଖାଉ ସବୁକଥା ଗୋଟି ଗୋଟିକରି ବୁଝାଇ କହନ୍ତି । ଦୁଃଖୀ-ରଙ୍କୀଙ୍କର ଦୁଃଖମୟ କାହାଣୀ ଶୁଣୁ ଶୁଣୁ କନକଦେବୀଙ୍କ ଆଖିରୁ ଲୁହ ଝରିପଡ଼େ ।

 

ଆଜି ଜନଗହଳି ରାସ୍ତା ଉପରେ ଚାଲିଛନ୍ତି ପ୍ରକାଶ ଆଉ ବୀଣା । କେତେ ଲୋକ ଖାଇବା ବିନା ଏମିତି ମାଗି ମାଗି ଚାଲିଛନ୍ତି ଆଉ ତାଙ୍କୁ ବା ପଚାରେ କିଏ । କେଉଁଠି ରହିବେ, କ’ଣ କରିବେ, କେମିତି ଦିନକାଟିବେ ଦୁହିଁଙ୍କ ମନରେ ଏଇ ଚିନ୍ତା ଜମାଟ ବାନ୍ଧିଛି । ଦୀର୍ଘ ପାଞ୍ଚଦିନ ହେବ ଚାଲି ଚାଲି ଦେହ ତାଙ୍କର ଅବଶ ହୋଇପଡ଼ିଲାଣି । ଆଜି ଚାଲିବାକୁ ଆଉ ଶକ୍ତି ପାଉନି । ଚାଲିଲା ବେଳକୁ ପାହୁଣ୍ଡ ଗଣି ଗଣି ହୋଇପଡ଼ୁଛି । ତଥାପି ପାଦ ତାଙ୍କର ମନ୍ଥର ଗତିରେ ଆଗକୁ ଆଗେଇ ଚାଲିଛି ।

 

ରାସ୍ତାକଡ଼ର ଗଛ ଦେଖି ଆଗକୁ ଆଗେଇ ଚାଲିଲେ ଦୁହେଁ । ଦେହ ତାଙ୍କର ଆଶ୍ରୟ ଲୋଡ଼ୁଥିଲା, ଟିକିଏ ବିଶ୍ରାମପାଇଁ । ସେଇ ବରଗଛ ଛାଇରେ ଟିକେ ହେଲେ ସେ ବିଶ୍ରାମ ନେବେ । ଚାଲି ଚାଲି ବରଗଛ ଛାଇରେ ବସିପଡ଼ିଲେ ଦୁହେଁ । ଅବଶ କ୍ଳାନ୍ତ ଶରୀର ଦୁଇଟି ଲୋଟିପଡ଼ିଲା ଧୂଳିମାଟିର ପରଶ ପାଇ । କ୍ଷଣକପାଇଁ ନିଷ୍ପ୍ରଭ ଶରୀରର କ୍ଳାନ୍ତି ଅପନୋଦନ କରି ନେଉଥିଲେ ।

 

ଉପବାସ କଷ୍ଟରେ ଦେହ ତାଙ୍କର କଳାପଡ଼ି ଆସିଲାଣି । ଅତୀତର ସେ ମୁହଁର ଆଉ ସେ ପ୍ରଭା ନାହିଁ । ଆଉ ସେ ହସ ହସ ମୁହଁର ସଜଳ ଚାହାଣି ଫୁଟି ଉଠୁନି ଅଧର କୋଣରେ । ଥରିଲା ଥରିଲା ଓଠରେ କଥା କହିବାକୁବି ଆଉ ଶକ୍ତି ପାଉନି । ଫୁଲପରି ମଉଳି ପଡ଼ିଲାଣି ଦୁହିଁଙ୍କ ମୁଖମଣ୍ଡଳର ଜ୍ୟୋତି । ଦୁନିଆର ସମସ୍ତ ଦୁଃଖ ଠୁଳହୋଇ ସତେ ଯେମିତି ବୀଣାଉପରେ ଲଦି ହୋଇ ପଡ଼ିଛି । ଦଶମାସ ଗର୍ଭଭରା ବୀଣା ଆଉ ଏ ଭଙ୍ଗା ଦେହରେ ସହି ପାରୁନି । ଦେହଟି ତା’ର ଉପବାସ ଦୁଃଖ କଷ୍ଟରେ ଅଧିକ ଭାଙ୍ଗିପଡ଼ିଲାଣି, ତଥାପି ନିଜ ଦେହପ୍ରତି ଆଦୌ ଲକ୍ଷ୍ୟନାହିଁ ବୀଣାର । ଦେହ ତା’ର ଶୋଚନୀୟଭାବେ ଭାଙ୍ଗିପଡ଼ିଛି । ଏକଥା ସେ ଦେହକୁ ଦେଖି ମଧ୍ୟ ଜାଣିପାରୁନି । ଲକ୍ଷ୍ୟ ତା’ର ପ୍ରିୟତମ ପ୍ରକାଶ ଉପରେ । ଚାହିଁଲା, ପ୍ରିୟତମ ଦେହକୁ ବୀଣା । ପ୍ରାଣର ପ୍ରିୟତମଙ୍କ ଦେହରେ ହାଡ଼ ଦି'ଖଣ୍ଡ ଦେଖି ଆଖିରୁ ତା’ର ବହିପଡ଼ିଲା ଦୁଇଧାର ଲୁହ ।

 

ପ୍ରକାଶ କିଛି ବୁଝିପାରିଲାନି ପ୍ରିୟତମାର ଆଖିରେ ତା’ର ଲୁହ ଦେଖି । ବୀଣା ଆଖିରେ ଅସୁମାରି ଲୁହର ଦାଗ ଦେଖି ଦୁଃଖରେ ଭାଙ୍ଗିପଡ଼ିଲା ସେ । ଅବାକ ହୋଇ ପ୍ରଶ୍ନକଲା, କ’ଣ ହେଲା ତୁମର ବୀଣା ? କଷ୍ଟ ଲାଗୁଛି ??

 

ନା...

 

ତେବେ କାନ୍ଦୁଛ କାହିଁକି ? ସତ କରି କୁହ ବୀଣା–କହି କୋଳକୁ ଆଉଜେଇ ନେଲା ପ୍ରକାଶ । ତଥାପି ବୀଣାର କାନ୍ଦ ବନ୍ଦ ହେଲାନି । ବରଂ ଆହୁରି ଅସ୍ଥିରତାରେ କଇଁକଇଁ ହୋଇ କାନ୍ଦିଉଠିଲା ସେ ।

 

କୁହ ବୀଣା, କ’ଣ ହେଲା ତୁମର ? ପ୍ରକାଶର କଣ୍ଠ ରୁଦ୍ଧ ହୋଇ ଆସୁଥିଲା ।

 

କହିବନି ? ଅଭିମାନ ଭଙ୍ଗୀରେ ପ୍ରଶ୍ନକଲା ପ୍ରକାଶ ।

 

ଆଉ ସମ୍ଭାଳିପାରିଲାନି ବୀଣା । ପ୍ରକୃତ କଥା କହିବାକୁ ହୃଦୟ ତା’ର ଉଦ୍‍ବେଳିତ ହୋଇଉଠିଲା । କେମିତି ବା ଟିକିଏ ଅଭିମାନ ସହିବ ତା’ ଦେବତାର ! ଯିଏ ଦୀର୍ଘ ଦିନଧରି ସ୍ନେହମମତାରେ ବଢ଼ି ଆସିଛି ସେ କ’ଣ ତା’ ଦେବତାର ଦୁଃଖ ଅଭିମାନ ସହିପାରିବ...ହୁଏତ ସତ ନ କହିଲେ ଦେବତା ମନରେ ତା’ର କଷ୍ଟହେବ । ଆଘାତ ପାଇବ ସେ । ତା’ ପ୍ରତି ତା’ ଦେବତାଙ୍କର ଅବିଶ୍ୱାସ ହେବ । କେମିତି ବା ସେ ଲୁଚେଇବ, ସେ କଥା ! ପ୍ରାଣକୁ ବା ତା’ର ସେ କ’ଣ ଲୁଚେଇବ !

 

ଭାବନା ରାଜ୍ୟରେ ପୂର୍ଣ୍ଣଚ୍ଛେଦ ପକାଇଲା ପ୍ରକାଶର ସେଇ ପ୍ରଶ୍ନ କୁହ ବୀଣା–କହି ବୋକଟିଏ ଭରିଦେଲା ବୀଣା ମୁହଁରେ ।

 

ଥରିଲା ଥରିଲା ଓଠରେ ବୀଣା ଉତ୍ତର ଦେବାକୁ ଯାଇ କହି ବସିଲା, ଭାବୁଛି, ମୁଁ...., ଆଉ କହି ପାରିଲିନି ବୀଣା ! କଣ୍ଠ ତା’ର ରୁଦ୍ଧ ହୋଇଆସିଲା । ତୁଣ୍ଡ ତା’ର ପଇଟିଲାନି କ’ଣ କହିବାକୁ ଆଉ ।

 

ପ୍ରକାଶ ବୁଝିପାରିଲା ବୀଣା ହୃଦୟର ଦୁଃଖ । ଆଉ କିଛି ନ ପଚାରି ପ୍ରିୟତମାର ମୁଣ୍ଡକୁ ଉଠାଇ ଆଣିଲା ନିଜ କୋଳ ଉପରକୁ । "ସେ ସବୁ ଆମର ଭାଗ୍ୟ ବୀଣା ! ଆମ ଭାଗ୍ୟରେ ଯାହା ହବ, ତା’ ଆମକୁ ନିଶ୍ଚୟ ଭୋଗ କରିବାକୁ ପଡ଼ିବ । ଦୁଃଖ କରନି ତୁମେ, ଆମର ବା ଉପାୟ କ'ଣ-? ସବୁ ତ ସେଇ ପରମେଶ୍ୱରଙ୍କ ଇଚ୍ଛା, ସେଇହିଁ ଆମର ଭରସା । ତାଙ୍କୁଇଁ ତୁମେ ଡାକ ବୀଣା, ସେଇ ଆମର ଏ ଦୁଃଖ ଦୂର କରିବେ ।"

 

ସ୍ୱାମୀଙ୍କ କଥାରେ ଟିକିଏ ସାନ୍ତ୍ୱନା ପାଇଲା ବୀଣା ! ମନ ତା’ର ଭାବିଲା, ଏତେ ସେ କାହିଁକି ଏ ସବୁ ଭାବୁଛି ! କାହିଁକି ତା’ର ହୃଦୟର ଛିନ୍ନ ବୀଣାରେ ପ୍ରାଣ ପ୍ରିୟର ଝଙ୍କାର ତୋଳିଛି । ସବୁ ତ ସେଇ ପରମେଶ୍ୱରଙ୍କ ଇଚ୍ଛା ! ତେ ବେ....... ।

 

ପୁଣିଭାବେ, ଆମେ କ'ଣ ଦୋଷ କରିଛୁ ଠାକୁରଙ୍କ ପାଦରେ । କି ଅପରାଧରେ ଏମିତି ଦଣ୍ଡ ଭୋଗୁଛୁ ? ଏମିତି ଭାବି ଭାବି ସଞ୍ଜ ହୁଏ, ତଥାପି ବୀଣା ଭାବନାରୁ କ୍ଷାନ୍ତ ହୁଏନି । ସଞ୍ଜରେ ମନର ମିନତି ବାଢ଼ିଦିଏ ପରମେଶ୍ୱରଙ୍କ ପାଖରେ । ସେଇ ଗଛତଳେ ବସି ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ମାଟିରେ ମୁଣ୍ଡ ଲଗାଏ । ସଞ୍ଜବତିଟିଏ ପାଏନି ଠାକୁରଙ୍କ ପାଇଁ ଜାଳିବାକୁ । ମନର ବତି ଜାଳି ଦେଲାବେଳେ ପାଟିରୁ ତା’ର ଆପେ ଆପେ ବାହାରି ଆସେ, "ହେ ଦେବତା, ଚାହେଁନି ମୁଁ ସୁଖ । ମୋତେ ପଛେ ସେପାରିକୁ ନେଇ ଯାଅ ଠାକୁରେ, ସେଥିରେ ମୁଁ ଟିକିଏ ହେଲେ ଦୁଃଖ କରିବିନି କିନ୍ତୁ ତାଙ୍କୁ ତୁମେ ଟିକିଏ ହେଲେ ଦୁଃଖ ଦିଅନି । ପ୍ରାଣର ପତିଙ୍କୁ ମୋର ସୁଖରେ ରଖ । ତାଙ୍କ ମନରେ ତିଳେ ହେଲେ ଦୁଃଖ ନ ଆସୁ–ଏତିକି ମୋର ତୁମ ପାଖରେ କାମନା ପ୍ରଭୁ । " ଏମିତି କେତେ ଡାକେ ବୀଣା; ତଥାପି ଫଳ କିଛି ହୁଏନି ।

 

ପ୍ରତିଦିନ ସକାଳ ହେଲେ ପ୍ରକାଶ ଭିକ ମାଗିଯାଏ । ବାରଦୁଆର ବୁଲେ ମୁଠିଏ ଚାଉଳପାଇଁ । କିଏ ଦୁଃଖରେ ତା’ର ଆହା କରି ମୁଠିଏ ଦିଅ ତ, କିଏ ବା ନଦିଏ । କେହି କେହି ମାରି ଗୋଡ଼ାନ୍ତି, କେତେ ଗାଳି-ମନ୍ଦ ଦିଅନ୍ତି । ଏଇ ପିଠିରେ ସେ କେତେ ମାଡ଼ ଖାଇଛି, ନିର୍ଯାତନା କେତେ ଶୁଣିଛି, ତଥାପି ପ୍ରକାଶ ମନରେ ଦୁଃଖ କରେନି, କେବଳ ପରମେଶ୍ୱରଙ୍କୁ ପଦୁଟିଏ ମାତ୍ର କୁହେ, "ହେ ଦେବତା ! ଏଇ କ’ଣ ତୋର ଉପଯୁକ୍ତ ବିଚାର ?"

 

ଭିକ ମାଗି ମାଗି ସଞ୍ଜରେ ଫେରେ ସେଇ ଗଛ ମୂଳକୁ । ଯେଉଁଠି ପ୍ରାଣର ବୀଣା, ତା’ ବାଟକୁ ଚାହିଁ ବସିଥାଏ । ଯେଉଁ ଦିନ ଯାହା ଆଣିଥାଏ, ସେଇଆକୁ ରୋଷେଇ କରି ଦୁହେଁ ଖାଇ ବିଶ୍ରାମ ନିଅନ୍ତି ସେଇ ବରଗଛ ତଳେ । ସେଇ ତାଙ୍କର ଘର ଦ୍ୱାର । ସେଇ ତାଙ୍କର ମୁଣ୍ଡ ଗୁଞ୍ଜିବାର ସ୍ଥାନ । ସମସ୍ତେ ତାଙ୍କୁ ଠେଲି ଦେଇଛନ୍ତି ଦୂରକୁ, ଆଶ୍ରୟ ଟିକିଏ ଦେଇ ନାହାନ୍ତି । କେତେ ଲୋକଙ୍କୁ ସେ ରହିବାପାଇଁ ଟିକିଏ ଆଶ୍ରୟ ମାଗିଛି; କିନ୍ତୁ କେହି ତା’ର କଥା ଶୁଣି ନାହାନ୍ତି । ଏଇ ବରଗଛ ତାଙ୍କୁ ହୃଦୟ ଚିରି ଆଶ୍ରୟ ଦେଇଛି । ଛାଇ ଦେଇଛି ଆଶ୍ରା ନେବାକୁ । ସେଇହିଁ ତାଙ୍କର ଆଶ୍ରୟଦାତା ।

 

ଦିନେ ଦିନେ କିଛି ନ ପାଇଁ ପ୍ରକାଶ ଫେରେ । ପ୍ରିୟତମଙ୍କର ନୀରସ ମନକୁ ଦେଖି ଠିକ୍ ବୁଝିପାରେ ବୀଣା । ଆଉ ବା କେଉଁଠି କ'ଣ ଅଛି ଯେ, ଆଣିବେ ! ଶେଷରେ ପାଣି ଟୋପିଏବି ପାଖରେ ରଖିବାକୁ ଜାଗାଖଣ୍ଡେ ନ ଥାଏ, କି ଆଖ ପାଖରେବି ପାଣି ଟୋପିଏ ମିଳେନି-। ପ୍ରକାଶ ଯାଇ ଅନତିଦୂରରେ ଥିବା ନାଳକଡ଼ରୁ ପାଣି ଆଣେ । ସେଇ ପାଣିହିଁ ହୁଏ ତାଙ୍କର ଶ୍ରେଷ୍ଠ ସମ୍ବଳ । ଭଗବାନ୍‍ଙ୍କୁ ଡାକି ଖାଲି ପେଟରେ ପାଣି ପିଇ ଶୋଇପଡ଼ନ୍ତି ।

 

ଏତେ ଦୁଃଖରେ ବୀଣା ତା’ର କର୍ତ୍ତବ୍ୟ ପଥରୁ ଓହରି ଯାଏନି । ଭୁଲି ଯାଏନି ପତି ଦେବତାଙ୍କର ସେବା କରିବାକୁ । ନିତ୍ୟ-ନୈମିତ୍ୟ ସ୍ୱାମୀଙ୍କର ସେବା କରିବାକୁ ପଛାଏନା ସେ– ।

 

ରାତି ପାହେ । ପ୍ରକାଶ ଯାଏଁ ଭିକ୍ଷା କରି । ଫେରିବା ପର୍ଯ୍ୟନ୍ତ, ବୀଣା ଚାତକିନୀ ପରି ଚାହିଁ ବସିଥାଏ ଦେବତାକୁ ତା’ର । ଦିନେ ଦିନେ ଡେରି ହେଲେ ମନ ତା’ର ପ୍ରମାଦ ଗଣେ । କାଳେ କ’ଣ ଦେବତାଙ୍କୁ ତା’ର ବିପଦ ପଡ଼ିଲା କି ! ଧାଇଁ ଯାଏଁ ଅଧ ବାଟ ପର୍ଯ୍ୟନ୍ତ । ଦୂରରେ ସ୍ୱାମୀଙ୍କୁ ଦେଖି ମନ ତା’ର ଆନନ୍ଦରେ କୁରୁଳି ଉଠେ । ସାଥି ହୋଇ ସ୍ୱାମୀ-ସ୍ତ୍ରୀ ଦୁହେଁ ଫେରନ୍ତି, ତାଙ୍କର ସେଇ ଆଶ୍ରୟଦାତା ଗଛ ମୂଳକୁ ।

 

ପ୍ରକାଶ ଭିକ୍ଷା କରିଗଲେ ବୀଣା ଏକା ଏକା ବସି ଶରବିଦ୍ଧ ହରିଣୀ ପରି ଛଟପଟ ହୁଏ-। ଦେବତା ତା’ର କିପରି ଶୀଘ୍ର ଭଲରେ ଫେରି ଆସନ୍ତୁ, ଆକୁଳ ଅନ୍ତରରେ ସେ ଠାକୁରଙ୍କୁ ଡାକୁଥାଏ । ଦିନେ ଦିନେ ମନ ତା’ର କ’ଣ ହୁଏ କେଜାଣି ବାହାରକୁ ଯିବାକୁ ଦେବତାକୁ ତା’ର ଛାଡ଼ି ଦିଏନି । ପ୍ରକାଶ ଯିବାକୁ ବାଧ୍ୟ କଲେ, ଜାବୁଡ଼ି ଧରେ, ପାଦଧରି କାନ୍ଦେ । ଜମା ଛାଡ଼ି ଦିଏନି-। ନ ଯିବାପାଇଁ ମିନତି କରେ, ଅଭିମାନ କରେ–କିନ୍ତୁ ଦେବତା ଉପରେ ତା’ର ରାଗ କରେନି ।

 

ଗୋପାଳବାବୁ ବୁଲି ବୁଲି ଫେରି, କ୍ଳାନ୍ତ ହୋଇ ବସି ପଡ଼ିଛନ୍ତି ବାହାର ବାରଣ୍ଡାରେ ଖଣ୍ଡେ ଚେୟାର ପକାଇ । ମନରେ ତାଙ୍କର କେତେ ପ୍ରକାର ଚିନ୍ତା । ଭାବୁଛନ୍ତି, ହୁଏତ ସେ ତାଙ୍କର ସ୍ତ୍ରୀଙ୍କ ଭାଇର ପୁଅରୁ ଗୋଟିଏ ପୁଅ କରି ଆଣିବେ । ନହେଲେ ବା ଆଉ ତାଙ୍କର ଉପାୟ କ'ଣ । କିଏ ବା ଆଉ ତାଙ୍କର ବଂଶର ଉତ୍ତରାଧିକାରୀ ଅଛି ? ଏଇ ଚିନ୍ତାରେ ବୁଡ଼ି ରହିଥିବାବେଳେ ପୋଷ୍ଟ ପିଅନ ଖଣ୍ଡିଏ "ଖବରକାଗଜ" ବଢ଼ାଇ ଦେଇ ଚାଲିଗଲା । ଗୋପାଳବାବୁ ଦୈନିକ କାଗଜ ଖଣ୍ଡିକ ଖୋଲି ଲେଉଟାଇ ଯାଉଛନ୍ତି । ହଠାତ ତାଙ୍କର ଦୃଷ୍ଟି ପଡ଼ିଲା, ବଡ଼ ବଡ଼ ଅକ୍ଷରରେ ଲେଖା ହୋଇଛି, "ଗୁରୁତ୍ୱପୂର୍ଣ୍ଣ ଘଟନା, କଟକ ଜିଲ୍ଲାରେ ପ୍ରଳୟଙ୍କରୀ ଝଡ଼ତୋଫାନ ।"

 

ତଳକୁ ତଳ ସମସ୍ତ ବିଷୟ ଏକ ନିଃଶ୍ଵାସରେ ପଡ଼ିଗଲେ ଗୋପାଳବାବୁ । ଦେହ ତାଙ୍କର ଥରିଉଠିଲା । ବିଚଳିତ ହୋଇ ପଡ଼ିଲେ ସେ । ହାତରୁ ତାଙ୍କର କାଗଜ ଖଣ୍ଡିକ ଖସି ପଡ଼ିଲା-। ମୁଣ୍ଡରେ ହାତଦେଇ ଆକାଶ ପାତାଳ ଭାବି ଚାଲିଥିଲେ ଗୋପାଳବାବୁ ।

 

କନକ ଦେବୀ ଘର ଭିତରେ ଥାଇ ଡାକିଲେ, "କ’ଣ କରୁଛ, ଟିକେ ଘର ଭିତରକୁ ଆସିବଟି ।"

 

କନକ ଦେବୀଙ୍କ କଥା କେଇପଦ ଗୋପାଳବାବୁଙ୍କ କର୍ଣ୍ଣରେ ତିଳେ ହେଲେ ପଡ଼ି ନଥିଲା । ସେ ଖାଲି ଭାବନାରେ ନିଜକୁ ହଜାଇ ଦେଇଥିଲେ । କୌଣସି ଉତ୍ତର ନ ପାଇ କନକ ଦେବୀ ଘରୁ ବାହାରି ଆସିଲେ । ସ୍ଵାମୀଙ୍କର ଆଜି ଏପରି ମନମରା ଭାବ ଦେଖି କିଛି ଭାବି ଠିକ୍ କରିପାରିଲେନି ସେ । ଜଡ଼ଙ୍କ ପରି ହୋଇଗଲେ ସେ । ଗୋପାଳବାବୁଙ୍କ ପାଖକୁ ଯାଇ ହଲେଇ ଦେଇ କହିଲେ, "ଆଜି କ’ଣ ହୋଇଛି କି ତୁମର ? ଏମିତି କ’ଣ ହେଉଛ ତୁମେ ?"

 

କିଛି କହିବାକୁ ଗୋପାଳବାବୁଙ୍କ ତୁଣ୍ଡ ପଇଟିଲାନି । ସେ କାଗଜ ଖଣ୍ଡିକ ତଳୁ ଉଠାଇ ଆଣି କନକ ଦେବୀଙ୍କ ହାତକୁ ବଢ଼ାଇଦେଲେ । କନକ ଦେବୀ ଆଶ୍ଚର୍ଯ୍ୟ ହୋଇ ପ୍ରଶ୍ନ କଲେ, "ୟାକୁ କ’ଣ କରିବି ?"

 

"ଥରେ ପଢ଼, ସମସ୍ତ ବିଷୟ ଜାଣି ପାରିବ’’ –ଉତ୍ତର ଦେଇ ଗୋପାଳବାବୁ ନୀରବ ହେଲେ । କନକ ଦେବୀ କାଗଜ ଉପରେ ଥରେ ଆଖି ବୁଲାଇ ନେଇ ଦୁଃଖରେ ଭାଙ୍ଗି ପଡ଼ୁଥିଲେ ।

 

କ’ଣ କିଛି ବୁଝିଲ ?

 

ହଁ–

 

କ’ଣ ?

 

ପ୍ରଳୟଙ୍କରୀ ବାତ୍ୟା ହୋଇଛି କଟକ ଜିଲ୍ଲାର ବାଲିକୁଦା ଅଞ୍ଚଳରେ । ଅସ୍ଥିର ହୋଇ କନକଦେବୀ କହି ପକାଇଲେ । ବର୍ତ୍ତମାନ ଆମେ ତେବେ କ’ଣ କରିବା କହିଲ ? ଲେଖା ହୋଇଛି ଶହ ଶହ ଲୋକ ବାସ ଶୂନ୍ୟ ହୋଇ ପଡ଼ିଛନ୍ତି, ବସ୍ତ୍ର ଶୂନ୍ୟ ମଧ୍ୟ । ଖାଇବା ବିନା ଲୋକମାନେ ପୋକମାଛି ପରି ଛଟପଟ ହୋଇ ମରିଯାଉଛନ୍ତି । କିପରି ଥିବେ ସେମାନେ ?

 

ଏ ବିପଦ ସମୟରେ ଲୋକମାନଙ୍କୁ ସାହାଯ୍ୟ କରିବା ଆମର ପରମ କର୍ତ୍ତବ୍ୟ । ଆମରି ଭାଇ ତ ସେମାନେ ! ଲୋକମାନେ ଖାଇବାପାଇଁ ଗଣ୍ଡାଏ କେତେ ଛଟପଟ ହେଉଛନ୍ତି । ଆହା, ଭଗବାନ୍ ଏକି ତୁମର ନିଷ୍ଠୁର ବିଚାର– ? ଆଚ୍ଛା କନକ, ଆମେ କ’ଣ ଏହା ଜାଣି ମଧ୍ୟ ନୀରବରେ ରହି ପାରିବା ! ଆମର ଯେତିକି କର୍ତ୍ତବ୍ୟ ଆମେ ସେତିକି ନିଶ୍ଚୟ ସାହାଯ୍ୟ କରିବା । କ’ଣ କହୁଛ ? ପ୍ରଶ୍ନ କଲେ ଗୋପାଳବାବୁ ।

 

ମୋତେ ପଚାରୁଛ କ’ଣ । ଶୀଘ୍ର ଶୀଘ୍ର ଚାକରମାନଙ୍କୁ କହି ବରାଦ କର ତଳ ଖଞ୍ଜାରେ ଯେତେ ଖାଦ୍ୟ ବସ୍ତ୍ର ଅଛି, ସବୁତକ ନେବାକୁ ଗାଡ଼ିରେ ବ୍ୟବସ୍ଥା କରନ୍ତୁ । କାଲିରେ ଆମେ ଯିବା ସେସବୁ ବଣ୍ଟନ କରିବାକୁ ।

 

ଗୋପାଳବାବୁ ସଙ୍ଗେ ସଙ୍ଗେ ଚାକରମାନଙ୍କୁ ଡାକି ସମସ୍ତ ଜିନିଷ ନେବାର ଠିକ୍ କରିବାକୁ କହିଲେ । ଆଦେଶମାତ୍ରେ ଚାଉଳ ଠାରୁ ଲୁଗା ପର୍ଯ୍ୟନ୍ତ ସବୁ ବାହାର କରି କେତେ ଖଣ୍ଡ ଗାଡ଼ିରେ ଲଦା ହେଲା । କାଲି ସକାଳେ ଯିବାପାଇଁ ସମସ୍ତେ ପ୍ରସ୍ତୁତ ହୋଇ ରହିଲେ ।

 

କନକ ଦେବୀ କ’ଣ ଟିକିଏ ଭାବିଚିନ୍ତି କହିଲେ, ତମେ ବୋଝିଆ ଏବଂ ଚାକରମାନଙ୍କୁ କହିଦିଅ ସେମାନେ ରାତି ଥାଇ ବାହାରି ଯିବେ, ଆମେ ବରଂ ଦଶଟାବେଳକୁ ଯିବା । କ’ଣ କହୁଛ-?

 

ଗୋପାଳବାବୁ ସ୍ତ୍ରୀଙ୍କ କଥାର କୌଣସି ପ୍ରତିବାଦ ନ କରି ହଁ, ଭରି ସମସ୍ତ ଜିନିଷ ଦେଖିବାକୁ ବାହାରକୁ ଚାଲିଗଲେ । କନକଦେବୀ କେତେ କ’ଣ ଜିନିଷ ଯିବ ଖଣ୍ଡିଏ ଚିଠା କରି ଚାକର ହସ୍ତକୁ ବଢ଼ାଇ ଦେଇ ନିଜେ ବାହାରି ଗଲେ ଭଣ୍ଡାର ଘରକୁ ।

 

ପ୍ରକାଶ ଚାଲିଛି ମୁଠାଏ ଚାଉଳପାଇଁ ଗାଁକୁ ଗାଁ, ମାଗି ମାଗି । ପ୍ରତିଦିନ ପରି ଆଜି ମଧ୍ୟ ସେ ଭିକ୍ଷା କରି ଆସିଛି । ମନରେ ତା’ର ଆଜି କେତେ ନାହିଁ ନ ଥିବା ଭାବନା । ଗର୍ଭବତୀ ସ୍ତ୍ରୀ ତା’ର ଆକୁଳ ଅନ୍ତରରେ ଫେରନ୍ତା ପଥକୁ ଚାହିଁ ରହିଥିବ । ହୁଏତ ଆଉ କେଇଟି ଦିନ ପରେ ଏଇ ଛୋଟ ସଂସାରଟି ତା’ର ହସି ଉଠିବ ସେଇ ଗଛ ତଳେ । ନବଜାତ ସନ୍ତାନଟିଏ କୋଳକୁ ତା’ର ଓହ୍ଲାଇ ଆସିବ । ଏଇ ହେବ ତା’ ପକ୍ଷରେ ଧରାସ୍ୱର୍ଗ । ସେଇ ସନ୍ତାନ ହେବ ତା’ର ସୁଖ-ଦୁଃଖର ସଙ୍ଖାଳି । ତାକୁ ସେ କେତେ ଆଦର କରିବ । ସ୍ନେହ କରିବ, ଭିକ୍ଷା କରି ଦୁନିଆ ଦାଣ୍ଡରେ ତାକୁ ମଣିଷ ପରି ମଣିଷ କରି ଠିଆ କରିବ । ସମସ୍ତ ଦୁଃଖ ସେ ଭୁଲିଯିବ ତା’ରି ମୁହଁକୁ ଚାହିଁ । ସେ ଶୁଣିବ ବାପା ଡାକ । ଏମିତି କେତେ କଳ୍ପନା କରି ଆଗକୁ ଆଗେଇ ଚାଲିଛି ।

 

ହଠାତ ତା’ର ବାଁ ବହୁ ଏବଂ ଆଖି ଡେଇଁ ଉଠିଲା । ପ୍ରକାଶ ମନରେ ପ୍ରଶ୍ନବାଚୀ ??? କାହିଁକି ତା’ର ବାଁ ପଟ ଆଖି ପତାଟା ଏମିତି ଘନଘନ ଡେଇଁ ଉଠୁଛି ? ତେବେ କ’ଣ ବୀଣାକୁ କୌଣସି ବିପଦ ପଡ଼ିଲା, ନା ତା’ ଉପରେ କୌଣସି ବିପଦ ପଡ଼ିବ ! ଆଉ ବା କ’ଣ ତା’ର ବିପଦ ଅଛି । ଘର ଗଲା, ଦ୍ୱାରା ଗଲା, ସେ ଆଜି ଦାଣ୍ଡର ଭିକାରି । ଖଟି ଖାଇବାକୁବି ଦେହରେ ଶକ୍ତି ନାହିଁ । ଦେହରେ ଯଦି ତା’ର ବଳଥାନ୍ତା, ସେ ବା ଭିକ୍ଷା କରିବାକୁ ଯାଇ ପରଲୋକଙ୍କ ଠାରୁ ମାଡ଼ ଗାଳି ଖାଆନ୍ତା କାହିଁକି ? ଏତେ ଦୁଃଖ ପରେ, ତଥାପି କ’ଣ ଭଗବାନ୍‍ଙ୍କର ମନର ଆଶା ମେଣ୍ଟି ନାହିଁ । ପୁଣି ତାକୁ ବିପଦରେ ପକାଇବେ ! ଏମିତି କେତେ ଦୁର୍ଭାବନା ପ୍ରକାଶ ମନକୁ ଅଡ଼ୁଆ ତଡ଼ୁଆ ଖିଅରେ ବାନ୍ଧିପକାଇଲା ।

 

ବାଟରେ ଭାବି ଭାବି ଫେରୁଛି ପ୍ରକାଶ । ଆଜି ଆସିବା ସମୟରେ ସ୍ତ୍ରୀ ତା’ର ମନା କରୁଥିଲା । କିନ୍ତୁ ସେ ତା’ର କଥା ନ ମାନି ଚାଲି ଆସିଲା । କୌଣସି ଦିନ ତ ବୀଣା ତା’ ଆସିବା ସମୟରେ କାନ୍ଦେନି । ତେବେ ଆଜି କାହିଁକି ସେ ଆସିବାବେଳେ ପ୍ରିୟତମା ଆଖିରୁ ତା’ର ଲୁହ ଗଡ଼ିପଡ଼ିଲା । ଆଜି ଏପରି ତା’ର ଅଶୁଭ ଲକ୍ଷଣ ଦେଖା ଯାଉଛି କାହିଁକି ?

 

ଏମିତି ଭାବି ଭାବି ପ୍ରକାଶ ଆସି କେତେବେଳେ ତା’ର ଆଶ୍ରୟ ଦାତ ବରଗଛ ମୂଳେ ପହଞ୍ଚି ଗଲାଣି । ସେ କଥା ସେ ଜାଣି ପାରିନି । ଭାବନାରେ ନିମଗ୍ନ ସେ । "ପ୍ରିୟତମା ତା’ର କାହିଁ-?" ଏଇ ଚିନ୍ତା କରି ଚାରିଆଡ଼କୁ ଥରେ ଆଖି ବୁଲାଇ ଆଣି ଚମକିଉଠିଲା ସେ-। ସ୍ତ୍ରୀ ତା'ର ଅଚେତନ ହୋଇ ପଡ଼ିଛି । ପାଖରେ ତା’ର ସଦ୍ୟଜାତ ପୁଅଟି କୁଆଁ କୁଆଁ ହୋଇ କାନ୍ଦୁଛି-। ଅସ୍ଥିର ହୋଇ ଉଠିଲା ପ୍ରକାଶ । ଧାଇଁ ଯାଇ ବୀଣାକୁ ତୋଳିଧରି କେତେ ଡାକିଲା, ହେଲେ କୌଣସି ଉତ୍ତର ପାଇଲାନି ସେ । ଆଉ କିଛି ଭାବିପାରିଲାନି ପ୍ରକାଶ । ମୁଣ୍ଡ ତା’ର ଘୂରାଇ ଦେଲା-। ତାକୁ ଜଣାଗଲା ଯେମିତି ମୁଣ୍ଡ ଉପରେ ତା’ର ଆକାଶ ଛିଡ଼ି ପଡ଼ୁଛି । କ’ଣ କରିବ ? କେଉଁଥିରେ ବା ପାଣି ମୁନ୍ଦାଏ ଆଣି ପ୍ରିୟତମା ପାଟିରେ ଦେଇ ଚେତା କରାଇବ । କିଛି ପାଇଲାନି । କୌଣସି ଚିନ୍ତା କରିପାରିଲାନି ସେ । ହଠାତ ତାକୁ ବୁଦ୍ଧି ଦିଶିଲା, ଏଇ ଗାମୁଛାଟିକୁ ଭିଜାଇ ସେ ପାଣି ଆଣିବ-। କାନ୍ଧ ଉପରେ ପଡ଼ିଥିବା ସାତ ସିଆଁ ଗାମୁଛାକୁ ଭିଜାଇ ପାଣି ଆଣିବ ଭାବି ଧାଇଁଛି ପ୍ରକାଶ ଅନତି ଦୂରରେ ଥିବା ନାଳ ପାଖକୁ । କୌଣସି କଥାପ୍ରତି ତା’ର ଲକ୍ଷ୍ୟ ନାହିଁ, ଏକମନା ହୋଇ ସେ ଧାଇଁ ଚାଲିଛି ଟୋପାଏ ପାଣିପାଇଁ । ଟୋପାଏ ପାଣିପାଇଁ ସେ ପାଗଳ ପାଲଟି ଗଲାଣି । ପାଣି ପାଣି ବୋଲି ସେ ଚିତ୍କାର କରୁଛି ହେଲେ କିଏବା ଶୁଣିବାକୁ ଅଛି ତା’ର ଆର୍ତ୍ତ ଚିତ୍କାର, କିଏ ବା ଦେଖିବାକୁ ଅଛି ତା’ର ଅସହଣି ଦୁଃଖ ।

 

ଦେହର ସମସ୍ତ ଶକ୍ତି ଖଟାଇ ସେ ଦୌଡ଼ି ଚାଲିଛି । ହଠାତ ଗୋଟିଏ ତା’ର ଖୁଣ୍ଟିରେ ପିଟିହୋଇ ଖଣ୍ଡେ ଦୂରରେ ଛିଟିକି ପଡ଼ିଲା ପ୍ରକାଶ । କିଛି ସମୟ ବେହୋସ୍ ହୋଇ ସେଇଠି ପଡ଼ି ରହିଥିଲା ।

 

ଗୋପାଳବାବୁ ଓ କନକ ଦେବୀ କାରରେ ଛୁଟି ଚାଲିଛନ୍ତି ବାତ୍ୟା ପ୍ରପୀଡ଼ିତ ଲୋକମାନଙ୍କୁ ସାହାଯ୍ୟ ବଣ୍ଟନ କରିବାକୁ । ସ୍ୱାମୀଙ୍କ ସାଙ୍ଗରେ ଯାଇ ଖାଦ୍ୟ, ବସ୍ତ୍ର ବଣ୍ଟନର ଦାୟିତ୍ୱ ନିଜେ କନକ ଦେବୀ ନେଇଛନ୍ତି । ସେ ନିଜେ ବଣ୍ଟନ କରିବେ ଏଇ ତାଙ୍କର ଇଚ୍ଛା । ଭଣ୍ଡାର ଘରୁ ଶହଶହ ଗାଡ଼ି ବୋଝେଇ ହୋଇ ବାତ୍ୟା ଅଞ୍ଚଳକୁ ବୁହା ହୋଇ ଯାଇଛି । ସ୍ୱାମୀ ତାଙ୍କର ନିଜେ ଏକା ଏ ସବୁ ସୁଚାରୁରୂପେ ବଣ୍ଟନ କରି ପାରିବେନି ଭାବି କନକଦେବୀ ନିଜେ ଆସିଛନ୍ତି । କାରଟା ଭଁ–ଭଁ–ଶବ୍ଦ କରି ଜନାକୀର୍ଣ୍ଣ ରାସ୍ତା ଉପରେ ଆଗେଇ ଚାଲିଛି । ନିଜେ କନକଦେବୀ ଡ୍ରାଇଭିଂ କରୁଛନ୍ତି । ଗୋପାଳବାବୁ କନକଦେବୀଙ୍କ ବାଁ କଡ଼କୁ ଆଉଜି ବସିଛନ୍ତି । ଗୋପାଳବାବୁ କ’ଣ ଟିକିଏ ଚିନ୍ତା କରି କହିଲେ, "ବୁଝିଲ କନକ, ଆହୁରି ଆଗରୁ ଏ ଦୁଃସମ୍ବାଦ ଖବରକାଗଜରେ ବାହାରି ପଡ଼ିଥିଲେ ହୁଏତ ଲୋକମାନେ ଏତେ ହଇରାଣ ହୋଇ ନ ଥାନ୍ତେ, କିମ୍ବା ଏତେ ଲୋକ କ୍ଷୟ-କ୍ଷତି ଘଟି ନ ଥାନ୍ତେ । ଆମ ଦେଶର ବିଶିଷ୍ଟ ଧନୀମାନେ ନିଶ୍ଚୟ ସାହାଯ୍ୟ କରିଥାନ୍ତେ ।

 

କନକଦେବୀ କଥାରେ ସମ୍ମତି ଜଣାଇ ଗାଡ଼ିର ସ୍ପିଡ଼ିକୁ ଆହୁରି ବେଗ କରିଦେଲେ । ଗାଡ଼ି ଚାଲିଲା ଖୁବ୍ ବେଗରେ ।

 

କିଛି ବାଟ ଯିବାପରେ ହଠାତ କନକ ଦେବୀ ଗାଡ଼ିବନ୍ଦକରି ବାହାରକୁ ବାହାରି ଆସିଲେ । ଗୋପାଳବାବୁ ମଧ୍ୟ କନକଦେବୀଙ୍କ ପଛେ ପଛେ ବାହାରି ଆସି ଘଟନା ସ୍ଥଳକୁ ଦଉଡ଼ିଯାଇଁ ଦେଖିଲେ, ଜନ୍ମିତ ଶିଶୁଟି କୁଆଁ କୁଆଁ ସ୍ୱରରେ କାନ୍ଦୁଛି । ଜନ୍ମଦାତ୍ରୀ ମା ତା’ର ମୃତ କି ଜୀବିତ ସେ କଥା କେବଳ ଭଗବାନ୍‍ଙ୍କୁହିଁ ଜଣା ।

 

ଏ ଘଟନା ଦେଖି ଅତ୍ୟନ୍ତଭାବେ ତଟସ୍ଥ ହୋଇ ପଡ଼ିଲେ କନକଦେବୀ । ନାରୀ ହୃଦୟ ତାଙ୍କର ତରଳି ପଡ଼ିଲା । ସମ୍ଭାଳି ହୋଇ ରହିପାରିଲେନି ସେ । ଧାଇଁଗଲେ ସେ ଜନ୍ମିତ ଶିଶୁ ନିକଟକୁ । ମାତୃ-ହୃଦୟ ତାଙ୍କର ଇଙ୍ଗିତ ଦେଲା ସେଇ ନବଜାତ ଶିଶୁକୁ କୋଳକୁ ଉଠାଇ ଆଣିବାକୁ । ଜନ୍ମଦାତ୍ରୀ ତା’ର ମୃତ କି ଜୀବିତ ଶତ ଚେଷ୍ଟା କରି ମଧ୍ୟ ଜାଣି ପାରିଲେନି କନକ ଦେବୀ । ଅନେକ ଡାକିଲେ, ଜ୍ଞାନ ଶୂନ୍ୟ ହୋଇଯାଇଛି ଭାବି, ଚେତନା ଫେରାଇ ଆଣିବାକୁ ଶତ ଚେଷ୍ଟା କଲେ; କିନ୍ତୁ ଫଳ କିଛି ହେଲାନି । ଶେଷରେ ସେ ନିରାଶ ହୋଇ ଚିନ୍ତା କରିବାକୁ ଲାଗିଲେ-

 

ଆଉ କିଛି ନଭାବି ଶିଶୁଟିକୁ କୋଳକୁ ଉଠାଇଆଣିଲେ କନକଦେବୀ । ଗୋପାଳବାବୁ ଏ ସବୁ ଦେଖି ଆଶ୍ଚର୍ଯ୍ୟ ହୋଇ ପ୍ରଶ୍ନ କଲେ ଏ ନବଜାତ ଶିଶୁକୁ ଆମେ କ’ଣ କରିବା କନକ ? ଜନ୍ମଦାତ୍ରୀ ତା’ର ମୃତ କି ଜୀବିତ ତା’ ତ ଜାଣି ହେଉନି । ଯଦି ଆମେ ପିଲାଟିକୁ ଛାଡ଼ି ଦେଇ ଯିବା ତେବେ ତା’ର ଅବସ୍ଥା କ’ଣ ହେବ ତା’ ମଧ୍ୟ କହି ହେଉନି । ୟା'ର କେହି ଆଉ ନିଜର ଥିଲାପରି ଜାଣି ହେଉନି । ତେବେ ଆମେ ବର୍ତ୍ତମାନ କ’ଣ କରିବା ?

 

ଏ ପରା ଆମର ସନ୍ତାନ ! ଭଗବାନ୍‍ଙ୍କର ଆମପ୍ରତି ଏ ପରା ଅପୂର୍ବଦାନ । ୟାକୁ ନିଜର କରି ରଖିବା କହି ହସି ଉଠିଲେ କନକ ଦେବୀ । ଗୋପାଳବାବୁଙ୍କ ମୁହଁରେବି ହସର ତୀକ୍ଷ୍ଣରେଖା ଫୁଟି ଉଠୁଥିଲା ।

 

ଆଉ ଅଧିକ ଅଗ୍ରସର ନହୋଇ ପୁଣି ଘର ଅଭିମୁଖେ ଗାଡ଼ି ଲେଉଟାଇଲେ ଗୋପାଳବାବୁ । ଶିଶୁପୁତ୍ରକୁ ଧରି କନକଦେବୀ ଗାଡ଼ିଭିତରକୁ ପ୍ରବେଶ କଲେ । ଗାଡ଼ିଚାଲିଲା ଘର ଅଭିମୁଖେ ।

 

ଚାହୁଁ ଚାହୁଁ ଗୋପାଳବାବୁଙ୍କ ଗେଟ ସାମନାରେ ଗାଡ଼ି ଆସି ଠିଆହେଲା । ଗାଡ଼ିରୁ ଓହ୍ଲାଇ ଆନନ୍ଦ ମନରେ ଘରଭିତରକୁ ଚାଲିଗଲେ ଯୁଗଳ ଦମ୍ପତି ।

 

ଆଜି ପୁଅଟିଏ ପାଇ କନକ ଦେବୀଙ୍କର ଆନନ୍ଦ କହିଲେ ନ ସରେ । ମନେମନେ ସେ କେତେ ଡାକିଲେ ସର୍ବନିୟନ୍ତା ପରମେଶ୍ୱରଙ୍କୁ । କେତେ ପ୍ରଣତି ବାଢ଼ିଲେ ।

 

ଗୋପାଳବାବୁଙ୍କର ଘରଟି ଆଜି ଆନନ୍ଦରେ ଉଛୁଳି ଉଠୁଛି । ପୁଅଟିଏ ପାଇ ଗୋପାଳବାବୁ ଓ କନକଦେବୀଙ୍କ ଗୋଡ଼ ଆଉ ଲାଗୁନି । କେତେ ଦାନ ଖଇରାତ କରୁଛନ୍ତି । ହଜାର ହଜାର ଭିକ୍ଷୁମାନଙ୍କୁ ଆଜି ସେ ପେଟଭରି ଖାଇବାକୁ ଦେଉଛନ୍ତି । ଖିଆପିଆ ଦାନଖଇରାତର ସୁଅ ଛୁଟିଛି । ସମସ୍ତେ ମଜିଯାଇଛନ୍ତି ଆନନ୍ଦର କୋଳାହଳରେ ।

 

ପ୍ରକୃତିର ମୃଦୁପବନ ବାଜି ପ୍ରକାଶ ଯେତେବେଳେ ଚେତନା ପାଇ ଉଠିଲା, ଦେଖିଲା ଦେହ, ହାତ ତା’ର ଖଣ୍ଡିଆ ଖାବଡ଼ା ହୋଇଯାଇଛି । ମୁଣ୍ଡରେ କେଉଁଠି ଆଘାତ ଲାଗି ଧାର ଧାର ହୋଇ ରକ୍ତର ସ୍ରୋତ ବହିଚାଲିଛି । ତଥାପି ସେଥିପ୍ରତି ତା’ର ନଜର ନାହିଁ । ପ୍ରାଣ ତା’ର ଲାଖିରହିଛି, ପ୍ରାଣର ପ୍ରିୟତମା ପାଖରେ ।

 

ଛିଣ୍ଡା ଗାମୁଛାଟିକୁ ନାଳ ଜଳରେ ଭିଜାଇ ପ୍ରକାଶ ଧାଇଁଲା ବୀଣା ପାଖକୁ । ପହଞ୍ଚି ଯାହା ଦେଖିଲା ସେଥିରେ ଛାତି ତା’ର ବିଦୀର୍ଣ୍ଣ ହୋଇପଡ଼ିଲା । ଏ ପର୍ଯ୍ୟନ୍ତ ମୂର୍ଛିତା ଅବସ୍ଥାରେ ସେମିତି ପଡ଼ିଛି ବୀଣା । ପାଖରେ ଆଉ ତା’ର ନାହିଁ...ତା’ର ଭବିଷ୍ୟତ୍ ଉଜ୍ଜ୍ଵଳକାରୀ ଜନ୍ମିତ ଶିଶୁଟି-। ବିଚଳିତ ହୋଇ ଚାରିଆଡ଼କୁ ତନ୍ନତନ୍ନ କରି ଚାହିଁଲା ପ୍ରକାଶ । କାହିଁ ? କେହି ତ ଦିଶୁନି । ତେବେ କିଏ ନେଲା ତା’ର ମାଣିକକୁ ? କିଏ ନେଲା ତା’ର ନୟନ ପିତୁଳାକୁ !

 

ତା’ର ମନ କହୁଛି, ଏଣେତେଣେ ଧାଇଁ ଖୋଜା ଖୋଜି କରିବା ପୁଅକୁ ତା’ର; କିନ୍ତୁ ପ୍ରିୟତମା ଯେ ତା’ର ଏବେବି ଜ୍ଞାନ ହରାଇ ପଡ଼ିଛି । ତା’ର ଅବସ୍ଥା କ’ଣ ହେବ ! ମନରେ ତା’ର କେତେ ଦ୍ଵନ୍ଦ୍ୱ ଭାବନା ସ୍ଥାନ ପାଉଛି । ଭାବନାରେ ଅଣନିଃଶ୍ଵାସୀ ହୋଇପଡ଼ୁଛି ପ୍ରକାଶ । ତଥାପି ମନରେ ସାହସ ପ୍ରିୟତମା ପାଖକୁ ଲାଗି ବସିପଡ଼ିଲା ସେ । ଧୀରେ ଧୀରେ ବୀଣାର ମୁଣ୍ଡଟିକୁ ନିଜର କୋଳ ଉପରକୁ ଆଣିଲା । ବୀଣାର ପାଟିଖୋଲି, ଜଳରେ ଭିଜିଥିବା ଗାମୁଛାଟିକୁ ଚିପୁଡ଼ିଦେଲା । ମୁହଁ ଉପରେ ପାଣି ସିଞ୍ଚିଦେଲା । ସେ ଛିଣ୍ଡା ଗାମୁଛାକୁ ହଲାଇ ହଲାଇ ପବନ କଲା ।

 

ତଥାପିବି ବୀଣାର ଚେତନା ଫେରିନି । ପ୍ରକାଶ ଆଖିରୁ ବହିଚାଲିଛି ଲୁହର ଶ୍ରାବଣୀ । ମନଭିତରେ ତା’ର କେତେ ନାହିଁ ନଥିବା ପ୍ରଶ୍ନ ଉଙ୍କି ମାରୁଛି । ହେଲେ କାହାଠାରୁ ଉତ୍ତର ପାଇବ-? କିଏ ଦେବ ତାକୁ ସଠିକ ଉତ୍ତର ! ଭାବନାର ଖିଅ ମଜଭୁତ୍ ହୋଇ ଶରବିଦ୍ଧ କପୋତୀ ପରି ଛଟପଟ ହେଉଛି ପ୍ରକାଶ । କେତେ ଆଶା ତା’ର ନିରାଶାରେ ପରିଣତ ହେବାକୁ ଯାଉଛି । ଅତୀତର ମଧୁମୟ ଦିନଗୁଡ଼ିକ ଗୋଟି ଗୋଟି ହୋଇ ତା’ର ହୃଦୟରେ ରଙ୍ଗିନ ଚିତ୍ରର ପରଦା ଲେଉଟି ଚାଲିଛି । କାହିଁ ଅତୀତ, ଆଉ ଆଜି....କେଉଁଠି ଥିଲା ଆଉ ଆଜି ସେ, କେଉଁଠି....

 

ସମୟର କରାଳ ସ୍ରୋତରେ ଗୋଟି ଗୋଟି ସେ ସମସ୍ତ ହରାଇ ବସିଛି । ହରାଇ ବସିଛି ତା’ର ପ୍ରତିମୂର୍ତ୍ତି । ଜନ୍ମଦାତ୍ରୀବି ହଜିଯାଇଛି ତା’ର । ତଥାପି ସେ ବଞ୍ଚିରହିଛି ପ୍ରାଣପ୍ରିୟା ବୀଣାଲାଗି ତା’ର । ବୀଣାର କେତେ ହସହସ କଥା, କାନ୍ଦ ଆଉ ଆଡ଼ରୁଷାର ଅଭିମାନମିଶା ନରମ ସ୍ୱର ପ୍ରକାଶର ହୃଦୟରେ ଆସି ଧୈର୍ଯ୍ୟଚ୍ୟୁତ କରି ପକାଉଛି । ତେବେ କ’ଣ ପ୍ରିୟତମା, ବୀଣା ଆଉ ତା’ର ଉଠିବନି, ଆଉ କ’ଣ କଥା କହିବନି ! ଏମିତି କେତେ କଥା ମନରେ ତା’ର ସ୍ଥାନ ପାଉଛି ଏକ ଧ୍ୟାନରେ ବୀଣା ମୁହଁକୁ ଚାହିଁରହିଛି ପ୍ରକାଶ । ଏ ପର୍ଯ୍ୟନ୍ତବି ବିଞ୍ଚି ଚାଲିଛି ପ୍ରକାଶ-। ଧୀର-ମୃଦୁ ହସ୍ତଚାଳନା ବୀଣାର ସାରା ଦେହରେ ଏବେବି ବନ୍ଦ କରିନି ସେ । ସୁଗୋଲ ମୁହଁ ଉପରେ ଧୀରେଧୀରେ ହାତ ବୁଲିବାରେ ଲାଗିଛି ।

 

କିଛି ସମୟପରେ ବୀଣାର ଚେତନା ଫେରିଲା ହଠାତ ସେ, ମୋ ପୁଅ, ମୋ, ପୁଅ ବୋଲି ଚିତ୍କାର କରିଉଠିଲା । ନିସ୍ତେଜ ଆଖିରେ ଚାହିଁଲା ବୀଣା । ପ୍ରିୟତମାର କୋଳରେ ତା’ର ମୁଣ୍ଡଟି ଅଛି ଆଉ ଆଖିରୁ ତା’ର ବହିଚାଲିଛି ଲୁହର ପ୍ଳାବନ । ବୀଣା କ’ଣ ପଚାରିବ ବୋଲି କିଛି କହିପାରୁନି । ମନେମନେ ଯେମିତି ସେ କ’ଣ ଖୋଜି ହେଉଛି । ପ୍ରକାଶ ମଧ୍ୟ କ’ଣ ପଚାରିବ ଭାବି ପାଟି ଖୋଲୁନି ତା’ର । ବୀଣା ଚାହିଁରହିଛି ଦେବତାର ଆଖିକୁ ତା’ର ପ୍ରକାଶ ପ୍ରଶ୍ନୀଳ ଚକ୍ଷୁ ନେଇ ଚାହିଁରହିଛି ବୀଣାକୁ ଏକ ଲୟରେ । ଦୁହେଁ ଦୁହିଁଙ୍କୁ ପ୍ରଶ୍ନୀଳ ଚକ୍ଷୁରେ ଚାହିଁ ରହିଛନ୍ତି ।

 

ଏହା ଭିତରେ ଅନେକ ଦିନ କଟିଯାଇଛି । ଦୀର୍ଘଦିନ ପରେ ଆଜି ଗୋପାଳବାବୁଙ୍କ ଘରଟି କୁଆଁ କୁଆଁ କ୍ରନ୍ଦନରେ କଳରୋଳରେ ଉଛୁଳି ଉଠୁଛି । ନବଜାତ ସନ୍ତାନର କ୍ରନ୍ଦନ ଧ୍ୱନିରେ ସାହିଟି ତାଙ୍କର ଫୁଲିଉଠୁଛି । କେତେଲୋକ ଆଜି ତାଙ୍କ ସାହିରେ ସମାଗମ । "ଭଗବାନ୍ ତାହାହେଲେ ତାଙ୍କର ଡାକ ଶୁଣିଛନ୍ତି...ତାଙ୍କରି ଆର୍ତ୍ତ ଚିତ୍କାର ତେବେ ପରମେଶ୍ୱରଙ୍କ କାନରେ ପଡ଼ିଛି, ଦୀର୍ଘଦିନର ଆଶା ତେବେ ତାଙ୍କର ପୂରଣ ହୋଇଛି......

 

ଦୀର୍ଘ ବାରଘଣ୍ଟା ବୁଲି ବୁଲି ଫେରିଛନ୍ତି ଗୋପାଳବାବୁ । ସାହିଟି ତାଙ୍କର ଲୋକାରଣ୍ୟରେ ଫାଟି ପଡ଼ୁଛି, ସେଇ ଲୋକମାନଙ୍କ ପାଟିକୁ ଭେଦକରି ଶୁଭୁଛି କଅଁଳା ସ୍ୱର ଶୁଣି ମନଟି ତାଙ୍କର ଆନନ୍ଦରେ ନାଚିଉଠିଲା । କେତେ କଳ୍ପନା ପରିକଳ୍ପନା ରୂପରେଖ ପାଇଲା ଗୋପାଳବାବୁଙ୍କ ମନ-ରାଜ୍ୟରେ । ଦୀର୍ଘଦିନର ଆଶା ତାଙ୍କର ପୂରଣ ହୋଇଛି ନିଶ୍ଚୟ । ଯେଉଁଥିପାଇଁ ଦାମ୍ପତ୍ୟ ଜୀବନରେ ତାଙ୍କର ଦୁଃଖର ଛାଇ ଘେରିବସିଥିଲା ତା’ ଆଜି ଆଉ ନାହିଁ । ଆଜି ତାଙ୍କର ସଂସାର ହସିଛି, ହସାଇଛି ମନ ତାଙ୍କର । କିନ୍ତୁ ପର ମୁହୂର୍ତ୍ତରେ ଯାହା ସେ ଖବର ପାଇଲେ ମନଟି ତାଙ୍କର ଭାଙ୍ଗି ପଡ଼ିଲା ଟିକେ । ମନର କଳ୍ପନା ତାଙ୍କର ଦୂରେଇ ଗଲା ବହୁ ଦୂରକୁ-। କେତେ ଆଶା କରିଥିଲେ ଗୋପାଳବାବୁ, କେତେ ଦାନ ଖଇରାତ କରିଥିଲେ, କେତେ ଦିଅଁ-ଦେବତା ପୂଜିଥିଲେ କୋଳରେ ପୁଅଟିକୁ ଧରିବାକୁ; କିନ୍ତୁ ଭଗବାନ୍ କଲେ କ’ଣ-? ପୁଅଟିଏ ପରିବର୍ତ୍ତେ ଝିଅଟିଏ । ତାଙ୍କର ବା, ଉପାୟ କ’ଣ ! ସେବା କ’ଣ କରିବେ ! ସବୁ ତ ସେଇ ମଙ୍ଗଳମୟ ପରମେଶ୍ୱରଙ୍କ ଇଚ୍ଛା । ସବୁ ତ ସେଇ ଅଦେଖା ନିୟତିର ଚକ୍ରାନ୍ତ । ଭାଗ୍ୟରେ ଯାହାଥିଲା ତା’ ହେଲା । ଯା, ହେଉ ଭଗବାନ୍ ଯେତେବେଳେ ଝିଅଟିଏ ଦେଇଛନ୍ତି ସେଇହିଁ ତାଙ୍କର ସବୁ । ସେଇ ତାଙ୍କର ଝିଅ, ସେଇ ତାଙ୍କର ପୁଅ, ଏ ଚଳାଚଳ ସମ୍ପତ୍ତିର ଉତ୍ତରାଧିକାରିଣୀ ତାଙ୍କ ସ୍ନେହ-ରାଜ୍ୟର ଏକମାତ୍ର ଅଧୀଶ୍ୱରୀ ।

 

ଏମିତି ଦିନପରେ ଦିନ ଗଡ଼ି ଚାଲିଛି । ଗୋପାଳବାବୁ ତାଙ୍କର କର୍ତ୍ତବ୍ୟ ଭୁଲି ନାହାନ୍ତି । ପୂର୍ବପରି ଦାନ ଖଇରାତ କରିବାକୁ ପଛାଉ ନାହାନ୍ତି । ପରର ଉପକାର କରିବାରେ ସର୍ବଦା ସେ ଆପ୍ରାଣ ଉଦ୍ୟମ ଚଳାଉଛନ୍ତି । ସେଇଥିଯୋଗୁଁ ଚାରିଆଡ଼େ ତାଙ୍କର ସୁନାମ କେତେ ଗରିବ ଭିକାରି ସମସ୍ତେ ଧାଇଁଛନ୍ତି ତାଙ୍କରି ଘରକୁ ସମସ୍ତେ ଜାଣନ୍ତି ଗରିବ ଦୁଃଖୀରଙ୍କୀ ବାପ ମା, ସେ । ତାଙ୍କରି ପ୍ରଶଂସା ସମସ୍ତଙ୍କ ମୁହଁରେ ସହରଠାରୁ ମଫସଲ ପର୍ଯ୍ୟନ୍ତ ଗୋପାଳବାବୁଙ୍କୁ ଆଜି ନ ଚିହ୍ନେ କିଏ । ତାଙ୍କର ମହତ, ଉଦାର ଚରିତ୍ର ଲୋକ ସମାଜରେ ଆଜି ତାଙ୍କୁ ଚିହ୍ନାଇ ଦେଇଛି ।

 

ଆଉ ଯେଉଁଦିନଠୁ ଛୋଟ ପୁଅଟିଏ ପାଇ ଆଣିଛନ୍ତି ସେଦିନୁ ତାଙ୍କର ଘର ଅଧିକରୁ ଅଧିକ ଉଜ୍ଜ୍ୱଳ ହେବାରେ ଲାଗିଛି । ପୁଅଟିଏ ପାଇ ଗୋପାଳବାବୁ ସର୍ବଦା ଆନନ୍ଦ ସାଗର ଭିତରେ ବୁଡ଼ିରହିଛନ୍ତି ଆଦରରେ ଶିଶୁଟିର ନାଁ, ରଖିଛନ୍ତି ସୁଶାନ୍ତ । ସୁଶାନ୍ତପାଇଁ ନିଜର ପୁଅପରି ସେ କେତେ ଖର୍ଚ୍ଚ କରୁଛନ୍ତି । ଯେତେବେଳେ ସେ ଯାହା ଚାହୁଁଛି ତା’ ଆଣି ଦେଉଛନ୍ତି । ସୁଶାନ୍ତ ମନବୁଝିବାକୁ ଛୋଟ ଛୋଟ ଖେଳନା ଠାରୁ ବଡ଼ ବଡ଼ ଜିନିଷ ପର୍ଯ୍ୟନ୍ତ ଯୋଗାଇଛନ୍ତି ଗୋପାଳବାବୁ । ସୁଶାନ୍ତ ଆଖିରେ ଲୁହ ଦେଖିବାକୁ ଚାହାନ୍ତିନି ସେ ।

 

ଖେଳନା ଧରି ସୁଶାନ୍ତ ଖେଳେ । ଟିକି ଟିକି ଗୋଡ଼ରେ ତା’ର ଚାଲିବାକୁ ପ୍ରୟାସ କରି ଥରକୁ ଥର ଚାଲିଲାବେଳେ ଗୋପାଳବାବୁ ଏବଂ କନକଦେବୀଙ୍କ ପ୍ରାଣରେ ଆଘାତ ଲାଗେ । ଆଖିରେ ତା’ର ଲୁହ ଦେଖିଲେ ନିଜେ କାନ୍ଦିପକାନ୍ତି କନକଦେବୀ । ସେ ଚାହାନ୍ତିନି ପିଲାଙ୍କ ଆଖିରେ ଲୁହ ଦେଖିବାକୁ ।

 

ଗୁଲୁରୁ ଗୁଲୁରୁ ଦୋ ତୁଣ୍ଡ କଥା ସୁଶାନ୍ତ କହିଲାବେଳେ ଅସୀମ ଆନନ୍ଦ ଅନୁଭବ କରନ୍ତି ଗୋପାଳବାବୁ । କୋଳକୁ ଉଠାଇ ଆଣି ବୋକ ଦେଇ କେତେ ଗେଲ କରନ୍ତି । ନିଜେ ହଜିଯାଆନ୍ତି ସୁଶାନ୍ତ ଆନନ୍ଦରେ । କିନ୍ତୁ ଗାଁର କେତେ ଲୋକ ଏ ସବୁଦେଖି ଜମା ସହିପାରନ୍ତିନି । କେତେ ଟୁପୁରୁ ପୁଟୁରୁ ଫୁସୁରୁ ଫୁସୁରୁ ହୁଅନ୍ତି । ଦେଖେଇ ଶିଖେଇ କହି ହୁଅନ୍ତି ଦେଖ, କେଉଁଠୁ ଗୋଟାଏ ବାଉରି, କଣ୍ଡରା, ବାରବୁଲା ଛୁଆଟାଏ ରାସ୍ତା କଡ଼ରୁ ଗୋଟାଇ ଆଣି ଗୋପାଳବାବୁଙ୍କ ଗୋଡ଼ ଆଉ ଭୂଇଁରେ ଲାଗୁନି । ନିଜ ପୁଅ ହୋଇଥିଲେ ତ....ସେ କଥା ଛାଡ଼... । ସରଗରେ ତା’ ଗୋଡ଼ ବାଜନ୍ତା, ତାଙ୍କର ଆଉ....

 

ଏମିତି କେତେ ପ୍ରକାର ଛିଗୁଲେଇ କଥା କୁହନ୍ତି । କାନ୍ଥକୁ, ବାଡ଼କୁ ଗାଈ-ଗୋରୁଙ୍କୁ ଦେଖେଇ ଶିଖେଇ କହନ୍ତି; ତଥାପି ଗୋପାଳବାବୁ ମନରେ ଟିକିଏ ହେଲେ ଦୁଃଖ ଆଣନ୍ତିନି । ସୁଶାନ୍ତ ତାଙ୍କର ପୁଅ ନହେଲେବି ମଣିଷର ସନ୍ତାନ ସେ । ଯାହାର ହେଲେ ତ ରକ୍ତରେ ଗଢ଼ା ମଣିଷ ପିଲା ସେ । ଆଉ ସେଥିରେ କ୍ଷତି କ’ଣ ? ସେଦିନ ଯଦି ସେ ସୁଶାନ୍ତକୁ ସାଉଁଟି ଆଣି ନଥାନ୍ତେ ତେବେ ତା’ର ଅବସ୍ଥା କ’ଣ ହୋଇଥା'ନ୍ତା । ସେତ କିଛି କାହାର କ୍ଷତି କରିନାହାନ୍ତି, କାହାପାଖରୁ ଚୋରାଇ ଆଣି ନାହାନ୍ତି, କି ଅନ୍ୟାୟ କରିନାହାନ୍ତି ! କୁହନ୍ତୁ ଲୋକମାନେ, ଅପନିନ୍ଦା କରନ୍ତୁ, ତଥାପି ସୁଶାନ୍ତ ତାଙ୍କର ହାତଗଢ଼ା ସୁନାର କଣ୍ଢେଇ । ମଙ୍ଗଳମୟ ପରମେଶ୍ୱରଙ୍କର ଅପୂର୍ବ ଦାନ ।

 

ସୁଶାନ୍ତ ଏଇ କେତେ ଦିନ ହେବ ସ୍କୁଲକୁ ପଢ଼ିବାକୁ ଯାଉଛି । ନିଜ ପୁଅପରି ତାକୁ ପଢ଼ାଉଛନ୍ତି ଗୋପାଳବାବୁ । ସୁଶାନ୍ତର ପଢ଼ିବାପାଇଁ ସେ ସମସ୍ତପ୍ରକାର ସୁବିଧା କରି ଦେଇଛନ୍ତି ।

 

ସୁଶାନ୍ତ ଜାଣେ, ଗୋପାଳବାବୁ ଓ କନକ ଦେବୀ ତା’ର ମା, ବାପା । ପିଲାମୁଣ୍ଡରେ ସେ ବା ଏତେ କଥା କାହୁଁ ଜାଣିବ । ସୁଶାନ୍ତ, କନକ ଦେବୀଙ୍କ ପାଖରେ ଅଝଟ କରେ, କାନ୍ଦେ ! "କିଛି ନ ହେଲେବି ସୁଶାନ୍ତକୁ ସେ ଆଖିପୂରାଇ ଦେଖିପାରୁ ଥିଲା, ମନର ଅବସାଦ ଟିକକ ତ ସେ ମେଣ୍ଟାଇ ନେଉଥିଲା ଆଶାର ପ୍ରିୟତମକୁ ତା’ର ଦେଖି; କିନ୍ତୁ ଆଉ କେଇଟି ମୁହୂର୍ତ୍ତପରେ ସେତିକରୁ ମଧ୍ୟ ସେ ବଞ୍ଚିତ ହେବ ।

 

ସୁଶାନ୍ତ ମନଟି ନୂତନ ଦେଶକୁ ଯାତ୍ରାକରିବା ପାଇଁ ଯେତିକି ଆଗ୍ରହ ସୃଷ୍ଟିକରୁଛି, ଆତ୍ମୀୟ ସ୍ଵଜନମାନଙ୍କୁ ଆଉ ସେ ଦେଖିପାରିବନି ଭାବି ଭାବି ଦୁଃଖରେ ସେତିକି ଭାଙ୍ଗି ପଡ଼ୁଛି । ତଥାପି ତାକୁ ଯିବାକୁ ହେବ, ଆଗରେ ତା’ର କର୍ତ୍ତବ୍ୟର ବୋଝ ହିମାଳୟ ପରି ମୁଣ୍ଡ ଟେକି ଠିଆହୋଇ ରହିଛି । ତାକୁ ନିଶ୍ଚୟ ଯିବାକୁ ହେବ ।

 

ବିଦାୟ ପୂର୍ବରୁ ତାକୁ ସମସ୍ତଙ୍କ ପାଖରୁ ତ ବିଦାୟର ସ୍ୱାଗତ ଆଣିବାକୁ ହେବ । ତେଣୁ ମା ଭଉଣୀଙ୍କ ପାଖକୁ ସାକ୍ଷାତ କରିବାକୁ ଚାଲିଛି ସୁଶାନ୍ତ....

 

କନକ ଦେବୀ ଦୁଃଖରେ ଟିକେ ମ୍ରିୟମାଣ ହୋଇ ପଡ଼ିଛନ୍ତି । ସୁଶାନ୍ତ ଆଜି ଦୂରରାଇଜକୁ ଚାଲିଯିବ, ଆଉ ସେ ତାଙ୍କର ହାତଗଢ଼ା କଣ୍ଢେଇକୁ ଟିକେ ଧରି ଗେଲକରି ପାରିବେନି, ଏଇ କଥା ତାଙ୍କ ମନରେ ଦୁଃଖର ମାତ୍ରା ବଢ଼ାଇ ଦେଇଛି । ତେଣୁ ମନଟି ତାଙ୍କର ଭଲ ନାହିଁ । ଛାତି ଭିତରେ କିଏ ହାତୁଡ଼ି ପିଟିଲାପରି ଜଣାଯାଉଛି ତାଙ୍କୁ । ସୁଶାନ୍ତ କେମିତି ସୁଖରେ ତା’ ସାଧନାର ବିଜୟ ବୈଜୟନ୍ତୀ ଉଡ଼ାଇ ଫେରି ଆସୁ, ଏହାହିଁ ଠାକୁରଙ୍କ ପାଖରେ କାମନା କରି ପ୍ରଣତି ବାଢ଼ୁଛନ୍ତି ସେ ।

 

ହଠାତ ଘର ଭିତରକୁ କାହାର ଛାଇ ପଶିଆସିବା ଦେଖି ଉତ୍ତଳା ଭାବନା ତାଙ୍କର ଭାଙ୍ଗିଗଲା । ମୁହଁ ଉଠାଇ ଦରଜା ଆଡ଼େ ଚାହିଁଲେ କନକଦେବୀ । ସୁଶାନ୍ତ ଘରଭିତକୁ ତରତର ହୋଇ ପଶିଆସୁଛି ଦେଖି କନକଦେବୀଙ୍କ ଛଳଛଳ ଆଖିରୁ ତତଲା ଲୁହ କେତେ ଧାର ଗଡ଼ିପଡ଼ିଲା-। ସୁଶାନ୍ତକୁ କୋଳକୁଟାଣି ଆଣି ବୋକଟିଏ ଦେଇ କେତେ ଆଶୀର୍ବାଦ କଲେ । ପୁଣି କନକ ଦେବୀଙ୍କ ଆଖିରୁ ଲୁହ ଝରିଲା ।

 

ସୁଶାନ୍ତ କହିଲା, "ମା' ତୁ କାନ୍ଦୁଛୁ ? ମୋତେ ଆଶୀର୍ବାଦ କର ମା'...ମୁଁ ସୁଖରେ ଯେପରି ପୁଣି ତୋରି କୋଳକୁ ଫେରିଆସେ । "

 

କନକ ଦେବୀ ପୁଣି ଆଶୀର୍ବାଦ ଢାଳିଲେ । ଠାକୁରଙ୍କ ଉଦ୍ଦେଶ୍ୟରେ ତଳେ ମୁଣ୍ଡ ଲଗାଇଲେ ସୁଶାନ୍ତର ସୁଖପାଇଁ । ସୁଶାନ୍ତ ବିଦାୟ ଆଣି ତୁଳସୀ କୋଠରି ଭିତରକୁ ପ୍ରବେଶ କଲା-। କିନ୍ତୁ ଏ କ’ଣ...ଆଜି ସେ ଦେଖୁଛି ! ସବୁଦିନପରି ତୁଳସୀର ସାଜସଜ୍ଜା ନାହିଁ । ଆଖିର ଲୁହରେ ଶେଯ ଭିଜିଗଲାଣି, ତଥାପି; ତୁଳସୀ ଆଖିରୁ ଲୁହର ଧାର ବନ୍ଦ ହୋଇନି । ସୁଶାନ୍ତ ଟିକେ ପାଖକୁ ଯାଇ ଡାକିଲା, ତୁଳସୀ...

 

ତୁଳସୀ ଚାହିଁଲା ଡାକର ପ୍ରତିକୂଳ ଆଡ଼େ ! ସୁଶାନ୍ତକୁ ଦେଖି ସେ ସରମିଗଲା ଟିକେ । ଆଖିର ଲୁହକୁ ଲୁଚାଇବା ପାଇଁ ଚଟ୍ କରି ମୁହଁ ବୁଲାଇନେଲା । ସୁଶାନ୍ତ ଆଗେଇ ଯାଇ କେତେ ଆଦର ଯତ୍ନରେ ତୋଳି ଧରିଲା ତୁଳସୀକୁ । ସୁଶାନ୍ତ କିଛି କହିବା ପୂର୍ବରୁ ତୁଳସୀ ପ୍ରଶ୍ନ କଲା, "ତୁମେ କେବେ ଫେରିବ କୁହ ତ ଭାଇ ?"

 

ସୁଶାନ୍ତ କିଛି ଭାବି କହିଲା ବେଳକୁ, ତୁଳସୀ ପୁଣି କହିଲା, "ତୁମେ ଶୀଘ୍ର ଫେରିବ ଭାଇ," ଶୀଘ୍ର ଫେରିଆସିବି....ହଁ ହଁ, ଶୀଘ୍ର ଫେରିବି ନିଶ୍ଚିୟ ତୁମରିମାନଙ୍କ ସ୍ନେହ, ମମତା ମୋତେ ସେଠାରେ ରଖେଇ ଦେବନି ଦେଖୁଛି ।

 

ସେପର୍ଯ୍ୟନ୍ତବି ତୁଳସୀ ଆଖିରୁ ଲୁହଧାର ବନ୍ଦ ହୋଇ ନଥିଲା । ତୁଳସୀ ଆଖିର ଲୁହ ଦେଖି ସୁଶାନ୍ତବି ଦୁଃଖରେ ବନ୍ଦି ହୋଇ ପଡ଼ିଲା । ଭାବୁଥିଲା, ଅନ୍ତରଙ୍ଗ ଭଉଣୀ ମୋର । ତେଣୁ ହୁଏତ ଆଜି ସେ ଦୂରଦେଶକୁ ଯାଉଛି ବୋଲି ତୁଳସୀ କାନ୍ଦୁଛି ! କିନ୍ତୁ ତୁଳସୀ ଆଜି କେଉଁ ମନ ନେଇ ସୁଶାନ୍ତପାଇଁ ଆଖିଲୁହ ଢାଳୁଛି, ସେକଥା ସୁଶାନ୍ତ ବା କାହୁଁ ଜାଣିବ ! ସେ କଥା ତାକୁଇ ଜଣା-

 

ଛି...ମୋ ସୁନା ଭଉଣୀଟା ପରା, ତୁନିହ....ଏମିତି କାନ୍ଦନ୍ତି ? ତୁ କାନ୍ଦିଲେ ମୋର ପରା ଅମଙ୍ଗଳ ହେବ...କହି ତୁଳସୀ ଆଖିରୁ ଲୁହର ଦାଗ ପୋଛିଦେଲା ସୁଶାନ୍ତ ।

 

ସୁଶାନ୍ତ ହାତର କୋମଳ ପରଶ ପାଇ ତୁଳସୀ ଆତ୍ମହରା ହୋଇ ଉଠୁଥିଲା । ଅମଙ୍ଗଳ ପଦକ ଶୁଣି ଚମକି ଉଠିଲା ସେ, ଏ କ'ଣ କହୁଛନ୍ତି ତା’ର ସୁଶାନ୍ତ ଭାଇ ! ସିଏ କାନ୍ଦିଲେ ତାଙ୍କର ଅମଙ୍ଗଳ ହେବ,...ନା, ଆଉ ସେ କାନ୍ଦିବନି । ମନକୁ ବୁଝାଇ ଆଖିରୁ ଲୁହ ପୋଛିଲା ତୁଳସୀ । ଆଖିରୁ ଲୁହର ଦାଗ ଲିଭିଗଲା । ହେଲେ ମାନସ ପଟରୁ ଲୁହର ଦାଗ ଲିଭିଲାନି, ବରଂ ଆହୁରି ସୁଷ୍ପଷ୍ଟ ହୋଇ ଉଠିଲା ।

 

"ତୋ ପାଇଁ କ’ଣ ଆଣିବି ତୁଳସୀ ?" ପ୍ରଶ୍ନ କଲା ସୁଶାନ୍ତ । କ’ଣ ଆଣିବାପାଇଁ କହିବ, ତାଭାବି ଠିକ୍ କରି ପାରିନଥିଲା ତୁଳସୀ । ମନ ଭିତରେ ଖାଲି ଖୋଜି ହେଉଥିଲା କ’ଣପାଇଁ ସେ କହିବ....

 

"ଡେରି ହେଉଛି ତୁଳସୀ, ପ୍ଲେନ ଛାଡ଼ିବାର ସମୟ ହୋଇଗଲାଣି, ଶୀଘ୍ର କହ କ’ଣ ତୋପାଇଁ ଆଣିବି ?

ତୁଳସୀ ଟିକେ ଭାବନାରେ ବୁଡ଼ିଯାଇ କହିଲା, "ମୋ, ପାଇଁ ରୁଷ୍‍ଦେଶର ଫୁଲମାଳ ଆଣିବ ।

 

ସୁଶାନ୍ତ ହଁ ଭରି ଯାତ୍ରା ଉଦ୍ଦେଶ୍ୟରେ ବାହାରି ଗଲା; କିନ୍ତୁ ତୁଳସୀ ଜଡ଼ ପିଣ୍ଡଟି ପରି ବିଛଣା ଉପରେ ପଡ଼ିରହି ଆକାଶ ପାତାଳ ଭାବୁଥିଲା । ସୁଶାନ୍ତର ଚଲାପଥ ଆଖିଆଗରେ ତା’ର ଝଲସି ଉଠୁଥିଲା ! ମନ ତା’ର ଜମା ଥୟ ହେଉ ନଥିଲା; ଆଖି ଲୁହ ମନର କ୍ଳାନ୍ତିକୁ ଭସାଇ ନେଉଥିଲା ଦୂରକୁ....ଅତି ଦୂରକୁ ।

 

ସୁଶାନ୍ତ ଆଉ ଗୋପାଳବାବୁ ଭୁବନେଶ୍ୱର ବିମାନ ଘାଟିକୁ ଯିବାପାଇଁ ବାହାରି ପଡ଼ିଲେ-। ଗୋପାଳବାବୁ ଗାଡ଼ିଟା ବାହାରକୁ ଆଣି ଷ୍ଟାର୍ଟ ଦେଲେ । ଗାଡ଼ି ଆଗେଇ ଚାଲିଲା ଭୁବନେଶ୍ୱର ବିମାନଘାଟି ଅଭିମୁଖେ....

 

ଚାହୁଁ ଚାହୁଁ ଗାଡ଼ିଟି ବିମାନଘାଟି ଆଗରେ ଠିଆ ହୋଇଗଲା । ସୁଶାନ୍ତ ଏବଂ ଗୋପାଳବାବୁ ଗାଡ଼ିରୁ ବାହାରି ଆସିଲେ । ସୁଶାନ୍ତର କେତେ ସାଙ୍ଗସାଥୀ ତାକୁ ଚାହିଁ ରହିଥିଲେ । ସମସ୍ତଙ୍କ ପାଖରୁ ବିଦାୟ ସ୍ଵାଗତିକା ଆଣି ଗୋପାଳବାବୁଙ୍କ ପାଖକୁ ସୁଶାନ୍ତ ଫେରି ଆସିଲା । ଶେଷଥର ପାଇଁ ମାତୃଭୂମି ଏବଂ ପୂଜ୍ୟ, ପରମ ପିତା, ଗୋପାଳବାବୁଙ୍କର ପାଦଧୂଳି ନେଇ ପ୍ଲେନ ଉପରକୁ ଆଗେଇ ଗଲା ସୁଶାନ୍ତ । ସୁଶାନ୍ତ ବସିବା ସଙ୍ଗେ ସଙ୍ଗେ ବିମାନ ଉଡ଼ି ଚାଲିଲା ସୁଦୂର ଋଷ୍ ଅଭିମୁଖେ ।

 

ବିମାନର ଶେଷ ରେଖାଟି ଲିଭି ଆସୁଥିଲା ଆଖିର ଅନ୍ତରାଳରୁ । ଗୋପାଳବାବୁ ଅପଲକ ନୟନରେ ଚାହିଁ ରହିଥିଲେ ବିମାନର ଶେଷ ଲହରୀଟି ଲିଭି ଲିଭି ଆସିବା ପର୍ଯ୍ୟନ୍ତ ।

 

କୃଷ୍ଣପକ୍ଷ ଯେମିତି ପ୍ରତିପଦରୁ ଗଡ଼ିଗଡ଼ି ଅମାବାସ୍ୟାରେ ପହଞ୍ଚେ, ଆଜି ଠିକ୍ ସେମିତି ପ୍ରକାଶର ଦୁଃଖର ଭାଗ୍ୟଆକାଶରେ ପ୍ରତିପଦରୁ ଗଡ଼ିଗଡ଼ି ଅମାବାସ୍ୟାରେ ପହଞ୍ଚିଛି । ହୁଏତ ଆଉ କେତେ ଦିନପରେ ତା’ର ଭାଗ୍ୟଆକାଶରେ ଦ୍ଵିତୀୟାର ବଙ୍କିମ ଚନ୍ଦ୍ର ଉଦେ ହେବେକି ନା, ସେକଥା କିଏ ଜାଣେ ? ନିୟତିର ଦୁନିଆରେ ତା’ ବିନା କିଏ ଜାଣେ ଏହାର ଗୂଢ଼ତତ୍ତ୍ୱ...ସେ କେତେବେଳେ କାହାକୁ ହସାଏ ତ, ପୁଣି କେତେବେଳେ କାହାକୁ କନ୍ଦାଏ ।

 

ଆଜି ପ୍ରକାଶ ଆଉ ବୀଣା ନିୟତିର ଚକ୍ରାନ୍ତରେ ରାସ୍ତାକଡ଼ର ନଳାପାଣି ପିଇ ଜୀବନ ରଖିଛନ୍ତି । ବୀଣାର ଆଉ ସେ ପୂର୍ବସ୍ୱାସ୍ଥ୍ୟ ନାହିଁ । ପ୍ରିୟତମର କଥା ଭାବି ଭାବି ଦେହ ତା’ର ଶୁଖିଗଲାଣି । ସବୁବେଳେ ଲୁହ ଗଡ଼ାଇ ଆଉ ସେ ଆଖିର ଜ୍ୟୋତି ନାହିଁ । ଗୋଡ଼ହାତ ତା’ର ନଳୀ ନଳୀ ହୋଇଗଲାଣି । ଆଖି ଯୋଡ଼ିକ ଆହୁରି ଭିତରକୁ ପଶିଗଲାଣି । ଯେଉଁ ମୁଖଶ୍ରୀ ଦିନେ ଅପରୂପରେ ଶତଚନ୍ଦ୍ରକୁ ନିନ୍ଦାକରୁଥିଲା, ଆଜି ତାକୁ ଯେକେହି ଦେଖିଲେ ଭୟକରିବ । ମୁଣ୍ଡର କେଶ ପୁଳାକ ତେଲଟିକେ ବିନା ଜଟ ପାଲଟି ଗଲାଣି । ଅଙ୍ଗ ଯୌବନକୁ ଲୁଚାଇବାକୁ ଦେହରେବି ଖଣ୍ଡେ ଭଲଲୁଗା ନାହିଁ । ସାତ ଗଇଁଠା ଲୁଗାକୁ ଏପାଖେ ପିନ୍ଧିଲେ ସେପାଖକୁ ପାଉନି । ପେଟଯାଇ ପିଠିରେ ଲାଗିଲାଣି, ତଥାପି ନିଜ ଦେହପ୍ରତି ବୀଣାର ଟିକିଏ ହେଲେ ଲକ୍ଷ୍ୟ ନାହିଁ । ସେ ଭାବୁଛି ଖାଲି ତା’ର ଦେବତା କିପରି ଆରୋଗ୍ୟ ହେବେ । ବୀଣାର ଆଜି ଏକମାତ୍ର ଚିନ୍ତା, ପତିଦେବତାଙ୍କୁ ତା’ର କିପରି ସେ ଭଲ କରିବ, ଭାବୁଛି ଏଇ ରୁଗ୍‍ଣ ଦେହରେ ଜୀବନ ଥିବା ପର୍ଯ୍ୟନ୍ତ ସେ ଚେଷ୍ଟାକରିବ ତା’ର ପ୍ରିୟତମଙ୍କୁ ଭଲକରିବା ପାଇଁ । ହେଲେ ପଇସାଟିଏ ତ ପାଖରେ ତା’ର ନାହିଁ, ଆଉ କ’ଣ ବା ତା’ର ସମ୍ବଳ ଅଛି ଯେ, ଦେବତାଙ୍କୁ ତା’ର ଆରୋଗ୍ୟ କରିପାରିବ । କେତେ ଡାକ୍ତର କବିରାଜଙ୍କ ସେ ପ୍ରିୟତମକୁ ତା’ର ଦେଖାଇ ସାରିଲାଣି । ସମସ୍ତେ କହୁଛନ୍ତି, କଟକ ବଡ଼ ମେଡ଼ିକାଲକୁ ନ ନେଲେ ଏ ରୋଗ ଭଲ ହୋଇପାରିବ ନାହିଁ; କିନ୍ତୁ କେମିତି ସେ ପ୍ରିୟତମକୁ ତା’ର ନେବ ? ଚିକିତ୍ସାପାଇଁ ଦରକାର ଟଙ୍କା । ଟଙ୍କା କାହୁଁ ପାଇବ, ଟଙ୍କା କାହିଁ, ଏହି ଚିନ୍ତାରେ ଭାବି ଭାବି ଅଧୀର ହୋଇପଡ଼ୁଛି ବୀଣା । ଭୋକରେ ତା’ର ପ୍ରାଣ ଆଉଟି ପାଉଟି ହେଉଛି । ଆଜିକି ଦୁଇଦିନ ହେବ ପୂରାପୂରି ଉପବାସ । ମୁଠିଏ ହେଲେବି ଦାନା ପେଟରେ ପଡ଼ିନି-

 

ପ୍ରକାଶ ରୋଗ ଯନ୍ତ୍ରଣା ଆଉ ଭୋକର ଯନ୍ତ୍ରଣାରେ ପିଲାଙ୍କପରି କାନ୍ଦୁଛି । ଖାଇବାପାଇଁ ଡହଳ ବିକଳ ହେଉଛି । ବୀଣା କଟକ ସହରର ଦୋକାନୀମାନଙ୍କ ପାଖରୁ ଯାହା ଖୁଦ ମଳୁଖ କରି ମାଗି ଆଣିଥିଲା, ତାକୁ ସିଝେଇ ବସିଛି । ମନରେ ତା’ର କେତେ ଆଶା, ଏଇତକ ପ୍ରିୟତମକୁ ତା’ର ସେ ଖାଇବାକୁ ଦେବ । ତା’ର ପଛେ ନହେଉ.....

 

ପ୍ରକାଶ ଧୀର କଣ୍ଠରେ ଡାକିଲା, ବୀଣା...କ’ଣ ଖାଇବାକୁ ଦିଅ । ଆଉ କ’ଣ କହିବାକୁ ଯାଇ ପାଟିରେ ତା’ର କହିପାରୁ ନଥିଲା । ପାଟିରୁ ତା’ର ରକ୍ତଧାର ବହି ଆସୁଥିଲା ।

 

ବୀଣା ଧାଇଁଯାଇ ଲୁଗା କାନିରେ ପ୍ରିୟତମକୁ ତା’ର ପରିଷ୍କାର କରି ପୋଛି ଦେଇ ଚୁଲିପାଖକୁ ଦଉଡ଼ି ଆସିଲା ଖାଇବାକୁ ନେବାକୁ । ଦୁର୍ବଳ ହାତରେ ଚୁଲି ଉପରୁ ମାଟି ହାଣ୍ଡିଟିକୁ ଓହ୍ଲାଉ ଓହ୍ଲାଉ ହାତରୁ ତା’ର ଖସିପଡ଼ିଲା । ପିଲାଙ୍କପରି ଭୋ....ଭୋ ହୋଇ କାନ୍ଦି ଉଠିଲା ବୀଣା । ତଳେ ପଡ଼ିଥିବା ଭାତ କେଇଟିକୁ ସାଉଁଟି ଦେଲା । ପ୍ରିୟତମ ପାଟିରେ ନେଇ ଭାତକେଇଟିକୁ ଦେଲା । ନିଜ ହାତରେ ଛୁଆଙ୍କୁ ଖୋଇଦେଲାପରି ପ୍ରକାଶ ପାଟିରେ ଅଧାର ଦେଲା ବୀଣା । ପ୍ରକାଶ ଆଉ ଖାଇବାପାଇଁ ଇଚ୍ଛା କରୁଥିଲେବି ବୀଣା ଆଉ କିଛି କହି ପାରୁନଥିଲା । ପ୍ରିୟତମର ଦୁର୍ବଳତା ବୀଣା ମନରେ ଅଶ୍ରୁର ତୀକ୍ଷ୍ଣ ରେଖା ଭରିଦେଉଥିଲା । ରୋଗର ଅସହଣି ଯନ୍ତ୍ରଣାରେ ଛଟପଟ ହୋଇ ରହି ରହି ବିଳାପ କରୁଥିଲା ପ୍ରକାଶ । ରୋଗର ଯନ୍ତ୍ରଣା ସେ ଆଉ ସହିପାରୁ ନଥିଲା । ପ୍ରାଣଛଡ଼ା ଆର୍ତ୍ତ ଚିତ୍କାର କରୁଥିଲା ସେ ! ହେଲେ କିଏ ବୁଝିବ ତା’ର ଦୁଃଖ, କିଏ ବା ତା’ର ଆଖିର ଚଳମାନ ଲୁହଧାରକୁ ଲିଭାଇ ଦେବ । କେତେ ସେ ମଙ୍ଗଳମୟ ପରମେଶ୍ୱରଙ୍କୁ ଡାକିଛି, ଅନୁନୟ ବିନୟ ହୋଇ ତାଙ୍କରି ଉଦ୍ଦେଶ୍ୟରେ ତଳେମୁଣ୍ଡ ବାଡ଼େଇଛି, ବୀଣା ମଧ୍ୟ ପ୍ରିୟତମ ପାଇଁ ତା’ର କେତେ ଠାକୁରଙ୍କୁ ଡାକିଛି, କିନ୍ତୁ କାହିଁ,....ପଥରର ଭଗବାନ୍ କ’ଣ କରିଛନ୍ତି ତା’ର ? ବୋଝ ଉପରେ ନଳିତା ବିଡ଼ା ପରି ଦୁଃଖ ଉପରେ ଦୁଃଖ ତା’ର ମାଡ଼ି ଆସିଛି ଠିକ୍ ସମୁଦ୍ର ବକ୍ଷର ଉଦ୍‍ବେଳିତ ତରଙ୍ଗ ଭଳି । ତଥାପି ଏତେ ଦୁଃଖ ଯନ୍ତ୍ରଣାରେ ସେଇ ସର୍ବନିୟନ୍ତା ପରମେଶ୍ୱରଙ୍କୁ ଡାକିବାକୁ ଭୁଲିଯାଇନି ପ୍ରକାଶ । କିନ୍ତୁ କାହିଁକି ଠାକୁର ତା’ର ଦୁଃଖ ଶୁଣି ନାହାନ୍ତି, କାହିଁକି ତା’ର ଦୁଃଖ ବୁଝୁନାହାନ୍ତି, ସେକଥା କେବଳ ତାଙ୍କୁହିଁ ଜଣା ।

 

ପ୍ରିୟତମର ଦୁଃଖ ସହିପାରୁନି ବୀଣା । ମନ ତା’ର କୋଡ଼ି କଚାଡ଼ି ହେଉଛି ! ମନରେ ତା’ର କେତେ ଆଶା; ଭାବୁଛି, ଦେହରେ ତା’ର ଶେଷ ରକ୍ତ ବିନ୍ଦୁ ଥିବା ପର୍ଯ୍ୟନ୍ତ ପ୍ରିୟତମଙ୍କୁ ତା’ର ଭଲ କରିବାକୁ ଚେଷ୍ଟା କରିବ । ତେଣୁ ବୀଣା, ସ୍ଥିରକରି ନେଇଛି; ପରଘରେ ମୁଣ୍ଡ ବିକିବ । କିଛି କରିନପାରିଲେ କ’ଣ କାହାର ପିଲା ଧରି ପାରିବନି ? ହୁଏତ ସେଇଥିରେ ମୁଠାଏ ପେଟପୂରା ଖାଇବାକୁ ପ୍ରିୟତମକୁ ତା’ର ଦେଇପାରିବ ! ସେଇଥିରୁ ଚେଷ୍ଟାକରି ଦିପଇସା ଭବିଷ୍ୟତ୍ ପାଇଁ ସଞ୍ଚୟ କରିବ ! ଦରକାର ପଡ଼ିଲେ ପଇସାଟିଏ ପାଇଁ ପରର ବାସନ ମଧ୍ୟ ମାଜିବ, ଗୁହାଳ ପୋଛିବ, ତା’ ଯଦି କରି ନ ପାରେ ରାସ୍ତା ଘାଟରେ ବୁଲି ବୁଲି ହାତପତାଇ ପଇସାଟିଏ ମାଗିବ, ତଥାପି ସେ ଜୀବନର ଶେଷ ମୁହୂର୍ତ୍ତ ପର୍ଯ୍ୟନ୍ତ ଚେଷ୍ଟା କରିବ ପ୍ରିୟତମକୁ ତା’ର ରୋଗମୁକ୍ତ କରିବାପାଇଁ ! ଏଇ ତା’ର ଦୃଢ଼ ପ୍ରତିଜ୍ଞା, ଏଇ ତା’ର ଦୃଢ଼ ସଂକଳ୍ପ :

 

ବୀଣା ଭାବୁଛି, ଆଜିରେ ସେ ଅଳ୍ପ ଦୂରରେ ଥିବା କଟକ ଟାଉନ୍‍କୁ ଯାଇ କାମ କରିବାକୁ କାହାରି ଘରେ ଠିକ୍‍କରି ଆସିବ । ହଁ ହଁ ଆଜିରେ ଯିବ ସେ....ବାହାରକୁ ଯିବାପୂର୍ବରୁ ସ୍ୱାମୀଙ୍କ ଅନୁମତି ତ ଲୋଡ଼ା, ନିଃସହାୟ ଭିକାରି ହେଲେ ବୋଲି କ’ଣ ସ୍ଵାମୀଙ୍କଠାରୁ ଅନୁମତି ନେବା ତା’ର ପ୍ରୟୋଜନ ନାହିଁ... ? ନା, ପତିପରମେଶ୍ୱରଙ୍କ ପାଖରୁହିଁ ତାକୁ ଅନୁମତି ନେବାକୁ ହେବ ଭାବି, ପିୟତମ ପାଖକୁ ଆକାଂକ୍ଷିତ ମନରେ ଆଗେଇ ଯାଇ ଟିକିଏ ସଂକୁଚିତଭାବେ ପ୍ରଶ୍ନକଲା; ମୁଁ ଚାକିରି କରିବାକୁ ଯିବି ? କ’ଣ କହୁଛ... ? ମୋତେ ଅନୁମତି ଦିଅ...

 

ପ୍ରକାଶ ମୁହୂର୍ତ୍ତେ ନୀରବ ରହି ଖନେଇ ଖନେଇ କହିଲା, କି ଚାକିରି ତୁମେ କରିବ ବୀଣା ? କି ପାଗଳୀ କଥା କହୁଛ... ?

 

କାହିଁକି, ପରର କଂସା ମଳିପାରିବିନି...

 

ବୀଣାର ସାହସର ସହିତ କଥା ଶୁଣି ଆଶ୍ଚର୍ଯ୍ୟ ହେଲା ପ୍ରକାଶ । ତା’ର ପ୍ରିୟତମା କହୁଛି ଚାକିରି କରିବ, ପରର କଂସା ମାଜିବ । ଅତୀତ କଥା ଭାବି ଭାବି ଆଖିରୁ ତା’ର ଲୁହ ଝରିଲା :

 

ଚାହୁଁ ଚାହୁଁ ପ୍ରଚଣ୍ଡ ଗତିରେ ମେଘ ମାଡ଼ିଆସୁଛି । ସାଇଁ ସାଇଁ ଥଣ୍ଡାଳିଆ ପବନ ସାଙ୍ଗରେ ଝିପିରି ଝିପିରି ବର୍ଷ ତଳ ଦେଇ ଆଗେଇ ଆସୁଛି ତା’ରି ଆଡ଼କୁ ।

 

ଏ ପର୍ଯ୍ୟନ୍ତ ପ୍ରକାଶର ନିଦ ଭାଙ୍ଗିନି । କ୍ଳାନ୍ତ ଶରୀରଟିକୁ ଦିଖଣ୍ଡ ଚିରା କନା ଉପରେ ଲୋଟାଇ ଦେଇ ଶୋଇ ଯାଇଛି ସେ ଦୀର୍ଘଦିନ ପରେ ନିଶ୍ଚିନ୍ତରେ ଟିକେ । ବୀଣାକୁ ଆଉ କିଛି ବୁଦ୍ଧି ଦିଶିଲାନି । ପିନ୍ଧିଲା ଲୁଗା କାନିରେ ଦେବତାକୁ ତା’ର ଘୋଡ଼ାଇ ଦେଇ ବସି ରହିଲା, "ମା, ଚଢ଼େଇ କୁନି କୁନି ପର ସାହାଯ୍ୟରେ ତା’ର ଜୀବନର ସର୍ବଶ୍ରେଷ୍ଠ, ସମ୍ପଦ, ଅଣ୍ଡାଗୁଡ଼ିକୁ ଘୋଡ଼ାଇ ରଖିଲାପରି ।" ମନେ ମନେ ପରମେଶ୍ୱରଙ୍କ ପଦାରବିନ୍ଦରେ କେତେ ଆକୁଳ ପ୍ରଣତି ଢାଳିଲା ବୀଣା । "କେମିତି ଏ ବିପଦରୁ ତାଙ୍କୁ ରକ୍ଷା ମିଳୁ, ଦେବତା ତା’ର କେମିତି ଭଲ ହୋଇ ଯାଆନ୍ତୁ ।" ପୁଣି ବୀଣା ମନରେ ଭାବନା, ଯଦି ଖୁବ୍ ବେଗରେ ବର୍ଷା ହୁଏ, ତେବେ...କ’ଣ କରିବ ସେ ! କ’ଣ ତା’ର ଉପାୟ....

 

ଭାବନାର ଶେଷ ନ ହେଉଣୁ ଝିପି ଝିପି ବରଷା ଆଗେଇ ଆସିଲା । ଟିପି ଟିପି ବର୍ଷାରେ ବୀଣାର ସାରା ଶରୀରଟି ତିନ୍ତି ଗଲାଣି । ଟୋପା ଟୋପା ହୋଇ ପାଣି ନିଗିଡ଼ି ପଡ଼ୁଛି ଦେହରୁ ତା’ର, ଆଖିର ଲୁହ ସଙ୍ଗେ ତାଳ ମିଳାଇ; ତଥାପି ସେଥିପ୍ରତି ବୀଣାର ଲକ୍ଷ୍ୟ ନାହିଁ । ସେ ଆନମନା ହୋଇ ଭାବି ଚାଲିଛି କେତେ କ’ଣ ।

 

କେତେ ସମୟ ପରେ ପ୍ରକାଶର ନିଦ ଭାଙ୍ଗିଲା । ନିଷ୍ପ୍ରଭ ଆଖିରେ ସେ ଚାହିଁଲା ଦୂର ନୀଳାଭ ଆକାଶଆଡ଼େ । କଳା କିଟି କିଟି ଅନ୍ଧାରରେ ମୁହଁକୁ ମୁହଁ ଦିଶୁନି । ଝିପି ଝିପି ବର୍ଷା ଶବ୍ଦକୁ ସ୍ପଷ୍ଟଭାବେ ଜାଣିପାରିଲା ସେ । କ’ଣ ଭାବି, ପ୍ରିୟତମା ଦେହରେ ହାତ ବୁଲାଇ ଆଣିଲା ପ୍ରକାଶ । ସାରା ଦେହଟି ବୀଣାର ବରଷାରେ ତିନ୍ତି ଗଲାଣି; ତଥାପି ତାକୁ ସେମିତି କୋଳରେ ଜାକି ଧରିଛି । ବୀଣାର କର୍ତ୍ତବ୍ୟ ଦେଖି କୃତଜ୍ଞତାରେ ପ୍ରକାଶର ଆଖି ଯୋଡ଼ିକ ଛଳଛଳ ହୋଇ ଆସିଲା । ପ୍ରକାଶ ଖନେଇ ଖନେଇ କହିଲା, ବୀଣା ! କାହିଁକି ତୁମେ ଏ ଶେଷ ମୁହୂର୍ତ୍ତରେବି ମୋତେ ଋଣୀ କରିବାକୁ ଯାଉଛ...

 

ବୀଣା ଧୈର୍ଯ୍ୟଧରି ପାରିଲାନି ପ୍ରିୟତମଙ୍କ କଣ୍ଠର ସେଇ ଅଶୁଭ ବାକ୍ୟଟି...ଶୁଣି । ଛଳଛଳ ଆଖିରୁ ତା’ର ବହି ଆସିଲା କଳକଳ ନାଦରେ ଅଜସ୍ର ଲୁହଧାର । ତୁମେ ପରା ମୋ ସ୍ୱାମୀ ଦେବତା ! ତୁମର ସେବା ମୋ ଜୀବନରେ ପରମ କାମ୍ୟ । ତୁମେ ଏସବୁ କଥା ମନକୁ ଆଣନି ।

 

ପ୍ରକାଶ ବୁଝିଲା ପ୍ରିୟତମା ତା’ର କୋହର ଅତିଶଯ୍ୟରେ କଥା କହି ପାରୁନି । ବୀଣାର ମୁହଁରେ ହାତ ବୁଲାଇ ଆଣି ପ୍ରକାଶ କହିଲା, ତୁମେ କାନ୍ଦୁଛ ବୀଣା ? ବୀଣା କିଛି କହିପାରୁ ନଥିଲା-। ପ୍ରକାଶ ଆଖିରେ ଭରା ଲୁହ, ଆଉ ବୀଣା ଆଖିରେ ଲୁହର ଖର ସ୍ରୋତ ।

 

ସୁଶାନ୍ତ ଆଜି ରେଭେନ୍‍ସା କଲେଜରେ ପଢ଼ୁଛି । ଏତେ ଛୋଟ ଅବସ୍ଥାରେ ସୁଶାନ୍ତର ଜ୍ଞାନ ଗରିମା ଦେଖି ଲେକ୍‍ଚରଠାରୁ ପ୍ରଫେସର ପର୍ଯ୍ୟନ୍ତ ସମସ୍ତେ ଆଶ୍ଚର୍ଯ୍ୟ ହେଉଛନ୍ତି । ସୁଶାନ୍ତ ଜ୍ଞାନର ବିଚକ୍ଷଣତା ଛାତ୍ରସମାଜରେ ଚମକ ସୃଷ୍ଟି କରିଛି । ସମସ୍ତଙ୍କର ଆଶା, ସୁଶାନ୍ତ ଦିନେ ନା ଦିନେ ନିଶ୍ଚୟ ଜଣେ ବଡ଼ ମଣିଷ ହେବ । ତେଣୁ ସୁଶାନ୍ତକୁ ସମସ୍ତେ ଭଲ ପାଉଛନ୍ତି ।

 

ସୁଶାନ୍ତର କୃତିତ୍ୱ ଶୁଣି ଗୋପାଳବାବୁଙ୍କ ଛାତି ଆନନ୍ଦର ଅଧୀରତାରେ ଫୁଲି ଉଠୁଛି । ମନ ତାଙ୍କର ଆନନ୍ଦରେ ଅଧୀର ହୋଇ ଉଠୁଛି ସୁଶାନ୍ତ ଭଲପଢ଼େ ଶୁଣି । ନିଜର ଜନ୍ମିତ ଝିଅ ତୁଳସୀଠାରୁ ସୁଶାନ୍ତକୁ ସେ ଆହୁରି ନିବିଡ଼ଭାବେ ଭଲ ପାଆନ୍ତି । ମନରେ ତାଙ୍କର କେତେ ଆଶାର ଆକାଶଛୁଆଁ ମିନାର । ହୁଏତ ସେ ସୁଶାନ୍ତକୁ ପଢ଼ିବାପାଇଁ ଲଣ୍ଡନ ପଠାଇବେ, ଋଷିଆ ପଠାଇବେ-। ସୁଶାନ୍ତ ଜଣେ ବଡ଼ ଡାକ୍ତର ହେଉ ଏହାହିଁ ତାଙ୍କର ଶେଷ ଇଚ୍ଛା । ଦୁନିଆ ଦାଣ୍ଡରେ ତାକୁ ଜଣେ ମଣିଷପରି ମଣିଷ କରିବେ ସେ । ଯାହାର ଥଣ୍ଟରେ ଆଧାର ଦେଇ ସେ ଏଡ଼ୁଟିରୁ ଏଡ଼ୁଟିଏ କଲେ, ସେଇ ଉଡ଼ି ବୁଲିବ ମଣିଷପରି ମଣିଷ ହୋଇ । ତାଙ୍କର ନାଁ ପଡ଼ିବ, ସୁଶାନ୍ତ ତାଙ୍କର ପୁଅ ନହେଲେବି ଦୁନିଆ କହିବ ତାଙ୍କରି ଚେଷ୍ଟାରେ ସେ ମଣିଷ ହୋଇଛି । ସେତେବେଳେ ତାଙ୍କର ବୁକୁ କୁଣ୍ଢେମୋଟ ହୋଇଉଠିବ । ଦୁନିଆ ତାଙ୍କୁ ଧନ୍ୟ ଧନ୍ୟ କହିବ । ପରମେଶ୍ୱର ତାଙ୍କ ଉପରେ ଖୁସି ହେବେ । ସେଇ କ’ଣ ତାଙ୍କର କମ୍ ଗୌରବ ।

 

ତୁଳସୀବି ବଡ଼ ହୋଇଗଲାଣି । ବୁଝିବାର ଶକ୍ତି ତା’ର ଆସିଗଲାଣି । ଯୌବନର ପ୍ରଥମ ପାହାଚରେ ପାଦ ନ ଦେଲେବି ଅନ୍ତରାଳରେ ଲୁଚି ରହିଛି ଯୌବନ । ହାତେ କି ଚାଖଣ୍ଡେ ବାଟରେ ଦୂରେଇ ରହିଛି ଯୌବନ ଅଧିକାରୀ କାମ ଦେବତା । କିଛି ଉପଭୋଗ ନ କଲେ ମଧ୍ୟ ଅନୁଭବ କରିବାର ଶକ୍ତି ଯଥେଷ୍ଟ ପରିମାଣରେ ଆସିଗଲାଣି ।

 

ତୁଳସୀ ଗାଁର ଲୋକଙ୍କ ମୁହଁରୁ ଶୁଣିବାକୁ ପାଇଛି, ସୁଶାନ୍ତ ତା’ର ନିଜର ଭାଇ ନୁହେଁ । କୌଣସି ସାଇ ଭାଇରବି ନୁହେଁ । ବାପ ମା' ତା’ର କେଉଁଠୁ ସାଉଁଟି ଆଣିଛନ୍ତି । ବାରଲୋକ ବାର ପ୍ରକାର ପ୍ରରୋଚନା ଦିଅନ୍ତି ତୁଳସୀକୁ । "ହେଇ ଦେଖ; ବାପ, ମା ତୋର ସୁଶାନ୍ତକୁ ତୋଠୁ ଅଧିକ ଭଲ ପାଉଛନ୍ତି । କେଉଁ ବାରବୁଲା ଛତରଖିଆର ପୁଅଟାକୁ ରାସ୍ତାକଡ଼ରୁ ଗୋଟାଇ ଆଣିଛନ୍ତି ଯେ, ତା’ର ଜାତି ଗୋତ୍ରବି ଜଣାନାହିଁ । କାହିଁକି ତାକୁ ଏତେଗୁଡ଼ାଏ ପାଠ ପଢ଼ାଉଛନ୍ତି ? ବଡ଼ ହେଲେ ତୋ ବାପ ସମ୍ପତ୍ତିରୁ ଅଧେ ଭାଗ ନେବ । ଦେଖିବୁ, ଆମ କଥା ସିନା ବର୍ତ୍ତମାନ ତୋତେ ଖରାପ ଲାଗୁଛି, ସେତେବେଳେ ବୁଝିବୁ ଯେ....ଆମ କଥା ମାନି ଏଇ ବେଳରୁ ସେଇଟାକୁ ଘରୁ ବାହାର କରିଦିଅ ।" ଏମିତି କେତେ ପ୍ରକାର କଥା କୁହନ୍ତି ସୁଶାନ୍ତ ବିରୁଦ୍ଧରେ । ତଥାପି ତରଳେ ନାହିଁ ତୁଳସୀ । ବାରଲୋକଙ୍କ ବାର କଥାରେ ଭାସିଯାଏନି । ସେ ଜାଣେ ଏ ଦୁଇଦିନିଆ ସଂସାରରେ କେହି କାହାର ନୁହଁନ୍ତି ? ହିଂସା ବାଦ କରି ଲାଭ କ’ଣ । ମଣିଷ ଘରେ ମଣିଷ ପିଲା ରହିଛି, ସେଥିରେ କ୍ଷତି କ’ଣ ?

 

ସବୁ ଶୁଣି ନ ଶୁଣିଲାପରି ରହେ ତୁଳସୀ । ବାଜେ କଥାଗୁଡ଼ା ସେ କାନକୁ ନିଏନି । "ଆମ୍ବ ଗଛରେ ଆମ୍ବ ଫଳେ ।" ସେମିତି ଉଦାର ଚରିତ୍ର ଗୋପାଳବାବୁଙ୍କ ଠାରୁ ଆହୁରି ସଦ୍‍ଗୁଣସମ୍ପାନ୍ନା ଝିଅ ତୁଳସୀ ।

 

ସୁଶାନ୍ତ କିନ୍ତୁ ଏସବୁ କିଛି ଜାଣେନା । ନିଜର ଭଉଣୀପରି ତୁଳସୀକୁ ଆକଟ କରେ, ମାରେ; ତଥାପି ତୁଳସୀ କିଛି କୁହେନି, ରାଗ କରେନି, କେବଳ ମୁହଁ ଫୁଲାଇ ବସେ । ଖାଏନି... ।

 

କନକ ଦେବୀଙ୍କର ରକ୍ତ ସୁଖେ, ଝିଅର ଏପରି ହାବଭାବ ଦେଖି । ପଚାରି ବସନ୍ତି; କ’ଣ ହେଲା କି ତୁଳସୀ ? ଶୋଇନୁ କାହିଁକି ? ସୁଶାନ୍ତ କ’ଣ ତୋତେ ମାରିଲା, ନା କ’ଣ କହିଲା...-?

 

ନା..., ସବୁ ଲୁଚାଇ ଦିଏ ତୁଳସୀ । ପାଟିରୁ ତା’ର ବାହାରେନି ସୁଶାନ୍ତ ମାରିଛି ବୋଲି କହିବାକୁ । ପଦଟିଏ ସୁଶାନ୍ତ ବିରୁଦ୍ଧରେ କିଛି କହିପାରେନି ସେ ।

 

ତୁଳସୀର ମନ ଦୁଃଖ ଆଉ ନ ଖାଇବା ଦେଖି କନକ ଦେବୀଙ୍କୁ କିଛି ବୁଦ୍ଧି ଦିଶେନା । ଧାଇଁ ଯା'ନ୍ତି ସୁଶାନ୍ତ ପାଖକୁ । "ସୁଶାନ୍ତ, ଆଜି ତୁଳସୀର କ’ଣ ହୋଇଛି କି ? ସ୍କୁଲରୁ ଆସି ସେମିତି ବସିଛି, ଯେତେ ଡାକିଲେ ଖାଇବାପାଇଁ ଜମା ଶୁଣୁନି । ତୁ ଟିକେ ଯାଇ ଡାକିଲୁ ବାବୁ !"

 

ସୁଶାନ୍ତ ଏସବୁ ଶୁଣି ଥୟଧରି ବସି ପାରେନା । ସବୁ କାମକୁ ପଛରେ ପକାଇ ତୁଳସୀ ପାଖକୁ ଦଉଡ଼ି ଯାଇ ଡାକେ, "ଆସିଲୁ, ମୋ ସୁନାଭଉଣୀଟା ପରା ! ଖାଇବୁ ଆ...ଏ ପର୍ଯ୍ୟନ୍ତ ତୁ ଖାଇନୁ ? ମୋ ଉପରେ ସିନା ରାଗ କରିବୁ, ହେଲେ ଖାଇବା ଜିନିଷ ଏ ଉପରେ କ’ଣ ରାଗ କରନ୍ତି ? ଖାଇବା ଉପରେ ରୁଷି ପେଟକୁ କଷ୍ଟ ଦେଉଛୁ କାହିଁକି ?

 

ତୁଳସୀର ଅଭିମାନ, ରୁଷା ଘଡ଼ିକେ ଉଭେଇ ଯାଏଁ । ସୁଶାନ୍ତର କଥା ଏଡ଼ାଇ ପାରେନା ତୁଳସୀ । ପୁଣି ସାଙ୍ଗହୋଇ ଖାଇ ବସନ୍ତି, ଗୋଟିଏ ମା ପେଟର ଭାଇ ଭଉଣୀ ପରି ।

 

ଏବେ ତୁଳସୀ ଦେହରେ ଯୌବନର କାଉଁରୀ ପରଶ ଛୁଇଁଦେଇ ଗଲାଣି । ଯୌବନର ପ୍ରଥମ ପାହାଚରେ ପାଦଦେଇଛି ସେ । ନୂତନର ପରଶ ପାଇ ମନଟି ତା’ର ଉତଲା ହୋଇଉଠୁଛି-। ଛନକା ହରିଣୀ ପରି ଅମାନିଆ ମନଟା ଏଣେତେଣେ ଧାଉଁଛି ତା’ର । ଯୌବନର ଅସହଣି କ୍ଷୁଧା ସେ ମର୍ମେ ମର୍ମେ ଅନୁଭବ କରୁଛି । ପୁରୁଷର କରସ୍ପର୍ଶ ପାଇବାପାଇଁ ହୃଦୟ ତା’ର ବ୍ୟାକୁଳ ହୋଇଉଠୁଛି ।

 

ତୁଳସୀ ଭାବୁଛି, ସୁଶାନ୍ତ ତା’ର ଜନ୍ମିତ ଭାଇ ନୁହେଁ, କି କୌଣସି ରକ୍ତ ସମ୍ପର୍କବି ନୁହେଁ ତା’ର । ତାକୁହିଁ ସେ ବିବାହ କଲେ କିଛି ଅସୁନ୍ଦର ହେବନି ତ ? ସୁଶାନ୍ତର ହୁଏତ ଜାତି ଗୋତ୍ର ଜଣାନାହିଁ । ତଥାପି ତ ସେ ମଣିଷ, ବିଶ୍ଵନିୟନ୍ତାଙ୍କର ଅପୂର୍ବ ସୃଷ୍ଟି । ତେବେ ତାକୁହିଁ ସେ ଜୀବନର ସାଥୀରୂପେ ବାଛିନେବ । ହଁ...ହଁ ସୁଶାନ୍ତକୁହିଁ ସେ ଦେବତା ପାଦରେ ଅଭିଷିକ୍ତ କରିବ ।

 

ପୁଣି ତୁଳସୀ ମନରେ ପ୍ରଶ୍ନ ଉଠୁଛି; ବାପା ତା’ର ସୁଶାନ୍ତକୁ ପୁଅ ଆଖିରେ ଦେଖୁଛନ୍ତି, ଖୁବ୍ ଭଲ ପାଉଛନ୍ତି । ବାପା ତା’ର ପ୍ରତିବାଦ କରିବେନି ତ.... ? ନା, ପ୍ରତିବାଦ କରିବେ କାହିଁକି ! ବାପାଙ୍କର ତ ସେ ଖରାପ ଧାରଣା ନାହିଁ । ତଥାପି ଏଇ ଦ୍ଵନ୍ଦ୍ୱ ଭାବନା ତୁଳସୀ ମନରେ ଉଙ୍କିମାରୁଛି । କିଛି ସିଦ୍ଧାନ୍ତ କରି ପାରୁନି ସେ ।

 

ଅନେକ ଥର ସେ ଅଲକ୍ଷ୍ୟରେ ସୁଶାନ୍ତ ପ୍ରତି ଆନମନା ହୋଇ ଢଳିପଡ଼ିଛି । ମନର କାମନାକୁ ରୂପଦେବାକୁ କେତେ ଥର ସେ ଇଶାରା ଦେଇଛି; ତଥାପି ସୁଶାନ୍ତ ତା’ ପ୍ରତି ଆଗ୍ରହ ଦେଖାଇ ନାହିଁ । ସୁଶାନ୍ତ ଆଗରେ ନିଜେ ଅଜାଣତଭାବେ ଦେହରୁ ଲୁଗା ଖସାଇ ପକାଇଛି କେତେ ଥର । କିନ୍ତୁ ସୁଶାନ୍ତର ଆଖି ପଡ଼ିବାମାତ୍ରେ ମୁହଁ ଫେରାଇ ନେଇଛି ସେ । ତା’ ପ୍ରତି ଟିକିଏ ହେଲେ ଢଳିପଡ଼ି ନାହିଁ । କିନ୍ତୁ କାହିଁକି ... ? ତେବେ କ’ଣ ସୁଶାନ୍ତଭାଇ ଜାଣନ୍ତି ସେ ନିଜର ଭାଇ ବୋଲି । ତାଙ୍କ ଜୀବନ ସମ୍ବନ୍ଧରେ ସେ କ’ଣ କିଛି ଜାଣନ୍ତିନି । ଏ ବିଷୟରେ ସେ କ’ଣ ସମ୍ପୂର୍ଣ୍ଣ ଅନଭିଜ୍ଞ । ସୁଶାନ୍ତ ଭାଇ କ’ଣ ଜାଣନ୍ତିନି ଯେ, ସିଏ ଏଠି ପାଳିତ ପୁତ୍ର ବୋଲି ।

 

ଅନେକ ଥର ତୁଳସୀ ଭାବିଚି ସୁଶାନ୍ତକୁ ସେ ସମସ୍ତ ଘଟନା କହିଦେବ । କହି ଦେବ, ସିଏ ଏ ଘରର ଜନ୍ମିତ ପୁଅ ନୁହଁନ୍ତି । ପାଳିତ ପୁଅ ସେ ! ବାପା ତା’ର କେଉଁ ରାସ୍ତାକଡ଼ରୁ ସାଉଁଟି ଆଣିଛନ୍ତି । କିନ୍ତୁ ପର ମୁହୂର୍ତ୍ତରେ ସୁଶାନ୍ତ ଆଗରେ ଏ ସମସ୍ତ ଘଟନା କହିବାବୁ ମନ ତା’ର ନାହିଁ କରି ଉଠେ । କହିଲେ ହୁଏତ ସୁଶାନ୍ତ ଭାଇଙ୍କ ମନରେ ଦୁଃଖ ଆସିପାରେ । ହୁଏତ ସିଏ ଲୁଚି ପଳାଇଯାଇ ପାରନ୍ତି !

 

ପୁଣି ମନରେ ତା’ର ଆଶାହୁଏ, ଏ ସମସ୍ତ କଥା କହିଦେଲେ ହୁଏତ ସୁଶାନ୍ତ ଭାଇ ତାହାପ୍ରତି ଅଗ୍ରସର ହୋଇ ପାରନ୍ତି । ତାକୁ ନିଜର କରି ନେବାକୁ ଇଚ୍ଛା ପ୍ରକାଶ କରିପାରନ୍ତି ।

 

ଏମିତି ଭାବି ଅନେକ ଥର ସୁଶାନ୍ତ ପାଖକୁ ଧାଇଁଯାଇଛି ତୁଳସୀ । ମନରେ ସାହସ ବାନ୍ଧି, ସବୁକଥା ଖୋଲି କହିଦେବା ପାଇଁ ଉଦ୍‍ଗ୍ରୀବ ହୋଇ ଉଠିଛି; କିନ୍ତୁ କୌଣସି ଥର କହି ପାରିନି ସେ, କିଛି କହିବାପାଇଁ ପାଟି ତା’ର ଖୋଲିନି । ତୁଳସୀର ଆନମନା ଭାବ ଦେଖି ସୁଶାନ୍ତ କେତେ ଥର ପ୍ରଶ୍ନ କରିଛି, "କ’ଣ.... ? ପଢ଼ିବାକୁ ନ ବସି ବୁଲୁଛୁ କାହିଁକି ତୁଳସୀ ?" କିଛି ଉତ୍ତର ଦେଇପାରିନି ତୁଳସୀ । ସଙ୍କୋଚରେ ସୁଶାନ୍ତ ପାଖରୁ ପଳାଇଯାଇଛି । କିଛି କହିବାକୁ ସାହସ ହେଇନି ତା’ର । ମୁଣ୍ଡ ଟେକି ସୁଶାନ୍ତ ମୁହଁକୁ ସେ ଚାହିଁପାରୁନି ।

 

ସୁଶାନ୍ତ ଆଜି କାତର ଅଧ୍ୟବସାୟ ଫଳରେ ରେଭେନ୍‍ସା କଲେଜର ମେଡ଼ିକାଲ ବିଭାଗରେ ସର୍ବପ୍ରଥମ ସ୍ଥାନ ଅଧିକାର କରି ଆମ ପଡ଼ୋଶୀ ବନ୍ଧୁରାଷ୍ଟ୍ର ଋଷକୁ ଯାଉଛି । ସେଥିପାଇଁ କନକ ଦେବୀଙ୍କ ପାଦ ଆଜି ମାଟିରେ ଲାଗୁନି । ଆଖିରେ ତାଙ୍କର ଆନନ୍ଦାଶ୍ରୁ, ମନ ତାଙ୍କର ପବନ ସହିତ ତାଳ ଦେଇ ଉଡ଼ୁଛି । ତାଙ୍କରି ହାତ ଗଢ଼ା ସୁଶାନ୍ତ ଆଜି ଋଷ୍‍କୁ ଡାକ୍ତରୀ ପଢ଼ିବାକୁ ଯାଉଛି ଭାବି ମନରେ ତାଙ୍କର ଆନନ୍ଦର ଫଲ୍‍ଗୁ ।

 

ଗୋପାଳବାବୁ ଆଜି ଆନନ୍ଦରେ ଆତ୍ମହରା ହୋଇଉଠିଛନ୍ତି । ତାଙ୍କର ଆଶା ଆଜି ପୂରଣ ହେବାକୁ ଯାଉଛି । ସୁଶାନ୍ତ ଆଜି ଋଷ୍‍କୁ ପଢ଼ିବାକୁ ଯିବ, ତେଣୁ ସୁଶାନ୍ତକୁ ସେ କେତେ ବୁଝାଉଛନ୍ତି । ସାବଧାନରେ ଚଳିବୁ । ରୀତିମତ ଚିଠି ଦେବୁ, ଏମିତି କେତେ କଥା । ଆଜି ନିଜେ ଗୋପାଳବାବୁ ସୁଶାନ୍ତର ସମସ୍ତ ଜିନିଷ ସଜଡ଼ାସଜଡ଼ି କରିଦେଉଛନ୍ତି । କିନ୍ତୁ, ତୁଳସୀ ମନଟି ତା’ର ଯେତିକି ଆନନ୍ଦରେ କୁରୁଳି ଉଠୁଛି ତାଠୁ ଅଧିକ ଅଶାନ୍ତି ଲାଗୁଛି ତାକୁ । ତା’ର ଭବିଷ୍ୟତ୍‍ର ଆଶା ସୁଶାନ୍ତ ଆଜି ଋଷ୍‍କୁ ପଢ଼ିବାକୁ ଯାଉଛି, ଏହା ତା’ ପକ୍ଷରେ କମ୍ ଗୌରବ ନୁହେଁ । ବର୍ତ୍ତମାନ ସୁଶାନ୍ତ ତା’ର ସ୍ୱାମୀ ନ ହେଲେ ମଧ୍ୟ ଭବିଷ୍ୟତ୍‍ରେ ସେ ତାଙ୍କୁଇଁ ନିଶ୍ଚୟ ବିବାହ କରିବ; ଏ କଥା ସେ ନିର୍ଦ୍ଦିଷ୍ଟଭାବେ ଠିକ୍ କରି ନେଇଛି । କେତେ ସୁନେଲି କଳ୍ପନା ମନରେ ତା’ର ଉଙ୍କି ମାରୁଛି । ସୁଶାନ୍ତ ଭାଇ ତା’ର ଆଖିର ଆଢ଼ୁଆଳକୁ ଚାଲିଯିବେ, ଏଇ କଥା ଭାବି ଭାବି ଆଖିରେ ତା’ର ଲୁହର ଶ୍ରାବଣୀ ଝରୁଛି । ନିଜ କୋଠରିରେ ବିଛଣା ଉପରେ ପଡ଼ିରହି ଛଟପଟ ହେଉଛି ତୁଳସୀ । ସେ ଆଉ ସୁଶାନ୍ତ ଭାଇକୁ ତା’ର ଦେଖି ପାରିବନି, ଏଇ କଥା ମନରେ ବାରମ୍ବାର ଆଘାତ ଦେଉଛି-। ନିଜର ପୁଅପରି କୋଳକୁ ତୋଳିନିଅନ୍ତି କନକ ଦେବୀ । କୌଣସି ପରପିଲା ବୋଲି ଭାବନ୍ତିନି ସେ । ଜନ୍ମିତ ପୁଅ ମା'ଠାରୁ ଯେତିକି ସ୍ନେହ ପାଏ, ସୁଶାନ୍ତ ତା'ଠାରୁ କାଣିଚାଏବି କମ୍ ପାଇବାରୁ ବଞ୍ଚିତ ହୁଏନି । ସୁଶାନ୍ତକୁ ଘଡ଼ିଏ ନ ଦେଖିଲେ ପାଗଳିନୀପରି ହୁଅନ୍ତି କନକ ଦେବୀ-। ସେ ଖେଳିବୁଲି ଗଲେ ପଛେ ପଛେ ତା’ର ଛାଇପରି ଲାଗିରହିଥାନ୍ତି । କେଉଁ ଆଡ଼କୁ ଟିକିଏ ହେଲେ ସୁଶାନ୍ତକୁ ସେ ଛାଡ଼ିଦିଅନ୍ତିନି ।

 

ଟିକିଏ ଫୁରୁସତ୍ ପାଇଲେ ନିଜେ କନକ ଦେବୀ ସୁଶାନ୍ତକୁ ପଢ଼ାଇ ବସନ୍ତି । ଗୋଟି ଗୋଟି କରି ସମସ୍ତ ବିଷୟ ବୁଝାଇ ଦିଅନ୍ତି । ସୁଶାନ୍ତ ଚଟ୍ କରି ସବୁ ବୁଝିଯାଏ । କନକ ଦେବୀ ଆନନ୍ଦରେ ଅଧୀର ହୋଇ ଉଠନ୍ତି ।

 

ଅନେକ ସମୟରେ କନକଦେବୀଙ୍କ କୋଳରେ ତୁଳସୀ କାଖ ହୋଇଥିବା ଦେଖି, ସୁଶାନ୍ତ ଅଝଟ କରେ, ମାରେ । ନିଜ ଝିଅ ତୁଳସୀକୁ କନକ ଦେବୀ ପଛେଇ ସୁଶାନ୍ତକୁ କୋଳ କରନ୍ତି । ସୁଶାନ୍ତ ଅଝଟ ହୋଇ ନ ଖାଇଲେ କେତେ ବୁଝାଇ ସୁଝାଇ ଖୁଆଇ ଦିଅନ୍ତି । ସୁଶାନ୍ତର ସମସ୍ତ ଅଳି-ଅରଦଳି ପୂରଣ କରନ୍ତି ସେ । ସେ ନଖାଇଲେ କନକ ଦେବୀଙ୍କ ପେଟକୁ ଭାତ ଯାଏନି । କୋଳକୁ ଆଣି, ପିଲାଙ୍କପରି ଗେଲକରି ଖୋଇଦିଅନ୍ତି ସେ । ଆନନ୍ଦ ଗର୍ବରେ ତାଙ୍କର ଛାତି ଫୁଲିଉଠେ ।

 

ଏବେ ସାଙ୍ଗହୋଇ ତୁଳସୀ ଆଉ ସୁଶାନ୍ତ ସ୍କୁଲକୁ ଯା'ନ୍ତି । ନ ଜାଣିବା ଲୋକ ଏକ ମା ପେଟର ଭାଇ ଭଉଣୀ ବୋଲି ଭାବିବ । ଦୁହେଁ ଦେଖିବାକୁ ଠିକ୍ ପ୍ରାୟ ଏକାପରି । ଏକ ରଙ୍ଗ, ଏକ ଚାଲିଚଳନ । ଦୁହିଁଙ୍କ ଭିତରେ ବିଶେଷ ଅସାମଞ୍ଜସ୍ୟ ଜଣାଯାଏନି ।

 

ସ୍କୁଲକୁ ପିଲାଦୁହେଁ ଗଲେ କନକଦେବୀଙ୍କ ଦେହରୁ ରକ୍ତ ଶୁଖେ । ଖାଲି ବାୟାଣୀପରି ହୁଅନ୍ତି ସେ । ଚାହିଁ ବସିଥାନ୍ତି ପିଲାଦୁହିଁକର ଫେରିବା ବାଟକୁ । ଡେରିହେଲେ ଅଧାବାଟ ଧାଇଁଯାଇ କୋଳେଇ ଆଣନ୍ତି । ଆଦର କରି ନିଜ ହାତରେ ବଢ଼ି ଖାଇବାକୁ ଦିଅନ୍ତି । ସୁଶାନ୍ତ ଏବଂ ତୁଳସୀ ସାଙ୍ଗ ହୋଇ ଖାଇ ବସନ୍ତି । କେତେ କଳିଗୋଳ ହୁଏ ଦୁହିଁଙ୍କ ଭିତରେ । କନକ ଦେବୀ ଆସି ସେସବୁର ସମାଧାନ କରିଦିଅନ୍ତି । ସୁଶାନ୍ତକୁ କେତେ ବୁଝାଇ କହନ୍ତି; ସେ ପରା ତୋର ଟିକି ଭଉଣୀ ! ତାକୁ ତୁ ମାରୁଛୁ କେମିତି । ଯାଅ ସାଙ୍ଗ ହୋଇ ଖେଳିବ ଯାଅ । ସୁଶାନ୍ତ ନା, କହି ଦେଇ ଚାଲିଯାଏ । ତୁଳସୀ ପଛେ ପଛେ ଧାଇଁଯାଏଁ ତା’ର । ସବୁ ଭୁଲିଯାନ୍ତି ସେମାନେ । ପୁଣି ସାଙ୍ଗହୋଇ ପବିତ୍ର ଅନ୍ତରରେ ଖେଳିବୁଲନ୍ତି ।

 

ଭଗବାନ୍ ମଣିଷକୁ ଯେତେବେଳେ ପରୀକ୍ଷା କରନ୍ତି, ସେତେବେଳେ ତାଙ୍କର କଠୋର ଗତି ମଣିଷ ବା କାହୁଁ ବୁଝିବ କିଏ ବା ବୁଝିବ ତାଙ୍କର ଆଦି ଅନ୍ତ !

 

ବିପଦରେ ପଡ଼ି ମଣିଷ ପରମେଶ୍ୱରଙ୍କୁ ଡାକେ, ମୁଣ୍ଡପିଟେ ପଥରର ଠାକୁର ପାଖରେ-। ଦିନ ରାତି ବସି ଆଖିରୁ ଲୁହ ଝରାଏ ଆଉ ବା ମଣିଷର ଉପାୟ କ’ଣ ? ମଣିଷଭାବେ, ଏଇ ଦୁଃଖର ଅନ୍ଧକାର ପରେ ହୁଏତ ସେ ସୁଖ ଆଲୋକର ସନ୍ଧାନ ପାଇବ । ପ୍ରାଣଖୋଲି ହସିବ, ଶାନ୍ତିରେ ନିଃଶ୍ୱାସଟିଏ ମାରିବ; କିନ୍ତୁ ପରମେଶ୍ୱର ତା’ କରେଇ ଦିଅନ୍ତିନି । ଅନ୍ତରାଳରେ ରହି ଦାଉ ସାଧନ୍ତି ଏ ନିର୍ଯାତିତ ମଣିଷ ଉପରେ । ନିଷ୍ଠୁର ନିୟତିର ନିର୍ଦ୍ଦେଶରେ ମଣିଷ ହୁଏ ପରିଚିତ-

 

ନିୟତିର ଚକ୍ରାନ୍ତରେ ପ୍ରକାଶ ଆଉ ବୀଣା ଆଜି ଘୂରିବୁଲୁଚନ୍ତି କଟକ ସହରର ରାସ୍ତାଘାଟେ । ଯେଉଁ ଦିନ ଗଣ୍ଡାଏ ପାଉଛନ୍ତି ତ ଖାଉଛନ୍ତି, ନ ପାଇଲେ ରାସ୍ତାକଡ଼ର ପାଣି ଢୋକେ ଢୋକେ ପିଇ ସେଇ ପୂର୍ବ ପରିଚିତ ବରଗଛ ତଳକୁ ଆସି ଶୋଇ ଯାଉଛନ୍ତି ।

 

ସେ ଦିନର କଥା ଆଜିବି ବୀଣା ହୃଦୟରେ ଶତ କୁଠାରାଘାତ ଦେଉଛି । ମନରେ ହୁଏତ ସେ କେତେ ଆଶା କରିଥିଲା ପୁଅଟିଏ ପାଇଲେ ତା’ର ଦୁଃଖ ଘୁଞ୍ଚିବ । କିନ୍ତୁ ଭଗବାନ୍ ଏ କ'ଣ କଲେ.....

 

ଯେତେବେଳେ ଜନ୍ମହେଲା ତା’ର ଶିଶୁପୁଅ, ଦେଖିଛି ସେ, କଅଁଳ କଅଁଳ ଗୋଡ଼ ହାତ, ତୋଫା-ଗୋରା ଦେହ । ସୁନ୍ଦର ଆଖି ଯୋଡ଼ିକ ମୁଦି, ଗୋଡ଼ ହାତ ହଲେଇ କାନ୍ଦୁଥିଲା ତା’ କୁନିପୁଅ । ତା'ପରେ କ’ଣ ହେଲା, କିଏ ନେଲା ତା’ର କୁନିପୁଅକୁ, ଆଉ ଜାଣିନି ସେ । ରାସ୍ତାଘାଟରେ କାନ୍ଦି ବୁଲିବୁଲି ସମସ୍ତଙ୍କୁ ମାଗିଛି ତା’ର କୁନିପୁଅକୁ । କିନ୍ତୁ କେହି ତା’ର କଥାକୁ ଟିକିଏ ହେଲେ କର୍ଣ୍ଣପାତ କରି ନାହାନ୍ତି ବରଂ ପାଗଳୀ କହି ମାରି ଗୋଡ଼ାଇଛନ୍ତି, ଉପହାସ କରିଛନ୍ତି ।

 

ଆଜି ବୀଣା ଭାବୁଛି ଏସବୁ ସେ ଭୁଲିଯିବ । ପୂର୍ବ କଥାଗୁଡ଼ାକ ଆଉ ଭାବିବ ନାହିଁ । ଯାହା କଟିଗଲା ସେ ତା’ର ମନ୍ଦଭାଗ୍ୟ ବୋଲି ଧରିନେବ । କିନ୍ତୁ ଜମା ଟିକିଏ ହେଲେ ଭୁଲିପାରୁନି ସେ । କେମିତି ବା ଭୁଲିବ...ମାତୃହୃଦୟ, ଦଶମାସ କାଳ ଗର୍ଭରେ ଧରିଛି । କେତେ ଦୁଃଖ କଷ୍ଟକୁ ସେ ପଥରପରି ହସିହସି ସହି ଆସିଛି ସନ୍ତାନକୁ ତା’ର କୋଳରେ ଧରିବ ବୋଲି ଏମିତି କେତେଆଡ଼ୁ କେତେ କଥା ଭାବି ଭାବି ଲୁହ ଢାଳୁଛି ବୀଣା । ଘରଛାଡ଼ିଲା, ସମସ୍ତଙ୍କୁ ହରାଇଲା; ତଥାପି ମନରେ ତା’ର ଦୁଃଖ ନଥିଲା–ତା’ର ଦେବତା ମୁହଁକୁ ଚାହିଁ ସବୁ ସେ ଭୁଲି ଯାଉଥିଲା । "ମନର ମଣିଷ ପାଖରେ ଥିଲେ ସତୀ ସ୍ତ୍ରୀକୁ ପତ୍ରଶେଯବି ଫୁଲ ଶେଯ ପରି ଲାଗେ ।" କିନ୍ତୁ ଦେବତା ଆଜି ତା’ର ରୋଗଶଯ୍ୟାରେ, ଚାଲିବାକୁ ସେମିତି ଶକ୍ତି ନାହିଁ ।

 

କାହିଁ କେତେ ଦୁର୍ଭାବନାରେ କାନ୍ଦି କାନ୍ଦି ବୀଣାର ଆଖି ଯୋଡ଼ିକ ଫୁଲିଗଲାଣି । ଅଲରା ବଲରା କେଶ ପୁଳାକ ଫୁରୁଫୁରୁ ହୋଇ ଉଡ଼ୁଛି । ଅବସ୍ଥା ତା’ର ବାୟାଣୀଙ୍କ ପରି ହୋଇଗଲାଣି ।

 

ଏଇ କେଇ ଦିନ ହେବ ପ୍ରକାଶ ଆଉ ଭିକ୍ଷା କରି ଯାଇ ପାରୁନି । ଦୁରାରୋଗ୍ୟ ଯକ୍ଷ୍ମାରେ ଆକ୍ରାନ୍ତ ହୋଇ ଖୋଜେ ଚାଲିବାକୁ ଶକ୍ତି ପାଉନି ତା’ର । ନଳୀ ନଳୀ ଗୋଡ଼ରେ ଦି' ପାହୁଣ୍ଡ ଚାଲିଲେ ଅବଶ ହୋଇ ପଡ଼ୁଛି ସେ । ଜୀର୍ଣ୍ଣଶୀର୍ଣ୍ଣ ଶରୀରଟି ଦିନକୁ ଦିନ ଖରାପ ଦିଗକୁ ଗତି କରୁଛି । ସମୟେ ସମୟେ ପାଟିରୁ ତା’ର ରକ୍ତ ପଡ଼ୁଛି । ସେ ବରଗଛ ମୂଳେ ଏକାଖଞ୍ଜରେ ପଡ଼ିରହିଛି ପ୍ରକାଶ । ନିଦରେ ଶୋଇ ପୁଅ, ପୁଅ ବୋଲି ବେଳେ ବେଳେ ବିଳାପ କରି ଉଠୁଛି । ଯକ୍ଷ୍ମାର ଅସହଣି ଯନ୍ତ୍ରଣାରେ ଚିତ୍କାର କରୁଛି ବେଳେ ବେଳେ ।

 

ବୀଣା କେଉଁଠୁ କ’ଣ ଦି'ଟା ମାଗି ଯାଚି ଆଣି ଫୁଟେଇ ବସୁଛି । ଆଖିରୁ ଲୁହ ତା’ର ବହି ଯାଉଛି ଦୁଇଧାର ହୋଇ ।

 

କଡ଼ ଲେଉଟାଇଲା ପ୍ରକାଶ । ଛାତିରେ ତା’ର ବ୍ୟଥାତୁର ଯନ୍ତ୍ରଣା । ଆଖିରେ ଲୁହର ପ୍ଳାବନ । ପାଟି ଖୋଲି ପ୍ରକାଶ ଡାକିଲା, ବୀଣା...

 

ବୀଣା, ଆଖିର ଲୁହ ପୋଛି ଧାଇଁଗଲା ପ୍ରିୟତମ ପାଖକୁ ଦେହ ମୁଣ୍ଡରେ ହାତ ବୁଲାଇ ବସିଲା । ପ୍ରକାଶ ରୋଗ ଯନ୍ତ୍ରଣାରେ ଯେତିକି ଦୁଃଖ ଅନୁଭବ କରୁଥିଲା, ପ୍ରିୟତମର ଦୁଃଖରେ ତାଠୁ ଅଧିକ ଦୁଃଖ ଅନୁଭବ କରୁଥିଲା ବୀଣା । ଦେବତାକୁ ତା’ର କେମିତି ଭଲ କରିବ ତାହାହିଁ ସେ ଭାବୁଥିଲା ।

 

ପ୍ରକାଶ ପୁଣି ଡାକିଲା, ବୀଣା । ଖନି ଖନି ପାଟିରୁ ତା’ର ବାହାରି ଆସିଲା, ମୋର ଶେଷ ସମୟ ହୋଇ ଆସିଲା । କେଉଁ ଆଡ଼େ ଗଲା ମୋର କୁନି ପୁଅ, କିଏ ନେଲା ତାକୁ....ହେଇ ଦେଖାଯାଉଛି ତା’ର କୁନି କୁନି ଗୋଡ଼ ହାତ । ଖନି ଖନି ଦୋତୁଣ୍ଡ କଥା ମୋତେ ଶୁଭି ଯାଉଛି । ବାପା ବାପା କହି ପାଖକୁ ମୋର ଧାଇଁ ଆସୁଛି ।" ବିଳିବିଳେଇ ଉଠିଲା ପ୍ରକାଶ ।

 

ଆହୁରି ଅଧୈର୍ଯ୍ୟ ହୋଇ ପଡ଼ିଲା ବୀଣା । ସାତସିଆଁ ଲୁଗା କାନିରେ ନିଜ ଆଖିର ଲୁହ ପୋଛି ପ୍ରିୟତମ ଆଖିରୁ ଲୁହ ପୋଛିଲା । ପ୍ରାଣ ତା’ର ଆଉଟି ପାଉଟି ହେଲା ପୁଣି ପୁଅ କଥା ଭାବି । ଭାବିଲା; ସେ ହଜିଲା କଥା ଆଉ ଭାବି ଆଖିରୁ ଲୁହ ଝରାଇବନି । ମନେ କରିବ ତା’ର ପୁଅଟିଏ ବୋଲି କେହି ନାହିଁ । ଆଜି ପର୍ଯ୍ୟନ୍ତ ସେ ମାତୃତ୍ୱର ଅଧିକାରିଣୀ ହୋଇନି । କିନ୍ତୁ ମାତୃ-ହୃଦୟ ତା’ର ବିଳପି ଉଠୁଛି, ଛାତି ତା’ର ଫାଟି ପଡ଼ୁଛି ସ୍ତନ୍ୟ ଦେବା ଆଶାରେ, ହୃଦୟ ତା’ର ଖୋଜୁଛି ଶିଶୁର ନରମ ଓଠର ପରଶ ।

 

କ୍ରମେ କ୍ରମେ ସଞ୍ଜ ନଇଁ ଆସୁଛି । ବୀଣା ମନରେ ବହି ଯାଉଛି ଲୁହର ଖରସୁଆ ନଈ । କ’ଣ କରିବ, ଆଜି ଦିନଟିଏ ହେଲା, ପାଟିକୁ ପାଣି ନେଇନି ପ୍ରିୟତମ ତା’ର । "ଖାଲି ବସି ବସି ଲୁହ ଗଡ଼ାଉଛି ପ୍ରକାଶ । ଯନ୍ତ୍ରଣା ସହି ନପାରି କହୁଛି ମୋତେ ସେପାରିକୁ ନେଇ ଯାଅ ଠାକୁରେ, ଆଉ ବଞ୍ଚି ରହିବାକୁ ମୋର ତିଳେ ହେଲେ ଇଚ୍ଛା ନାହିଁ । ବୀଣା କେତେ ବୁଝାଉଛି, କୋଳରେ ପୂରାଇ ଛୁଆ ପିଲାଙ୍କ ପରି ଆଉଁଶି ଦେଉଛି; ତଥାପି ପ୍ରକାଶର ପ୍ରଳାପ ବନ୍ଦ ହେଉନି । ବୀଣା ଆଉ ବା କ’ଣ କରିବ ? ତା’ର ବା ଆଉ ଧୈର୍ଯ୍ୟ କେତେ ।

 

ମନରୁ ସମସ୍ତ ଦୁର୍ଭାବନା ପୋଛିଲା ବୀଣା ! ଦେବତାକୁ ତା’ର ଖାଇବାପାଇଁ ବାଧ୍ୟ କରି ଡାକିଲା; ଏଇ ଦିଟା ଖାଇ ଦେବଟି...ନା, ମୁଁ ଖାଇବିନି ବୀଣା । ମୋତେ ଭୋକ ନାହିଁ । ଥରିଲା ଥରିଲା କଣ୍ଠରେ କହିଉଠିଲା ପ୍ରକାଶ ।

 

କେତେ ବାଧ୍ୟ କଲା ବୀଣା । କିନ୍ତୁ ଜମା ଖାଇଲାନି ପ୍ରକାଶ । ବସିପଡ଼ି ମୁଠିମୁଠି କରି ପ୍ରିୟତମକୁ ତା’ର ଖୁଆଇ ଦେଲା । ଅଳ୍ପ ଖାଇ ପୁଣି ପ୍ରକାଶ ପ୍ରଶ୍ନ କଲା; ତମେ ଖାଇବନି ବୀଣା ?

 

ତମେ ଆଗ ଖାଇ ନିଅ, ମୁଁ ପରେ ଖାଇବି ।

 

ମୁଁ ଆଉ ଖାଇବିନି । ସେତକ ତୁମପାଇଁ ଥାଉ । ସେତକ ମୁଁ ଖାଇ ଦେଲେ ତୁମେ କ’ଣ ଖାଇବ.....

 

ଆଉ ଦି'ଟା ଖାଇ ଦେବାକୁ ବାଧ୍ୟ କଲା ବୀଣା । କିନ୍ତୁ ଜମା ଆଉ ଖାଇବାକୁ ନାହିଁ କଲା ପ୍ରକାଶ । ନ ଖାଇବାପାଇଁ ଦାନ୍ତ ଚିପିଲା ।

 

ବୀଣା କ’ଣ କହି ଖୋଇବ...ପ୍ରିୟତମର କଥା ଭାବି ଆଖି ଯୋଡ଼ିକ ତା’ର ଓଦା ହୋଇ ଆସିଲା । ପ୍ରିୟତମ ତା’ର କହିଲେ ସେତକ ତୁମପାଇଁ ଥାଉ, ମୁଁ ସେତକ ଖାଇଦେଲେ ତୁମେ କ’ଣ ଖାଇବ ।" ପ୍ରାଣ ତା’ର ଆହୁରି ଜୋର୍‍ରେ କାନ୍ଦିଉଠିଲା । ବୀଣା ପୁଣି ପ୍ରକାଶର ମନ ବୁଝିବାକୁ ଯାଇ କହିଲା; ମୋ ପାଇଁ ମୁଁ ରଖିଛି, ତୁମେ ଏତକ ଖାଇ ଦିଅ । ପ୍ରକାଶକୁ ପୁଣି ବୀଣା ସେତକ ସବୁ ଖୁଆଇ ଦେଲା ।

 

ରାତ୍ରିର ମୃଦୁ ସମୀରଣ ଥଣ୍ଡାରେ ପ୍ରକାଶ ଟିକେ ନିଶ୍ଚିନ୍ତରେ ଶୋଇ ଯାଇଛି; କିନ୍ତୁ ବୀଣା ଆଖିରେ ନିଦ ନାହିଁ । ଖାଲି ପେଟରେ ବା ନିଦ ହେଉଛି କେତେକେ ! ବୀଣା ଭାବି ଚାଲିଛି; ଏମିତି କେତୋଟି ବର୍ଷ ସେ ଏଇଠି କଟେଇ ଦେଇଛି; କେତେ ରାତି ରାସ୍ତା କଡ଼ର ଏଇ ଗଛମୂଳେ ଆଶ୍ରୟ ନେଇଛନ୍ତି; କିନ୍ତୁ କାହିଁ, କୌଣସି ଦିନ ତ ତାକୁ ଖରାପ ଲାଗିନି । ଅଶାନ୍ତି ଲାଗିନି, କିନ୍ତୁ–ଆଜି....ଆଜି ସେ ଜମା ଶୋଇ ପାରୁନି । ତା’ ମନ ଦେବତାର ଚିତ୍କାର ହୃଦୟ-ହଂସୀକୁ ଶରବିଦ୍ଧ କରୁଛି ତା’ର । ଯନ୍ତ୍ରଣାରେ ଶିହରି ଉଠୁଛି ବୀଣା ।

 

ରାତି ଅଧିକରୁ ଅଧିକ ବଢ଼ି ଚାଲିଛି । ପୁନିଅଁ ଜହ୍ନକୁ ଆଜି ନିନ୍ଦା କରୁଛି କଳା କିଚିରି ଉଆଁସ ଅନ୍ଧାର । ବୀଣା ହୃଦୟରେ ଅତୀତର ସୁଖଦ ଅନୁଭୂତି ଚଳଚିତ୍ର ପରି ଆଖି ଆଗରେ ତା’ର ଭାସି ଯାଉଛି । ମନେ ପଡ଼ୁଛି, ଆଜି ମାର୍ଚ୍ଚ ମାସ ପାଞ୍ଚ ତାରିଖ । ଠିକ୍ ଏଇ ମାସ ପାଞ୍ଚ ତାରିଖରେ ତାଙ୍କର ଜୀବନରେ ଆସିଥିଲା ଶୁଭ ବାସର ରଜନୀ । କେତେ ଆନନ୍ଦରେ କଟିଥିଲା ସେ ମଧୁମୟ ରାତିଟି । କେଉଁ ରୂପ ରାଇଜର ନିଭୃତ କୋଠରିରେ ସେ ଦିନ ଥିଲା ସେ, ଆଉ ଆଜି.....

 

ସେ ଦିନର ଫଗୁଣ ଆଜିବି ଅଛି, ଆଜିବି ସେମିତି ମୃଦୁ ମୃଦୁ ସମୀରଣ ଧୀର ମନ୍ଥର ଗତିରେ ବହି ଆସୁଛି । ଆଜି ସେମିତି ଆକାଶର ନକ୍ଷତ୍ର ପୁଞ୍ଜ ମୁକ୍ତାର କମନୀୟ କାନ୍ତିକୁ ନିନ୍ଦା କରୁଛନ୍ତି ।

 

ଦିନେ ଏଇ ମନ୍ଦ ମଳୟ ତାକୁ ନୂତନ ପଥର ଯାତ୍ରୀ କରିଥିଲା । ସାଇଁ ସାଇଁ ସ୍ୱରରେ ଅଭିନନ୍ଦନ ଜଣାଇଥିଲା ତା’ର ଏଇ ଶୁଭ ମିଳନ, ମଧୁର ଲଗ୍ନପାଇଁ । ଏଇ ତାରକା ପୁଞ୍ଜବି ଠିକ୍ ସେଦିନ ତାକୁ ପଥ କଢ଼ାଇ ନେଇଥିଲେ ଚୁନି ଚୁନି ଆଲୋକ ଢାଳି । ସେ ଦିନ ସେ ଆତ୍ମବିହ୍ୱଳତାରେ ହଜାଇ ଦେଇଥିଲା ନିଜକୁ । କିନ୍ତୁ ଆଜି ଆଜିବି ପ୍ରକୃତିର ଶୋଭା ଠିକ୍ ସେମିତି ପୂର୍ବପରି ଅପରିବର୍ତ୍ତିତ ରହିଛି, କେବଳ ନାହିଁ, ତାଙ୍କର ଭଙ୍ଗା ଦଦରା ନୀଡ଼ଟି, ନାହିଁ ତାଙ୍କର ଏ ହୀନିମାନିଆ ଜୀବନର ସୁଖଶାନ୍ତି ।

 

ଆଉ ଭାବି ପାରିଲାନି ବୀଣା । ଆଖିରୁ ତା’ର ମୁକ୍ତା ବିନ୍ଦୁ ପରି ଲୁହ ଝରି ଆସିଲା । ଭାବନାରେ ବିଭୋର ହୋଇ ଆକାଶକୁ ଚାହିଁଲା ବୀଣା । ଆକାଶର ରୂପ ଦେଖି ଦେହର ରକ୍ତ ତା’ର ପାଣି ହୋଇ ଆସିଲା ।

 

"ସରଗ ବକ୍ଷରେ ମାଡ଼ି ଆସୁଛି ଖଣ୍ଡ ଖଣ୍ଡ କଳା ମେଘ । ଚନ୍ଦ୍ରକୁ ରାହୁ ଗ୍ରାସିଲା ପରି ନକ୍ଷତ୍ରମାନଙ୍କୁ ମେଘ ଖଣ୍ଡମାନ ଗ୍ରାସି ଯାଉଛି ।" କ’ଣ କରିବ....କିଛି ଭାବି ସ୍ଥିର କରି ପାରିଲାନି ବୀଣା । ଆଖ ପାଖରେ କୌଣସି ଗାଁ, ଗଣ୍ଡା ଅଛି ଯେ ଦେବତାଙ୍କୁ ତା’ର ନେଇ ଚାଲିଯିବ ! ଅଳ୍ପ ଦୂରରେ କଟକ ସହରର ବିଜୁଳି ଆଲୁଅ ତେଜିଆନ ହୋଇ ଜଳୁଛି । ସେଇଠିକି ଦଉଡ଼ି ଗଲେ ହୁଏତ କାହାରି ଚାଳ ତଳେ ଟିକିଏ ମୁଣ୍ଡ ଗୁଞ୍ଜନ୍ତା, କିନ୍ତୁ ଦେବତା ତ ତା’ର ଦଉଡ଼ି ଯାଇ ପାରିବେନି-। ଧରି କରି ନେଲେ ହୁଏତ ସେ ଟିକେ ଚାଲିଯାଇ ପାରନ୍ତେ; କିନ୍ତୁ କେମିତି ବା ଏ ଅନ୍ଧାର ବାଟରେ ଦେବତାଙ୍କୁ ତା’ର ନେବ...

 

ବୀଣାର ପୁଣି ସେଇ ପ୍ରଶ୍ନ, ମୁଁ ଚାକିରି କରିବି, ମୋତେ ଅନୁମତି ଦିଅ । ଦେବତା, ମନରେ କିଛି ଭାବନା ।

 

ବୀଣା ପ୍ରିୟତମଠାରୁ ତା’ର ଅନୁମତି ନେଇ ଟାଉନ୍ ଅଭିମୁଖେ ବାହାରିଗଲା । ପ୍ରାଣ ତା’ର କାନ୍ଦିଉଠୁଥିଲା, ଦେବତାକୁ ତା’ର ଛାଡ଼ି ନ ଯିବାପାଇଁ; କିନ୍ତୁ କର୍ତ୍ତବ୍ୟର ଆହ୍ୱାନରେ ଆଗେଇ ଯିବାକୁ ବାଧ୍ୟ ହେଉଥିଲା ସେ ।

 

ପ୍ରକାଶ ଭିଜା ଆଖିରେ ବସି ଚାହିଁ ରହିଥିଲା ପ୍ରିୟତମା ପଥକୁ ତା’ର । ଅସରା ଦୁଃଖର ଅପାସୋରା କାହାଣୀ ମାଳାକୁ ପରମେଶ୍ୱରଙ୍କୁ ଡାକି ଜଣାଉଥିଲା । ଥରିଲା ଥରିଲା କଣ୍ଠରୁ ତା’ର ବାହାରି ଆସୁଥିଲା, ସ୍ୱର୍ଗତ ଦୀନକୃଷ୍ଣଙ୍କର ସେଇ ପରିଚିତ ଭଜନଟି "କୃପାସିନ୍ଧୁ ବଦନ କରି ଅବଲୋକନ କେଉଁ କରମହୀନ" ଜନ,....

 

ତୁଳସୀକୁ ଆଜି କିଛି ଭଲଲାଗୁନି ! ସୁଶାନ୍ତର ଅଦର୍ଶନରେ ଆଜି ସେ ବିରହିଣୀ ପରି ଦିନ କାଟୁଛି ! ଆଶା ରାଇଜର ରାଜକୁମାରଙ୍କୁ ନ ଦେଖି ମନଟି ତା’ର ଫିକା ପଡ଼ିଗଲାଣି । ସବୁବେଳେ ସୁଶାନ୍ତକଥା ଭାବି ଭାବି, ଦେହଟି ତା’ର ଦିନକୁ ଦିନ ଭାଙ୍ଗିପଡ଼ୁଛି । ଖାଇବା ପିଇବାରେ ଆଉ ପୂର୍ବପରି ଠିକ୍ ଠିକଣା ନାହିଁ ।

 

ଝିଅର ଏପରି ହାବଭାବ ଦେଖି କନକଦେବୀ ଖୁବ୍ ଚିନ୍ତିତ ହୋଇପଡ଼ିଛନ୍ତି । ଅନେକ ଥର ସେ ସ୍ୱାମୀଙ୍କୁ ତୁଳସୀର ବିବାହ କରିଦେବାକୁ କହିଲେଣି ! କିନ୍ତୁ ଗୋପାଳବାବୁ, କନକ ଦେବୀଙ୍କ କଥାକୁ ଟିକିଏ ହେଲେ କାନକୁ ନେଉ ନାହାନ୍ତି । ତାଙ୍କର ଇଚ୍ଛା, ସୁଶାନ୍ତ ହସ୍ତରେ ତାଙ୍କର ଏକମାତ୍ର ଅଲ୍ୟଳୀ କନ୍ୟାକୁ ଛନ୍ଦିଦେବେ । ଝିଅକୁ ତାଙ୍କର ଦୂର ରାଇଜକୁ ଠେଲିଦେଇ ନିଶ୍ଚିନ୍ତ ହୋଇ ରହିପାରିବେନି ସେ ! ତୁଳସୀକୁ ଘଡ଼ିଏ ନ ଦିଖିଲେ ବଞ୍ଚିପାରିବେନି ସେ ତେଣୁ ସେ ମନେ ମନେ ଠିକ୍ କରି ନେଇଛନ୍ତି ତୁଳସୀର ହାତ ସହିତ ସୁଶାନ୍ତର ହାତ ମିଳାଇଦେଇ ଶାନ୍ତିରେ ଟିକେ ନିଃଶ୍ୱାସ ମାରିବେ । କିନ୍ତୁ କନକ ଦେବୀ ତ ଏକଥା ଜାଣନ୍ତିନି; ତେଣୁ ଅନେକ ସମୟରେ ତୁଳସୀର ବିଭାଘର ସାରିଦେବାକୁ ସ୍ୱାମୀଙ୍କ ସାଙ୍ଗରେ ଲଗାନ୍ତି । କେତେ କଥା ବୁଝାଇ କୁହନ୍ତି, "ଏଇ ଦେଖ, କଥାରେ ଅଛି 'ଝିଅ ଘିଅ' ! ତାଙ୍କୁ ଘରେ ରଖିଲେ ପଦପଦକେ ବିପଦ । ତୁମକୁ ଏତେ କହିବା ସତ୍ତ୍ୱେ ତୁଳସୀର ବିବାହ ସମ୍ପର୍କରେ ଟିକିଏ ହେଲେ କାନକୁ ନେଉନା...ଦୁହିତା ଦୁଇ କୁଳକୁ ହିତ, ଦୁଇ କୁଳକୁ ପିତା । ଆଜିକାଲି ସମୟ ଯେପରି ହୁଏତ କିଛିନା କିଛି ଭଲମନ୍ଦ କରିବସିଲେ...ଶେଷରେ ନାଁ ପଡ଼ିବ କାହାର ? ହାତକୁ ହାତ ମିଳାଇଦେଲେ ବେଶ୍...ଆମର ଛୁଟି-।"

 

ଗୋପାଳବାବୁ କିନ୍ତୁ ଏପର୍ଯ୍ୟନ୍ତ ସୁଦ୍ଧା ତାଙ୍କର ପ୍ରକୃତ ଉଦ୍ଦେଶ୍ୟ ସ୍ତ୍ରୀଙ୍କୁ କହିନାହାନ୍ତି । ଅନେକ ସମୟ ତ ଆଗକୁ ରହିଛି । ତେବେ ତରତର ସେ ବା କାହିଁକି ହେବେ ! ଯେତେବେଳେ ଯାହା ହେବାର ହେବ, ଆଜହୁଁ ତରତର ହୋଇ ଲାଭ କ’ଣ ? ସ୍ତ୍ରୀଙ୍କ ମନ ବୁଝିବାକୁ କେବଳ କୁହନ୍ତି, "ଏତେ ତରତର କାହିଁକି କନକ ? ସୁଶାନ୍ତ ଋଷରୁ ଫେରିଆସୁ,...ତା’ପରେ ତୁଳସୀ ବିବାହଟା ଠିକ୍ କରିବା" ।

 

କନକଦେବୀ ଅବୁଝାପରି କୁହନ୍ତି, ତୁମେ ଆଜିରେ ସୁଶାନ୍ତ ପାଖକୁ ଚିଠି ଦିଅ, ସେ ଶୀଘ୍ର ଆସୁ । ବିଭାଘର କାମଟା ସାରିଦେଇ ବରଂ ଚାଲିଯିବ ।

 

ଗୋପାଳବାବୁ ଟିକିଏ ବିରକ୍ତ ହୋଇ କହନ୍ତି, କି ଅବୁଝାପରି କଥା କହୁଛ କନକ ? ମୁଣ୍ଡ ଉପରେ ତା’ର ଫାଇନାଲ ପରୀକ୍ଷା ଖଣ୍ଡାପରି ଝୁଲୁଛି ! ସେ କେମିତି ଆସିବ ?

 

କନକଦେବୀ ସ୍ୱାମୀଙ୍କ କଥା ବୁଝନ୍ତି; ଆଉ ଜିଗର କରନ୍ତିନି । ମନେପଡ଼େ ସୁଶାନ୍ତର କଥା । ଦୀର୍ଘ ବରଷେ ହେଲା ଋଷକୁ ଗଲାଣି, ଏପର୍ଯ୍ୟନ୍ତ ଫେରିନି । ଏଇ ଦୁଇଦିନ ତଳେ ଚିଠି ଦେଇଥିଲା, । ଚିଠିରେ ଲେଖିଥିଲା, ଅଳ୍ପ ଦିନପରେ ଆସିବ ବୋଲି । ପୁଣି ଭାବନ୍ତି କନକଦେବୀ; ସୁଶାନ୍ତର ମଙ୍ଗଳପାଇଁ ଠାକୁରଙ୍କ ଉଦ୍ଦେଶ୍ୟରେ ତଳେ ମୁଣ୍ଡ ଲଗାନ୍ତି ।

 

ଆଜି କିନ୍ତୁ କନକଦେବୀଙ୍କର ଏକ ଜିଦ୍, ସ୍ୱାମୀ ତାଙ୍କର ବର ପାତ୍ର ଠିକ୍ କରିବାକୁ ଆଜିରେ ଯାନ୍ତୁ । ଏଇ ଆସନ୍ତା ତିଥିରେ ତୁଳସୀର ନିଶ୍ଚିୟ ବିବାହ ଦେବେ । ଆଉ ସେ ବଢ଼ିଲା ଝିଅକୁ ଘରେ ରଖି ବୋଝ ବୋହିବାକୁ ଉଚିତ ମନେକରୁ ନାହାନ୍ତି ।

 

ନିରୋଳା କୋଠରିରେ ବସିଛନ୍ତି କନକଦେବୀ, ଆଉ ଅତି ନିକଟରେ ତାଙ୍କର ଗୋପାଳବାବୁ । କେତେ କଥାବାର୍ତ୍ତା ଚାଲିଛି, କଥା ପ୍ରସଙ୍ଗରେ କନକଦେବୀ ଆରମ୍ଭ କଲେ; "ତୁମେ ଆଉ ଡେରି କରନି ଜମା । ଏଇ ଫାଲ୍‍ଗୁନ ମାସ ପ୍ରଥମ ତିଥିରେ ତୁଳସୀର ବିଭାଘର କାମ ସାରିଦିଅ ।"

 

ତୁଳସୀ ପାଖ ଘରେ ଲୁଚି ଲୁଚି ସବୁ ଶୁଣୁଛି । ମନରେ ତା’ର କେତେ ଆଶା, ନିରାଶାର ଝଡ଼ ତୋଫାନ । ବୋଉଙ୍କ କଥା ଶୁଣି ଚମକିଉଠିଲା ତୁଳସୀ । ତା’ର ବିଭାଘର ହେବ ଅନ୍ୟ କୌଣସି ଅପରିଚିତ ଯୁବକ ସହିତ ! ତେବେ ତା’ର ସୁପରିକଳ୍ପିତ ପ୍ରିୟତମ ସୁଶାନ୍ତକୁ ସେ ନିଜର କରିପାରିବନି ! ନା, ବାପା ତା’ର ସୁଶାନ୍ତକୁ ପୁଅକରି ରଖିଛନ୍ତି... ? କାହିଁ ନା ତ...କୌଣସି ଦିନ ତ ସେ ଏ କଥା କାହାରି ପାଖରୁ ଶୁଣିବାକୁ ପାଇନି । ସେ ଜାଣେ ସୁଶାନ୍ତ ବାପା, ମାଙ୍କ ଦୟାରେ ବଢ଼ିଆସିଛି ।

 

ତୁଳସୀ ମନରେ ଭାବନାର ଅଡ଼ୁଆ ତଡ଼ୁଆ ଖିଅ । କେମିତି ସେ ସୁଶାନ୍ତକୁ ଏଡ଼ି ଦୂର ରାଇଜର ନୂତନ ପଥର ଯାତ୍ରୀ ହେବ ? କେମିତି ସେ ମାନସପଟରୁ ତା’ର ଭୁଲିଯିବ ସୁପରିକଳ୍ପିତ ପ୍ରିୟତମର ମୋହନ ମୂର୍ତ୍ତି ! ହୁଏତ ସୁଶାନ୍ତ ତାକୁ କୌଣସି ଦିନ ଆଶା କରିନାହାନ୍ତି । ଏସବୁ ଘଟନା ଜାଣି ନାହାଁନ୍ତି, ତଥାପି ସେ ତ ସୁଶାନ୍ତକୁ ପାଇବାକୁ ଆଶା କରି ବସିଛି । ମନର ପବିତ୍ର ଫୁଲହାରଟିକୁ ଆଶା ମହଲର ସ୍ୱାମୀଦେବତା ସୁଶାନ୍ତ ଗଳାରେ ଲମ୍ବେଇ ଦେଇଛି । ନିଜର ଅଙ୍ଗ ଯୌବନକୁ ମନେ ମନେ ସୁଶାନ୍ତ ଠାରେ, ସ୍ୱଇଚ୍ଛାରେ ସମର୍ପିଦେଇଛି ଉପଯାଚିକାଭାବେ ! କଳ୍ପନା ସମୁଦ୍ରରେ ଭାସିଗଲାବେଳେ ସୁଶାନ୍ତ ତା’ର କୁଟାଖିଅପରି ସାହା ହେବ ବୋଲି ଭାବିଛି ।

 

ପୁଣି ତୁଳସୀ ମନରେ ଦ୍ଵନ୍ଦ୍ୱ ଭାବନା ଉଙ୍କିମାରୁଛି । ବାପା ଯଦି ତା’ର ଅନ୍ୟ ସ୍ଥାନରେ ବିବାହ ଠିକ୍ କରନ୍ତି, ତେବେ ସେ କ'ଣ କରିବ, କେମିତି ସେ ଜୀବନ ଧରିବ !

 

ସେ ବିବାହ କରିବାକୁ ନାହିଁ କରିବ । କହିବ ସାରା ଜୀବନପାଇଁ ସେ କୁମାରୀବ୍ରତ ଅବଲମ୍ବନ କରିବ । ଦରକାର ପଡ଼ିଲେ ଦୃଢ଼କଣ୍ଠରେ ସେ କହିବ, ସୁଶାନ୍ତକୁ ସେ ଭଲପାଏ । ତାକୁ ନ ପାଇଲେ ସେ ବଞ୍ଚିପାରିବନି । ଆଉ ବାପା ଯଦି ତା’ର ଏକଥା ନ ବୁଝନ୍ତି, ତେବେ ସଂସାର ବକ୍ଷରୁ ଚିରଦିନ ପାଇଁ ଲିଭିଯିବ ପଛକେ, ଅସତୀ ହେବନି । ସୁଶାନ୍ତ ତାକୁ ସ୍ପର୍ଶ ନ କରିଥିଲେ ସୁଦ୍ଧା, ସେ ଜାଣେ ସୁଶାନ୍ତ ତାକୁ ନିଜର କରିନେଇଛନ୍ତି । ସୁଶାନ୍ତ ତା’ର ଏମିତି ଭାବନାର କେତେ ଘନଘଟା ତୁଳସୀ ମନ-ରାଇଜରେ । ବାପା ବୋଉଙ୍କର ପ୍ରସ୍ତାବ ଶୁଣିବାପାଇଁ କାନଡ଼େରିଲା ତୁଳସୀ-

 

କନକ ଦେବୀ ପୁଣି ଆରମ୍ଭ କଲେ, ତୁମେ ଆଜି ଗୋପିନାଥପୁରର ରଘୁବାବୁଙ୍କ ଘରକୁ ଯାଅ । ତାଙ୍କର ଗୋଟିଏ ମାତ୍ର ପୁଅ ବୋଲି ମୁଁ ଶୁଣିଛି । ପୁଅଟି ମଧ୍ୟ ଉଚ୍ଚଶିକ୍ଷିତ । ଆଉବି ତାଙ୍କର ଖୁବ୍ ଖାନ୍‍ଦାନୀ ଘର । ତାଙ୍କରି ଘର ଠିକ୍ କରି ଆସିବ । କ’ଣ କହୁଛ ?

 

ଗୋପାଳବାବୁ ସ୍ତ୍ରୀଙ୍କର ଏପରି ପ୍ରଶ୍ନ ଶୁଣି କିଛି ଉତ୍ତର ଦେଇପାରି ନଥିଲେ । ତାଙ୍କର ସମସ୍ତ ପରିକଳ୍ପିତ ଆଶା ଯେପରି ଭାଙ୍ଗିରୁଜି ଗଲାପରି ଅନୁଭବ କରୁଥିଲେ ! କେତେ କ’ଣ ନୀରବଭାବେ ଭାବି ଚାଲିଥିଲେ ଗୋପାଳବାବୁ ।

 

ତୁମକୁ କ’ଣ ଶୁଭୁନାହିଁ କି ? ମୁଁ ପରା କ’ଣ କହିଲି ? ଟିକିଏ ହଲେଇ ଦେଇ ପ୍ରଶ୍ନକଲେ କନକ ଦେବୀ ।

 

କ’ଣ କହିବେ ଗୋପାଳବାବୁ ! ମନରେ ଯେ ତାଙ୍କର ଅନ୍ୟ ଆଶା । ସେ ଯେ କଳ୍ପନାର ତାଜମହଲ ଗଢ଼ିବାରେ ବ୍ୟସ୍ତ । ତଥାପି ଗୋପାଳବାବୁ କହିଲେ, ମୁଁ କ’ଣ କହୁଥିଲି କି, କନକ...

 

କନକ ଦେବୀ ହଠାତ ପାଟିରୁ କଥା ଛଡ଼ାଇ ଆଣି କହିଲେ, କହୁନା ? ଏମିତି ଚୁପ୍‍ମାରି ବସିଛ କାହିଁକି ?

 

–"ସୁଶାନ୍ତ ସହିତ ତୁଳସୀର ବିଭାଘରଟା କଲେ କେମିତି ହୁଅନ୍ତା ?" ପ୍ରଶ୍ନକଲେ ଗୋପାଳବାବୁ ।

 

–"କିଛି କହୁନା ଯେ– ?"

 

ଖୁବ୍ ଭଲ ହୁଅନ୍ତା ଭାବୁଛି, ତଥାପି ତୁଳସୀର ମତାମତ ନେବା ଦରକାର । ତା’ ମତାମତ ନବୁଝି...

 

ଆଉ କ’ଣ କହିବାକୁ ଯାଉଥିଲେ କନକ ଦେବୀ, ପାଟିରୁ ତାଙ୍କର କଥା "ଛଡ଼ାଇଆଣି ଗୋପାଳବାବୁ କହିଲେ, ତୁଳସୀ ମତାମତ ନେବା ଦରକାର ନାହିଁ କନକ, ମୁଁ ଜାଣେ ସୁଶାନ୍ତକୁ ତୁଳସୀ ଖୁବ୍ ଭଲପାଏ । ଏଥିରେ କିଛି ଅସୁବିଧା ହେବନି । କ’ଣ କହୁଛ ?

 

ବାପାଙ୍କ କଥା ଶୁଣି ମନେ ମନେ ଖୁସିହୋଇ ଯାଉଛି ତୁଳସୀ । ଆନନ୍ଦରେ ନରମ ଛାତି ତା’ର ପୁଲକି ଉଠୁଛି, ଭାବୁଛି ବାପାଙ୍କ ପାଖକୁ ଯାଇ ସେ କହିଦେବ ମୋର ମତାମତ ନେବା ଦରକାର ନାହିଁ ବାପା ତୁମେ ଯାହା ସିଦ୍ଧାନ୍ତ କରିଛ, ତାହାହିଁ କର । ମୁଁ ତାହାହିଁ ଚାହେଁ । କିନ୍ତୁ ପାଦ ତା’ର ଆଗକୁ ପଡ଼ୁନି । ଭାବନା ଆଉ କାମନାରେ ହୃଦୟ ତା’ର ଆଉଟି ପାଉଟି ହେଉଛି । ସୁଶାନ୍ତକୁ ସ୍ୱାମୀରୂପେ ପାଇବାପାଇଁ କେତେ ଠାକୁରାଣୀଙ୍କୁ ଭୋଗ ଯାଚି ଚାଲିଛି ।

 

–ନୀରବ ରହିଲ କାହିଁକି ? କ’ଣ ଉତ୍ତର ଦିଅ ? ପୁଣି ପ୍ରଶ୍ନ କଲେ ଗୋପାଳବାବୁ ।

 

"ମୁଁ କ’ଣ କହିବି; ତୁମ ଇଚ୍ଛା" ।

 

"ତୁମେ ତା’ର ମା', ଜନ୍ମଦାତ୍ରୀ, ତୁମେ କହିବନି ତ ଆଉ କ’ଣ ଏ ଘରର କାନ୍ଥ କହିବି-?"

 

ଟିକିଏ ହସିଦେଇ କନକ ଦେବୀ କହିଲେ, "ତୁମ କଥାରୁ ମୁଁ କ’ଣ ବାହାରି ଯାଉଛି ! ତୁମେ ଯାହା ଭଲ ଭାବୁଛ ତାହାହିଁ କର । ମୋର ତ ତାହାହିଁ ଇଚ୍ଛା । ଏକଥା ମୁଁ ବହୁଦିନ ପୂର୍ବରୁ ମନେ ମନେ ଠିକ୍ କରି ସାରିଛି; କିନ୍ତୁ ଭରସି କରି ତୁମକୁ ଏ ପର୍ଯ୍ୟନ୍ତ କହି ନଥିଲି ।

 

ଗୋପାଳବାବୁ ଆଉ କ’ଣ କହିବାକୁ ଗଲାବେଳେ, ହଠାତ କଲିଂବେଲଟା ଶବ୍ଦକରି ଉଠିଲା । କିଏ ଡାକୁଛି ଭାବି କନକଦେବୀ ବାହାରକୁ ବାହାରି ଆସିଲେ ।

 

–"ମା...ବାବୁ ଘରେ ଅଛନ୍ତି ?" ଟିକିଏ ଶଙ୍କି ଯାଇ କ’ଣ ଦେବୀଙ୍କୁ ପ୍ରଶ୍ନକଲା ପୋଷ୍ଟ ପିଅନ ।

 

"ହଁ ଅଛନ୍ତି । କାହିଁକି କ’ଣ ଦରକାର ଅଛି ?

 

"କିଏ ଟେଲିଗ୍ରାଫ୍ କରିଛି ?"

 

ପୋଷ୍ଟ ପିଅନ କାଗଜ ଖଣ୍ଡିକ ଉପରେ ଥରେ ଆଖି ବୁଲାଇ ଆଣି କହିଲା, "ସୁଶାନ୍ତବାବୁ କରିଛନ୍ତି ।"

 

କନକଦେବୀ ତରତର ହୋଇ ଘରଭିତରକୁ ପଶିଗଲେ । ଅଧର ପଟଳରେ ଟିକେ ହସ ଆଣି କହିଲେ, "ହେଇଟି, ଜାଣିଲଣି; ସୁଶାନ୍ତ ଟେଲିଗ୍ରାଫ୍ କରିଛି । ପିଅନ ଟେଲିଗ୍ରାଫ୍ ଧରି ବାହାରେ ତୁମକୁ ଅପେକ୍ଷା କରିଛି ।"

 

ତରତର ହୋଇ କନକ ଦେବୀ ଓ ଗୋପାଳବାବୁ ଘରୁ ବାହାରି ଆସିଲେ । ପିଅନ ଗୋପାଳବାବୁଙ୍କୁ ନମସ୍କାର ହୋଇ ଟେଲିଗ୍ରାଫ୍ ଖଣ୍ଡିକ ବଢ଼ାଇ ଦେଇ ଚାଲିଗଲା । ଗୋପାଳବାବୁ ଟେଲିଗ୍ରାଫ୍‍ଟି ପଢ଼ି ଆନନ୍ଦରେ ଅଧୀର ହୋଇ ଉଠିଲେ । "ସୁଶାନ୍ତ ଟେଲିଗ୍ରାଫ୍ କାହିଁକି କରିଛି ଜାଣିଲଣି କନକ ?"

 

‘‘ମୁଁ କିପରି ଜାଣିଲି," କହି ଓଠ ଫଟାଇ ହସି ଉଠିଲେ କନକ ଦେବୀ । ସେ କୃତିତ୍ୱସହ ପାଶ୍ କରିଛି । ପୁଣି ଲେଖିଛି, ଆସନ୍ତା ପାଞ୍ଚ ତାରିଖରେ ବିମାନ ଯୋଗେ ଭୁବନେଶ୍ୱର ବିମାନ ଘାଟିରେ ଆସି ପହଞ୍ଚିବ ।

 

କନକ ଦେବୀ ଆନନ୍ଦାତଶଯ୍ୟରେ କିଛି ଉତ୍ତର ଦେଇପାରୁନଥିଲେ । ଆନନ୍ଦର ଉଜ୍ଜ୍ୱଳ ରେଖା ମୁହଁରେ ତାଙ୍କର ଫୁଟି ଉଠୁଥିଲା ସୁସ୍ପଷ୍ଟଭାବେ । ତୁଳସୀ ତା’ର କୋଠରିରୁ ଦଉଡ଼ି ଆସି ଗେଲିଗ୍ରାଫ୍ ଗୋପାଳବାବୁଙ୍କ ହାତରୁ ନେଇ ଚାଲିଗଲା !

 

ଗୋପାଳବାବୁ କହିଲେ, "ଆରେ ଚାହିଁଛ କ’ଣ କନକ, ଏଥର ସବୁ ବୁଝି ପାରିଲ ତ ? ଯାଅ....ଚା’ ଟିକେ କରି ଆଣିଲ ।"

 

କନକ ଦେବୀ ଚା’ ତିଆରି କରିବାପାଇଁ ଚାଲିଗଲେ । ଗୋପାଳବାବୁ କାମନାକୁ ଆହୁରି ଦ୍ୱିଗୁଣିତଭାବେ ବଢ଼ାଇ ଦେଇ କେତେ କ’ଣ ଭାବି ଚାଲିଥିଲେ ।

 

ପରମେଶ୍ୱର ଯେତେବେଳେ ମଣିଷ ଉପରେ ଆଶୀର୍ବାଦ ଢାଳନ୍ତି, ସେତେବେଳେ ଦୁଇହାତ ତୋଳି ଆଶୀର୍ବାଦ କରନ୍ତି, ମଙ୍ଗଳ ଢାଳନ୍ତି । ଭକ୍ତର ମନବାଞ୍ଛା ପୂରଣ କରନ୍ତି । ଚଲାପଥରେ ତା’ର ସହାୟ ହୁଅନ୍ତି ।

 

ସୁଶାନ୍ତ ଆଜି ମଙ୍ଗଳମୟ ପରମେଶ୍ୱରଙ୍କ ଶୁଭାଶୀର୍ବାଦ ଏବଂ ନିଜର କଠୋର ଅଧ୍ୟବସାୟ ଫଳରେ ଋଷ୍‍ରୁ ଶରୀର ବିଜ୍ଞାନରେ କୃତିତ୍ୱ ସହ କୃତକାର୍ଯ୍ୟ ହୋଇଛି । ଆଉ କେଇଟି ଘଣ୍ଟା ପରେ ତା’ର ଜନ୍ମଭୂମି ଭାରତମାତାର କୋଳକୁ ଫେରିଆସିବ । ସେଥିପାଇଁ ସୁଶାନ୍ତ ଆନନ୍ଦର ଉଲ୍ଲାସରେ ଅତି ଉତ୍‍ଫୁଲ୍ଲିତ ହୋଇ ଉଠୁଛି । ଘରକୁ ଆଣିବାପାଇଁ ବିଭିନ୍ନ ପ୍ରକାର ମନଲାଖି ଜିନିଷ କିଣୁଛି ସୁଶାନ୍ତ । ଡାଇରୀ ଖୋଲି ଦେଖୁଚି କାହାପାଇଁ କିଏ କ’ଣ ନେବାକୁ ଲେଖିଥିଲା ! ଆଖିପଡ଼ିଲା ଡାଇରୀର ଗୋଟିଏ ପାଖକୁ ଲେଖା ହୋଇଛି ଫୁଲମାଳଟିଏ ପାଇଁ । ସୁଶାନ୍ତର ମନେପଡ଼ିଲା ସବୁକଥା । ଅତୀତର କଥାଗୁଡ଼ାକ ଆଖି ଆଗରେ ତା’ର ନାଚିଉଠିଲା ଘନଘନଭାବେ । ତୁଳସୀପାଇଁ ସୁନ୍ଦର ଫୁଲହାରଟିଏ ଭର୍ତ୍ତିକରି ବ୍ୟାଗରେ ରଖିଲା ସୁଶାନ୍ତ । ସମସ୍ତ ଜିନିଷ ସାଙ୍ଗରେ ଧରି ବିମାନ ଘାଟିକୁ ଧାଇଁଛି ସୁଶାନ୍ତ, ତା’ର କେତେ ସାଙ୍ଗସାଥୀ ତାକୁ ବିଦାୟ ଦେବାକୁ କେତେ କେତେ ନୂତନ ଉପହାର ଧରି ଆସିଛନ୍ତି ।

 

ଆମ ବନ୍ଧୁରାଷ୍ଟ୍ର ଋଷ୍ ପକ୍ଷରୁ ସୁଶାନ୍ତପାଇଁ ବ୍ୟବସ୍ଥା କରାଯାଇ ଥିବା ସ୍ୱତନ୍ତ୍ର ବିମାନଟି ସୁଶାନ୍ତ ପ୍ରତୀକ୍ଷାରେ ପକ୍ଷ ମେଲାଇ ଚାହିଁ ରହିଥିଲା । ସୁଶାନ୍ତ ବନ୍ଧୁମାନଙ୍କ ଠାରୁ ବିଦାୟର ସ୍ଵାଗତିକ ଆଣି ବିମାନ ଉପରକୁ ଉଠିବା ସଙ୍ଗେ ସଙ୍ଗେ ବିମାନଟି ଉଡ଼ିଚାଲିଲା ଓଡ଼ିଶାର ରାଜଧାନୀ ଭୁବନେଶ୍ୱର ଅଭିମୁଖେ ।

 

ଯାନର ଗତି ଯେତେଚଞ୍ଚଳ ହୋଇ ଉଠୁଛି, ସୁଶାନ୍ତର ବ୍ୟାକୁଳ ହୃଦୟ ତାଠାରୁ ଆହୁରି ଚଞ୍ଚଳ ହୋଇଉଠୁଛି ମାତୃଭୂମିର ସ୍ପର୍ଶପାଇଁ । କଳ୍ପନାରେ ସେ ବିଭୋର ହୋଇଉଠୁଛି । ହୁଏତ ଆଉ କେଇଟି ମୁହୂର୍ତ୍ତ ପରେ ଆତ୍ମୀୟସ୍ୱଜନ, ପରିଚିତ ସାଙ୍ଗସାଥୀମାନଙ୍କୁ ସେ ଦେଖିପାରିବ । କେତେ କଥା ତା’ର ସାଙ୍ଗସାଥୀମାନେ ପଚାରିବେ, ଆଉ ଛୋଟ ଭଉଣୀ ତୁଳସୀ ମଧ୍ୟ ପଚାରିବ । ସେ ସବୁ ଗୋଟି ଗୋଟି ବୁଝାଇ କହିବ ଋଷଦେଶ ସମ୍ପର୍କରେ ।

 

କଳ୍ପନାର ଆନନ୍ଦତରଙ୍ଗ ସୁଶାନ୍ତ ମନରେ ଲହଡ଼ି ମାରୁଛି । ଆଖି ଆଗରେ ତା’ର ଝଲସି ଉଠୁଛି କଟକ ସହରର ବିଜୁଳି ଆଲୁଅ, ଗାଡ଼ି ଘୋଡ଼ାର ଚଳନ୍ତା ଗତି । ଯେମିତି ତାକୁ ଜଣା ଯାଉଛି, ମା ତା’ର ଫେରନ୍ତା ପଥକୁ ଅପଲକ ଦୃଷ୍ଟିରେ ଚାହିଁ ବସିଛନ୍ତି । ତୁଳସୀବି ଯେମିତି ଖୋଳିଲା ଆଖିରେ ଚାହିଁ ରହିଛି ତା’ରି ଫେରନ୍ତା ପଥକୁ !

 

ଭୁବନେଶ୍ୱର ବିମାନଘାଟିରେ ତୁଳସୀ ଏବଂ ଗୋପାଳବାବୁ ସୁଶାନ୍ତ ଉଦ୍ଦେଶ୍ୟରେ ଚାହିଁ ବସିଛନ୍ତି । ଆଜି ଆସିବା ପ୍ରୋଗ୍ରାମ ଶୁଣି ସୁଶାନ୍ତର କେତେ ସାଙ୍ଗସାଥୀ ଏବଂ ଓଡ଼ିଶାର କେତେ ମାନ୍ୟଗଣ୍ୟ ବ୍ୟକ୍ତି ସମସ୍ତେ ସ୍ୱାଗତ ସମ୍ବର୍ଦ୍ଧନାରେ ତାକୁ ପାଛୋଟି ନେବାକୁ ଆସିଛନ୍ତି । ଋଷିଆର ଚିକିତ୍ସାପ୍ରଣାଳୀରେ ସୁଶାନ୍ତ ଆଜି କୃତିତ୍ୱ ସହ ଉପାଧି ଲାଭକରି ଫେରୁଛି, ଏହା ଆମ ଦେଶର କମ୍ ଗୌରବ ନୁହେଁ । ତେଣୁ ସମସ୍ତେ ଅପଲକ ନୟନରେ ଚାହିଁ ରହିଛନ୍ତି ଡକ୍ଟର ସୁଶାନ୍ତବାବୁଙ୍କ ଉଦ୍ଦେଶ୍ୟରେ ।

 

ଚାହୁଁ ଚାହୁଁ କେତୋଟି ମୁହୂର୍ତ୍ତ ଭିତରେ ବିମାନ ଆସି ଭୁବନେଶ୍ୱର ବିମାନଘାଟିରେ ଅବତରଣ କଲା । ସୁଶାନ୍ତ ଧୀରେ ଧୀରେ ତଳକୁ ଓହ୍ଲାଇ ଆସିବାବେଳେ କେତୋଟି ଫୁଲମାଳ ବେକରେ ତା’ର ଝୁଲିପଡ଼ିଲା । ଆନନ୍ଦ କୋଳାହଳରେ ଉଛୁଳି ଉଠିଲା ସାରା ବିମାନଘାଟିଟି । ସୁଶାନ୍ତ ଚାରି ଆଡ଼କୁ ଥରେ ଆଖି ବୁଲାଇ ଆଣିବାବେଳେ ହଠାତ ଆଖି ଆଗରେ ପଡ଼ିଲେ ତା’ର ଗୋପାଳବାବୁ ନିଜେ । ତଳକୁ ଓହ୍ଲାଇ ଆସି ମାତୃଭୂମିର ଧୂଳି ଟିକିଏ ଆଣି ମୁଣ୍ଡରେ ବୋଳି ଗୋପାଳବାବୁଙ୍କ ପାଦଧୂଳି ଆଣି ମୁଣ୍ଡରେ ଲଗାଇ ଚାହିଁଲା ବେଳକୁ ପାଦତଳେ ତା’ର ଲୋଟି ପଡ଼ିଛି ଆଦରର ଭଉଣୀ ତୁଳସୀ । ହଠାତ ସୁଶାନ୍ତ କହିପକାଇଲା, 'ଆରେ, ତୁବି ଚାଲିଆସିଛୁ ତୁଳସୀ ?' ମନରେ ତା’ର କେତେ କଳ୍ପନାର ତାଜମହଲ ଠିଆକରି ଲାଜରେ ଭାଙ୍ଗିପଡ଼ୁଥିଲା ତୁଳସୀ ।

 

ସୁଶାନ୍ତ ବ୍ୟାଗରୁ ଫୁଲହାରଟି ବାହାର କରି କହିଲା, 'ନେ, ତୋ ଫୁଲହାରଟି ନେ ତୁଳସୀ–'କହି ହାରଟିକୁ ତୁଳସୀ ହାତକୁ ବଢ଼ାଇଦେଲା । ତୁଳସୀ ମନ ଯେମିତି କହିଉଠୁଛି, 'ମୋତେ କ’ଣ ଫୁଲହାର ଦେଉଛ ସୁଶାନ୍ତ ଭାଇ, ତୁମେ ତାକୁ ଗଳାରେ ପିନ୍ଧି ପକାଅ । ତାହା ତୁମକୁ ବେଶ୍ ସାଜିବ । ତା’ ଯେ, ତୁମରିପାଇଁ ମୁଁ କରିଛି । ତୁମରି ପାଖରେ ସେଇଟି ଥାଉ ।'

 

ପୁଣି ସୁଶାନ୍ତ କହିଲା; 'ନେ, ଧର ତୁଳସୀ, କ’ଣ ଭାବୁଛୁ !"

 

ତୁଳସୀ ଭାବନାରୁ ଧିମେଇ ଆସି ପିଲାଟିପରି ହାତବଢ଼ାଇ ସୁଶାନ୍ତ ହାତରୁ ଫୁଲହାରଟି ଗ୍ରହଣ କଲା । ସମସ୍ତଙ୍କ ଅଲକ୍ଷ୍ୟରେ ନାଲି ଟୁକୁ ଟୁକୁ ଅଧରଟି ତା’ର ନଇଁ ଆସିଲା ଫୁଲହାରଟି ଉଦ୍ଦେଶ୍ୟରେ । ଛୋଟ ଚୁମ୍ବନଟି ପରଷି ଦେଲା ସେ.... ।

 

କାରରେ ବସି ସମସ୍ତେ ଛୁଟି ଚାଲିଛନ୍ତି ଘର ଅଭିମୁଖେ, ଗୋପାଳବାବୁଙ୍କ ବାସଭବନକୁ । କେତେ କଥାବାର୍ତ୍ତା ବାଟସାରା ଚାଲିଛି । କେତୋଟି ମିନିଟ୍ ପରେ ଗାଡ଼ି ଆସି କଟକରେ ପହଞ୍ଚିଲା । ସମସ୍ତ ଜନଗହଳି କାଟି ଗାଡ଼ି ଛୁଟି ଚାଲିଲା ଘର୍‍ଘର୍‍ ଶବ୍ଦ କରି ।

 

ଘରେ ପହଞ୍ଚୁ ପହଞ୍ଚୁ ଗୋପାଳବାବୁ ଡାକିଲେ, "ଆରେ ଘରେ କ’ଣ କରୁଛ କନକ, ଆସି ଦେଖିଲ ଆମ ସହିତ କିଏ..."।

 

ଘର ଭିତରେ କନକଦେବୀ ଥାଇ କହିଲେ, କିଏ କି ?

 

ସୁଶାନ୍ତ ଆସିଛି ଯେ,...

 

ସୁଶାନ୍ତ ନାଁଟି ଶୁଣି ଘରଭିତରୁ କନକଦେବୀ ଚଞ୍ଚଳ ଗତିରେ ଧାଇଁ ଆସିଲେ । ଛୋଟ ଶିଶୁଟି ପରି ସୁଶାନ୍ତକୁ କୋଳେଇ ନେଉ ନେଉ ଟିକେ କୃତ୍ରିମ ଅଭିମାନ କରି କହିଲେ, ତମେ ବାପଝିଅ ଦୁହେଁ ଏତେ କପଟୀ ଅଛ ? ସୁଶାନ୍ତ ଆଜି ଆସିବ ଜାଣି ଗାଡ଼ିନେଇ ଚୁପ୍‍ମାରି ଚାଲିଗଲ, ଆଉ ମତେ ଟିକେ କହିଥିଲେ ତୁମ ସାଙ୍ଗରେ ମୁଁ ଯାଇ ନଥାନ୍ତି ?" –"ହଉ ହଉ ତୁମେ ଆଗ ପୁଅପାଇଁ କ’ଣ ଖାଇବାକୁ ଆଣିଲ; ପରେ ଅନ୍ୟ କଥା ।"

 

କନକଦେବୀ ଖାଦ୍ୟ ଆଣିବାପାଇଁ ତରତର ହୋଇ ଘରଭିତରକୁ ଚାଲିଗଲେ । ଗୋପାଳବାବୁ ଏବଂ ସୁଶାନ୍ତ ଖୋଲି ବସିଲେ କାହାଣୀ ପେଡ଼ି ।

 

ସମସ୍ତେ ଆଜି ଉଦ୍‍ବେଳିତ ଆନନ୍ଦରେ ଉଲ୍ଲସିତ । ସୁଶାନ୍ତ ଜୀବନର ଅପୂର୍ବ କୃତିତ୍ୱ ଶୁଣି ଗାଁଟାସାରା ଆନନ୍ଦରେ ଅଧୀର ହେଉଛନ୍ତି । ଯେଉଁମାନେ ସୁଶାନ୍ତ ନାଁରେ କୁତ୍ସା ରଟନା କରୁଥିଲେ, ସେମାନଙ୍କ ମୁଣ୍ଡ ବିନୟାବନତ ହୋଇ ତଳକୁ ନଇଁ ପଡ଼ୁଛି । ସେମାନେ ଆଜି ବୁଝିଛନ୍ତି, କାହାରିକୁ ହିଂସା କରିବା ଅନୁଚିତ । ଯେଉଁମାନେ ଜାତି ଅଜାତି କହି ଛି-ଛାକର କରୁଥିଲେ ସେମାନେ ଆଜି ଲଜ୍ଜିତ ହେଉଛନ୍ତି । ଯେ କୌଣସି ଉଚ୍ଚ ନୀଚ ଜାତିର ମଣିଷ ହେଉନା କାହିଁକି ସମସ୍ତେ ସେଇ ମଙ୍ଗଳମୟ ଈଶ୍ଵରଙ୍କର ସନ୍ତାନ । ପ୍ରେମର ଅପୂର୍ବ ଦାନ । ସମସ୍ତଙ୍କ ଦେହରେ ଉଷ୍ମ ରକ୍ତ କଣିକା ପ୍ରବାହିତ ହେଉଅଛି । ଈଶ୍ୱର ଉଚ୍ଚ ନୀଚ, ଜାତି ଅଜାତି ସୃଷ୍ଟି କରିନାହିନ୍ତି, ଉଚ୍ଚ ନୀଚ, ଭେଦାଭେଦ ସୃଷ୍ଟିକରିଛି ମଣିଷ । ସେମାନେ ଆଜି ବୁଝିଛନ୍ତି, ଜାତି ବଳରେ କି ଧନବଳରେ ମଣିଷ ପ୍ରଶଂସିତ ହୁଏନା, ପ୍ରଶଂସିତ ହୁଏ ଗୁଣ ବଳରେ । କ୍ଷଣସ୍ଥାୟୀ ଭବଭଙ୍ଗୁର ଜୀବନରେ ଯଶ ମଣିଷକୁ ଯୁଗ ଯୁଗକୁ ଅମର କରି ରଖେ ।

 

ବୁଲି ବୁଲି ଶେଷରେ ଏଇ କଟକ ଟାଉନ ପାଖ ଗାଁର ଗୋପାଳବାବୁଙ୍କ ଘରେ କାମ କରିବାକୁ ଠିକ୍ କରି ଆସିଛି ବୀଣା ! ଆଜିକି ଦୁଇମାସ ହେଲା ଗୋପାଳବାବୁଙ୍କ ଘରେ କାମ କରୁଛି ସେ; ବୀଣା ପ୍ରତିଦିନ ସକାଳେ ଯାଇ କଂସା ମାଜେ, ଗୁହାଳ ପୋଛେ, ସଞ୍ଜକୁ କିଛି କାନିରେ ଧରି ଫେରେ ସେଇ ବରଗଛ ତଳକୁ, ଯେଉଁଠି ଦେବତା ତା’ର ତାକୁ ଅପେକ୍ଷା କରି ରହିଥାନ୍ତି ।

 

ପ୍ରକାଶ ମୁମୂର୍ଷୁତ ଅବସ୍ଥାରେ ସେମିତି ଚାହିଁ ରହିଥାଏ ରାସ୍ତାକଡ଼ର ସେଇ ଗଛମୂଳେ । ଯନ୍ତ୍ରଣାରେ କାନ୍ଦି ଆଖି ଲୁହରେ ଦୁନିଆ ଭସାଇଥାଏ ।

 

ବୀଣା କାମରୁ ଫେରେ । ପ୍ରିୟତମକୁ ଦେଖି ଆଖିରୁ ଲୁହ ଝରେ ତା’ର । ଧାଇଁଯାଇ ପ୍ରିୟତମ ଦେହରେ ହାତ ବୁଲାଇ ଆଣେ । କେତେକଥା କହି ପ୍ରକାଶକୁ ସାନ୍ତ୍ୱନା ଦିଏ । ଯାହା ଖୁଦମଳୁଖ ଆଣିଥାଏ, ତାକୁ ସିଝାଇ ପ୍ରକାଶ ମୁହଁରେ ଦିଏ । ନିଜ ହାତରେ ଖୋଇଦିଏ ମୁଠି ମୁଠି କରି, ପ୍ରିୟତମକୁ । ରାତି ଆସିଲେ ସାରା ରାତି ସେଇଠି ଜଗିରହେ ଦେବତାକୁ ତା’ର ।

 

ସକାଳ ହେଲେ ବୀଣା ପୁଣି ବାହାରିଯାଏ କାମ କରିବାକୁ । ଗୋପାଳବାବୁଙ୍କ ଘରେ କାମ କରୁ କରୁ ଅନେକ ବାର ଅଜଣାତରେ ଆଖିରୁ ତା’ର ଲୁହଧାର ଝରିପଡ଼େ । ମନ ତା’ର ଗୋଳେଇ ଘାଣ୍ଟି ହୁଏ ପ୍ରିୟତମର କଥା ଭାବି । କେବେ କେବେ କନକ ଦେବୀଙ୍କୁ କହି ଚାଲିଆସେ, କେବେ କେବେ ମନହେଲେ ସୁଦ୍ଧା କର୍ତ୍ତବ୍ୟକୁ ଏଡ଼ାଇ ଆସି ପାରେନି ।

 

ବୀଣାର ସଦ୍‍ବ୍ୟବହାରରୁ କନକଦେବୀ ଖୁବ୍ ଭଲ ପାଆନ୍ତି ତାକୁ । ଅନେକ ଥର ତାଙ୍କରି ଘରେ ବୀଣାକୁ ରହିଯିବାକୁ ବାଧ୍ୟ କଲେଣି କନକଦେବୀ । ତାକୁ ଗୋଟିଏ ସ୍ୱତନ୍ତ୍ର ଘର ଛାଡ଼ିଦେବାକୁ କହିଛନ୍ତି, କିନ୍ତୁ ବୀଣା ନାହିଁକରେ ରହିବାକୁ । ଖାଲି ଲୁହଝରାଏ...ଗୋପାଳବାବୁ ଓ ତୁଳସୀ ମଧ୍ୟ ବୀଣାକୁ ରହିବାକୁ ବାଧ୍ୟ କରିଛନ୍ତି, କିନ୍ତୁ ବୀଣାର ସେଇ ଗୋଟିଏ କଥା, ନା ସେ ପରଘରେ ଆଶ୍ରୟ ନେବନି ସେ ଜାଣେ ସ୍ୱାମୀ ତା’ର ଯକ୍ଷ୍ମାରୋଗୀ । ତାଙ୍କ ଘରେ ଆଶ୍ରୟ ନେଲେ ସ୍ୱାମୀଙ୍କୁ ଦେଖି ସମସ୍ତେ ଘୃଣା କରିବେ । ଆଜି ହୁଏତ ଯେଉଁମାନେ ତାକୁ ଆଦର କରୁଛନ୍ତି, ଦିନେ ସେଇମାନେ ତାକୁ ଛେପ ପକାଇବେ । କେତେ ଛି-ଛାକରା କରିବେ । ନାକଟେକିବେ, ଦରକାର ପଡ଼ିଲେ ହାତପୂରାଇ ମାଡ଼ଦେଇ ବାହାର କରିଦେବାକୁ ପଛେଇବେନି । ସର୍ବଦା ପରର ନିର୍ଯାତନା ସହିବାକୁ ପଡ଼ିବ । ନା, ସେ ପର ଘରେ ଆଶ୍ରୟ ନେବନି । ସେଇ ଗଛମୂଳହିଁ ତା’ର ଆଶ୍ରୟଦାତ୍ରୀ, ହସିଲା ବୈକୁଣ୍ଠ ।

 

ବେଳେ ବେଳେ କନକଦେବୀ ବୀଣାର ପ୍ରକୃତ ପରିଚୟ ଚାହିଁଛନ୍ତି । ବୀଣାର କଥାଭାଷା, ଚାଲିଚଳନ, ସଦ୍‍ବ୍ୟବହାରରୁ କୌଣସି ସମ୍ଭ୍ରାନ୍ତ ବଂଶୀୟ ବୋହୂ ବୋଲି ସନ୍ଦେହ କରନ୍ତି । ଭାଗ୍ୟ ଦୋଷରୁ ଏପରି ଅବସ୍ଥା ହୋଇଥାଇ ପରେ ଭାବି ବୀଣାର ପ୍ରକୃତ ପରିଚୟ ପାଇଁ ଜିଗର କରିଛନ୍ତି । କିନ୍ତୁ କୌଣସି ଦିନ ବୀଣା ତା’ର ପ୍ରକୃତ ପରିଚୟ ଦେଇନି । ପଚାରିଲେ କେବଳ ଏତିକି କୁହେ, ମୁଁ ଜଣେ ଗରିବ ଭିକାରୁଣୀ ମା, ଏହା ବ୍ୟତୀତ ମୋର ଆଉ ଅନ୍ୟ ପରିଚୟ କିଛି ନାହିଁ ।

 

ବୀଣାର ସଦ୍‍ବ୍ୟବହାର, କଥାଭାଷା, ନମ୍ର ସ୍ୱଭାବ, ତୁଳସୀକୁ ଆକୃଷ୍ଟ କରେ । ବୀଣାକୁ ଅନ୍ତର ଭରି ଭଲପାଏ ତୁଳସୀ । ଏଇ କେଇଦିନ ଭିତରେ ବୀଣା ସହିତ ତା’ର ଘନିଷ୍ଠତା ବଢ଼ିଯାଇଛି । ତୁଳସୀଭାବେ ବୀଣା ଯେମିତି ତା’ର ଅତି ଆପଣାର । ଅନେକ ସମୟରେ ତୁଳସୀ ବୀଣାକୁ ଡାକେ ବସି ବସି ଗପସପ କରିବାପାଇଁ । କିନ୍ତୁ ବୀଣା ସେଥିରେ ଆଦୌ ରାଜି ହୁଏନି । ସେ ଜାଣେ ତା’ର କର୍ତ୍ତବ୍ୟ ପରିଶ୍ରମ କରି ପଇସା ନେବା । ତେଣୁ ସେ ପ୍ରତିବାଦ କରି କୁହେ, ନା, ମା ତୁଳସୀ, ଅନ୍ୟ ଚାକରାଣୀମାନଙ୍କ ସହିତ ମୁଁବି ତ ଜଣେ, ତେବେ ମୋର ବସିବା କ’ଣ କର୍ତ୍ତବ୍ୟ-! ତୁମ ସହିତ ମୁଁ ବସି ଗପସପ ହେବା ମୋତେ କ’ଣ ସାଜିବ ? କ’ଣ କହିବେ ଅନ୍ୟମାନେ-? ତୁଳସୀ ପ୍ରାଣରେ ଆଘାତ ଲାଗେ, ହେଲେ ସେ କିଛି କହିପାରେନି । ବୀଣାର ନୀତି ବାକ୍ୟ ଶୁଣି ଖୁବ୍ ଆନନ୍ଦ ପାଏ ସେ । ନିଜର ଚାକରାଣୀ ହେଲେ ମଧ୍ୟ ବୀଣା ପ୍ରତି କୌଣସି ଅସଦ୍‍ବ୍ୟବହାର କରେନି ତୁଳସୀ । ମାତୃତୁଲ୍ୟ ମନେକରେ ସେ । ବୀଣାର ପ୍ରକୃତ ପରିଚୟ ପାଇବାପାଇଁ ଶତଚେଷ୍ଟା କରେ ତୁଳସୀ; ହେଲେ କୌଣସି ଟିକିଏ ହେଲେବି ବୀଣାଠାରୁ କଥା ଆଣିପାରେନି କେବଳ ବୀଣାର ମୁଣ୍ଡରେ ସିନ୍ଦୂରର ଦାଗ ଦେଖି ବିବାହିତା ବୋଲି ଅନୁମାନ କରିନିଏ ।

 

ସବୁଦିନ ପରି ଆଜିବି ତା’ର ସମସ୍ତ କାମ ସାରିଦେଇଛି ବୀଣା ବାହାର ବାରଣ୍ଡାରେ ଅପେକ୍ଷା କରିବସିଛି କ’ଣ ଦିଟା ପାଇଲେ ପ୍ରିୟତମ ପାଖକୁ ତା’ର ଫେରିବ । ପ୍ରିୟତମର କଥା ଭାବି ଭାବି ହୃଦୟ ତା’ର ଆନ୍ଦୋଳିତ ହୋଇ ଉଠୁଥାଏ । ମନେପଡ଼ୁଥାଏ, ଆସିବାବେଳେ ପ୍ରିୟତମ ତା’ର ଯନ୍ତ୍ରଣାରେ ଛଟପଟ ହେଉଥିଲେ । କାମକୁ ଆସିବାକୁ ମନାକରୁଥିଲେ ତାକୁ । ତା’ରବି ଆସିବାକୁ ଆଜି ମନ ନଥିଲା ! କିନ୍ତୁ ଆଜି କିଛି ଖାଇବାକୁ ନଥିବାରୁ ଆସିବାକୁ ବାଧ୍ୟ ହେଲା ସେ । ପଛକଥାଗୁଡ଼ାକ ଭାବି ଭାବି ଅଜଣାତରେ ଆଖିରୁ ତା’ର ଲୁହଧାର ବହି ଆସୁଥିଲା ।

 

ତୁଳସୀ ଚାଉଳ ଦୁଇସେର ଆଣି ଦେବାକୁ ଘରୁ ବାହାରି ଆସୁ ଆସୁ କହିଲା, "ନିଅ ମାଉସୀ; ବୀଣା ଆଣିବାପାଇଁ କାନି ପାତିଲା । ମୁହଁ ଟେକି ଚାହିଁଲା ତୁଳସୀକୁ । ଗାଡ଼ ଗାଡ଼ ଗାଲ ଉପରେ ଲୁହର ଅସ୍ପଷ୍ଟ ଦାଗ ଦେଖି କିଛି ଚିନ୍ତା କରିପାରିଲାନି ତୁଳସୀ । ବୀଣା ମାଉସୀ କାହିଁକି ଆଜି କାନ୍ଦୁଛନ୍ତି, ଏଇକଥା ତୁଳସୀ ମନରେ ତନ୍ନତନ୍ନ କରି ପ୍ରଶ୍ନକଲା ! ପ୍ରକୃତ କଥା ଜାଣିବାପାଇଁ ତୁଳସୀ ପଚାରିଲା; କାହିଁକି କାନ୍ଦୁଛ ମାଉସୀ ? ତୁମକୁ...

 

ନା...

 

ତେବେ କ’ଣ ହେଲା ତୁମର ସତକରି କୁହ ?–କହି ବୀଣା ପାଖକୁଲାଗି ବସିପଡ଼ିଲା ତୁଳସୀ ।

 

କ’ଣ ଉତ୍ତର ଦେବ ତା’ ଭାବି ଠିକ୍ କରିପାରୁ ନଥିଲା ବୀଣା ! ଖାଲି ନୀରବରେ ବସିଥିଲା ।

 

"ନାରୀ ମନ ନାରୀ ବୁଝେ" ତୁଳସୀ ବୁଝିଲା ବୀଣା ମନର କଥା ! ମନରେ କୌଣସି ଆଘାତ ଲାଗିଛି ଭାବି ବୀଣାକୁ କେତେ ସାନ୍ତ୍ୱନା ଦେଲା ସେ । ବୀଣା ପାଖରୁ ପ୍ରକୃତ କଥା ଶୁଣିବାପାଇଁ, ମନ ତା’ର ଗୋଳେଇ ଘାଣ୍ଟି ହେଲା । ପୁଣି ତୁଳସୀ କହିଲା, ଆଚ୍ଛା, ମା, ମୁଁ କ’ଣ ତୁମର ଝିଅ ନୁହେଁ ? କୌଣସି କଥା ନ ଲୁଚାଇ ସବୁ ମୋତେ ଖୋଲି କୁହନ୍ତୁ ।

 

ତୁଳସୀ ତା’ର ଝିଅ...! ଚମକି ଉଠିଲା ବୀଣା । ହଁ ହଁ...ସେ ତା’ର ଝିଅ । ସେବି ଦିନେ ଏଇ ତୁଳସୀ ପରି ସୁନ୍ଦରୀ ଝିଅର ମା, ହୋଇଥାନ୍ତା । ବୋଉ ଡାକ ଶୁଣିଥାନ୍ତା । ଭଙ୍ଗା ପଲା ଖଣ୍ଡିକ ତା’ର ହସି ଉଠିଥାନ୍ତା ତୁଳସୀପରି ଝିଅଟିଏ ପାଇ । ତା’ ନହେଲେ ଆଜି ତାର ଜନ୍ମିତ ପୁଅ ଥିଲେ ଠିକ୍ ଏଇପରି ଝିଅଟିଏ ସେ ବୋହୂ କରି ଆଣିଥାନ୍ତା । ସେଦିନବି ଭଙ୍ଗା ନୀଡ଼ଟି ଉଜ୍ଜ୍ୱଳି ଉଠିଥାନ୍ତା ତା’ର କିନ୍ତୁ...

 

ତୁଳସୀର ଏକ ଜିଦ୍, କୁହ ମାଉସୀ ? ସଙ୍କୋଚ କରନି !–ମୁଁ ଜଣେ ଗରିବ ଭିକାରୁଣୀ ମା, ତୁମର ଚାକରାଣୀ ଦାସୀ ।

 

କିନ୍ତୁ ତୁଳସୀର ସେଇ ଏକ ଜିଦ୍, କୁହ ମାଉସୀ, କୁହ ! କ’ଣ କରିବ ବୀଣା, ପିଲାଝିଅଟା ଅଳି କରୁଛି ତା’ର ପ୍ରକୃତ ପରିଚୟ ପାଇଁ ଖୋଲି କହିବାପାଇଁ ଜିଦ୍ କରୁଛି ! ବୀଣା କ’ଣ ଭାବି ଜୀବନର ତା’ର ସମସ୍ତ କଥା ଲୁଚାଇ ଦେଇ କେବଳ ସ୍ୱାମୀଙ୍କର ଦୁରବସ୍ଥା କଥାଟି କହିଚାଲିଛି । ବୀଣା ଆଖିରୁ ଅଜସ୍ର ଲୁହ ଧାର ବହିଯାଉଛି କଥା ସଙ୍ଗେ ତାଳମିଳାଇ । ଶେଷରେ ବୀଣା କହିଲା, ମା, ମୋ ରାଣ, ଏକଥା ଯେମିତି ତୁମେ କାହାରି ଆଗରେ ନକୁହ । ତୁଳସୀ କଥାରେ ସମ୍ମତି ଜଣାଇ କହିଲା, ବର୍ତ୍ତମାନ ତୁମର ସ୍ୱାମୀ କେଉଁଠି ?

 

ଏଇ ଟାଉନ୍ ପାଖରୁ ଅଳ୍ପବାଟ ଗଲେ ରାସ୍ତାର ବାଁ କଡ଼ରେ ଯେଉଁ ବଡ଼ ବରଗଛଟି ପଡ଼େ ସେଇ ଆମର ବାସସ୍ଥାନ । ସେଇଠି ରହି ଆମେ ଦିନ କାଟୁଛୁ । ବୀଣା କହିଲା, ହଉ ତୁମେ ଥାଅ ସଞ୍ଜହୋଇ ଆସୁଛି । ମୁଁ ଯାଉଛି । ସେ ମୋତେ ଚାହିଁ ବସିଥିବେ ।

 

–ମୁଁ ପରା ତୁମର ଝିଅ ଆଉ ତୁମେ ମୋତେ ତୁମେ ନକହି ତୁ କହିଁଲେ ଗୌରବ ମନେ କରିବି ।

 

ବୀଣା ମନେ ମନେ କେତେ ଆନନ୍ଦ ହେଲା, ତୁଳସୀର ସ୍ନେହାର୍ଦ କଥାଶୁଣି । ବୀଣା ତରତର ହୋଇ ଚାଲି ଆସୁଥିଲା; ତୁଳସୀ କହିଲା ଟିକିଏ ରୁହ ମୁଁ ଆସୁଛି;

 

ତୁଳସୀ ଘର ଭିତରକୁ ଯାଇ ନିଜ ହାତ ବାକ୍ସରୁ ଦଶଟି ଟଙ୍କା ଆଣି ବୀଣା ହାତକୁ ବଢ଼ାଇ ଦେଲା; ବୀଣା କିନ୍ତୁ ଜମା ଆଣୁନଥିଲା । ତୁଳସୀର କେତେ ଅନୁରୋଧ, ନିଅ ମାଉସୀ, ତୁମକୁ ମୁଁ ଦାନ ଆକାରରେ ଦେଉନି, କିମ୍ବା ତୁମ ଉପରେ ଦୟା ଦେଖାଇ ଦେଉନି, ଦେଉଛି ମା, ଝିଅର ଯେଉଁ ପବିତ୍ର ସମ୍ବନ୍ଧ ତାହାହିଁ, ଅକ୍ଷୁଣ୍ଣ ରଖିବାକୁ । ତୁଳସୀର କେତେ ଆଗ୍ରହ ଭାଙ୍ଗି ନପାରି, କେତେ ଅନୁରୋଧ ଏଡ଼ିନପାରି ଥରିଲା ଥରିଲା ହାତରେ ଟଙ୍କା ଧରିଲା ବୀଣା । ମନେପଡ଼ିଲା ଏଇ ହାତରେ କେତେ କାହାକୁ ସେ ଦାନ ଖଇରାତ୍ କରିଛି କିନ୍ତୁ ଆଜି ଅନ୍ୟର ଦାନକୁ ସେ ସମ୍ବଳବୋଲି ମନେକରୁଛି । ସେ ତା’ର ଭାଗ୍ୟ... ।

 

ଏମିତି କେତେଥର ନିରୋଳାରେ ବସି ବୀଣା ଆଉ ତୁଳସୀ କଥାବାର୍ତ୍ତା ହୁଅନ୍ତି । ତୁଳସୀ ବୀଣା ଉପରେ ଖୁସିହୋଇ ପଇସା ଦିଏ, କନକ ଦେବୀ ମଧ୍ୟ ଦିଅନ୍ତି । ଗୋପାଳବାବୁଙ୍କ ପାଖରୁ ଅନେକ ସମୟରେ ବୀଣା ଅନେକ ପଇସା ପାଏ । ବୀଣା ଉପରେ ଖୁସିହୋଇ ଗୋପାଳବାବୁ କୁହନ୍ତି, ଏଇନିଅ ବୀଣା, ଏ ଦଶଟଙ୍କା, ଏତୁମର ଦରମା ସାଙ୍ଗରେ ନୁହେଁ । ଏଇଟା ତୁମର ପାନଖିଆ ପଇସା । ବୀଣା ସବୁ ପଇସା ଆଣେ; କିନ୍ତୁ କୌଣସି ଦିନ ନିଜପାଇଁ ପଇସାଟିଏ ଖର୍ଚ୍ଚ କରେନି । ସବୁତକ ସାଇତି ରଖେ ଗୋଟିଏ କନାପୁଡ଼ାରେ ବାନ୍ଧି । ସେଇ ତା’ର ଜୀବନ ନାଟିକା, ଦୀର୍ଘଦିନର ଆଶାକୁ ସେ ଫଳବତୀ କରିବ, ଦେବତାକୁ ତା’ର ଭଲକରିବ, ଏଇ ତା’ର ଶେଷ ଇଚ୍ଛା ।

 

କିଛି ନଥିବା ଦିନ ନିଜେ ଉପବାସ ରହିଯାଏ । ପଛକେ ସଞ୍ଚିତ ପଇସାରୁ ପଇସାଟିଏ ସୁଦ୍ଧା ଖର୍ଚ୍ଚ କରେନାହିଁ । ଗୋପାଳବାବୁଙ୍କ ଘରୁ ଆଣିଥିବା ଚାଉଳରୁ ପ୍ରିୟତମ ପାଇଁ ମୁଠାଏ ରାନ୍ଧିଦେଇ ନିଜ ଚାଉଳକୁ ବିକ୍ରିକରି ସେ ପଇସାକୁ ସାଇତି ରଖେ । ସାତ ସିଆଁ, ଆଠ ଗଇଁଠା ଲୁଗାକୁ ପିନ୍ଧି ଦିନ କାଟେ, କିନ୍ତୁ ପଇସାଟିଏ ନିଜପାଇଁ ଖର୍ଚ୍ଚ କରେନି ବୀଣା ।

Unknown

 

ପ୍ରକାଶ ଖନେଇ ଖନେଇ ପଚାରେ ଆଜି ଖାଇବ ନାହିଁକି ବୀଣା ? ଏତେ ବଡ଼ ରାତିଟାରେ ଉପବାସ ରହିବ ?

 

ବୀଣା ଛଳନା କରି ପ୍ରକାଶକୁ ବୁଝେଇବାକୁ ଯାଇ କୁହେ, ଆଜି ପେଟ କ’ଣ ହେଉଛି, ଆଜି ଦେହ ଭଲନାହିଁ । ଏମିତି ବିଭିନ୍ନ ଦିନ ବିଭିନ୍ନ କଥା ।

 

ପ୍ରକାଶ ବୁଝେ । ଆଉ କିଛି ନକହି ଆଖିମୁଦେ । ବୀଣା କିନ୍ତୁ ଚେଇଁବସେ ସାରା ରାତି ପତିଦେବତାଙ୍କର ମଙ୍ଗଳପାଇଁ ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ମୁଣ୍ଡ ଲଗାଇ କହିଉଠେ, ଏତିକିରେ କ’ଣ ତୁମର ଇଚ୍ଛା ପୂରଣ ହୋଇନି ଠାକୁରେ ଆଉବା କ’ଣ ତୁମର ଇଚ୍ଛା ? ପଥର ଦେଉଳର ପଥର ଠାକୁରଙ୍କୁ ଶୁଭେକି ନା, ସେକଥା ତାଙ୍କୁଇଁ ଜଣା ।

 

ଏଇ କେଇ ଦିନ ହେବ ପ୍ରକାଶର ଦେହ ଭୀଷଣ ଖରାପ । ରୋଗର ତୀବ୍ର ଯନ୍ତ୍ରଣା ସେ ଆଉ ସହି ପାରୁନି । ବୀଣାର ଶତ ଚେଷ୍ଟାରେ ପ୍ରକାଶ ଆଉ ଆଦୌ ଖାଉନି । ଆଜିକି ତିନିଦିନ ଟିକିଏ ପାଣିବି ପାଟିକି ନେଇନି ସେ । ଅସହିଷ୍ଣୁ ଯନ୍ତ୍ରଣାରେ ଖାଲି ସେ ଚିତ୍କାର କରି କହୁଛି "ମୋତେ ଟିକିଏ ବିଷ ଦେଇଦିଅ ବୀଣା, ଆଉ ମୁଁ ଏ ଦୁଃଖକଷ୍ଟ ସାହିପାରୁନି । ଏ ସଂସାରରେ ମୁଁ ଆଉ ବଞ୍ଚି ରହିବାକୁ ଚାହୁଁନି । ଏବେବି ଏତେ ଦୁଃଖ କଷ୍ଟରେ ନିଜର ପୁଅକଥା ଭୁଲିପାରୁନି ପ୍ରକାଶ-। ବେଳେ ବେଳେ ପୁଅକଥା କହି ବିଳିବିଳେଇ ଉଠୁଛି । ଆଜି ଆଉ ପ୍ରକାଶର କଥା ସ୍ପଶ ବୁଝି ହେଉନି ।

 

ପ୍ରିୟତମର ଯନ୍ତ୍ରଣା ଦେଖି କିଛି ସ୍ଥିର କରିପାରୁନି ବୀଣା । ବସି ବସି ଖାଲି ଲୁହ ଗଡ଼ାଉଛି । ମନରେ ତା’ର ହତାଶାର ଉଜ୍ଜ୍ୱଳ ରେଖା । ବୀଣା ଭାବୁଛି, ଏଇ କେଇଦିନ ଭିତରେ ପ୍ରାଣର ଦେବତାଙ୍କୁ ତା’ର ଯଦି ସେ ମେଡ଼ିକାଲକୁ ନେଇ ଚିକିତ୍ସା କରି ନପାରେ ତେବେ ହୁଏତ ଚିର ଦିନଲାଗି ଦେବତା ତା’ର...

 

ଆଉ ଭାବି ପାରିଲାନି ବୀଣା ପ୍ରାଣତାର ଛଟେଇ ପଟେଇ ହୋଇଉଠିଲା । ଦୁନିଆ ତାକୁ ଅନ୍ଧାର ଦିଶିଲା, ଛାତିଭିତରୁ କଲିଜାକୁ କିଏ ଟିକିଟିକି କରି କାଟିଲା ପରି ଜଣାଗଲା ତାକୁ । ଭାବିଲା, ନିଜେ ହୁଏତ ଟିକିଏ ଖାଇ ଚିରଦିନ ପାଇଁ ନିଶ୍ଚିନ୍ତରେ ଶୋଇ ଯିବ ସେ । ଦେବତାର ଦୁଃଖ ଆଉ ସେ ଦେଖିପାରିବନି । କିନ୍ତୁ ହୃଦୟ ତଳୁ କିଏ ଯେମିତି ତା’ର କହି ଉଠୁଛି, ନା ବୀଣା; ଏ ମନ୍ଦ କାମ କରିବାକୁ ମନରେ ତୁ ପ୍ରୟାସ କରନି । ସେଥିରେ ତୁ କ’ଣ ପାଇବୁ ? ତୁ ମରିବା ପୂର୍ବରୁ ତୋର ଇହକାଳ ପରକାଳର ସ୍ୱାମୀଦେବତାର ଅବସ୍ଥା କ’ଣ ହେବ ତା’ ଥରେ ଚିନ୍ତାକରି ଦେଖିଛୁ ? ତୁପରା ସ୍ୱାମୀଙ୍କୁ ତୋର ଦେବତା ବୋଲି ଭାବୁ ? ଭକ୍ତିକରୁ; ଆଦର କରୁ; ? ସ୍ୱାମୀ ପରା ନାରୀର ଚିରଆରାଧ୍ୟ ଦେବତା, ତେବେ ଏଇ କ’ଣ ତୋର ଦେବତାଙ୍କ ପାଇଁ କର୍ତ୍ତବ୍ୟ ? ତୁ ମରଣ ମୁହଁକୁ ଆଗେଇ ଯାନା, ଧୈର୍ଯ୍ୟଧରି ଚେଷ୍ଟାକରି ସ୍ୱାମୀକୁ ତୋର ଭଲକର । ସେଥିରେ ତୁ ଯଶ ଶ୍ରୀ ହେବୁ । ସଧବା ସିନ୍ଦୂର ପିନ୍ଧି...

 

ବୀଣାର ଉଶୃଙ୍ଖଳିତ ମନରେ ଚେତନା ଫେରିଲା । ନା ଏ ମନ୍ଦକାମ ସେ କରିବନି । ଆତ୍ମହତ୍ୟା ମହାପାପ । ପ୍ରାଣପଣେ ସେ ଚେଷ୍ଟାକରିବ ଦେବତାଙ୍କୁ ସେ ମରଣ ମୁହଁରୁ ଫେରାଇ ଆଣିବ । ଦରକାର ପଡ଼ିଲେ ଯମସଙ୍ଗେ ଲଢ଼େଇ କରିବାକୁ ପଛେଇବନି ସେ ଅନୁନୟ ବିନୟ ହୋଇ ସ୍ୱାମୀଙ୍କର ଜୀବନଭିକ୍ଷା କରିବ ଯମ ରାଜାଙ୍କ ପାଖରେ । ପାଦତଳେ ପଡ଼ିବ ତା’ ଦେବତାକୁ ପାଇବାପାଇଁ ! କହିବ ପ୍ରିୟତମକୁ ତା’ର ଫେରାଇ ନ ଦେଲେ ବଞ୍ଚିପାରିବନି ସେ । ଆଉ ତା’ ଯଦି ଯମରାଜା ନାଶୁଣେ, ଅଣ୍ଟାରେ ଲୁଗାଭିଡ଼ି ସତୀତ୍ଵର ପରାକ୍ରମ ଦେଖାଇଦେବ । ଯମରାଜାଙ୍କ ସଙ୍ଗେ ଯୁଦ୍ଧ ଆରମ୍ଭିବ ସେ । "ଏଇ ଯୁଗର ନାରୀରତ୍ନ ସାବିତ୍ରୀ ତ ତାଙ୍କର ସ୍ୱାମୀଙ୍କୁ ଯମ ମୁହଁରୁ ଫେରାଇ ଆଣିଥିଲେ, ଏଇ ଯୁଗର ସତୀଶିରୋମଣି ଅନୁସୂୟା ତ, ଦୁରାରୋଗ୍ୟ କୁଷ୍ଠରୋଗରୁ ସ୍ୱାମୀଙ୍କୁ ତାଙ୍କର ଭଲ କରିଥିଲେ ତେବେ ସେ କାହିଁକି ପାଇବନି... ? ହଁ ହଁ ନିଶ୍ଚୟ ପାଇବ ସେ । ଦେହରେ ତା’ର ଶେଷ ରକ୍ତବିନ୍ଦୁଥିବା ପର୍ଯ୍ୟନ୍ତ ପତି ପରମେଶ୍ୱରଙ୍କୁ ଆରୋଗ୍ୟ କରିବାକୁ ସଂଗ୍ରାମ କରିବ ସେ । କିନ୍ତୁ ପଇସା କାହିଁ, ଏଇ କେଇମାସ ହେବ ପରିଶ୍ରମ କରି ଯେତିକି ପଇସା ସେ ସଞ୍ଚୟ କରିଛି, ସେତିକି ତ ଅଣ୍ଟିବନାହିଁ । ଚିକିତ୍ସାପାଇଁ ସେତିକି ପଇସାତ ଯଥେଷ୍ଟ ନୁହେଁ ! ତେବେ...

 

ବୀଣା ଭାବୁଛି; ସେତ ଗୋପାଳବାବୁଙ୍କ ଘରେ ଆଉ ଚାକିରି କରିବନାହିଁ ବୋଲି ମନାକରିଦେଇ ଆସିଛି । ଗୋପାଳବାବୁଙ୍କ ଘରେ ଯେଉଁ ଟଙ୍କା କେଇଟିପାଇଁ ସମ୍ବଳ ବୋଲି ଭାବୁଥିଲା ସେ ବି ଆଜି ଭାଗ୍ୟଦୋଷରୁ ଗଲା ଏଣିକି ସେ କ’ଣ କରିବ...

 

ଗୋପାଳବାବୁଙ୍କ ଗାଁର କେତେଲୋକ ତା’ ଉପରେ ଯେଉଁ ପାପଦୃଷ୍ଟି ପକାଇଛନ୍ତି ସେଥିରେ ହୁଏତ ଜୀବନ ତା’ର କଣ୍ଟକାକୀର୍ଣ୍ଣ ହୋଇପାରେ । ଏଇ ପରଦିନ ସଞ୍ଜରେ ବସାକୁ ଫେରୁ ଫେରୁ କେତେକ ପାପୀଲୋକ ତା’ର ସତୀତ୍ଵ ନଷ୍ଟ କରିବାକୁ ବସିଥିଲେ; ସେହି ସମୟରେ ହୁଏତ ଗୋପାଳବାବୁ ଆସି ପହଞ୍ଚିନଥିଲେ ଦୁନିଆ ଦାଣ୍ଡରେ ସେ କଳଙ୍କିନୀ ହୋଇଥାନ୍ତା । ଜୀବନ ତା’ର କଳୁଷମୟ ହୋଇଥାନ୍ତା । କିନ୍ତୁ ଠାକୁରଙ୍କର ତା’ ଇଚ୍ଛା ନୁହେଁ । କାଲି ପୁଣି ଧମକଦେଇ କହିଛନ୍ତି ତାଙ୍କ କଥାରେ ରାଜି ନହେଲେ ତାକୁ ମରଣ ମୁହଁକୁ ଠେଲିଦେବେ । ଆହୁରିମଧ୍ୟ ଗୋପାଳବାବୁଙ୍କ ଘରେଥିବା ଅନ୍ୟ ଚାକରାଣୀମାନେ ତାକୁ ଆଦୌ ଭଲପାଉ ନାହାନ୍ତି....ବୀଣା ମନରେ ଭାବନାର ଅମାନିଆ ଜୁଆର । ନା, ଆଉ ସେ ଚାକିରି କରିବାକୁ ଯିବନି । ନାହିଁ କରି ଠିକ୍ କରିଛି ସେ । ଗୋପାଳବାବୁଙ୍କ ଘରେ କାମକରିବାକୁ ନଯାଇ ଏଇ କେଇଦିନ ସହରର ପ୍ରତ୍ୟେକ ଗଳିକନ୍ଦି ବୁଲି ବୁଲି ସମସ୍ତଙ୍କୁ ହାତପତାଇ ପଇସାଟିଏ ମାଗିବ ? ଅଳି କରିବ । ବାବୁଭୟାଙ୍କର ଗୋଡ଼ ମୋଡ଼ିବ ପଇସାଟିଏ ପାଇଁ । ତେଣିକି ତା’ର ଭାଗ୍ୟ...ସେଇ ପଇସାରେ ସ୍ୱାମୀକୁ ତା’ର ଚିକିତ୍ସା କରିବ କଟକ ବଡ଼ ମେଡ଼ିକାଲକୁ ନେଇ । ସ୍ୱାମୀ ତା’ର ଭଲହୋଇ ଫେରିବେ, ପୁଣି ତାକୁ ହସି ହସି କଥାକହିବେ...ସେଇ ତା’ର ଶେଷଇଚ୍ଛା, ବୀଣାର ଭାରାକ୍ରାନ୍ତ ମନରେ କଳ୍ପନାର ସୀମାହୀନ ଅଙ୍କାବଙ୍କା ସୁଦୀର୍ଘ ରେଖା ।

 

ପରମେଶ୍ୱରଙ୍କ ଦୁନିଆରେ କାହାକୁ ସେ କେମିତି ରଖନ୍ତି ସେକଥା ତାଙ୍କୁହିଁ ଜଣା । ତାଙ୍କରି ହାତ ଲେଖାରେ ଲେଉଟେ ଆମର ଏ ହସ କାନ୍ଦ ଦୁନିଆ । ମଣିଷ ଭାଗ୍ୟରେ ଆସେ ଦୁଃଖ ପରେ ସୁଖ, ମଣିଷ ହୁଏ ଯଶଶ୍ରୀ ବିମଣ୍ଡିତ । ପ୍ରାଣଖୋଲି ହସେ, ହସାଏବି ଦୁନିଆକୁ । ଠାକୁରେ ସହାୟ ହୁଅନ୍ତି ମଣିଷର ଅଦୃଷ୍ଟ ଚଲା ପଥରେ...

 

ସୁଶାନ୍ତ ଆଜି କଟକ ମେଡ଼ିକାଲର ବଡ଼ ଡାକ୍ତର । ଋଷ୍‍ର ବୈଜ୍ଞାନିକ ପ୍ରଣାଳୀର ଚିକିତ୍ସା ଆୟତ କରିଥିବାରୁ ସବୁଥିରେ କୃତକାର୍ଯ୍ୟ ହୋଇ ପାରୁଛି ସେ । ସମସ୍ତ ପ୍ରକାର ରୋଗ ଭଲକରି ପାରୁଛି । ସୁଶାନ୍ତର କାର୍ଯ୍ୟଦକ୍ଷତା ତାକୁ ଆଜି ସମସ୍ତଙ୍କ ପାଖରେ ଆଦରର ପାତ୍ର କରିପାରିଛି । ସେଥିପାଇଁ ଆଜି ଡକ୍ଟର ସୁଶାନ୍ତବାବୁଙ୍କୁ ଉଚ୍ଚ ମହଲରେ ନ ଚିହ୍ନେ କିଏ... ? ୟା ବ୍ୟତୀତ ବାହ୍ୟ ଜଗତରେ ସମସ୍ତେ ସୁଶାନ୍ତ ଉଚ୍ଚବଂଶୀୟ, ଉଦାର ମନା, ଗୋପାଳବାବୁଙ୍କ ପୁଅ !

 

ସୁଶାନ୍ତର ବିଚିତ୍ର କାର୍ଯ୍ୟ କଳାପ ଅନ୍ୟ ସମସ୍ତ ଡାକ୍ତରମାନଙ୍କୁ ବିସ୍ମୟାଭୂତ କରିଛି । ସୁଶାନ୍ତର କାର୍ଯ୍ୟ ଦକ୍ଷତା ଯୋଗୁଁ କଟକ ମେଡ଼ିକାଲରେ ଆଜି ତା’ର ଭୂରିଭୂରି ପ୍ରଶଂସା ? ସେଥିପାଇଁ ଗୋପାଳବାବୁ ଏବଂ କନକ ଦେବୀଙ୍କ ମନ ଆଜି ଆନନ୍ଦର ଅତିଶଯ୍ୟାରେ ଫୁଲି ଉଠୁଛି-! ଗୋପାଳବାବୁ ନିଜକୁ ଆଜି ଗୌରବାନ୍ୱିତ ମନେକରୁଛନ୍ତି । ସୁଶାନ୍ତପାଇଁ ଅତୀତର କୁତ୍ସାରଟନା ଗୋପାଳବାବୁଙ୍କ ମନକୁ ଆଜି ଉତ୍‍ଫୁଲିତ କରୁଛି । ତାଙ୍କରି ହାତଗଢ଼ା ସୁଶାନ୍ତ, ଆଜି ତାଙ୍କର ଦୀର୍ଘଦିନର କାମନା କଳିକୁ ପ୍ରସ୍ଫୁଟିତ କରାଇ ପାରିଛି ତାଙ୍କର ଆକାଂକ୍ଷାକୁ ଫଳବତୀ କରିପାରିଛି, ଏଇ ତାଙ୍କର ଅସୀମ ଆନନ୍ଦ ! ସେଇଥିପାଇଁ ଗୋପାଳବାବୁ ସୁଶାନ୍ତର ମଙ୍ଗଳପାଇଁ କେତେ ଠାକୁର ଠାକୁରାଣୀ ଆରାଧନା କରାଉଛନ୍ତି । ସମସ୍ତଙ୍କର ଆନନ୍ଦରେ ନିଜକୁ ହଜାଇ ଦେବାକୁ ଏକ ବିରାଟ ଭୋଜିଭାତର ଆୟୋଜନ କରିଛନ୍ତି । ଗାଁଟାସାରା ସମସ୍ତେ ଆଜି ତାଙ୍କରି ଘରେ ଖାଇବେ-। କାହିଁ କେତେ ଭଦ୍ରଲୋକ ନିମନ୍ତ୍ରିତ ହୋଇ ଆସିଛନ୍ତି, ସମସ୍ତଙ୍କ ମୁହଁରେ ଆଜି ସୁଶାନ୍ତ ଏବଂ ଗୋପାଳବାବୁଙ୍କ ପ୍ରଶଂସା ! ଗାଁଟାସାରା ସମସ୍ତେ କହୁଛନ୍ତି ଗୋପାଳବାବୁଙ୍କର ଦାନ ଅତୁଳନୀୟ, ତାଙ୍କରି ଯୋଗୁଁ ସୁଶାନ୍ତ ଆଜି କଟକ ମେଡ଼ିକାଲରେ ସର୍ବପ୍ରଥମ ସ୍ଥାନର ଅଧିକାରୀ ହୋଇପାରିଛି-

 

ଏତେ ଆନନ୍ଦ ଭିତରେ ନିଜକୁ ହଜାଇଦେଇ ପାରୁନି ତୁଳସୀ । ସମସ୍ତଙ୍କର ଆନନ୍ଦ ଭିତରେ ନିଜେ ହଜିଗଲାବେଳେ ଅନ୍ତର ମଧ୍ୟରେ ଚିଆଁ ଦେଉଛି ସେଇ ଅକୁହା କଥା; ସୁଶାନ୍ତକୁ ସେ ଏ ପର୍ଯ୍ୟନ୍ତବି ନିଜର କରିପାରିଲାନି ! ତେଣୁ ମନରେ ତା’ର ଅଶାନ୍ତିର ନିଆଁ । ଅଶାନ୍ତ ମନର ଅକୁହା ଆଶା ଏବେବି ତା’ର ପୂରଣ ହୋଇପାରିନି, ତେଣୁ କିଛି ଭଲ ଲାଗୁନି ତାକୁ । କେମିତି ସେ ସୁଶାନ୍ତକୁ ତା’ ମନର କେଇପଦ ଅକୁହା କଥା କହିବ ତାହାହିଁ ସେ କେବଳ ଚିନ୍ତା କରୁଛି । ଆଜିପର୍ଯ୍ୟନ୍ତ ହେଲାଣି ସୁଶାନ୍ତ ପାଖରୁ କୌଣସି ଆଭାସ ପାଇପାରୁନି, ତେଣୁ ମୁଣ୍ଡରେ ତା’ର ବିଛା ପଶିଲା ପରି ଅନୁଭବ କରୁଛି ତୁଳସୀ । ସୁଶାନ୍ତର ନରମ ସରଳ ମନକୁ ନିଜପ୍ରତି ଢଳାଇ ଆଣିବାପାଇଁ ନିତି, କେତେ ପ୍ରକାର ସାଜସଜ୍ଜାରେ ନିଜକୁ ଲୋଭନୀୟ କରୁଛି, ଶୋଇବା ଘର ରାତିରେ ଖୋଲାରଖି ଶୋଇଛି, କିନ୍ତୁ ମନର ଆଶା ତା’ର ମନରେହିଁ ମରୁଛି କେବଳ । "ମଣିଷ ଯାହା ପାଇବାକୁ ଆଶାକରେ ତା’ ନପାଇବା ଯାଏଁ ଏ ଅମାନିଆ ମନଟା ଖାଲ ଢିପ ନମାନି ଏଣେତେଣେ ଧାଏଁ, ଛଟେଇ ପଟେଇ ହୁଏ । ନିରାଶାରେ ମୁଣ୍ଡପିଟେ, ଆଶାର ସେତୁ ରଚନା କରେ । ଜୀବନରେ ଟାଙ୍ଗର ଭୂଇଁରେ ପଡ଼ି ଧୋକା ଖାଏ, ତଥାପି ଏ ଲଗାମ ଛଡ଼ା ମନଟା ଶାନ୍ତି ହୁଏନା, ପୁଣି ଧାଏଁ ତା’ର କାମନାର ଚରିତାର୍ଥ ପାଇଁ । ତୁଳସୀ ମନରାଇଜରେ ଆଜି ତାହାହିଁ ଘଟିଛି । ଭାବପ୍ରବଣତାରେ ନିଜକୁ ହଜାଇ ଦେଇ ଭାବୁଛି; ତେବେ କ’ଣ ଆଜି ପର୍ଯ୍ୟନ୍ତ ସୁଶାନ୍ତ ଭାଇ ତାଙ୍କର ଜୀବନ ସମ୍ବନ୍ଧରେ କିଛି ଜାଣିପାରି ନାହାନ୍ତି । ସେ କ’ଣ ଜାଣିପାରି ନାହାନ୍ତି ଯେ, ମୁଁ ତାଙ୍କର ଦିନେ ହେବି ବୋଲି । ପୁଣି ଭାବୁଛି; ନା, ସେ ଏସବୁ କିପରି ଜାଣିବେ...ତୁଳସୀ ମନରେ ପ୍ରଶ୍ନ ଆଉ ମୀମାଂସାର ବୋହୂ ବୋହୂଜା ଖେଳ ।

 

ଭାବୁଛି; ସୁଶାନ୍ତ ନ ଜାଣିଥିଲେ ଆଜି ତାକୁ ନିଶ୍ଚୟ ଜଣାଇ ଦେବା କହି ନପାରିଲେ ଚିଠିଲେଖି ସମସ୍ତ ବିଷୟ ଜଣାଇ ଦେବ । ତା’ ନହେଲେ ଦ୍ଵନ୍ଦ୍ୱିଳ କାମନ ତା’ର ମୀମାଂସା ହୋଇ ପାରିବନି । ଏଥିରେ ଯଦି ସୁଶାନ୍ତ ତାକୁ ପ୍ରତ୍ୟାଖ୍ୟାନ କରନ୍ତି, ଯଦି ସୁଶାନ୍ତକୁ ସେ କୌଣସି ପ୍ରକାରେ ନିଜର କରି ନପାରେ, ତେବେ ଚିରଦିନ ଲାଗି ଅଭିମାନ କରି ପରପାରିକି ଚାଲିଯିବ । ଯେଉଁଠି ନାହିଁ କ୍ଷୁଧା ତୃଷା, ହିଂସା ଅହିଂସାର ଭେଦଭାବ । ଯେଉଁଠି ନାହିଁ ମମତାର କଠିନ ଶୃଙ୍ଖଳ, ଯେଉଁଠି ନାହିଁ ଭଲ ପାଇବାର ନିବିଡ଼ ଆକର୍ଷଣ ! ତୁଳସୀ ମନରେ ଅନୁତାପର ଜ୍ୱଳନ୍ତଶିଖା । ଭାବୁଛି, କାହିଁକି ସେ ଫୁଲହାର ପାଇଁ କହିଥିଲା, ଆଉ କାହିଁକି ବା ସୁଶାନ୍ତ ଭାଇ ଆଣିଲେ ! ସୁଶାନ୍ତକୁ ଯଦି ସେ ନପାଏ ଏ ଫୁଲମାଳ ତା’ର କ’ଣ ହେବ ! ଯେଉଁଠି ଦେହର ପ୍ରଶ୍ନ ସ୍ଥାନ ନାହିଁ, ସେଠି ଏକ୍ଷୁଦ୍ର ହାରକର ପ୍ରଶ୍ନ ବା ରହିବ କେଉଁଠି ? କାହିଁକି ତାକୁ ଏ ପର୍ଯ୍ୟନ୍ତ ଅତି ଯତ୍ନରେ ସାଇତି ରଖିଛି ? ମୋ ମନରେ ଏତେ କଥା ସୁଶାନ୍ତଭାଇ କ’ଣ ଜାଣିପାରୁ ନାହାନ୍ତି ? ସେ କ’ଣ ଜାଣିପାରୁ ନାହାନ୍ତି ମୁଁ ତାଙ୍କୁହିଁ ଚାହେଁ ବୋଲି । ସତରେ ସେ କ’ଣ, ପିଲାଙ୍କପରି କିଛି ବୁଝିପାରୁ ନାହାନ୍ତି ! ନା...ଆଉ ସେ ସହିପାରିବନି । ଏଇ ମୁହୂର୍ତ୍ତରେ ଚିଠି ଲେଖି ସବୁକଥା ଜଣାଇଦେବ । ତେଣିକି ଯାହା ହେବ ସେ ମଥାପାତି ସହିନେବ । ସୁଶାନ୍ତକୁ ନପାଇଲେ ବଞ୍ଚିପାରିବନି ସେ । ହୁଏତ ସୁଶାନ୍ତ ଭାଇ ଚିଠିଟି ପାଇ ଖରାପ ଧାରଣା କରିପାରନ୍ତି; ତଥାପି ସେ ଲେଖିବ ।

 

ତୁଳସୀ କେତେ ଚିଠି ଲେଖିଛି, ପୁଣି ଶେଷରେ ଚିରି ଦେଉଛି ତାକୁ । କୌଣସି ଚିଠି ମନକୁ ପାଉନି ତା’ର । କେମିତି ସେ ତା’ର ମନର ଭାଷାଗୁଡ଼ାକ ସଜେଇ ରୂପାୟନ କରିବା ତା’ ସ୍ଥିର କରି ପାରୁନି ।

 

କ’ଣ ଭାବି ପୁଣି ଲେଖନୀ ଧରି ଲେଖିଚାଲିଛି ତୁଳସୀ । ମନରାଇଜର ଅକୁହା କଥା କେଇପଦକୁ ଗୋଟିକ ପରେ ଗୋଟିଏ ରୂପାୟନ କରିଚାଲିଛି । ହଠାତ ବାହାରୁ କନକଦେବୀ ଡାଲିଲେ, ମା, ତୁଳ; ଟିକେ ମୋପାଖକୁ ଆସିବୁଟି । ଡ୍ରଇଁ ରୁମରେ ବାପା ଚା' ମାଗୁଛନ୍ତି, ଚା'ଟିକେ ନେଇ ଦେଇଆ ।

 

ତୁଳସୀ କନକ ଦେବୀଙ୍କ ଡାକଶୁଣି ବିରକ୍ତ ହୋଇଉଠିଲା । କର୍ତ୍ତବ୍ୟକୁ ଏଡ଼ାଇ ନପାରି ଚିଠିଲେଖା ବନ୍ଦକରି ବାହାରିଗଲା ଅନ୍ୟଦିଗେ ।

 

ପରମେଶ୍ୱରଙ୍କ ଦୁନିଆରେ କିଏ କ୍ଷୀରୀ, ପୁରିରେ ଭାସେ, ତ ଆଉ କିଏ ବାରଦୁଆର ବୁଲି ବୁଲି ପେଟ ସୁଦ୍ଧା ପୂରେନା । ଭାଗ୍ୟର ବିପର୍ଯ୍ୟୟ ଘଟିଲେ ରାସ୍ତାକଡ଼ର ଡଷ୍ଟବିନ୍‍ରୁ କୁକୁର ଯାହା ଖାଇବାକୁ ପାଏ ମଣିଷ ସେତକବି ପାଏନା । କିଏ ପଇସାରେ ବାଟ ଚାଲେ ତ, ପରର ଗୋଡ଼ ମଳି ମଳି କାହାକୁ ସ୍ୱପ୍ନରେ ସୁଦ୍ଧା ପଇସାଟିଏ ମିଳେନା । ଠିକ୍, ଆଜି ସେମିତି ପ୍ରକାଶ ଓ ବୀଣାର ଅଦେଖା ହୀନିମାନିଆ ଜୀବନରେ ତାହାହିଁ ଘଟିଛି । ପ୍ରତି ଗଳି କନ୍ଦି ବୁଲି ବୁଲି ଭିକ୍ଷା ମାଗୁଛି ବୀଣା । ଗୋଟିଏ ପଇସା ପାଇବାପାଇଁ ସେ କେତେ ଅନୁନୟ ବିନୟ ହୋଇ ମଥାପାତି ମାଗୁଛି ! ସମସ୍ତଙ୍କ ପାଖରେ ନିଜକୁ ତୁଚ୍ଛ ମନେ କରି ହାତ ପାତୁଛି । ରୁଗ୍‍ଣ ସ୍ୱାମୀଙ୍କୁ ଗୋଟିଏ ହାତରେ ବାମପାଖକୁ ଆଉଜେଇ ରଖି ଡାହାଣ ହାତ ପାତି ପଇସାଟିଏ ମାଗି ମାଗି ଚାଲିଛି ବୀଣା–"ବାବୁ ଗୋଟିଏ ପଇସା ଦିଅ; ବାବୁ...ଏଇ ମୋର ରୁଗ୍‍ଣ ସ୍ୱାମୀଙ୍କୁ ଭଲ କରିବି । ତୁମର ମଙ୍ଗଳ ହେବ ବାବୁ । ଠାକୁରେ ତୁମର ଅଧିକରୁ ଅଧିକ କରିବେ । ଏମିତି କହି କହି ଆଗେଇ ଚାଲିଛି ବୀଣା । ନିଷ୍ପ୍ରଭ ଆଖିରୁ ତା’ର ଅସରନ୍ତି ଲୁହଧାର ବହି ଚାଲିଛି । ଦୟାର୍ଦ୍ର ହୋଇ କେହି କେହି ଦେଉଛନ୍ତି ତ କିଏ କେତେପ୍ରକାର କଥାକହି ଧିକ୍‍କାର କରୁଛନ୍ତି ତଥାପି ବୀଣା ମନରେ ଦୁଃଖ କିମ୍ବା ଅନୁଶୋଚନା ନାହିଁ, ଲୋକମାନଙ୍କର ଅଶ୍ଳୀଳ ଶରାଘାତ ବୀଣାର କଠିନ ଚର୍ମକୁ ଆଘାତ କରିପାରୁନି ।

 

ପ୍ରକାଶର ରୁଗ୍‍ଣ ଅବସ୍ଥା ଦେଖି ଲୋକ ଘୃଣା କରୁଛନ୍ତି କେତେ ଛି-ଛାକର କରୁଛନ୍ତି । କାହାରି କାହାରି ଆଖିରେ ଏ କରୁଣ ଦୃଶ୍ୟ ଦେଖି ଲୁହ ରହୁନି । ସେମାନେ ଭିକାରୁଣୀ ବୀଣା ଦୁଃଖରେ ସମବେଦନା ଜଣାଇ ପ୍ରକାଶର ମଙ୍ଗଳ କାମନା କରୁଛନ୍ତି । ଏ ଲୁହଭରା ଦୃଶ୍ୟ ଦେଖିବାପାଇଁ ଶହ ଶହ ସଂଖ୍ୟାରେ ଲୋକମାନେ ରାସ୍ତାରେ ଜମାହୋଇ ଦେଖୁଛନ୍ତି । ସମସ୍ତଙ୍କ ଆଡ଼କୁ ହାତ ପତାଇ ମାଗୁଛି ବୀଣା ପଇସାଟିଏ ପାଇଁ ଅଳିକରୁଛି । କେତେ ବାବୁଙ୍କ ଗୋଡ଼ ହାତ ଧରି କାନ୍ଦୁଛି । ଅନେକ ଲୋକ ବୀଣା ଦୁଃଖରେ ସମବେଦନା ଜଣାଇ ପାଞ୍ଚ ପଇସା, ଦଶ ପଇସାଠାରୁ ଆରମ୍ଭ କରି ଟଙ୍କାଏ ଦୁଇ ଟଙ୍କାରୁ ଦଶ ଟଙ୍କା ପର୍ଯ୍ୟନ୍ତ ଦେଇ ଯାଉଛନ୍ତି ।

 

ଦୀର୍ଘ ଛଅ ଘଣ୍ଟାର କର୍ତ୍ତବ୍ୟ ଶେଷକରି ସୁଶାନ୍ତ ଫେରୁଛି କଟକ ମେଡ଼ିକାଲ୍‍କୁ । ଚଳନ୍ତା କର ଖଣ୍ଡିକ ଛୁଟିଚାଲିଛି ଘର ଅଭିମୁଖେ । ସହରର ଜନଗହଳି କାଟି ଗାଡ଼ିଟିକୁ ଆଗେଇ ନେଉଛି ସୁଶାନ୍ତ । ଦୋଳମୁଣ୍ଡାଇ ଛକମୋଡ଼ରୁ ଗାଡ଼ିଟିକୁ ବୁଲାଇ ଆଣି ଷ୍ଟାର୍ଟ ବନ୍ଦ କରିଦେବାକୁ ବାଧ୍ୟ ହେଲା ସେ । ଆରେ ! ଏ ଲୋକଗୁଡ଼ାକ ରାସ୍ତାରେ ଜମା ହୋଇଛନ୍ତି କାହିଁକି ? ଯିବାକୁ ଅଥଚ ଟିକିଏ ରାସ୍ତା ଦେଉ ନାହାନ୍ତି । ବିରକ୍ତିଭାବେ ଏତକ କହିପକାଇଲା ସୁଶାନ୍ତ । ଲୋକଗୁଡ଼ାକ ଜମାହେବାର କାରଣ ବୁଝିବାକୁ ଘଟନା ସ୍ଥଳକୁ ଆଗେଇ ଗଲା । ଯାହା ଦେଖିଲା ହୃଦୟ ତା’ର କାନ୍ଦିଉଠିଲା, ପାଟିରୁ ତା’ର 'ଆହା' ବୋଲି ବାହାରି ଆସିଲା ।

 

ବୀଣାର ଆଖି ପଡ଼ିଲା ସୁଶାନ୍ତ ଉପରେ । କେହି ଜଣେ ଶିକ୍ଷିତ ବାବୁ ତା’ରି ନିକଟକୁ ଆସୁଥିବାର ଦେଖି ହାତ ବଢ଼ାଇଦେଲା ପଇସାଟିଏ ପାଇଁ, ବାବୁ ଗୋଟିଏ ପଇସା ଦିଅ, ବାବୁ...ବୀଣା ଆଉ କିଛି କହିବା ପୂର୍ବରୁ, ସୁଶାନ୍ତ ଦୁଇଖଣ୍ଡ ଦଶଟଙ୍କିଆ ନୋଟ ପକେଟରୁ ବାହାର କରି ବୀଣା ହାତକୁ ବଢ଼ାଇଦେଇ ଚାଲିଗଲା । ଠାକୁରେ ତୁମର ମଙ୍ଗଳ କରନ୍ତୁ ବାବୁ । ତୁମେ ସୁଖରେ ରୁହ...ଏମିତି କେତେ କଲ୍ୟାଣ ଢାଳିଲା ବୀଣା । ନିରସ ମନଟି, ତା’ର ମୁହୂର୍ତ୍ତକ ପାଇଁ ଆନନ୍ଦ ହୋଇଗଲା । କେତେ ସେ ମାଗିଛି, କିନ୍ତୁ କୌଣସି ଦିନ ତ କାହାର ପାଖରୁ ସେ କୋଡ଼ିଏଟି ଟଙ୍କା ଦାନ ପାଇନି । ଏ ବାବୁ ତାହାହେଲେ ଖୁବ୍ ଭଲଲୋକ । ଅଧିକରୁ ଅଧିକ ହେଉ ତାଙ୍କର, ପିଲାପିଲି ତାଙ୍କର ସୁଖରେ ରହନ୍ତୁ । ମନର କାମନା ତାଙ୍କର ଫଳବତୀ ହେଉ । ବୀଣା ତୁଣ୍ଡରୁ ଆପେ ଆପେ ବାହାରି ଆସିଲା ।

 

ବୀଣା ଆଖିଆଗରେ ପୁଣି ଅନେକଥର ନାଚିଉଠିଲା ସୁଶାନ୍ତର ସରଳ ଛବିଟି । ମନେପଡ଼ିଲା ତା’ର ଦୀର୍ଘ ପଚିଶିବର୍ଷ ତଳର କଥା ଠିକ୍ ମନେପଡ଼ିଲା ତା’ର ସେଇ ପୁଅର କଥା, ଯାହାକୁ ସେ ହୃଦୟ ଚିରି ଜନ୍ମ ଦେଇଥିଲା, କର୍ମ ଅଭାଗ୍ୟରୁ ଯାହାକୁ ଆଜି ସେ ହରେଇ ବସିଛି । ଠିକ୍ ତା’ର ମୁହଁପରି ସେ ବାବୁଙ୍କ ମୁହଁ ତ ଜଣାଯାଉଛି । ହୃଦୟର ମାପ କାଠିରେ ତୁଳନା କରୁଥିଲା ବୀଣା । ତେବେ କ’ଣ ଏ ପର୍ଯ୍ୟନ୍ତ ତା’ର ପୁଅ ବଞ୍ଚିରହିଛି ! ସେଇ କ’ଣ ତା’ର ପୁଅ...ନା; ନହେଇବି ପାରେ, ସେ କାହିଁକି ତା’ର ପୁଅ ହେବ । ନା ନା ଏସବୁ ତା’ର ମନର ଭ୍ରମ । ସେ କେଉଁ ବଡ଼ଲୋକର ପୁଅ କିମ୍ବା କୌଣସି ବଡ଼ ଅଫିସର ହେବେ ବୋଧେ ! ଏସବୁ ସେ କାହିଁକି ପୁଣି ଭାବୁଛି ? ସେ ଯେ, ଆଜି ସର୍ବହରା ଭିକାରୁଣୀ । ଭିକ୍ଷା ମାଗିବା ପ୍ରତ୍ୟହ ତା’ର କାମ ।

 

କେତେ ବାବୁ ଭୟାଙ୍କୁ ପଇସାଟିଏ ହାତ ପତାଇ ମାଗି ମାଗି ଚାଲିଛି ବୀଣା । ପ୍ରତି ଗଳିକନ୍ଦିରେ ବୁଲି ବୁଲି ପଇସାଟିଏ ମାଗୁଛି ! ଧୀରେ ଧୀରେ ଆଗକୁ ପାଦ ଉଠାଇ ଆଗେଇ ଚାଲିଛି ସେ ସ୍ୱାମୀଙ୍କୁ ଧରି । ହଠାତ ପ୍ରକାଶ ପାଟିରୁ ଝଲକାଏ ରକ୍ତ ବାହାରି ପଡ଼ିଲା । ବୀଣା ଆଉ ଅଧିକ ଅଗ୍ରସର ନହୋଇ ପ୍ରିୟତମକୁ ବସାଇ ନିଜେ ବସିପଡ଼ିଲା, ନିଜର ପିନ୍ଧିଲୁଗା କାନିରେ ପରିଷ୍କାର କରି ରକ୍ତଗୁଡ଼ାକ ପୋଛିଦେଲା ସେ । ଆଖିରୁ ତା’ର ସୋରିଷ ଫୁଲ ଝରିଲାପରି ଝରିପଡ଼ିଲା ଲୁଣି-ଲୁହର ଧାର । କଇଁ କଇଁହୋଇ କାନ୍ଦିଉଠିଲା ବୀଣା ।

 

ତମେ କାନ୍ଦୁଛ ବୀଣା ? ଖନି ଖନି ଅସ୍ପଷ୍ଟ କଣ୍ଠରେ କହି ପକାଇ ନୀରବ ହେଲା ପ୍ରକାଶ-। ଅବଶ ହାତ ଦୁଇଟିରେ ବୀଣା ଆଖିରୁ ଲୁହ ପୋଛିଦେଲା ପ୍ରକାଶ ।

 

ସତୀ ସୀମନ୍ତିନୀ ମଥାରେ ଲାଲସିନ୍ଦୂର ଝଟକିଲାପରି ପଶ୍ଚିମ ଆକାଶରେ ବିଲୁପ୍ତ ଭାନୁ ଧରଣୀ ରାଣୀର ମଥାରେ ଲାଲସିନ୍ଦୂର ଝଟକାଇଦେଇ ଲୁଚିଗଲେ ଖଣ୍ଡେ ଖଣ୍ଡେ ବଉଦର ପଣତ ତଳେ ସହରର ପ୍ରତି ଗଳିକନ୍ଦିରେ ବିଜୁଳି ଆଲୁଅ ଝଟକି ଉଠିଲା । ବୀଣା ମନରେ ଚେତନା ପଶିଲା । ସଞ୍ଜ ହେଲାଣି ଜାଣି ରୋଗୀଲା ସ୍ୱାମୀକୁ ଧରି ସେଇ ପରିଚିତ ବରଗଛ ତଳକୁ ଫେରିଲା ବୀଣା । ଅଜଣା ଆତଙ୍କରେ ଦେହ ତା’ର ଶୀତେଇ ଉଠୁଥିଲା । ଆହୁରି ଜୋର୍‍ରେ ଆଗକୁ ଆଗକୁ ପାଦ ଉଠାଇ ଚାଲିଲା ବୀଣା । ଭାବୁଥିଲା, କାହିଁକି ସେ ଆଜି ଏତେ ରାତିଯାଏଁ ରହିଲା ! ଆଜିକାଲିର ସମୟ ଯେପରି ହୁଏତ...

 

ଭାବନାର ଶେଷ ନ ହେଉଣୁ ପଛରୁ ଶୁଭିଲା, "ଜୀବନରେ ଆଶା ଥିଲେ ପଇସାତକ ଦେଇ ଦେ, ନଚେତ ଜୀବନର ଆଶା ପରିତ୍ୟାଗ କର । ଫେରିପଡ଼ି ପଛକୁ ଚାହିଁ ଚମକିଉଠିଲା ବୀଣା । ଭୟାନକ ମୂର୍ତ୍ତି ଦେଖି ଭୀତତ୍ରସ୍ତ ହୋଇପଡ଼ିଲା । କଳା ପୋଷାକ ବୃତ ଦୁଇଜଣଙ୍କ ହାତରେ ଦୁଇଟି ଛୁରି ଦେଖି ଆଉ କିଛି ଭାବିପାରିଲାନି ସେ । ଗୋଡ଼ ଦୁଇଟି ଆଉ ତା’ର ଆଗକୁ ଚଳିଲାନି । ଚାରିଆଡ଼କୁ ଚାହିଁଲା ଟିକିଏ କାହାର ସାହାଯ୍ୟ ପାଇବାପାଇଁ; କିନ୍ତୁ କାହାକୁ ଜଣେହେଲେ ସୁଦ୍ଧା ଆଖିରେ ପକାଇବାକୁ ପାଇଲାନି । ଦୂରକୁ ଚିହିଁଲେ କିଛି ଦିଶୁନି । କେବଳ ସହରର ଆଲୋକ ପୁଞ୍ଜ କେତୋଟି ଜୀବନର ଶେଷ ଅଭିନୟପରି ମିଞ୍ଜିମିଞ୍ଜି ହେଉଛନ୍ତି ତା’ ଜୀବନର କ୍ଷୀଣ ଆଲୋକ ସଙ୍ଗେ ତାଳ ଦେଇ । ତେବେ ଏଇଠି କ’ଣ ତା’ ଜୀବନର ଇହଲୀଳା ସମ୍ବରଣ ହେବ, ଏଇଠି କ’ଣ ତା’ର ଜୀବନ ପ୍ରଦୀପର ବିଲୀନ ଘଟିବ–ଭଗବାନ୍, ପୁଣି ଏ କି ବିପଦରେ ତାକୁ ପକାଇଲେ ! ବୀଣା ଭାବୁଛି ପଇସା ନଦେଲେ ହୁଏତ ଏକ ସାଙ୍ଗରେ ଦୁଇଟି ଜୀବନର ଅବସାନ ହେବ; ତଥାପି ବୀଣା ସାହସକରି କହିଲା, ଗରିବ ଭିକାରୁଣୀ ମୁଁ ବାବୁ–ପଇସା ମୁଁ ବା କାହୁଁ ପାଇବି ?

 

କାହିଁକି ? ଆଜି ଯେଉଁ ପଇସା ମାଗିଥିଲୁ ? କେତେଗୁଡ଼ାଏ ଟଙ୍କା ତ ପାଇଛୁ; ଦେ...ଦେଇ ଦେ...

 

ବୀଣା ବୁଝିଲା, ନିଶ୍ଚୟ ଏଇ ନିକଟର ଲୋକ ଏମାନେ । ପଇସା ମାଗିବା ସମୟରେ ଏମାନେ ଦେଖିଛନ୍ତି । ହୁଏତ ତାଙ୍କୁ ପଇସା ନଦେଲେ ଆଉ ନିସ୍ତାର ନାହିଁ । ଏମାନେ ନୃଶଂସ, ପଶୁଠାରୁବି ହୀନ । ଯାହାକୁ ପଇସାର ନିଶା ଲାଗିଛି ତା’ ପାଖରେ ମନୁଷ୍ୟର ଜୀବନ ନଗଣ୍ୟ, ତେଣୁ ବୀଣା କ’ଣ ଭାବି ସେ ଡକାୟତ ଦୁଇଜଣଙ୍କ ଗୋଡ଼ତଳେ ପଡ଼ିଯାଇ କହିଲା ବାବୁ ଏଇ ମୋର ରୁଗ୍‍ଣ ସ୍ୱାମୀଙ୍କୁ ଭଲ କରିବି ବୋଲି କେତେ ଆଶାକରି ପଇସା କେଇଟା ରଖିଛି । ଦୟାକର ବାବୁ–ମୁଁ ତୁମର ଭିକାରୁଣୀ ଭଉଣୀଟା ।

 

ବୀଣାର କଥା କେଇପଦ ସେ ଦୁଇଜଣଙ୍କ କାନରେ ଟିକିଏ ହେଲେ ପଡ଼ିଲାନି । ବୀଣାକୁ ଗୋଡ଼ରେ ଦୂରକୁ ଠେଲିଦେଇ ପ୍ରକାଶକୁ ଛୁରାରେ ଆଘାତ କଲାବେଳେ ବୀଣା ଦଉଡ଼ି ଆସି ପ୍ରିୟତମକୁ ତା’ର କୁଣ୍ଢାଇ ପକାଇ ସତ ଗଣ୍ଠିପଡ଼ି ବନ୍ଧାହୋଇଥିବା ପଇସା କନାପୁଡ଼ାଟିକୁ ବଢ଼ାଇ ଦେଇ ଭୋ...ଭୋ ହୋଇ କାନ୍ଦିଉଠିଲା ! "ଦୀର୍ଘଦିନର ଆଶା ତା’ର, ଆଜି ଧୂଳିସାତ୍ ହେବାକୁ ଯାଉଥିଲା । ତା’ ଭାଗ୍ୟ ଆକାଶର ଅଶୁଭ ଗ୍ରହ, ନକ୍ଷତ୍ର ସତେ ଯେମିତି ତା’ରି ମୁଣ୍ଡଉପରେ ଛିଡ଼ିପଡୁଥିଲାପରି ଅନୁଭବ କରୁଥିଲା ବୀଣା । କେତେ କଷ୍ଟ ସହି ଏଇତକ ସଞ୍ଚୟ କରିଥିଲା ପ୍ରିୟତମକୁ ତା’ର ଆରୋଗ୍ୟ କରିବ ବୋଲି, କିନ୍ତୁ...

 

ତଥାପି ସେ ଦୁଷ୍ଟ ଦୁଇଜଣଙ୍କର ଦୟାହେଲାନି । ବୀଣାର ଲୋଭୀଲା ରୂପଟା ସେମାନଙ୍କୁ ପାପର ଅଙ୍କୁଶୀ ଲଗାଇ ଟାଣିଲା । ବୀଣାକୁ ନେଇଯିବାକୁ ଚେଷ୍ଟା କରି, ଧରି ଭିଡ଼ା ଭିଡ଼ି କଲାବେଳେ ବୀଣା ଖାଲି ପ୍ରାଣଛଡ଼ା ଚିତ୍କାର କରୁଥିଲା । ଭଗବାନ୍‍ଙ୍କୁ ଡାକୁଥିଲା...

 

ଗୋପାଳବାବୁ ଫେରୁଛନ୍ତି ତାଙ୍କ ବନ୍ଧୁଙ୍କ ଘରୁ । ଆଜି ନିମନ୍ତ୍ରଣରେ ବନ୍ଧୁ ସୁରେଶବାବୁଙ୍କ ଘରକୁ ଯାଇଥିଲେ । ଫେରୁ ଫେରୁ ଟିକିଏ ଡେରି ହୋଇଯାଇଛି । ରାତି ଅଧିକ ହେଲାଣି ଭାବି ମଟର ସାଇକେଲଟା ଅଧିକ ସ୍ପିଡ଼ରେ ଛୁଟାଇ ଦେଇଛନ୍ତି ସେ । ମନରେ ତାଙ୍କର କେତେ ଆଦିଅନ୍ତ ନଥିବା ଭାବନା । ଏଇ ଅଳ୍ପ ଦିନ ଭିତରେ ତୁଳସୀର ସୁଶାନ୍ତ ସହିତ ବିବାହ ସାରିଦେବେ । ଆଉ ଡେରିକରି ଲାଭ କ'ଣ ! ଏଇମାସ ପ୍ରଥମ ତିଥିରେ ସେ ବିଭାଘର ନିଶ୍ଚୟ କରିବେ ।

 

କୌଣସି ଗୋଟିଏ ଶବ୍ଦ ଶୁଣି ହଠାତ ଭାବନା ତାଙ୍କର ଭାଙ୍ଗିଗଲା । କାନଡ଼େରିଲେ ଗୋପାଳବାବୁ । କୌଣସି ଏକ ବିପନ୍ନା ନାରୀର କଣ୍ଠବୋଲି ଅନୁମାନ କରିନେଲେ ସେ । ନାରୀଟି ବିପଦରେ ପଡ଼ିଛି ଭାବି ଗାଡ଼ିକୁ ଆହୁରି ଅଧିକ ସ୍ପିଡ଼ିରେ ଛୁଟି ଦେଲେ ସେହି କରୁଣ ଶବ୍ଦର ଅନୁକୂଳ ଆଡ଼େ । କିଛି ଦୂରରେ ଥାଇ ଅସ୍ପଷ୍ଟ ଭାବରେ ସେ ଦେଖିପାରିଲେ, ଜଣେ ସ୍ତ୍ରୀଲୋକକୁ ଦୁଇଜଣ ଲୋକ ନେଇ ଯିବାକୁ ଉଦ୍ୟମ କରୁଛନ୍ତି ଏବଂ ଆଉ ଜଣେ ଲୋକ ତଳେ ପଡ଼ିଥିବାପରି ଅନୁମାନ କଲେ ସେ । ଗୋପାଳବାବୁଙ୍କର ଆଉ କୌଣସି ସନ୍ଦେହର ଅବକାଶ ରହିଲା ନାହିଁ । ସେ ଜାଣିଲେ ନିଶ୍ଚୟ ଏମାନେ ନୃଶଂସ, ଡକାୟତ । ସ୍ତ୍ରୀଲୋକଟିର ସତୀତ୍ଵ ରକ୍ଷା କରିବାକୁ...

 

ଅଣୁମାତ୍ର ସନ୍ଦେହ ନକରି ପକେଟରୁ ରିଭଲଭର୍ ବାହାରକରି ଟ୍ରୀଗର ଟିପିଲେ । ଚାହୁଁ ଚାହୁଁ ରିଭଲଭର୍‍ଟା ଗର୍ଜିଉଠିଲା । ଦୁଷ୍ଟ, ନୃଶଂସ ଡକାୟତ ସେଇଠି ଟଳିପଡ଼ିଲେ । ସେମାନଙ୍କର ଗୋଡ଼ରେ ଆଘାତ ଲାଗିଥିବାରୁ ଚାଲିପାରିଲେ ନାହିଁ ।

 

ଗୋପାଳବାବୁ ବୀଣାପାଖକୁ ଯାଇ ନିଜକୁ ନିଜେ ବିଶ୍ୱାସ କରିପାରିଲେନି । ଇଏତ ତାଙ୍କର ସେଇ ପୂର୍ବ ପରିଚିତ ବୀଣା । ଯିଏ କେଇଟି ବର୍ଷ ତାଙ୍କରି ଘରେ ଚାକିରି କରିଥିଲା । ବୀଣା ଗୋପାଳବାବୁଙ୍କୁ ଦେଖି ପାଦତଳେ ତାଙ୍କର ଲୋଟିପଡ଼ିଲା । ଦୁଃଖରେ ଅଧୀରହୋଇ ଉଠିଲା ସେ-। ଗୋପାଳବାବୁ ବୀଣାକୁ ସାନ୍ତ୍ୱନା ଦେଇ ସବୁକଥା ପଚାରି ବୁଝିଲେ । ବୀଣା ସମସ୍ତ ଘଟନା ଖୋଲି କହିଲା ଗୋପାଳବାବୁଙ୍କ ଆଗରେ । ସବୁକଥା ବୁଝିଲେ ସେ । ସରଳ ହୃଦୟ ତାଙ୍କର ଦୁଃଖରେ ମ୍ରିୟମାଣ ହୋଇପଡ଼ିଲା ବୀଣାର ଅସରନ୍ତି ଦୁଃଖର କାହାଣୀ ଶୁଣି ଶୁଣି ।

 

ଗୋପାଳବାବୁ ଟଙ୍କା ପୁଡ଼ାଟି ସେମାନଙ୍କ ପାଖରୁ ଆଣି ବୀଣାକୁ ଦେଲେ ଏବଂ ନିଜ ପକେଟରୁ ପଚାଶଟି ଟଙ୍କା ବାହାରକରି ବୀଣା ହାତକୁ ବଢ଼ାଇଦେଲେ । ନିଅ ବୀଣା, ଖର୍ଚ୍ଚ କରିବ । ଗୋପାଳବାବୁ ଡକାୟତମାନଙ୍କର ମୁହଁରୁ କଳା ପୋଷାକ ଖୋଲି ଦେଖିଲେ ତାଙ୍କ ଗ୍ରାମର ଲୋକ-। ବୀଣା ମଧ୍ୟ ଚିହ୍ନିଲା, ଯେଉଁମାନେ ତା' ଉପରେ ଦିନେ ହୀନ ପାପ ଦୃଷ୍ଟି ପକାଇଥିଲେ-। ଡକାୟତ ଦୁହିଁଙ୍କୁ ବାନ୍ଧି, ଗାଡ଼ିରେ ନେଇ ଗୋପାଳବାବୁ ଥାନାକୁ ବାହାରିଗଲେ ।

 

ଗୋପାଳବାବୁଙ୍କ ମହତ ଚରିତ୍ର ଦେଖି କୃତଜ୍ଞତାରେ ବୀଣାର ମୁଣ୍ଡ ନଇଁ ଆସୁଥିଲା । ଗୋପାଳବାବୁଙ୍କ ଗାଡ଼ିଟି ଅଦୃଶ୍ୟ ହୋଇ ଯିବାରୁ ବୀଣା ମୁହଁ ଫେରାଇ ଚାହିଁ ଦେଖିଲା ପ୍ରିୟତମ ତା’ର ମୂର୍ଛିତ ହୋଇ ପଡ଼ିଛନ୍ତି । ବସିପଡ଼ି କେତେ ସେବା ଶୁଶ୍ରୂଷା କଲାପରେ ପ୍ରକାଶର ଚେତନା ଫେରିଲା । ବୀଣା ଦେଖିଲା ଦେବତା ଆଉ ତା’ର ଚାଲିପାରିବେନି । ଶୀଘ୍ର ଏସ୍ଥାନରୁ ଚାଲି ନଗଲେ ହୁଏତ ପୁଣି କୌଣସି ବିପଦ ଘଟିପାରେ । ପ୍ରିୟତମକୁ ନିଜ କାନ୍ଧରେ ପକାଇ ବୀଣା ଆଗେଇ ଚାଲିଲା ପରିଚିତ ଗଛ ମୂଳକୁ ତା’ର । ଭାବୁଥିଲା; କାଲି ନିଶ୍ଚୟ ସେ ପ୍ରିୟତମକୁ ତା’ର କଟକ ମେଡ଼ିକାଲକୁ ନେଇ ଚିକିତ୍ସା କରାଇବ । ଆଉ ଡେରିକରିବନି ସେ । ପ୍ରିୟତମ ତା’ର ଦିନକୁ ଦିନ ବେଶି ଅସୁସ୍ଥ ହୋଇ ପଡ଼ୁଛି, ତେଣୁ କାଲି ତାକୁ ଆଡ଼ମିସନ କରାଇବାକୁ ହେବ । ଭାବି ଚାଲୁ ଚାଲୁ ଗଛପାଖରେ ପହଞ୍ଚିଗଲା ବୀଣା । ପ୍ରିୟତମଙ୍କୁ ତା’ର ଧୀରେ ଶୁଆଇ ଦେଇ ଖୋଲି ଗଣିବସିଲା ପଇସା ପୁଡ଼ାଟି ! ଏଇତକ ପଇସାରେ ପ୍ରିୟତମ ତା’ର ଆରୋଗ୍ୟ ହୋଇପାରିବାର କଳ୍ପନା କରି ଆନନ୍ଦରେ ଅଧୀର ହୋଇ ଉଠୁଥିଲା ସେ । ଏଇ ପଇସାତକ ଖର୍ଚ୍ଚ କରି ପ୍ରିୟତମଙ୍କୁ ତା’ର ଭଲ କରିବ, ପ୍ରିୟତମ ତା’ର ଆରୋଗ୍ୟ ହୋଇ ଫେରିବେ, ଏଇ ଭାବନାରେ ମଜିଯାଇଥିଲା ସେ...

 

ଏବେ ସୁଶାନ୍ତ ମେଡ଼ିକାଲରୁ ଫେରି ଅନେକ ସମୟରେ ଲାବ୍ରୋଟରିରେ ବସି ବସି ବିଭିନ୍ନ ରୋଗ ସମ୍ପର୍କରେ ଗବେଷଣା କରୁଛି । ମାନବ ସମାଜରେ କିପରି ରୋଗର ସମ୍ପୂର୍ଣ୍ଣ ବିଲୁପ୍ତି ଘଟିବ ତା’ର ଉପାୟ ଖୋଜୁଛି । ସବୁ ଦିନପରି ଆଜିବି ସେ ଗଭୀର ଚିନ୍ତା ନେଇ ଗବେଷଣାରେ ନିମଜ୍ଜିତ ରହିଛି । କେତେବେଳେ କେଉଁ ବହି ଟିକେ ଦେଖିଦେଉଛି ତ, କେତେବେଳେ କେଉଁ ଯନ୍ତ୍ରପାତି ନେଇ କେତେ କ’ଣ ପରୀକ୍ଷା, ନିରୀକ୍ଷା କରି ବସୁଛି ! ପୁଣି କେତେବେଳେ ମନେ ମନେ କ’ଣ ଭାବିହେଉଛି, କେତେବେଳେ ବା ଖାତାପତ୍ର ଡାଇରୀ ଖୋଲି କେତେ କ’ଣ ଲେଖିଯାଉଛି ।

 

କେତେ କ’ଣ ଭାବି ଲେଖିବ ସୁଶାନ୍ତ ଡାଇରୀ ଖୋଲି ବସିଲା । ହଠାତ ଡାଇରୀରୁ ନାମାଙ୍କିତ ଚିଠିଟି ଦେଖି ଆଶ୍ଚର୍ଯ୍ୟ ନହୋଇ ରହିପାରିଲାନି ସେ । ଆରେ ଚିଠିଟାଏ କ’ଣ ଅଛି ଯେ,–କହି ଖୋଲି ବସିଲା ପଢ଼ିବାପାଇଁ । ମୂଳରୁ ଶେଷପର୍ଯ୍ୟନ୍ତ ଥରୁଟିଏ ପାଇଁ କ୍ଷୁଦ୍ରଲେଖା ଖଣ୍ଡିକ ଉପରେ ଆଖି ବୁଲାଇଆଣି ଅଧୀର ହୋଇ ପଡ଼ିଲା ସୁଶାନ୍ତ ! ମୁଣ୍ଡ ତା’ର ଘୂରି ଗଲାପରି ଜଣାଯାଉଥିଲା ତାକୁ ! ଦେହର ଉଷ୍ଣ ରକ୍ତବିନ୍ଦୁ ପୃଷ୍ଠର ଜଳକଣା ପାଲଟିଗଲା ପରି ଜଣା ଯାଉଥିଲା ତାକୁ । ସେ ହୋସ୍‍ରେ ଅଛି କି ନାହିଁ ଅନୁଭବ କରିପାରୁ ନଥିଲା । ତେବେ କ’ଣ ସେ ଗ୍ରାମର ଲୋକଙ୍କ ପାଖରୁ ସେ ଯାହା ଶୁଣିବାକୁ ପାଉଥିଲା, ତା କ'ଣ ସତ ? ତେବେ କ’ଣ ଏ ଘରର ପ୍ରକୃତ ସନ୍ତାନ ସେ ନୁହେଁ ? ସେ ପାଳିତ ପୁତ୍ର ? ମନକୁ ମନ ପ୍ରଶ୍ନ କରୁଥିଲା ସୁଶାନ୍ତ । ତାହେଲେ କିଏ ତା’ର ସେହି ହତଭାଗ୍ୟ ପିତା ମାତା ? କେଉଁଠି ଆଜି ସେମାନେ, ଇହଲୋକରେ ନା, ପରଲୋକରେ... ? କିଏ ଦେବ ତା’ର ସଠିକ ଉତ୍ତର ।

 

ଅଛପା କଥାଗୁଡ଼ାକ ଭାବି ଭାବି ନିଜକୁ ନିଜେ ବିଶ୍ୱାସ କରିପାରୁ ନଥିଲା ସୁଶାନ୍ତ । ଆଖି ଯୋଡ଼ିକ ତା’ର ଛଳଛଳ ହୋଇ ଆସୁଥିଲା ତେବେ କ’ଣ ଆଉ ସେ ପିତାମାତାଙ୍କୁ ତା’ର ଦେଖିବନି ? ଆଖି ପୂରାଇ କ’ଣ ସେ ଏ ଜୀବନରେ ଥରେ ଦେଖିବାକୁ ପାଇବନି ? ଆଉ ଥରୁଟିଏ ମାର ସ୍ନେହ ନ ପାଇଲେ ଏ ଜୀବନରେ ଜଳିପୋଡ଼ି ମରିଯିବ ସେ । କିନ୍ତୁ ଆଜି କେଉଁଠି ତା’ର ଜନ୍ମଦାତା । ଆଉ ଜନ୍ମଦାତ୍ରୀ ନା, ଏମିତି ବସିରହି ଭୀରୁ କାପୁରୁଷପରି ଭାବିବନି । ଆଜିରେ ସେ ପିତା ମାତାଙ୍କୁ ଖୋଜିବାକୁ ବାହାରିଯିବ । ତନ୍ନତନ୍ନ କରି ଦେଶର ପ୍ରତି ଗଳିକନ୍ଦି ବୁଲି ବୁଲି ଅନୁସନ୍ଧାନ କରିବ । ପିତା ମାତାଙ୍କୁ ପାଇବାପାଇଁ ଦେଶତ୍ୟାଗ କରିବାକୁ ପଡ଼ିଲେ ଦେଶତ୍ୟାଗ କରିବ ସେ... । ପାଇଲେ ଫେରିବ ନ ପାଇଲେ ଆଉ କିଛି ସ୍ଥିରକରି ପାରୁନି ସୁଶାନ୍ତ । ରୁଦ୍ଧବେଦନା କୋମଳ ପ୍ରାଣକୁ ତା’ର ଆଘାତ କରୁଛି । ସୀମାହୀନ ଦିଗନ୍ତପରି ଭାବନା ତାକୁ ଘେରି ବସୁଛି, ଘେରି ବସୁଛି ମାଘ ମାସର କୁଝଟିକାପରି ।

 

ତେବେ ତୁଳସୀ, ପିଲାଟି ଦିନରୁ ଯାହା ସହିତ ଖେଳିବୁଲି ଆସିଛି, ଯାହାକୁ ସେ ଛୋଟ ଭଉଣୀପରି ଦେଖି ଆସିଛି; ଯାହାକୁ ସେ ପ୍ରାଣର ଭଉଣୀ ବୋଲି ଜାଣିଥିଲା, ସେଇ ଆଜି ତାକୁ ଜୀବନରେ ନିଜର କରିନେବାକୁ ଲେଖିଛି । ତାକୁ ନ ପାଇଲେ ଆତ୍ମହତ୍ୟା କରିବ ବୋଲି ଲେଖିଛି ସେ ! ଆଉ ଆଜି ଯଦି ସେ ତୁଳସୀକୁ ଛାଡ଼ି ଚାଲିଯାଏ, ତେବେ ହୁଏତ ତୁଳସୀ...ନାରୀ ହତ୍ୟା ପାପରେ ଦାୟୀ ହେବ ସେ । ଗୋଟିଏ ସୁନ୍ଦରୀ ଷୋଡ଼ଶୀ ତରୁଣୀର ମରଣ ସେ ଦେଖି ପାରିବ ତ-? ଗୋଟିଏ ଦିଗରେ ତୁଳସୀ ଅନ୍ୟ ଦିଗରେ ଗୋପାଳବାବୁ ଓ କନକଦେବୀ ? ଯାହାଙ୍କ ସ୍ନେହରେ ସେ ଛୋଟରୁ ବଡ଼ ହୋଇଛି ? ତେବେ କ’ଣ କରିବ ସେ ? କ’ଣ ଏଠି ତା’ର କର୍ତ୍ତବ୍ୟ...

 

ସୁଶାନ୍ତ ଏଇ ଦ୍ୱନ୍ଦ୍ୱଭାବନାରେ ଆନ୍ଦୋଳିତ ହେଉଥିବାବେଳେ ତୁଳସୀ ଘରଭିତରକୁ ପଶି ଆସି ଡାକିଲା; ଭାଇ ଖାଇବ ଆସ ।

 

ନା, ଖାଇବିନି, ଭୋକ ନାହିଁ । ତମେ ସବୁ ଖାଇବ ଯାଅ ।

 

ତୁଳସୀର ଆଖି ପଡ଼ିଲା ସୁଶାନ୍ତ ମୁଖମଣ୍ଡଳ ଉପରେ । ଚିକ୍‍କଣ ଗାଲ ଉପରେ ଲୁହର ଶୁଖିଲା ଦାଗ ଦେଖି ଦେହ ତା’ର ଶୀତେଇ ଉଠିଲା । ତେବେ କ’ଣ ସୁଶାନ୍ତ ଭାଇ, ତା’ର ଲିଖିତ ପତ୍ରଟି ପଢ଼ି କାନ୍ଦିଛନ୍ତି । ତେବେ ଆଜି ଏପରି ତାଙ୍କର ମନମରା ଭାବ କାହିଁକି ? କୌଣସି ଦିନ ତ ଏପରି ନୀରସତା ଦେଖିନି ? ତୁଳସୀ ଭାବନାରୁ ନିଜକୁ ମୁକୁଳାଇ ପୁଣି ଡାକିଲା, ଭାଇ ! ଖାଇବ ଆସ...

 

ସୁଶାନ୍ତ ନିର୍ବାକ କାଷ୍ଠ ପିତୁଳାପରି ତୁଳସୀ ମୁହଁକୁ ଚାହିଁଲା । ଅଜାଣତରେ ପାଟିରୁ ତା’ର ବାହାରି ଆସିଲା ତୁ....ଳ...ସୀ । ଆଖି ତା’ର ଛଳ ଛଳ ହୋଇ ଆସିଲା । ଆଉ କ’ଣ କହିବାକୁ ଗଲାବେଳେ ପାଟି ଖୋଲିଲାନି ତା’ର ।

 

ତୁଳସୀ ଜାଣିଲା, ଯେଉଁଥିପାଇଁ ସୁଶାନ୍ତ ଭାଇ ତା’ର ଗଭୀର ଦୁଃଖରେ ବୁଡ଼ିରହିଛନ୍ତି । ସେ ଭୁଲ୍ କରିଛି, ଅପରାଧ କରିଛି, ଆଉ ସହିପାରିଲାନି ତୁଳସୀ । ସୁଶାନ୍ତର ହାତଦୁଇଟି ଧରିପକାଇ କହିଲା ଭାଇ ! ତୁମ ନିକଟରେ ମୁଁ ଅପରାଧ କରିଛି । ମୋତେ କ୍ଷମା କର...ନା...ତୁ କୌଣସି ଭୁଲ୍ କରିନୁ ତୁଳସୀ, ତୋର ଏଥିରେ କୌଣସି ଦୋଷ ନାହିଁ । ସତ୍ୟଟା ପ୍ରକାଶ ପାଇଛି, ଏଥିରେ ତୁ ମର୍ମାହତ ହେଉଛୁ କାହିଁକି ? ମୁଁ ଯେଉଁସବୁ ତଥ୍ୟର ସନ୍ଧାନ ପାଇଛି ତା’ କ’ଣ ସତ, ତୁଳସୀ ?

 

ତୁଳସୀ ଛୋଟ ହଁଟି ମାରି ନୀରବ ହେଲା !

 

ସୁଶାନ୍ତ ଭାବିଲା, ତୁଳସୀଠାରୁ ସମସ୍ତ ତଥ୍ୟ ସଂଗ୍ରହ କରିସାରିବା ପରେ ଅଚିହ୍ନା ପିତାମାତାଙ୍କୁ ଖୋଜିବାକୁ ବାହାରିଯିବ ସେ । ପୁଣି ସୁଶାନ୍ତ ପ୍ରଶ୍ନକଲା କ’ଣ ସବୁ ତୁ ଶୁଣିବାକୁ ପାଇଛୁ ତୁଳସୀ ? ଏମିତି ସୁଶାନ୍ତର କେତେ ପ୍ରଶ୍ନ ପରେ ପ୍ରଶ୍ନ ।

 

ତୁମେ ଖାଇସାରିଲେ ସବୁ ଗୋଟି ଗୋଟି କରି କହିବି । ଆସ...ନା, ତୁଳସୀ, ସମସ୍ତ କହିବାକୁ ହେବ ତୋତେ ।

 

–ନିଶ୍ଚୟ ତୁମକୁ କହିବି । ଯେତେବେଳେ କହିବାର ଅଭିଳାଷ କରି ତୁମକୁ ବାଟ ଦେଖାଇଛି, ନ କହି ମୋର ବା ଗତି କାହିଁ, ତୁମେ ଆଗେ ଖାଇବ ଆସିଲ, କହି ସୁଶାନ୍ତକୁ ଭିଡ଼ିନେଲା ତୁଳସୀ । ସୁଶାନ୍ତ ଆଉ ତୁଳସୀର କଥା ଭାଙ୍ଗି ନପାରି ଆସନ ପରିତ୍ୟାଗ କଲା । ଦୁହେଁ ବାହାରି ଗଲେ... ।

 

କଥାରେ ଅଛି ଉପାୟ କର ନା ନା ମତେ,

ଫଳିବ କର୍ମର ଆୟତ୍ତେ ।

 

ବୀଣାର କଠୋର ଚେଷ୍ଟା ଫଳରେ ପ୍ରକାଶ ଆଜି କଟକ ମେଡ଼ିକାଲରେ ଭର୍ତ୍ତିହୋଇଛି । ଆଜି କି ପାଞ୍ଚଦିନ ହେବ ସେ ମେଡ଼ିକାଲରେ ରହିଲାଣି; କିନ୍ତୁ କେହି ଟିକିଏ ହେଲେ ତା’ର କୌଣସି ଖବର ନେଉନାହାନ୍ତି । ସମସ୍ତେ ପ୍ରକାଶର ମୁମୂର୍ଷୁ ଅବସ୍ଥା ଦେଖି ମଧ୍ୟ କେହି ଟିକିଏ ଆଡ଼ ଆଖିରେ ଚାହୁଁ ନାହାନ୍ତି । ହଜାର ହଜାର ରୋଗୀଙ୍କ ଭିତରେ ପ୍ରକାଶ କଥା ବା ପଚାରୁଛି କିଏ ?

 

ବୀଣା କେତେ ଡାକ୍ତର, କମ୍ପାଉଣ୍ଡରଙ୍କ ପାଦତଳେ ପଡ଼ି ସାରିଲାଣି ତା’ର ପ୍ରିୟତମଙ୍କର ଟିକେ ତୁରନ୍ତ ଚିକିତ୍ସାପାଇଁ । କେହି ତା’ର ଅରଣ୍ୟ ରୋଦନ ଶୁଣୁନାହାନ୍ତି । ବୀଣା ଦେଖୁଛି ଯେଉଁ ରୋଗୀମାନେ ତା’ର ସ୍ୱାମୀଙ୍କ ପଛରୁ ଆଡ଼ିମିସନ୍ ନେଇଥିଲେ, ସେମାନେ ପଇସାପତ୍ର ଲାଞ୍ଚଦେଇ ଆଗ ଚିକିତ୍ସା ହୋଇ ଯାଉଛନ୍ତି; କିନ୍ତୁ ତା’ର ସ୍ୱାମୀର ଚିକିତ୍ସା ଦୂରେ ଥାଉ କେହି ଟିକିଏ ହେଲେ ପଚାରୁ ନାହାନ୍ତି ତାକୁ ପଇସାପତ୍ର ଲାଞ୍ଚ ଦେଲେ ବା ସ୍ୱାମୀ ତା’ର ଆଗ ଚିକିତ୍ସା ପାଇ ପାରନ୍ତେ । ହେଲେ ପଇସା କାହିଁ ? ଯେତିକି ପଇସା ତା’ ପାଖରେ ଅଛି ତାକୁ ଯଦି ସେ ଏମାନଙ୍କୁ ଲାଞ୍ଚ ଦେଇଦିଏ, ତେବେ ଚିକିତ୍ସା କରିବାକୁ ଆଉ ପଇସା ବା ସେ କେଉଁଠୁ ପାଇବ ! ଔଷଧପତ୍ର କିଣିବାକୁ ତା’ ପାଖରେ ତ ଆଉ ପଇସା ନାହିଁ । ଆଗକୁ ଆହୁରି କେତେ ପଇସା ଦରକାର ହେବ, ତେବେ ଆଉ ତା’ର ଉପାୟ କ’ଣ । ଆଜି ସେ ଦେଖୁଛି, ତା’ ଦେବତାର ଅବସ୍ଥା ବଡ଼ ଶୋଚନୀୟ ଜଣା ପଡ଼ୁଛି । ସବୁଦିନଠାରୁ ଆଜି ବେଶି ଯନ୍ତ୍ରଣାରେ ଛଟେଇ ପଟେଇ ହେଉଛନ୍ତି ସେ । ଆଜିକାଲିରେ ଯଦି ଚିକିତ୍ସା କରାଯାଇ ନପାରେ, ତେବେ ହୁଏତ...

 

ଭାବି ଭାବି ଅଧୀର ହୋଇ ଉଠିଲା ବୀଣା । ଆଖିରୁ ତା’ର ଅସୁମାରି ଜଳସ୍ରୋତ ବହିଚାଲିଛି, ତଥାପି ବୀଣା ଭାବନାର ଶେଷ ହେଲାନି । ମନେ ମନେ କେତେ କ’ଣ ଭାବି କଇଁ କଇଁ ହୋଇ କାନ୍ଦି ଉଠିଲା ସେ ।

 

ବୀଣାର କାନ୍ଦ ଶୁଣି ଜଣେ ନର୍ସ ଧାଇଁଆସି ପଚାରିଲା, ଆପଣ କାନ୍ଦୁଛନ୍ତି କାହିଁକି ? କ’ଣ ହେଲା ଆପଣଙ୍କର ?

 

ବୀଣା କିଛି କହିବାକୁ ଯାଇ ଆହୁରି ଅଧିକ ଜୋର୍‍ରେ କାନ୍ଦିଉଠିଲା, କୋହର ସମୁଦ୍ର ଭିତରେ ଅଣନିଃଶ୍ୱାସୀ ହୋଇପଡ଼ିଲା ସେ ।

 

ନର୍ସଟି ବୀଣାର ଦୁଃଖରେ ଅଭିଭୂତା ହୋଇ ପଡ଼ିଲା । ବୀଣା ଦୁଃଖରେ ସମବେଦନା ଜଣାଇ ପୁଣି ପଚାରିଲା; କୁହନ୍ତୁ, ଆପଣଙ୍କର ଦୁଃଖ କ’ଣ ?

 

ବୀଣା କିଛି କହିପାରୁ ନଥିଲା । ବସିରହି ଆଖିରୁ ଖାଲି ସେ ଲୁହ ଗଡ଼ାଉଥିଲା । ନର୍ସଟି ବୀଣାର ଦୁଃଖ କେତେକାଂଶରେ ଅନୁମାନ କରିନେଲା । ମନ ତା’ର ତରଳି ପଡ଼ିଲା ବୀଣାପ୍ରତି । ସେବି ଦୁଃଖର ମ୍ରିୟମାଣ ହୋଇପଡ଼ିଲା । କିଛିଟା ଅନୁମାନ କଲେ ସୁଦ୍ଧା ତଥାପି ବୀଣାଠାରୁ ପ୍ରକୃତ ଦୁଃଖ ପଚାରି ବୁଝିଲା । ବୀଣାର ଦୁଃଖରେ ଅନୁକମ୍ପା ଜଣାଇବାକୁ ନର୍ସର ସରଳ ମନଟି ନଇଁପଡ଼ିଲା । "ଆପଣ ବ୍ୟସ୍ତ ହୁଅନ୍ତୁନି । ଏହାର ସୁବନ୍ଦୋବସ୍ତ ମୁଁ କରିବାପାଇଁ ଚେଷ୍ଟା କରିବି–କହି ନର୍ସଟି ଭିତରକୁ ପଶିଗଲା ।

 

ବୀଣା ମନରେ ଟିକେ ସାହସ ଆସିଲା । ବସି ବସି ଚାହିଁରହିଲା ସେଇ ପରିଚିତ ନର୍ସଟି ପ୍ରତୀକ୍ଷାରେ ।

 

କିଛି ସମୟ ପରେ ନର୍ସଟି ଭିତରୁ ଆସି କହିଲା, ଆପଣ ବର୍ତ୍ତମାନ ଯା'ନ୍ତୁ । ଆପଣଙ୍କ ସ୍ୱାମୀଙ୍କର ଅପରେସନ ଆସନ୍ତାକାଲି କରାଯିବ । ତେଣୁ ଆପଣ ଆଉ ମନ ଦୁଃଖ କରନ୍ତୁନି । କାଲି ଦଶଟା ସୁଦ୍ଧା ଆପଣ ଉପସ୍ଥିତ ରହିଥିବେ ।

 

ବୀଣା ମନରେ କେତେ ଆଶାର ଉଜ୍ଜ୍ୱଳ ରେଖା, ଆନନ୍ଦରେ ମନ ତା’ର ଉଲୁସି ଉଠୁଛି-। ଆଉ କେଇଟି ଘଣ୍ଟା ପରେ ପ୍ରିୟତମଙ୍କୁ ତା’ର ଅପରେସନ କରାଯିବ, ଭଲ ହୋଇ ତାଙ୍କ ମାତୃଭୂମିକୁ ନେଇ ଫେରିବ ସେ । ଭଙ୍ଗା ସଂସାରକୁ ପୁଣି ଦୁହେଁ ମିଳିମିଶି ଯୋଡ଼ି ବସିବେ-

 

ଚାହୁଁ ଚାହୁଁ ନିଶାକର ପୃଥିବୀ ପୃଷ୍ଠକୁ ଆଗେଇ ଆସିଲେ, ସମସ୍ତ ମାନବ ଜଗତକୁ ତାଙ୍କର ତୋରା ମୁହଁଟିକୁ ବଉଦ ଉହାଡ଼ରେ ଲୁଚାଇ ଲୁଚାଇ ଦେଖାଇବା ପାଇଁ ।

 

ବୀଣା ବସି ରହିଛି ତା’ର ପ୍ରିୟତମକୁ ଜଗି । ରାତ୍ରିର ଶେଷ ମୁହୂର୍ତ୍ତକୁ ସେ ସ୍ୱାଗତ କରିବାକୁ ଚାହିଁ ବସିଛି । ଦିନେ ଯେଉଁ ରାତି ବୀଣା ମନରେ ଅସରା ଆନନ୍ଦ ଖେଳାଇ ଦେଇଥିଲା, ଆଜି ସେଇ ରାତ୍ରିଟି ଆଖି ଲୁହକୁ ତା’ର ନିବିଡ଼ କରୁଛି । ପ୍ରିୟତମ ସାଥିରେ ଯେଉଁ ରାତିଟି ଦିନେ ତାକୁ ମୁହୂର୍ତ୍ତେ ପରି ଲାଗୁଥିଲା ଆଜି ସେଇ ରାତିଟି କୋଟିଏ ଯୁଗପରି ଲାଗୁଛି । କେମିତି ଏ ରାତିଟି ଯାଇ ପ୍ରଭାତ ହେବ ତାହାହିଁ ଚିନ୍ତା କରୁଛି ବୀଣା । ପରମେଶ୍ୱରଙ୍କୁ ଡାକୁଛି, ଆଜି ରାତିଟି ଖୁବ୍ ଲମ୍ବାପରି ଜଣା ଯାଉଛି ତାକୁ । ଆଖିକୁ ତା’ର ନିଦ ଆସୁନି । ଚେଇଁ ବସିଛି ସେ ।

 

ରାତି ପାହି ସକାଳ ହେଲା । ଦିନମଣିଙ୍କର ରକ୍ତିମ କିରଣ ଦେଖି ଲାଜରେ ଚନ୍ଦ୍ରମା ତା’ର ତୋରା ମୁହଁଟିକୁ ଲୁଚାଇଦେଲା ନୀଳଆକାଶର ପଣତ ତଳେ ! ସମୟ ଗଡ଼ି ଚାଲିଲା ଏକ...ଦୁଇ..ଠାରୁ ଆରମ୍ଭ କରି...

 

ସମୟ ନିର୍ଦ୍ଦେଶକ ଆଲାରାମ ସଙ୍କେତ ଦେଲା ସମୟ ଦଶଟା...ବୀଣା ବସି ଭାବି ଚାଲିଛି କେତେବେଳେ ପ୍ରିୟତମ ତା’ର ଅପରେସନ କରାହେବେ । ମୁଣ୍ଡ ଲଗାଇଛି ସେ ମଙ୍ଗଳମୟ ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ । ମନର ମିନତି ଜଣାଉଛି । ପ୍ରିୟତମ ଭଲ ହୋଇ ଯା'ନ୍ତୁ, ଏତିକି ତା’ର ମଙ୍ଗଳମୟ ପରମେଶ୍ୱରଙ୍କ ଚରଣ ତଳେ ମାଗୁଣି । ପ୍ରିୟତମର ସାରା ଦେହରେ ହାତ ବୁଲାଇଦେଉଛି ବୀଣା । ହଠାତ କେତେଜଣ ଲୋକ ଆସି ଗୋଟିଏ ଖଟିଆରେ ପକାଇ ସ୍ୱାମୀକୁ ତା’ର କେଉଁଆଡ଼େ ନେଇଗଲେ, ସେ ଜାଣେନା । ତାଙ୍କ ସହିତ ଯିବାପାଇଁ କେତେ ଆକୁଳ ଅନ୍ତରରେ ସେ ନିବେଦନା କଲା; କିନ୍ତୁ ସମସ୍ତ ଆକୁଳ ନିବେଦନ ତା’ର ବ୍ୟର୍ଥ ହେଲା । ତାଙ୍କ ସହିତ ଯିବାକୁ ନାହିଁ କଲେ ସେମାନେ ।

 

ନିଃସଙ୍ଗଭାବେ ସେଇଠି ବସି ବସି କେତେ କ'ଣ ଭାବିଚାଲିଛି ବୀଣା । ମାଟି ଶରୀରଟି ତା’ର ସେଇଠି ପଡ଼ିରହିଛି ସତ; କିନ୍ତୁ ପ୍ରାଣଟା ତା’ରି ଚିରସାଥୀ ପ୍ରିୟତମ ସହିତ ଗୋଡ଼ାଇ ଯାଇଛି-। ଏଥିର ମନ ତା’ର ଏପାରିରୁ ଉଡ଼ି ଚାଲିଛି । କାହାର ପ୍ରତୀକ୍ଷାରେ ଯେମିତି ପିଆସୀ ଆଖିଯୋଡ଼ିକ ତା’ର ଚାହିଁ ରହିଛି ଆକୁଳ ଅନ୍ତରରେ ।

 

ଦୁଇ ଘଣ୍ଟା ପରେ ଜଣେ ନର୍ସ ଆସି ଖବର ଦେଲା, "ମା, ଆପଣଙ୍କ ସ୍ୱାମୀର ରୋଗ ଖୁବ୍ ସିରିଏସ ଦିଗକୁ ଗତି କରିଯାଇଛି । ରୋଗର ପ୍ରାରମ୍ଭରୁ ମେଡ଼ିକାଲକୁ ଆଣିଥିଲେ ହୁଏତ କିଛି ଅସୁବିଧା ହୋଇ ନଥାନ୍ତା । ବର୍ତ୍ତମାନ ଆଣି କୌଣସି ଫଳ ନାହିଁ । ରମେଶବାବୁ ପ୍ରମୁଖ ପରୀକ୍ଷା କରି ଯାହା ରିପୋର୍ଟ ଦେଲେ ରୋଗ ଭଲହେବା ସମ୍ପୂର୍ଣ୍ଣ ଅସମ୍ଭବ । ରୋଗଟା ବଢ଼ି ବଢ଼ି ଆସି ଶେଷ ପର୍ଯ୍ୟାୟରେ ପହଞ୍ଚି ଯାଇଛି । ସମସ୍ତ ପ୍ରକାର ଚେଷ୍ଟା ତାଙ୍କର ବିଫଳ ହେଲାଣି, ତେଣୁ କାଲି ଆପଣଙ୍କୁ ଡିସ୍‍ଚାର୍ଜ କରାଯିବ ।

 

ନିରାଶ ବାଣୀ ଶୁଣି ଭୋ ଭୋ ହୋଇ କାନ୍ଦି ଉଠିଲା ବୀଣା । ଅନନ୍ତ ଆକାଶ ତା’ର ମୁଣ୍ଡ ଉପରେ ଛିଡ଼ିପଡ଼ିଲା ପରି ଜଣାଗଲା ତାକୁ । ଆଶାର ପ୍ରଦୀପଟି ତା’ର ଜଳିଉଠିଲାବେଳେ ପୁଣି ଲିଭି ଲିଭି ଆସିଲା । ନର୍ସଟି ଏସବୁ ଦେଖି ଦେଖି ଆଶ୍ଚର୍ଯ୍ୟ ହୋଇ ଯାଉଥିଲା । କେବଳ ସେ ଚାହିଁ ରହିଥିଲା, ହାତଭାଗିନୀ ବୀଣାର ନୀରସ ମୁହଁଟିକୁ ।

 

ଦରଦ ଭରା କଣ୍ଠରେ ବୀଣା କହିଲା, ସିଷ୍ଟର ମୋ ପ୍ରତି ଟିକେ ଦୟା କରନ୍ତୁ ଆପଣ–ତା’ ନହେଲେ...

 

ନର୍ସଟି ବୀଣାକୁ ଟିକିଏ ସାନ୍ତ୍ୱନା ଦେବାକୁ ଯାଇ କହିଲା, ଆପଣ ବ୍ୟସ୍ତ ହୁଅନ୍ତୁନି । ଈଶ୍ଵରଙ୍କର ଯାହା ବରାଦ ଥିବା, ତା’ ନିଶ୍ଚୟ ହେବ ।

 

"ତେବେ କ’ଣ ମୋ ଦେବତା ଆଉ ଭଲହୋଇ ପାରିବେନି ! ମୋ ଦେବତା ତା'ହେଲେ..., ଆଉ କିଛି କହି ପାରିଲାନି ବୀଣା, କାନ୍ଦି କାନ୍ଦି ଅଣନିଃଶ୍ୱାସୀ ହୋଉଠୁଥିଲା ।

 

ନର୍ସଟି ଟିକିଏ କ’ଣ ନୀରବରେ ଚିନ୍ତାକରି କହିଲା, "ହଁ, ସ୍ୱାମୀ ଭଲହୋଇ ପାରିବେ ବୋଲି ମୋର ଆଶା । ଆମ ମେଡ଼ିକାଲରେ ବିଶିଷ୍ଟ ଡାକ୍ତର, ଡକ୍ଟର ସୁଶାନ୍ତବାବୁଙ୍କୁ ଯଦିଓ ଆପଣ ସାକ୍ଷାତ କରି ଦୁଃଖ ଜଣାନ୍ତି, ତେବେ ନିଶ୍ଚୟ ସେ ଭଲକରି ପାରିବେ ବୋଲି ମୋର ବିଶ୍ୱାସ । ଋଷିଆର ବୈଜ୍ଞାନିକ ପ୍ରଣାଳୀରେ ତାଙ୍କର ଶିକ୍ଷାଦୀକ୍ଷା । ବିଶିଷ୍ଟ ଡାକ୍ତର ହିସାବରେ ତାଙ୍କର ସୁଖ୍ୟାତି ମଧ୍ୟ ଅନେକ । କୌଣସି ରୋଗୀ ଦେହରେ ସେ ଥରେ ହାତଦେଲେ ଭଲ ନକରି ଛାଡ଼ନ୍ତିନି । ୟାଠାରୁ ବଡ଼ ବଡ଼ ସିରିଏସ୍ ରୋଗୀ ସେ ହାତକୁ ନେଇ ଭଲକରିଛନ୍ତି । ଭାରି ଭଲଲୋକ ସେ । ଆପଣ ତାଙ୍କରି ପାଖରେ ଦୁଃଖ ଜଣାଇଲେ, ହୁଏତ...

 

ବୀଣା ମନରେ ଅଣୁ ପରମାଣୁ ପରି ସାନ୍ତ୍ୱନା ଆସିଲା ଟିକେ । ସେ ତ ଏଇ ସୁଶାନ୍ତବାବୁଙ୍କ ମା, ଆଗରୁ ଶୁଣିଛି । ନର୍ସଟି ଠିକ୍ ତାଙ୍କରି କଥା ତ କହୁଛି । ଲୋକମାନଙ୍କ କଣ୍ଠରେ ସୁ-ଦକ୍ଷ ଡାକ୍ତର ହିସାବରେ ଯାହାଙ୍କର ଭୂରିଭୂରି ପ୍ରଶଂସା ଯାହାଙ୍କୁ ସମସ୍ତେ ଜାଣନ୍ତି ।

 

ହଁ...ହଁ ତାଙ୍କରି ପାଖକୁ ଯିବ ସେ । ଜୀବନର ଶେଷରକ୍ତ ବିନ୍ଦୁ ଜଳାଇ ଚେଷ୍ଟା କରିବ । ତାଙ୍କରି ଦୟାରୁ ଯଦି ଦେବତା ତା’ର ଭଲହୋଇ ପାରନ୍ତି...ସିଷ୍ଟର; ଡକ୍ଟର ସୁଶାନ୍ତବାବୁଙ୍କୁ ଟିକେ ମୁଁ ସାକ୍ଷାତ କରିବାକୁ ଚାହୁଁଛି । କେଉଁଠି ବର୍ତ୍ତମାନ ସେ ଅଛନ୍ତି ? ପ୍ରଶ୍ନକଲା ବୀଣା ।

 

–ଉପର ମହଲାରେ, ପାଞ୍ଚ ନମ୍ବର କ୍ୱାର୍ଟରରେ ଅଛନ୍ତି । ଯାଆନ୍ତୁ ଆପଣ, ତାଙ୍କର ସାକ୍ଷାତ ନିଶ୍ଚୟ ପାଇବେ । ବୀଣା ଆଉ କିଛି ପଚାରିବା ପୂର୍ବରୁ ନର୍ସଟି ଏତକ କହିଦେଇ ଚାଲିଗଲା ।

 

ବୀଣା ଅସରନ୍ତି ଆଶାର ଉତ୍ସ ନେଇ ଚାଲିଲା ଉପର ମହଲକୁ । ସୁଶାନ୍ତବାବୁଙ୍କୁ ତା’ର ଦୁଃଖ ଜଣାଇବ । ବଡ଼ ଲୋକ ସେ, ତା’ର ଦୁଃଖ ଶୁଣିବେ କି ନାହିଁ; ତଥାପି ସେ ସବୁ କଥା ଖୋଲି କହିବ । ଗୋଡ଼ ହାତ ଧରିବ । ସ୍ୱାମୀଙ୍କୁ ତା’ର ଭଲ କରିଦେବା ପାଇଁ ମିନତି କରିବ, ତେଣିକି ତା’ର ଭାଗ୍ୟ...

 

ଏମିତି ଭାବି ଭାବି ବୀଣା ଉପର ମହଲାକୁ ଉଠିଲାବେଳେ ଜଣେ ଦରୱାନ ଆସି କହିଲା, ଆପଣ କାହାକୁ ସାକ୍ଷାତ କରିବାକୁ ଚାହାନ୍ତି ?

 

–ଡାକ୍ତର ସୁଶାନ୍ତବାବୁ ଅଛନ୍ତି ? ତାଙ୍କୁ ମୁଁ ସାକ୍ଷାତ କରିବାକୁ ଚାହୁଁଛି

 

କ’ଣ କିଛି ଦରଦାର ଅଛି ।

 

ହଁ ଜରୁରି ଦରକାର...

 

ମୋ ପଛେ ପଛେ ଆସନ୍ତୁ–କହି ଆଗେ ଆଗେ ଦରୱାନଟି ଚାଲିଲା । ତା’ ପଛେ ପଛେ ଚାଲିଲା ବୀଣା, କାମନାର ସରଳରେଖାମାନ ଦୂର ଦୂରାନ୍ତକୁ ଲମ୍ବାଇ । ପାଞ୍ଚ ନମ୍ବର କ୍ଵାଟର ସମ୍ମୁଖରେ ପହଞ୍ଚି ଦରୱାନ କହିଲା, ମା ଆପଣ ଏଇଠି ଅପେକ୍ଷା କରିଥାନ୍ତୁ । ମୁଁ ଆସୁଛି–କହି ଦରୱାନଟି ଭିତରକୁ ପଶିଗଲା । ପାଞ୍ଚ ମିନିଟ ପରେ ସୁଶାନ୍ତବାବୁଙ୍କ ଠାରୁ ଅର୍ଡ଼ର ଆଣି ଆସି କହିଲା; ଭିତରକୁ ଯାଆନ୍ତୁ ଆପଣ ।

 

ବୀଣା ଭିତରକୁ ପଶିଯାଇ, ଚାରିଦିଗକୁ ଥରେ ଆଖିବୁଲାଇ ଆଣି ସମ୍ପୂର୍ଣ୍ଣଭାବେ ଆଶ୍ଚର୍ଯ୍ୟ ହୋଇଗଲା । ଡକ୍ଟର ସୁଶାନ୍ତବାବୁ ଆଧୁନିକ ବେଶ ପୋଷାକରେ ସୁସଜ୍ଜିତ । ଆପାଦ ମସ୍ତକ ପୋଷାକରେ ଆବୃତ । ଆଖିରେ କଳା ଚଷମା । ଆଧୁନିକ ଯନ୍ତ୍ରପାତିରେ ଘରଟି ସମ୍ପୂର୍ଣ୍ଣ ହୋଇଛି । କାଗଜ, ବହିପତ୍ରରେ ପାଖ ଟେବୁଲଗୁଡ଼ିକ ବୋଝେଇ ହୋଇଛି । କେତେ ପିଅନ, ମାଛକୁ ବଗ ଟାକିଲାପରି ସୁଶାନ୍ତବାବୁଙ୍କ ନିର୍ଦ୍ଦେଶକୁ ଅପଲକ ଦୃଷ୍ଟିରେ ଚାହିଁ ରହିଛନ୍ତି । ସୁଶାନ୍ତବାବୁ ଟିକିଏ ଆଖି ବୁଲାଇ ଆଣି କହିଲେ, କୁହନ୍ତୁ ମା ? ଆପଣଙ୍କର କିଛି କହିବାର ଅଛି ?

 

–ପନ୍ଦର ନମ୍ବର ୱାର୍ଡ଼ରେ ଯେଉଁ ପେସେଣ୍ଟ ଅଛନ୍ତି ସେ ମୋର ସ୍ୱାମୀ ।

 

–ହଁ ତାଙ୍କୁ ତ ଆଜିରେ ଅପରେସନ କରିବାର ଥିଲା ? କ’ଣ ହେଲା ?

 

–ଡାକ୍ତରବାବୁ ନାହିଁ କଲେ ସେ ଭଲହୋଇ ପାରିବେ ନାହିଁ । ତେଣୁ ମୁଁ ଆପଣଙ୍କ ପାଖକୁ ଆସିଛି । ମୋର ବିଶ୍ୱାସ ଆପଣଙ୍କ ହାତ ଲାଗିଲେ ସ୍ୱାମୀ ମୋର ନିଶ୍ଚୟ ଭଲ ହୋଇଯିବେ । ସଂସାରରେ ମୋର ଆଉ ନିଜର ହୋଇ କେହି ନାହିଁ ଡାକ୍ତରବାବୁ ! ତାଙ୍କୁ ନ ପାଇଲେ ମୁଁ ବଞ୍ଚିବିନି ଜମା । ଆପଣ ତାଙ୍କୁ ଭଲ କରିଦିଅନ୍ତୁ । ଏକ ନିଃଶ୍ଵାସରେ ଏତକ କହି ପକାଇ କାନ୍ଦିଉଠିଲା ବୀଣା ।

 

ସୁଶାନ୍ତବାବୁଙ୍କ ଗୋଡ଼ଧରିବାକୁ ଗଲାବେଳେ ସୁଶାନ୍ତବାବୁ ଧରିପକାଇ କହିଲେ, ଆପଣ କେତେ ବଡ଼ ଭୁଲ୍ କରିବାକୁ ଯାଉଛନ୍ତି ଜାଣନ୍ତି ? ଆପଣ ମୋର ଗୁରୁଜନ, ମାତୃସ୍ଥାନୀୟା-। ମୁଁ ଯଦି ଆପଣଙ୍କ ପୁଅ ହୋଇଥାନ୍ତି, ତେବେ ଆପଣ କ’ଣ ଏତେବଡ଼ ଗୁରୁତର କାମ କରିବାକୁ ସାହସ କରିଥାନ୍ତେ ?

 

ସୁଶାନ୍ତବାବୁଙ୍କ ଉପଦେଶବାଣୀ ଶୁଣି ମନେ ମନେ ସଂକୁଚିତ ହୋଇପଡ଼ିଲା ବୀଣା । ଆଖିରୁ ତା’ର ଆହୁରି ଜୋର୍‍ରେ ଲୁହଧାର ଝରିପଡ଼ିଲା । ସୁଶାନ୍ତବାବୁ ଆଉ କ’ଣ ପଚାରିଥାନ୍ତେ; କିନ୍ତୁ ବୀଣାର ଏପରି ଦୁଃଖ ଦେଖି ସେ ମଧ୍ୟ ଦୁଃଖରେ ଅଧୀର ହୋଇପଡ଼ିଲେ । ଦୀର୍ଘ କେତେ ବର୍ଷ ହେଲା ସେ ମଣିଷକୁ ନେଇ ଜୀବନ ମରଣର ଖେଳ ଖେଳି ଆସିଛନ୍ତି । କିନ୍ତୁ ତାଙ୍କ ଡାକ୍ତରୀ ଜୀବନକାଳ ମଧ୍ୟରେ ଏପରି ଘଟନାର କେବେ ସେ ସମ୍ମୁଖୀନ ହୋଇ ନାହାନ୍ତି । ନିଶ୍ଚୟ ସେ ନିରୀହ ନାରୀର ସ୍ୱାମୀଙ୍କୁ ବଞ୍ଚାଇବାକୁ ଶତ ଚେଷ୍ଟା କରିବେ । ଡାକ୍ତର ସେ । ରୋଗୀଙ୍କୁ ଭଲ କରିବା ତାଙ୍କର କର୍ତ୍ତବ୍ୟ ।

 

ସୁଶାନ୍ତବାବୁଙ୍କ ନୀରବତା ଭଙ୍ଗକରି ବୀଣା ପୁଣି ଅନୁନୟ ସ୍ୱରରେ କହିଲା, "ବାବୁ ! ଏ ଭିକାରୁଣୀ ପ୍ରତି ଟିକେ ଦୟାକରନ୍ତୁ ବାବୁ । ହାତଭାଗିନୀ ଭିକାରୁଣୀ, ବାବୁ ମୁଁ କ'ଣ ବା ତୁମକୁ ଦେବି ?

 

ଆଉ କ’ଣ କହିବା ପୂର୍ବରୁ ଡକ୍ଟର ସୁଶାନ୍ତବାବୁ କହିଲେ, ଆପଣ ଦୁଃଖ କରନ୍ତୁନି । ଆପଣଙ୍କର ସ୍ୱାମୀ ନିଶ୍ଚୟ ଭଲହୋଇ ଯିବେ । ମୁଁ ନିଜେ ଅପରେସନ କରିବି । ରିପୋର୍ଟ ପାଇଛି ଯେ, ରୋଗୀର ହୃତପିଣ୍ଡରେ ଏକ ବଡ଼ ଘା'ର ସୃଷ୍ଟି ହୋଇଛି । ଆଜି ଆପଣ ଯା'ନ୍ତୁ... । ଆସନ୍ତାକାଲି ଆପଣଙ୍କ ସ୍ୱାମୀର ନିଶ୍ଚୟ ଅପରେସନ କରାଯିବ । ସବୁର ବ୍ୟବସ୍ଥା ମୁଁ ନିଜେ କରିବି-। ଆପଣଙ୍କୁ କିଛି ଚିନ୍ତା କରିବାକୁ ପଡ଼ିବନି । ଆପଣ ନିଶ୍ଚିନ୍ତରେ କାଲିପର୍ଯ୍ୟନ୍ତ ଅପେକ୍ଷା କରନ୍ତୁ-। ମୋ ଉପରେ ଆପଣ ନିର୍ଭର କରନ୍ତୁ ।

 

ଏମିତି କଥାଭାଷା ହେଉ ହେଉ ପାଖ ଘଣ୍ଟାରୁ ଠନ୍ ଠନ୍ ହୋଇ ଚାରିଟା ବାଜିଉଠିଲା । ଡକ୍ଟରବାବୁ ଆସନ ପରିତ୍ୟାଗ କରି ବାହାରକୁ ବାହାରି ଆସିଲେ । ବୀଣା ସୁଶାନ୍ତବାବୁଙ୍କ ପାଖରୁ ବିଦାୟ ଆଣି ପନ୍ଦର ନମ୍ବର ୱାର୍ଡ଼କୁ ଫେରିଆସିଲା ।

 

ସୁଶାନ୍ତବାବୁଙ୍କ ଉପସ୍ଥିତ ନର୍ସ ଓ ପିଅନମାନଙ୍କୁ କହିଲେ, କାଲି ଦଶଟା ସମୟରେ ପନ୍ଦରନମ୍ବର ୱାର୍ଡ଼ର T. B. ରୋଗୀ ଅପରେସନ କରାଯିବ । ତେଣୁ ସମସ୍ତ ଯନ୍ତ୍ରପାତି ସହିତ ପ୍ରସ୍ତୁତ ଥିବ । ସେ ରୋଗୀର ଯଦି କୌଣସି ଅସୁବିଧା ଘଟେ, ତେବେ ସାଙ୍ଗେ ସାଙ୍ଗେ ଫୋନ୍‍କରି ଜଣାଇବ । ଏତକ କହି ସୁଶାନ୍ତବାବୁ ଗାଡ଼ିଭିତରକୁ ଯାଇ ଷ୍ଟାର୍ଟ ଦେଲେ ।

 

ତୁଳସୀର ମନ ଆନନ୍ଦରେ ଆଜି କୁରୁଳି ଉଠୁଛି । ଆନନ୍ଦରେ ଆତ୍ମହରା ସେ । ଆଉ କେଇଟି ଦିନ ପରେ ଆଶାର କୁସୁମକୁ ତା’ର ହୃଦୟ-ବନରେ ଫୁଟାଇପାରିବ । ତା’ର ମନର ମଣିଷକୁ ସେ ପାଖରେ ପାଇପାରିବ । ନିଜର କରି ରଖିବ । ଆକଟ କରିବ ସେ ସ୍ନେହ-ମତାର ଅଶ୍ଳେଷ ଭିତରେ ରଖି । ଦୀର୍ଘଦିନର ଅକୁହା କଥାକୁ ସେ ମନର ମଣିଷ ଆଗରେ ତା’ର ଖୋଲି କହିବ । ଆଉ ତା' ମନର ମଣିଷ ତାକୁ କେତେ ଆଦର ଯତ୍ନକରି କୋଳକୁ ଟାଣିନେବେ । ସେ ଟିକିଏ ଅଭିମାନ କରି କହିବ, ଏତେ କଥା ଯଦି ତୁମ ମନରେ ଥିଲା, ତେବେ ଏତେ ଦିନହେବ କାହିଁକି ଜଳାଇ ପୋଡ଼ାଇ ମାରୁଥିଲ ? ଆଉ ମନର ମଣିଷ ତା’ର କହିବେ, ଏ କଥା ଆଗରୁ ଜାଣିଥିଲି କ'ଣ ପ୍ରିୟତମା ? ଆଗରୁ ଜାଣିଥିଲେ ହୁଏତ ମନର ଅବସାଦ ଟିକକ...

 

ସେ ଅଭିମାନ ତ୍ୟାଗକରି ଚୁମ୍ବନରେଖା ପ୍ରିୟତମ ମୁହଁରେ ଆଙ୍କିଦେବ ତା’ର । ପ୍ରିୟତମ ତାକୁ ଆହୁରି ଜୋର୍‍ରେ କୋଳକୁ ଭିଡ଼ିନେବେ । ଆଉ ତା’ପରେ..., ପ୍ରେମର ମଧୁମୟ ପାରାବାରରେ ମୁହୂର୍ତ୍ତକ ପାଇଁ ଏ ଆଶାନ୍ତିମୟ ଜୀବନକୁ ବହିନେବ ସେ । ଯୋଡ଼ି ଯାଉଁଳି ହୋଇ ଉଡ଼ିଯିବେ ପ୍ରେମ ରାଜ୍ୟର ଅମାପ ଦୂରକୁ । ଆଉ ତାପରେ....ଆଉ ଭାବିପାରିଲାନି ତୁଳସୀ । ପ୍ରତ୍ୟେକ ସ୍ନାୟୁରେ ତା’ର ଶୀଥିଳରକ୍ତ ଉତ୍‍କ୍ଷିପ୍ତ ହୋଇଉଠିଲା । ପ୍ରତି ଅଙ୍ଗରେ କାମ ଦେବତାର ଅଦେଖା ତୀକ୍ଷ୍ଣ ଫୁଲଶରର ଯନ୍ତ୍ରଣା ଅନୁଭବ କରୁଥିଲା ସେ । ଦେହ ତା’ର ଅବଶ ହୋଇ ଆସୁଥିଲା । ଅଙ୍ଗେ ଅଙ୍ଗେ ତା’ର ଭରିଯାଉଥିଲା ବେପଥୁ । ନିଜକୁ ନିଜେ ଭୁଲିଯାଉଥିଲା ସେ ।

 

ହଠାତ ଗୋପାଳବାବୁ ତୁଳସୀର ଭାବନାରେ ପୂର୍ଣ୍ଣଚ୍ଛେଦ ଟାଣି ଡାକିଲେ ମା, ତୁଳ ଟିକେ ଚା’ କରି ଆଣ ତ, ସୁରେଶବାବୁ ଆସିଛନ୍ତି ।

 

ତୁଳସୀ ଭାବନାରୁ ନିଜକୁ ମୁକୁଳେଇ ଆଣି ଲାଜରେ ଶଢ଼ି ଯାଉଥିଲା । ତରତର ହୋଇ ଚା' କରିବାପାଇଁ ଚାଲିଗଲା ।

 

କିଛି ସମୟ ପରେ ସୁରେଶବାବୁଙ୍କୁ ବିଦାୟ ଦେଇ ବିଭାଘର ତାଲିକା କରି ବସିଲେ ଗୋପାଳବାବୁ । ମାତ୍ର ଆଉ ଦଶଟି ଦିନ ବିଭାଘର ରହିଲା । କେତେ ବନ୍ଧୁ ବାନ୍ଧବ ନିମନ୍ତ୍ରଣ,ଭୋଜିଭାତର ଆୟୋଜନ, ବାଣ ରୋଶଣିର ବ୍ୟବସ୍ଥା, ସବୁ ତାଙ୍କୁ କରିବାକୁ ପଡ଼ିବ । ଏକୁଟିଆ ଲୋକ ସେ । କେଉଁ ଆଡ଼ୁ କ’ଣ କରିବେ । ପୁଣି ଗୋପାଳବାବୁ ଡାକିଲେ ମା ତୁଳ, ତୋ ବୋଉକୁ ଟିକିଏ ଡାକୁ ଦେବୁ ତ, କହି ପୁଣି ତାଲିକା କରି ବସିଲେ ।

 

କନକ ଦେବୀଙ୍କ ମନ ଆନନ୍ଦରେ ଫୁଲି ଉଠୁଛି । ଆଉ ମାତ୍ର ଦଶଟି ଦିନ ପରେ କେତେ ଦିନର ଆକାଂକ୍ଷା ପୂରଣ ହେବ । ତାଙ୍କର ଏକମାତ୍ର ଆଦରଣୀୟା କନ୍ୟା ତୁଳସୀକୁ ସେ । ତାଙ୍କରି କୋଳରେ ବଢ଼ିଥିବା ସୁଶାନ୍ତ ହାତରେ ଟେକିଦେବେ । ତାଙ୍କର ପୁଅ ସେଇ ଜ୍ୱାଇଁ ସେଇ । ସେଇ ତାଙ୍କର ବର୍ତ୍ତମାନ ଆଉ ଭବିଷ୍ୟତ୍ ବଂଶ ରକ୍ଷକ, ଏ ଅଚଳାଚଳ ସମ୍ପତ୍ତିର ଉତ୍ତରାଧିକାରୀ ତାଙ୍କ ସ୍ନେହ ଭଣ୍ଡାରର ଭାଗୀଦାର ।

 

ତୁଳସୀର ଡାକରାରେ କନକ ଦେବୀଙ୍କର ଭାବନା ହଠାତ ଭାଙ୍ଗିଗଲା । ସ୍ୱାମୀଙ୍କ ଡାକରା ପାଇ ଶୀଘ୍ର ଶୀଘ୍ର ଉଠିଆସିଲେ ସେ । ଘର ଭିତରକୁ ପଶି ଆସୁ ଆସୁ କନକ ଦେବୀ କହି ପକାଇଲେ, "କାହିଁକି ଡାକୁଥିଲ କି ?"

 

–ଆରେ ଆଗେ ବସନା–ପରେ କହିବି ।

 

କନକ ଦେବୀ ପାଖ ଚେୟାର ଖଣ୍ଡିକରେ ବସି ପଡ଼ିଲେ । ଗୋପାଳବାବୁ କନକ ଦେବୀଙ୍କ ହାତକୁ ଚିଠା ଖଣ୍ଡିକ ବଢ଼ାଇ ଦେଇ ପ୍ରଶ୍ନ କଲେ, ଏତିକିରି ହେବ ନା, ପରିମାଣ ଆଉ କିଛି ବଢ଼ାଇ ଦେବା ?

 

କନକ ଦେବୀ ଚିଠା ଉପରୁ ଆଖି ଫେରାଇ ଆଣି କହିଲେ, "ଆଉ ଟିକେ ପରିମାଣଟା ବଢ଼ାଇ ଦେଲେ ଖୁବ୍ ଭଲ ହୁଅନ୍ତା । ବଳି ପଡ଼ିଲେ ଖୁବ୍ ଭଲ, କିନ୍ତୁ ନିଅଣ୍ଟ ହେଲେ ।

 

"ହଉ, ଚିଠିଟା ତେବେ ଦିଅ । ତୁମେ ଯେତେବେଳେ ଘରର ଘରଣୀ କହୁଛ, ପରିମାଣଟା ନ ବଢ଼ାଇ ମୋର ବା ଆଉ ଉପାୟ କ'ଣ ?"

 

କନକ ଦେବୀ ଟିକିଏ କୃତ୍ରିମ ରାଗ କରି କହିଲେ, "ତୁମେ ଆଉ କେଇଟି ଦିନରେ ଝିଅ ଜ୍ୱାଇଁ କରିବ । ତଥାପି ତୁମର ସେଇ ଟାହି ଟାପରା କଥା ଗଲାନି ?"

 

–ଆରେ ନାଇମ, ମୁଁ ସେମିତି ଟିକେ କହିଦେଲି ନା, ରାଗ କଲ କି ?

 

କନକ ଦେବୀ ଟିକେ ଲାଜରା ହୋଇ ଫିକ୍ କିନା ହସିଦେଇ କହିଲେ, ତୁମ ସହିତ ହସ ଖୁସି ହେବାକୁ ମୋର ବର୍ତ୍ତମାନ ବେଳ ନାହିଁ । ତେଣେ ଯେ କେତେ ଜିନିଷପତ୍ରର ଦାୟିତ୍ୱ ମୋ ଉପରେ । ତୁମେ ବସିଥାଅ–କହି କନକ ଦେବୀ ଚାଲିଗଲେ ।

 

ସୁଶାନ୍ତର ମନ ଯେତିକି ଆନନ୍ଦରେ ବିଭୋର ହୋଇ ଉଠୁଛି, ଅଜଣା ଅଚିହ୍ନା ପିତା ମାତାଙ୍କ କଥା ଭାବି ଭାବି ସେତିକି ଦୁଃଖିତ ହୋଇ ପଡ଼ୁଛନ୍ତି ସେ । ଯେଉଁଦିନୁ ସେ ତୁଳସୀ ଠାରୁ ସମସ୍ତ ଘଟନା ବୁଝି ନେଲାଣି, ସେଇଦିନୁ ମନରେ ତାଙ୍କର ଆଉ ସରସତା ନାହିଁ । ମନ ଭିତରେ ପ୍ରତି ମୁହୂର୍ତ୍ତରେ ଜନ୍ମିତ ପିତା ମାତାଙ୍କୁ ତା’ର ଖୋଜି ହେଉଛି । କୌଣସି କାମରେ ତା’ର ଆଦୌ ମନ ଲାଗୁନି । ସବୁ କାମ କେମିତି କେମିତି ଖାପଛଡ଼ା ଲାଗୁଚି ତାକୁ । ଖାଇବା ପିଇବାରେ ମଧ୍ୟ ଆଉ ଠିକ୍ ଠିକଣା ନାହିଁ । କେଉଁ ଦିନ ଖାଉଛି ତ କେଉଁ ଦିନ ପେଟ ବାହାନା କରି ଶୋଇ ଯାଉଛି-। କୌଣସି କାମ ମନଯୋଗ ଦେଇ କରିପାରୁନି ସେ । ପ୍ରତ୍ୟେକ ସମୟପାଇଁ ମାନସ ପଟରେ ତା’ର ପିତା ମାତାଙ୍କର ଅଦେଖା ପ୍ରତିଛବି ଝଲସି ଉଠୁଛି । ଅତ୍ୟଧିକ ଚିନ୍ତାରେ ଶୁଖି ଗଲାଣି ସେ, ତେଣୁ ଗୋପାଳବାବୁ କନକ ଦେବୀ ଅତ୍ୟନ୍ତ ଚିନ୍ତିତ ହୋଇ ପଡ଼ିଛନ୍ତି । ସୁଶାନ୍ତର ଏପରି ମନମରା ଭାବି ଦେଖି କିଛି ବୁଝିପାରୁ ନାହାନ୍ତି ସେ । ଗୋପାଳବାବୁ କନକ ଦେବୀ ସୁଶାନ୍ତର ମନ ବୁଝିବାକୁ ଶତଚେଷ୍ଟା କରୁଛନ୍ତି, ହେଲେ ସେ ବୁଝୁଛି କେତେକେ ? ମନଗହନର ନିଭୃତ କାନନରେ ତା’ର ଆଜି ଅଙ୍କୁରି ଉଠିଛି ଜନ୍ମଦାତା ଆଉ ଜନ୍ମଦାତ୍ରୀର ସ୍ୱର୍ଗୀୟ ପବିତ୍ର ସ୍ନେହ । ରକ୍ତ ରକ୍ତର ନିବିଡ଼ ଆକର୍ଷଣ ସୁଶାନ୍ତକୁ ଆଜି ପାଗଳ କରିଛି । କେତେ ଅନୁସନ୍ଧାନ ଓ ବିଭିନ୍ନ ପତ୍ର ପତ୍ରିକାରେ ସମ୍ୱାଦ ଦେବା ପରେ ସୁଦ୍ଧା କୌଣସି ଖବର ନ ପାଇଁ ମନ ତା’ର କେଉଁଠି ଲାଗୁନି ।

 

ତୁଳସୀ ଚିଠିର କେଇଧାଡ଼ି ଲେଖା ସୁଶାନ୍ତର ମାନସପଟକୁ ଆସି ପ୍ରାଣକୁ ତା’ର ଦାରୁଣ ଆଘାତ ଦେଉଛି । "ତେବେ କ'ଣ ପିତା ମାତା ଆଉ ତା’ର ଏମର ଜଗତରେ ନାହାନ୍ତି । ତୁଳସୀ ଠାରୁ ଯାହା ସବୁ ଶୁଣିବାକୁ ପାଇଥିଲା, ତା’ କ'ଣ ପ୍ରକୃତରେ ଘଟି ଯାଇଛି ! ଏମିତି କେତେ ଯେ ଭାବନାର ଅସରନ୍ତି ଖିଅ ସୁଶାନ୍ତ ମନରେ ଗୁଡ଼ାଇ ହୋଇଯାଉଛି, ସେ କଥା କିଏ ଜାଣେ ।

 

ପୁଣି ବେଳେ ବେଳେ ଆଖି ଆଗରେ ନାଚି ଉଠୁଛି ପ୍ରିୟତମାର ଭୁବନମୋହିନୀ ରୂପ । ରୂପସୀ ତୁଳସୀ ନବଯୌବନା, ସ୍ଵର୍ଣ୍ଣକାନ୍ତି ଜିଣି ଦେହର ରଙ୍ଗ । ଦର ପ୍ରସ୍ଫୁଟିତ ଗୋଲାପ କଢ଼ି ପରି ଅନୁପମ ଶୋଭାମୟୀ । ଆଖିରେ ଯେପରି ତା’ର ମାଦକ ଭରା କୁହୁକ ପୂରି ରହିଛି । ମନରେ ମହୁଆ ଆଶା । ମୁଖ ଚନ୍ଦ୍ରମା ଶତ ଶଶଧରକୁ ଯାହାର ନିନ୍ଦା କରୁଛି, ସେଇ ହେବ ତା’ର ଅଙ୍କଶାୟୀନି, ସେଇ ହେବ ତା’ର ପ୍ରାଣର ପ୍ରୀତି ପ୍ରତିମା, ସୁଖ ଦୁଃଖର ଅନୁଗାମିନୀ । ଭାବୀ ପ୍ରିୟତମା, ତୁଳସୀ ଏବେ ଟିକିଏ ଲାଜ କଲାପରି ଅନୁଭବ କରୁଛି । କଥାଭାଷା କରିବାକୁ ସଙ୍କୋଚ କରୁଛି ତାକୁ । ଆଗପରି ମୁହଁ ଟେକି ତାକୁ ଆଉ ଚାହିଁ ପାରୁନି, ଦେଖିଲେ ଆଡ଼ ହୋଇ ଚାଲିଯାଉଛି-

 

"ଯାହା ସହିତ କେତେ ମାଡ଼ଗୋଳ କରି, କେତେ ହସ ଖୁସି କରିଆସିଛି, ସେଇ ହେବ ତା’ର ଧର୍ମପତ୍ନୀ...ସହଧର୍ମିଣୀ ।"

 

ବିଭାଘର ମାତ୍ର ଦଶଟି ଦିନ ରହିଲା, ତେବେ କ’ଣ କରିବ ସେ.... ।

 

ସୁଶାନ୍ତ ଭାବୁଛି, ବିଭାଘରଟା କିଛିଦିନ ଘୁଞ୍ଚାଇ ଦେବ । ଗୋପାଳବାବୁଙ୍କୁ କହିବ, "ପିତା ମାତାଙ୍କୁ ତା’ର ନ ପାଇବା ପର୍ଯ୍ୟନ୍ତ ସେ ବିବାହ କରିବନି । ପୁଣି ପଛ କଥା ଭାବି ପଛେଇ ଯାଉଛି ସୁଶାନ୍ତ । ଏ କଥା କହିଲେ ହୁଏତ ଗୋପାଳବାବୁଙ୍କ ମନରେ ଦୁଃଖ ଆସିବ । ତା’ ପ୍ରତି ଅବିଶ୍ୱାସ କରିବେ ସେ । କେମିତି ସେ ତାଙ୍କ ମନରେ ଦୁଃଖ ଦେବ...ଯାହାର କୋଳରେ କାଖରେ ବଢ଼ି ଆସିଛି, ଯାହାର ସ୍ନେହରେ ଏଡ଼ୁଟିରୁ ଏଡ଼ୁଟିଏ ହୋଇଛି, କେମିତି ତାଙ୍କୁ ଏ କଥାଗୁଡ଼ାକ କହିବ-। ସେମାନେ ଜନ୍ମଦାତା ପିତା ମାତା ନ ହେଲେବି ପିତା ମାତାଙ୍କଠାରୁ ଅଧିକ । ତାଙ୍କରି ସ୍ନେହ ଶ୍ରଦ୍ଧାରେ ସେ ମଣିଷ ହୋଇଛି । ଜନ୍ମରୁ ପିତା ମାତାଙ୍କୁ ଦେଖିନି । ଜନ୍ମଦାତା, ଜନ୍ମଦାତ୍ରୀର ଅଭାବ ଦିନେ ହେଲେ ଅନୁଭବ କରିନି ସେ । ସେ ଜାଣିଥିଲା, ଏଇମାନେ ତା’ର ପିତା, ମାତା । ଏଇମାନେ ତା’ର ସବୁ । ପିଲାଦିନେ ତାଙ୍କରି ପାଖରେ ସେ କେତେ ଅଳି, ଅରଦଳି କରିଛି । ଖେଳନାପାଇଁ କାନ୍ଦିଛି । ହସି ହସି ସବୁ ପୂରଣ କରିଛନ୍ତି ସେମାନେ । ପିଲାଦିନରୁ ଆଜି ପର୍ଯ୍ୟନ୍ତ କୌଣସି କଥାରେ ସେମାନେ ପ୍ରତିବାଦ କରି ନାହାନ୍ତି । ଯେତେବେଳେ ସେ ଯାହା ଚାହିଁଛି, ସବୁ ଖୁସିମନରେ ପୂରଣ କରିଛନ୍ତି । ଦୁନିଆ ଦାଣ୍ଡରେ ତାକୁ ମଣିଷ ପରି ମଣିଷ କରିଛନ୍ତି । କାହା ନେଇ ସେ ଆଜି ଦୁନିଆ ଦାଣ୍ଡରେ ମଣିଷ ସାଜିଛି ? କେବଳ ଏଇ ଗୋପାଳବାବୁଙ୍କ ଯୋଗୁଁ-। ହଁ...ହଁ ତାଙ୍କରି ଯୋଗୁଁ ସେ ଆଜି ସବୁଠି ସୁପରିଚିତ । "ସେଦିନ ଯଦି ଗୋପାଳବାବୁ ତାକୁ ସାଉଁଟି ଆଣି ନଥାନ୍ତେ, ତେବେ ହୁଏତ ତା’ର ଅବସ୍ଥା କ'ଣ ହୋଇଥାନ୍ତା ସେ କଥା କିଏ ଜାଣେ ! ତେବେ ତାଙ୍କ କଥା ସେ କେମିତି ଭାଙ୍ଗିବ, କେମିତି ତାଙ୍କ ଆଗରେ ନିରାଶ ବାଣୀ ଶୁଣାଇବ ?

 

ନା, ନା, ଏସବୁ ତାଙ୍କୁ କହି ପାରିବନି ସେ । ତୁଳସୀକୁ ସେ ପ୍ରତ୍ୟାଖ୍ୟାନ କରି ପାରିବନି-। ବରଂ ବିବାହ କରି ବାପ ମା'ଙ୍କୁ ଖୋଜିବାକୁ ବାହାରି ଯିବ..... ।

 

ବୀଣାର ଶତଚେଷ୍ଟା ଫଳରେ ପ୍ରକାଶକୁ ଆଜି ଅପରେସନ୍ କରାଯିବ । ଅପରେସନ ମାତ୍ର ଆଉ କେତୋଟି ମିନିଟ୍ ବାକି । ବୀଣା ବସିଛି ପ୍ରକାଶ ପାଖରେ । ଦେହ ମୁଣ୍ଡରେ ହାତ ବୁଲାଇ ଦେଉଛି । ମନରେ ତା’ର କେତେ ଆଶା, ସୁଶାନ୍ତବାବୁ କହିଛନ୍ତି ଦେବତାଙ୍କୁ ତା’ର ଭଲକରି ଦେବେ । ପ୍ରିୟତମ ତା’ର ଭଲ ହୋଇଯିବେ । ପୁଣି ହସିବେ, ହସାଇବେ ତାକୁ । ସତେ କ'ଣ ଆଶା ତା’ର ପୂରଣ ହେବ ? ପରମେଶ୍ୱର ସତେ କ’ଣ ତା’ର ଡାକ ଶୁଣିବେ ! ଲିଭିଲା ବତିକୁ ସତେ କ'ଣ ଜଳାଇବେ ଠାକୁରେ ! ଏମିତି ଭାବି ଭାବି, ବୀଣା ଅପଲକ ନୟନରେ ସେଇ ଶୁଭ ମୁହୂର୍ତ୍ତକୁ ଚାହିଁ ରହିଛି ।

 

କିଛି ସମୟ ନୀରବରେ ବିତିଯିବାପରେ ଜଣେ ନର୍ସ ଆସି କହିଲା, 'ମା, ଆପଣ ମୋ ସହିତ ଉପର ମହଲାକୁ ଆସନ୍ତୁ ! ବର୍ତ୍ତମାନ ଆପଣଙ୍କ ସ୍ୱାମୀର ଅପରେସନ କରାଯିବ' ।

 

ନର୍ସଟି ସହିତ ଯନ୍ତ୍ରଚାଳିତ ପରି ଉପର ମହଲାକୁ ଚାଲିଲା ବୀଣା । ପ୍ରକାଶ ଅପରେସନ କରାଯାଇଥିବା କ୍ୱାଟର ସମ୍ମୁଖରେ ବୀଣାକୁ ବସାଇ ନର୍ସଟି ଘର ଭିତରକୁ ପଶିଗଲା । ବୀଣା ସେଇଠି ବସି ରହିଛି ଶୁଭ ସମ୍ବାଦର ପ୍ରତୀକ୍ଷା କରି । ମନରେ ତା’ର କେତେ ଆଶା ନିରାଶାର ପ୍ରଳୟଙ୍କରୀ ସଂଗ୍ରାମ । ଅସରନ୍ତି ଭାବନା ନେଇ ଠାକୁରଙ୍କୁ ଡାକୁଛି ବୀଣା–ହେ, ଠାକୁରେ ! ମୋ ଜୀବନ ପଛକେ ନିଅ ଦେବତାଙ୍କୁ ମୋର ଭଲ କରିଦିଅ । ଏ ଅଲୋଡ଼ା ଜୀବନରେ ମୋର କିଛି ଲୋଡ଼ା ନାହିଁ । ତାଙ୍କୁହିଁ ତୁମେ ମୋରି କୋଳକୁ ଫେରାଇ ଦିଅ ଠାକୁରେ, ଏହା ବ୍ୟତୀତ ତୁମକୁ ଆଉ ମୁଁ କିଛି ମାଗୁନି । ତା’ ନ ହେଲେ ନାରୀ ହତ୍ୟା ଦୋଷ ତୁମେ ଗ୍ରହଣ କରିବ । ଏମିତି କେତେ ଆକୁଳ ନିବେଦନ ପରମେଶ୍ୱରଙ୍କ ପଦାରବିନ୍ଦରେ ବାଢ଼ି ଚାଲିଛି ବୀଣା... ।

 

ପ୍ରକାଶର ଅପରେସନ କାମ ଚାଲିଛି । ସୁଶାନ୍ତବାବୁ ଅପରେସନ ଶେଷ କରି ଦେଖିଲେ ରୋଗୀ ଦେହରେ ଆଦୌ ରକ୍ତ ନାହିଁ । ରୋଗୀ ଦେହରେ ରକ୍ତ ନଦେଲେ ରୋଗୀଟି ହୁଏତ ନିଶ୍ଚୟ ମରିଯିବ । ତେଣୁ ସାଙ୍ଗେ ସାଙ୍ଗେ ରକ୍ତ ଭଣ୍ଡାରରୁ ରକ୍ତ ମାଗି ପଠାଇଲେ ସୁଶାନ୍ତବାବୁ । ରକ୍ତ ପରୀକ୍ଷା କରି ବସିଲେ । କିନ୍ତୁ ଆଶ୍ଚର୍ଯ୍ୟର କଥା ! ରକ୍ତ ଭଣ୍ଡାରରୁ ଅଣା ଯାଇଥିବା କୌଣସି ରକ୍ତ ସେ ରୋଗୀର ରକ୍ତ ସହିତ ମିଶୁନି । ରକ୍ତ ନ ମିଶିବା ଦେଖି କିଛି ସ୍ଥିର କରିପାରିଲେ ନାହିଁ ସୁଶାନ୍ତବାବୁ । କ'ଣ କରିବେ ! ରକ୍ତ ଇଞ୍ଜେକସନ ରୋଗୀକୁ ଦିଆ ନ ଗଲେ ହୁଏତ ଆଉ କେତୋଟି ମିନିଟ୍ ପରେ ରୋଗୀର ନିଶ୍ଚୟ ମୃତ୍ୟୁ ହୋଇଯିବ । କିଛି ଉପାୟ ନପାଇ ରକ୍ତ ରକ୍ତ ବୋଲି ଚିତ୍କାର କରି ଉଠିଲେ ସୁଶାନ୍ତବାବୁ । ଟିକିଏ କ'ଣ ଭାବି କହିଲେ, "ସେ ସ୍ତ୍ରୀଲୋକଟିକୁ ଡାକିଲ ।" ହୁଏତ ତାଙ୍କର ରକ୍ତ ତାଙ୍କ ସ୍ୱାମୀଙ୍କ ରକ୍ତ ସହିତ ମିଶିପାରେ ।"

 

ସୁଶାନ୍ତବାବୁଙ୍କ ପାଟି ଶୁଣି ବୀଣା ଧାଇଁ ଆସି କହିଲା,–ମୋ ଦେହର ରକ୍ତ ପରୀକ୍ଷା କରନ୍ତୁ ଡାକ୍ତରବାବୁ । ମୁଁ ରକ୍ତ ଦେବାକୁ ପ୍ରସ୍ତୁତ ଅଛି ।

 

ଡକ୍ଟର ସୁଶାନ୍ତବାବୁ ବୀଣା ଦେହର ରକ୍ତ ପରୀକ୍ଷା କରି ଦେଖିଲେ ରୋଗୀର ରକ୍ତ ସହିତ ଠିକ୍ ମିଳି ଯାଉଛି । ମନରେ ତାଙ୍କର ଆନନ୍ଦର ସୀମାରେଖା ଫୁଟିଉଠିଲା ସତ; ମାତ୍ର ବୀଣାକୁ ଚାହିଁ ଟିକିଏ ନରମି ଗଲେ ସେ । ଏ ଯେ ଦୁର୍ବଳା ନାରୀ । ୟାଙ୍କଠୁ ରକ୍ତ ନେଲେ ହୁଏତ ଇଏ ବଞ୍ଚି ନ ପାରନ୍ତି, ତଥାପି ସୁଶାନ୍ତବାବୁ ବୀଣାକୁ ପ୍ରଶ୍ନ କଲେ, "ଆପଣ ରକ୍ତ ଦେବେ ?"

 

ହଁ... । ରକ୍ତ କ'ଣ ମାଗୁଛନ୍ତି ଡାକ୍ତରବାବୁ । ଥରେ କହିଛି, ଦେବତାପାଇଁ ମୋର ଜୀବନ ଦେବାକୁ ପଡ଼ିଲେ ଏ ଅବାଞ୍ଛିତ ଜୀବନ ଦେବାକୁ ମୁଁ ପ୍ରସ୍ତୁତ ଅଛି ।

 

–ଆପଣ ଯେ ଦୁର୍ବଳ ଅଛନ୍ତି । ପୁଣି ରକ୍ତ ଦେଲେ ହୁଏତ ଆପଣଙ୍କ ଦେହର ଅସୁବିଧା ଘଟିବ ।

 

–ନା ଡାକ୍ତରବାବୁ ! ମୁଁ ବେଶ୍ ସବଳ ଅଛି । ଆପଣ ମୋଠାରୁ ରକ୍ତ ନେଇ ସ୍ୱାମୀଙ୍କୁ ମୋର ବଞ୍ଚାନ୍ତୁ । ମୋ ଜୀବନ ପରିବର୍ତ୍ତେ ମୁଁ ତାଙ୍କରି ଜୀବନ ଚାହେଁ । ଆପଣ ଯେତେ ରକ୍ତ ଚାହାଁନ୍ତି । ମୁଁ ଦେବାକୁ ପ୍ରସ୍ତୁତ ଅଛି । କିଛି ନ ଭାବି, ଆପଣ ମୋ ଦେହରୁ ରକ୍ତ ନିଅନ୍ତୁ । ଏତକ ଗୋଟିଏ ନିଃଶ୍ଵାସରେ କହି କାନ୍ଦି ଉଠିଲା ବୀଣା ।

 

ଡକ୍ଟର ସୁଶାନ୍ତବାବୁ ଆଉ କିଛି ନ ଭାବି କର୍ତ୍ତବ୍ୟକୁ ଆଗରେ ରଖି ବୀଣା ଦେହରୁ ରକ୍ତ ନେଇ ଘର ଭିତରକୁ ପଶିଗଲେ । ଜଣେ ନାରୀର କର୍ତ୍ତବ୍ୟ ଦେଖି ତାଙ୍କର ମୁଣ୍ଡ ଭିକାରୁଣୀ ବୀଣା ପ୍ରତି ନଇଁ ଆସୁଥିଲା । ପାଟିରୁ ତାଙ୍କର ବାହାରି ଆସିଲା "ଧନ୍ୟା ନାରୀ, ଧନ୍ୟା ତୁମର କର୍ତ୍ତବ୍ୟନିଷ୍ଠା । ତୁମରି ପରି ଓଡ଼ିଶାର ପ୍ରତ୍ୟେକ ଘରେ ଘରେ କୁଳବଧୂମାନେ ଜନ୍ମଗ୍ରହଣ କରନ୍ତୁ ।

 

ସୁଶାନ୍ତବାବୁ ତାଙ୍କର କର୍ତ୍ତବ୍ୟ ଶେଷ କରି ହାତ ଘଣ୍ଟାକୁ ଚାହିଁଲେ ପାଞ୍ଚଟା ବାଜିଛି । ନର୍ସମାନଙ୍କ ଉପରେ ରୋଗୀର ଦାୟିତ୍ୱ ଦେଇ ଗାଡ଼ିରେ ଷ୍ଟାର୍ଟ ଦେଲେ ସୁଶାନ୍ତବାବୁ । ଘର୍ ଘର୍ ଶବ୍ଦ କରି ଗାଡ଼ି ଆଗେଇ ଚାଲିଲା ଗନ୍ତବ୍ୟ ପଥରେ ତା’ର । ଗାଡ଼ିଟି ଆଖି ଆଗରୁ ଲିଭିଯିବା ପର୍ଯ୍ୟନ୍ତ ଏକ ଲୟରେ ଚାହିଁ ରହିଥିଲା ବୀଣା । ସୁଶାନ୍ତବାବୁଙ୍କ ଉପରେ ଆଶୀର୍ବାଦ ଢାଳୁଥିଲା । ଗାଡ଼ି ଆଗେଇ ଯାଉଥିଲା ଦୂରକୁ...ବହୁ ଦୂରକୁ ।

 

ଏବେବି ସୁଶାନ୍ତବାବୁଙ୍କ ମନରୁ ପିତା ମାତାଙ୍କ କଥା ଲିଭିଯାଇନି । ବରଂ ଅଧିକଭାବେ ଭାବି ହେଉଛନ୍ତି । ପିତା ମାତାଙ୍କ କଥା ଭାବି ଭାବି ଅନେକ ସମୟରେ ଅଧୀର ହୋଇ କାନ୍ଦି ଉଠୁଛନ୍ତି ସେ । ଅଦେଖା ଜନ୍ମଦାତା-ଜନ୍ମଦାତ୍ରୀର ଯୁଗଳ ମୂର୍ତ୍ତି ଯେମିତି ସବୁ ସମୟରେ ତାଙ୍କ ଆଗରେ ନାଚିଉଠୁଛି । ଯେମିତି ପିତା ମାତା ତାଙ୍କର କହୁଛନ୍ତି "ଆମକୁ ଭୁଲିଗଲୁ ସୁଶାନ୍ତ, ନୁହେଁ ? ଆମେ କ'ଣ ତୋର ଦିନକପାଇଁ ମନେ ପଡ଼ୁନା ? ତୁ ଆମକୁ କେଉଁଠି ପରକରି ରହିଲୁ ସିନା; କିନ୍ତୁ ଆମେ ତୋତେ ଏବେବି ଅନ୍ତର ଭିତରେ ସର୍ବଦା ଖୋଜି ହେଉଛୁ ।" ଏଇ କଥାଗୁଡ଼ାକ ସୁଶାନ୍ତବାବୁଙ୍କ ମାନସପଟକୁ ଆସି ଶାନ୍ତିରେ ନିଃଶ୍ୱାସଟିଏ ସେ ମାରିପାରୁ ନାହାଁନ୍ତି । ନିଶ୍ଚିନ୍ତ ହୋଇ କୌଣସି କାର୍ଯ୍ୟ କରିପାରୁ ନାହାନ୍ତି କି ନିଶ୍ଚିନ୍ତରେ ଶୋଇପାରୁ ନାହାଁନ୍ତି । ଗତ ରାତିର ସ୍ଵପ୍ନକଥା ଭାବି ଭାବି ମନ ତାଙ୍କର ଚଞ୍ଚଳ ହୋଇଉଠୁଛି । ଠିକ୍ ମନେପଡ଼ୁଛି, ତାଙ୍କୁ ସ୍ୱପ୍ନରେ କିଏ ଯେମିତି କହିଗଲା, "ସୁଶାନ୍ତବାବୁ ଏଇ କ'ଣ ତୁମର ପିତା ମାତାଙ୍କ ପ୍ରତି ଉଚିତ କର୍ତ୍ତବ୍ୟ ? ଏ ପର୍ଯ୍ୟନ୍ତ ହେଲା, ତାଙ୍କର କୌଣସି ଟିକିଏ ହେଲେ ଖବର ନପାଇ କେମିତି ତୁମେ ନିଶ୍ଚିନ୍ତ ହୋଇ ବସି ରହିଛ ? ତୁମେ ତୁମର କର୍ତ୍ତବ୍ୟରେ ଅବହେଳା କରିଛ । ଆଜି ତୁମେ ଉଚ୍ଚ ଆସନ ପାଇ ସୁଖସମ୍ପଦରେ ବୁଡ଼ି ରହି ପିତାମାତାଙ୍କ କଥା ସମ୍ପୂର୍ଣ୍ଣଭାବେ ଭୁଲି ଯାଉଛ, କିନ୍ତୁ ଥରେ ହେଲେ ଚିନ୍ତାକରି ଦେଖିଛ କି, କାହାଲାଗି ତୁମର ସମାଜରେ ସ୍ଥିତି ସମ୍ଭବ ହୋଇ ପାରିଛି ? ନା...କୌଣସି ଦିନ ଏସବୁ ତୁମେ ଚିନ୍ତା କରିନା । ତୁମେ ଯେଉଁ ପ୍ରତିଜ୍ଞା କରି କହିଥିଲ ଯେ, ପିତା ମାତାଙ୍କୁ ତୁମର ନ ପାଇଲେ ଦେଶ ତ୍ୟାଗ କରି ତାଙ୍କର ଅନୁସନ୍ଧାନ କରିବ, କାହିଁ ତୁମର ସେ ପ୍ରତିଜ୍ଞାର ମୂଲ୍ୟ ? ତୁମେ ଭୀରୁ...କାପୁରୁଷ, ଉଚ୍ଚ ଶିକ୍ଷା ଦୀକ୍ଷାର କ'ଣ ମହତ୍ତ୍ୱ ଏଇ ? ତୁମେ ଭାବୁଛ ତୁମର ପିତା ମାତା ମରି ଯାଇଛନ୍ତି କି ? କିନ୍ତୁ ନା, ସେମାନେ ମରି ନାହାନ୍ତି । ବର୍ତ୍ତମାନ ସେମାନେ ଜୀବିତ । ଅତି ନିକଟରେ ତୁମର ଅଛନ୍ତି ସେମାନେ । ତୁମେ ତାଙ୍କୁ ଅଜ୍ଞାନ ଅନ୍ଧକାରରେ ଚିହ୍ନି ନପାରି ବଣା ହେଉଛ । ଟିକିଏ ଅନୁଧ୍ୟାନ କଲେ ତୁମେ ତାଙ୍କୁ ନିଶ୍ଚୟ ପାଇପାରିବ ।"

 

ଭାବି ଭାବି ସୁଶାନ୍ତବାବୁଙ୍କ ମୁଣ୍ଡ ବିକୃତ ହୋଇଉଠୁଛି । ନିଜକୁ ନିଜେ ଦୋଷୀଟିଏ ମଣୁଛନ୍ତି ସେ । ହଁ ସେ ତାଙ୍କର କର୍ତ୍ତବ୍ୟର ଅବହେଳା କରିଛନ୍ତି ମହାଭୁଲ୍‍ କରିଛନ୍ତି । ନା ଆଉ ସେ କରିବେନି । ଆଜିରେ ସେ ଛୁଟି ନେଇ ପିତା ମାତାଙ୍କ ସନ୍ଧାନରେ ବାହାରି ଯିବେ । ହଁ ହଁ ଆଜିରେ ଯିବେ ସେ । ସହର ଠାରୁ ମଫସଲ ପର୍ଯ୍ୟନ୍ତ ଖୋଜି ବୁଲିବେ ତାଙ୍କର ଅଜଣା ଅଚିହ୍ନା ଜନ୍ମଦାତା ଆଉ ଜନ୍ମଦାତ୍ରୀଙ୍କୁ । କିନ୍ତୁ ସେ ଯେଉଁ T. B. ରୋଗୀର ସମସ୍ତ ଦାୟିତ୍ୱ ନେଇଛନ୍ତି, କ’ଣ ହେବ ତା’ର ଅବସ୍ଥା ! ସେଇ ନିଃସହାୟା ନାରୀଟିକୁ, ସେ ଯେ କଥା ଦେଇଛନ୍ତି, ସ୍ୱାମୀକୁ ତା’ର ଆରୋଗ୍ୟ କରି ଦେବାପାଇଁ । ସେ ନ ରହିଲେ ତ ସେଇ ରୋଗୀଟି ଭଲ ହୋଇ ପାରିବନି, ତା' ଛଡ଼ା, ଅନ୍ୟାନ୍ୟ କେତେ ରୋଗୀଙ୍କୁ ଯେ ଦେଖିବାକୁ ହେବ ।

 

ହଁ ସବୁ ସେ କରିବେ । କର୍ତ୍ତବ୍ୟର ଅବହେଳା କରିବେନି । ରୋଗୀଟିକୁ ସେ ସମ୍ପୂର୍ଣ୍ଣରୂପେ ଭଲ କରି ଦେଇ ଗନ୍ତବ୍ୟ ପଥରେ ତାଙ୍କର ବାହାରି ଯିବେ । ଚଲାପଥ ତାଙ୍କର ବଡ଼ କଠୋର, ତଥାପି ସେ ତାଙ୍କର ସୀମାହୀନ ଲକ୍ଷ୍ୟ ପଥରେ ଆଗେଇ ଯିବେ । ବସି ବସି ମନ ସରୋବରରେ କଳ୍ପନାର ନୌକାଟି ଭସାଇ ଚାଲିଛନ୍ତି ସୁଶାନ୍ତବାବୁ ।

 

ସୁଶାନ୍ତବାବୁଙ୍କ ଅଜାଣତରେ ତୁଳସୀ ତାଙ୍କର ପଛପାଖରେ ଠିଆ ହୋଇ ରହିଛି । ନିଜକୁ ନିଜେ ସମ୍ଭାଳି ପାରୁନି ତୁଳସୀ । ମନର ପ୍ରବଳ ତାଡ଼ନାରେ ସୁଶାନ୍ତ ପ୍ରତି ଆକୃଷ୍ଟ ହୋଇ ପଡ଼ୁଛି ସେ । ପ୍ରୀତିସୁଧା ପିଇବାକୁ ମନ ତା’ର ତୃଷିତ ଚକୋରୀ ପରି ଉଡ଼ି ବୁଲୁଛି । ଯୁବତୀ ମନ ତା’ର ଭରମି ଯାଉଛି । ତୁଳସୀ ମୁହୂର୍ତ୍ତେ ଡେରି କରି ସୁଶାନ୍ତବାବୁଙ୍କ ଆଖି ମୁଦି ଧରିବାପାଇଁ ହାତ ବଢ଼ାଇଦେବା ସମୟରେ ହାତ ଛାଇ ଦେଖି ସୁଶାନ୍ତ ଭାବନାରୁ ଧିମେଇ ଆସି ପଛପାଖକୁ ଚାହିଁ ଦେଖେ ତ ତୁଳସୀ ଠିଆହୋଇ ଅପଲକ ନେତ୍ରରେ ଚାହିଁ ରହିଛି ତାକୁ ।

 

–"ଆରେ ତୁଳସୀ ଯେ, ଠିଆ ହୋଇ ରହିଲ କାହିଁକି, ବସନା ! ଆଉ ଖଣ୍ଡେ ଚେୟାର ପାଖକୁ ଟାଣି ଆଣି ବସୁ ବସୁ ତୁଳସୀ କହିଲା, "ଆଜି ତୁମର ଏପରି ଆନମନା ଭାବ କାହିଁକି ? ତୁମେ ଆଜି କିପରି ବିଚଳିତ ଥିଲା ପରି ଜଣା ପଡ଼ୁଛ ?"

 

–କାହିଁ ନା ତ...ବିଚଳିତ କାହିଁକି ହେବି ।

 

ମୁଁ କେତେ ସମୟ ହେବ ତୁମ ଅଲକ୍ଷ୍ୟରେ ଆସି ଠିଆ ହୋଇ ରହିଛି ଜାଣ ? ବସି ବସି ଏତେ ଆକାଶ ପାତାଳ କ'ଣ ଭାବୁଥିଲ ମ ?

 

–ନା, କିଛି ନାହିଁ । କ'ଣ ଭାବିବି ?

 

–ଲୁଚାଇଲେ ଚଳିବନି । ତୁମେ ଯାହା ଭାବୁଥିଲ ତା’ ମୁଁ ଠିକ୍ ଜାଣେ ।

 

–କ'ଣ ଭାବୁଥିଲି କହିଲ ଦେଖି ?

 

–କହିବିନି । ତୁମେ ଆଗ କୁହ କ'ଣ ଭାବୁଥିଲ, ତା'ପରେ ମୁଁ କହିବି ।

 

'ଜାଣେନା ।'

 

'ଅନୁରୋଧ ।'

 

'କହିବନି ।'

 

'ଭିକ୍ଷା... ।'

 

'ନା'

 

'ମୋ ରାଣ.........

 

–'ଛି, କଥା କଥାକେ ତୁମର ରାଣ । ମୁଁ କ'ଣ ଭାବୁଥିଲି ତୁମେ ପରା ଜାଣିଛ, ତୁମେ ଆଗ କହିସାର, ପରେ ମୁଁ କହିବି ।'

 

'ଭାବୁଛ, 'ମୋତେ ଦୂରେଇ ଦେବାକୁ ।'

 

'ଆଚ୍ଛା ତୁଳସୀ ! ମଣିଷ ଯାହାକୁ ଥରକପାଇଁ ଗ୍ରହଣ କରେ ତାକୁ କ'ଣ ଆଉ ଦୂରେଇ ଦେଇ ପାରେ ?

 

'ନାଇମ, ତା’ ମୁଁ ଗେଲେରେ କହି ଦେଲିନା । ଏଇଥିରେ ତୁମେ ଏତେ ମନ ଦୁଃଖ କଲଣି । ତୁମେ ଯାହା ଭାବୁଛ ତା’ ମୁଁ ଜାଣେ ଯେ, କିନ୍ତୁ–ସୁଶାନ୍ତବାବୁ ତୁଳସୀ ପାଟିରୁ କଥା ଛଡ଼ାଇ ଆଣି କହିଲେ 'କହିଲ ମୁଁ କ'ଣ ଭାବୁଛି ?'

 

–ତୁମେ ମନଦୁଃଖ କରିବନି ତ କହିଲେ ?'

 

–'ନା–କୁହ......'

 

'–ଭାବୁଛ ତୁମର ଜନ୍ମଦାତା ଆଉ ଜନ୍ମଦାତ୍ରୀଙ୍କ କଥା । ନୁହେଁ ? ଠିକ୍ କହିଲି' ତ ?

 

ସୁଶାନ୍ତବାବୁ ଯେତେ ଲୁଚାଇବାକୁ ଚେଷ୍ଟା କଲେ ମଧ୍ୟ ଲୁଚାଇ ପାରିଲେନି ସେ । ପାଟିରୁ ତାଙ୍କର ହଁ ବୋଲି ବାହାରି ଆସିଲା । 'ଆଚ୍ଛା, ତୁଳସୀ, ଅଦେଖା ପିତାମାତାଙ୍କ କଥା ଭାବିବାକୁ ମୋର କ'ଣ ଅଧିକାର ନାହିଁ ? ସେମାନଙ୍କ କଥା ଭାବି କିଛି ଭଲ ଲାଗୁନି ମୋତେ । କେଉଁଠି ଆଜି ମୋର ପିତାମାତା । କିପରି ଅଛନ୍ତି, କ'ଣ କରୁଛନ୍ତି ସେମାନେ ? ତେଣିକି ଆଉ କିଛି କହି ପାରିଲେନି ସୁଶାନ୍ତବାବୁ । କୋହର ଅସ୍ଥିରତାରେ ପାଟି ତାଙ୍କର ଖନେଇ ଆସିଲା । ଲୁହରେ ଆଖି ଦୁଇଟି ତାଙ୍କର ଓଦା ହୋଇଆସିଲା ।

 

ତୁଳସୀ ନିଶ୍ଚିନ୍ତ ହୋଇ ବସି ପାରିଲାନି । ପିନ୍ଧିଲା ଲୁଗା ପଣତରେ ସୁଶାନ୍ତବାବୁଙ୍କ ଆଖିରୁ ଲୁହ ପୋଛି କହିଲା, 'ତୁମେ ଦୁଃଖ କରନି । ଏମିତି ଅଧୈର୍ଯ୍ୟ ନ ହୋଇ ଧୈର୍ଯ୍ୟ ଧର । ପିତା ମାତାଙ୍କୁ ତୁମର ନିଶ୍ଚୟ ପାଇବ ।

 

–କାହିଁ ଦୀର୍ଘ ଦିନ ହେବ ତ କୌଣସି ସନ୍ଧାନ ପାଇଲି ନାହିଁ । ତେବେ...

 

–ମୋର ବିଶ୍ୱାସ ଏଇ ଅଳ୍ପ ଦିନ ଭିତରେ ନିଶ୍ଚୟ ପାଇବ । ସୁଶାନ୍ତବାବୁଙ୍କ ମନରେ ସାନ୍ତ୍ୱନା ଦେବାପାଇଁ ତୁଳସୀ କହିଦେଲା ।

 

'କିଏ ଦେବ ?'

 

"ମୁଁ ଦେବି ।'

 

'ସତ କହୁଛ ତୁଳସୀ ?'

 

'ନୀରବ ରହିଲ କାହିଁକି ? ସତ କୁହ ?'

 

ସୁଶାନ୍ତ ଭାବନା ରାଜ୍ୟକୁ ଆଗେଇ ଯାଇ ଉଦ୍‍ଭ୍ରାନ୍ତ ଭାବନାରେ ବୁଡ଼ିଗଲା । ତୁଳସୀ କ'ଣ ପ୍ରକୃତରେ ମୋ ପିତାମାତାଙ୍କର ଖବର ଜାଣେ ! ନା ଜାଣେନା ସେ । ମୋତେ ସାନ୍ତ୍ୱନା ଦେବାକୁ ଏସବୁ ମିଛ କହୁଛି । ଏମିତି ଭାବନାର ପରିଧି ଭିତରେ ଘୂରି ବୁଲୁଛି ସୁଶାନ୍ତ ।

 

ତୁଳସୀ ନିଜକୁ ନିଜେ ସଂଯତ କରି ପାରୁନି । ଚାରି ଚକ୍ଷୁର ମିଳନରେ ଆତ୍ମହରା ହୋଇ ଉଠୁଛି ସେ । ଭାବୀ ସ୍ୱାମୀ ସୁଶାନ୍ତର ରୂପ ତ ମନରେ ଯେଉଁ ପ୍ରୀତିର ରୋଶଣି ଜଳାଇ ଦେଇ ଯାଇଛି, ସେଥିରେ ଜଳି ପୋଡ଼ି ଥୟ ଧରି ରହିପାରୁନି ତୁଳସୀ । ମନ କହୁଛି, ସୁଶାନ୍ତକୁ ତା’ର ମୃଣାଳ ବହୁ ବେଷ୍ଟନୀ ଭିତରକୁ ଟାଣି ଆଣି ହୃଦୟର ଅବଶୋଷ ନିଆଁକୁ ଲିଭାଇଦେବ । ସୁଶାନ୍ତଙ୍କ କୋଳରେ ଉପଯାଚିକାଭାବେ ଲୋଟିପଡ଼ିବ ସେ । କିନ୍ତୁ ବିବେକ ତା’ର କହି ଉଠୁଛି "ସୀମା ଅତିକ୍ରମ କରି ଯାଆନା ତୁଳସୀ । ଆଉ କେଇଟି ଦିନପରେ ତୋ ମନର ମଣିଷକୁ ତୁ ପାଖରେ ପାଇପାରିବୁ । ସେହି ଶୁଭ ଦିନଟିକୁ ଅପେକ୍ଷା କର । ନାରୀର ନାରୀତ୍ୱଟିକକ ସ୍ଵ-ଇଚ୍ଛାରେ ହରାଇ ଦେ'ନା ।"

 

ପାଖରେ ରହିଲେ ନିଜ ଅଜାଣତରେ ହୁଏତ ଭୁଲ୍ କରିପାରେ ଭାବି କଳ୍ପନାର ଜାଲକୁ ଛିନ୍ନ-ବିଚ୍ଛିନ୍ନ କରି ତୁଳସୀ ଧୀରେ ଧୀରେ ଘରୁ ବାହାରି ଆସିଲା ।

 

ପଶ୍ଚିମ ଆକାଶରେ ରଙ୍ଗ ବୋଳି ପ୍ରକୃତି ରାଣୀର ପଣତ ତଳେ ସୂର୍ଯ୍ୟଦେବତା ତାଙ୍କର ରଙ୍ଗ ବୋଳା ମୁହଁଟିକୁ ଲୁଚାଇ ଦେଉଥିଲେ । କୁଳ ଭୁଆସୁଣୀମାନେ ସଞ୍ଜବତି ଧରି ବୃନ୍ଦାବତୀଙ୍କ ଆରାଧନା ପାଇଁ ଆଗେଇ ଯାଉଥିଲେ ଦୂର ଦେଶୀ ସ୍ୱାମୀର ମଙ୍ଗଳ କାମନା କରିବାପାଇଁ, ମନର ଅଭିଳାଷ ପୂରଣପାଇଁ......

 

"ରାତି ଯେତେ ଗଭୀର ହୁଏ, ପ୍ରଭାତ ସେତେ ନିକଟ ହୁଏ ।"

 

ପ୍ରକାଶ ଆଉ ବୀଣାର ଦୁଃଖ ଯେତେ ବଢ଼ି ଚାଲିଛି, ସୁଖର ଦିନ ସେତେ ପାଖେଇ ଆସୁଛି ! ଆଜିକୁ ଆଠ ଦିନ ହେବ ପ୍ରକାଶର ଅପରେସନ କରାଯାଇଥିଲା । ତା’ର ସୁସ୍ଥତା ଅଳ୍ପକେ ଚାଲି ଆସିଛି । ପାଟିରୁ ଆଉ ରକ୍ତ ପଡ଼ୁନି । ଟିକେ ଟିକେ କଥାଭାଷା କରିପାରୁଛି ସେ । ରୋଗର ଯନ୍ତ୍ରଣା ଆଉ ବିଶେଷ ନାହିଁ, କିନ୍ତୁ ପାଞ୍ଚଦିନ ହେବ ସମୟେ, ସମୟେ "ମୋ ପୁଅ, ମୋ ପୁଅ" ବୋଲି ପ୍ରଳାପ କରୁଛି । ଆଜି କିନ୍ତୁ ସବୁଦିନ ଠାରୁ ବେଶି ପ୍ରଳାପ ଜଣାପଡ଼ୁଛି । ପାଟି କରି କରି ପାଟି ପଡ଼ି ଯାଉଛି । ବୀଣା କେତେ ବୁଝାଉଛି ପ୍ରିୟତମକୁ ତା’ର, ନର୍ସମାନେ କେତେ ବୁଝାଉଛନ୍ତି ପାଟି ନ କରିବାପାଇଁ । କିନ୍ତୁ ପ୍ରକାଶ ତା ଅଜାଣତରେ ପାଟିକରି ଉଠୁଛି । ପାଗଳଙ୍କ ପରି ପୁଅ କହି ବାହାରକୁ ବାହାରି ଯିବାକୁ କେତେ ଥର ଚେଷ୍ଟା କଲାଣି । ତେଣୁ ନର୍ସ, କମ୍ପାଉଣ୍ଡର, ବୀଣା, ସମସ୍ତେ ପ୍ରକାଶକୁ ଜଗି ବସିଛନ୍ତି । ପ୍ରକାଶର ପ୍ରଳାପ ଦେଖି ତାକୁ ନିଦ ଇଞ୍ଜେକସନ ଦିଆଯାଇ ମଧ୍ୟ କୌଣସି ଫଳ ହେଉନି, ସେଥିପାଇଁ ସମସ୍ତେ ଆଶ୍ଚର୍ଯ୍ୟ–ସୁଶାନ୍ତବାବୁଙ୍କ ପ୍ରତୀକ୍ଷାରେ ବସିଛନ୍ତି-

 

ବୀଣା ମନ ଆଦୌ ଭଲ ଲାଗୁନି । ସେ ଖାଲି ପରମେଶ୍ୱରଙ୍କୁ କ'ଣ କହିଲାପରି ମନେ ମନେ ଗୁଣୁ ଗୁଣୁ ହେଉଛି । ପାଗଳିନୀ ପରି ହେଉଛି । ସେ ଅପଲକ ନେତ୍ରରେ ଚାହିଁ ରହିଛି ସୁଶାନ୍ତବାବୁଙ୍କ ପ୍ରତୀକ୍ଷାରେ । ନିଶ୍ଚିନ୍ତ ହୋଇ ବସି ପାରୁନି ସେ । ଟିକିଏ ବସି ପୁଣି ଯାଇ ଟିକେ ବାହାରକୁ ଚାହିଁ ଆସୁଛି । କେତେବେଳେ ସୁଶାନ୍ତବାବୁ ଆସିବେ । ପୁଣି ଆସି ପ୍ରିୟତମ ପାଖରେ ବସି ଦେହ ହାତ ଆଉଁଶି ଦେଉଛି ।

 

ସୁଶାନ୍ତବାବୁ ଘର ଭିତରକୁ ପଶି ଆସୁ ଆସୁ ପଚାରିଲେ କ'ଣ ରୀତା, ସବୁ ଭଲ ତ ? ରୋଗୀର ଅବସ୍ଥା କେମିତି ଅଛି ?

 

ପରଚିତା ନର୍ସଟି କହିଲା, "ରୋଗୀ ଖାଲି ପୁଅ ପୁଅ ବୋଲି ଚିତ୍କାର କରୁଛି । ନିଦ ଇଞ୍ଜେକସନ ଦେଇ ନିଦ ଆସୁନି ସାର୍ ।'

 

ଏକଥା ଶୁଣି ଆଶ୍ଚର୍ଯ୍ୟ ହେଲେ ସୁଶାନ୍ତବାବୁ ! "ନିଦ ଇଞ୍ଜେକସନ ଦେଇ ତଥାପି ରୋଗୀକୁ ନିଦହେଉନି । କାରଣ କ’ଣ ?" ଭାବି, ନର୍ସଟିକୁ ଆଉ କ’ଣ ପଚାରିବାକୁ ଗଲାବେଳେ ହଠାତ ପୁଣି ପ୍ରକାଶ ପୁଅ ପୁଅ ବୋଲି ଚିତ୍କାର କରିଉଠିଲା ।

 

ସୁଶାନ୍ତବାବୁ ରୋଗୀ ମୁହଁକୁ ଚାହିଁ ଦେଖିଲେ ପ୍ରକାଶର ନିସ୍ତେଜ ଆଖି ଦୁଇଟି ମୁଦିହୋଇ ରହିଛି । ସେଇ ମୁଦ୍ରିତ ଆଖି କୋଣରୁ ଦୁଇଧାର ଲୁହ ବହିଚାଲିଛି । କିଛି ବୁଝି ପାରିଲେନି ସୁଶାନ୍ତବାବୁ । ରୋଗୀକୁ ତନ୍ନତନ୍ନ କରି ପରୀକ୍ଷା କରି ବସିଲେ ।

 

'କ’ଣ ଡାକ୍ତରବାବୁ, ମୋ ଦେବତା କ’ଣ ଭଲହୋଇ ପାରିବେନି ?' ନରମ କଣ୍ଠରେ ପ୍ରଶ୍ନକଲା ବୀଣା ।

 

ସୁଶାନ୍ତବାବୁ ଟିକିଏ ରହିଯାଇ କହିଲେ, କାହିଁ କୌଣସି ତଥ୍ୟ ତ ମୁଁ ରୋଗୀଠୁ ପାଇପାରୁନି । ରୋଗର ପ୍ରାଦୁର୍ଭାବ ଆଉ ବିଶେଷ ନାହିଁ ବୋଲି ମୁଁ ନିଶ୍ଚିତଭାବେ ଜାଣିପାରୁଛି । ତୁମ ସ୍ୱାମୀ କୌଣସି ମାନସିକ ଚିନ୍ତାରେ ବ୍ୟତିବ୍ୟସ୍ତ ହୋଇ ପଡ଼ିଛନ୍ତି । ମାନସିକ ଚିନ୍ତା ଦୂର ନ ହେଲେ ରୋଗୀ ସମ୍ପୂର୍ଣ୍ଣଭାବେ ଭଲ ହୋଇ ପାରିବନି । ଆଚ୍ଛା, ଆପଣ କିଛି ରୋଗୀର ମାନସିକ ଚିନ୍ତା ସମ୍ବନ୍ଧରେ କହିପାରିବେ ? ରୋଗୀର କ'ଣ ପୁଅଟିଏ ମରିଯାଇଛି ?

 

ନା...

 

ତେବେ ରୋଗୀ ପୁଅ ପୁଅ ବୋଲି ଚିତ୍କାର କରୁଛି କାହିଁକି ? ଆପଣ ଏହାର ତଥ୍ୟ କ’ଣ ଜାଣନ୍ତି ?

 

ବୀଣା କିଛି କହିବା ପୂର୍ବରୁ ଛଳ ଛଳ ଆଖିକୋଣରୁ ତା’ର ଲୁହର ଧାର ଘନେଇ ଆସିଲା । ସୁଶାନ୍ତବାବୁ ଏସବୁ ଘଟନା ଦେଖି ଆଶ୍ଚର୍ଯ୍ୟ ନ ହୋଇ ରହିପାରିଲେନି । ଏଥିରେ କିଛି ନା କିଛି ଗୂଢ଼ ରହସ୍ୟ ଅଛି ଭାବି ସୁଶାନ୍ତବାବୁ କହିଲେ–ଆପଣ କାନ୍ଦୁଛନ୍ତି କାହିଁକି ? ମୁଁ ତ ଏହାର କାରଣ କିଛି ବୁଝିପାରୁନି, ଆପଣ ସବୁ କଥା ଖୋଲି କୁହନ୍ତୁ । ସମସ୍ତ ଦୁଃଖ ମୁଁ ଦୂର କରିବି । କିଛି ନ ଭାବି ସବୁ ବିଷୟ ମୋ ପାଖରେ ଗୋଟି ଗୋଟି କରି କୁହନ୍ତୁ । ବୀଣାକୁ ସାହସ ଦେବାକୁ ଯାଇ ସୁଶାନ୍ତବାବୁ ପୁଣି କହିଲେ–ଆପଣ ସମସ୍ତ ବିଷୟରେ ନିଶ୍ଚିନ୍ତ ରୁହନ୍ତୁ । ଆପଣଙ୍କୁ ମୁଁ କଥା ଦେଉଛି, ସମସ୍ତ ଦୁଃଖ ମୁଁ ଦୂର କରିବି ।

 

ତଥାପି ବୀଣା ପାଟିରୁ କିଛି ବାହାରୁନି । କଥାର ଖିଅ କେଉଁଠୁ ଆରମ୍ଭ କରିବ ତାହାହିଁ ସେ ଭାବୁଛି ।

 

ଏଥର ସୁଶାନ୍ତବାବୁ କହିଲେ, "ମୋର ଡେରିହେଉଛି, ଅନେକ ରୋଗୀଙ୍କୁ ମୋତେ ଦେଖିବାକୁ ପଡ଼ିବ । ଆପଣ ନ କହିଲେ କ୍ଷତି ଆପଣଙ୍କର । ଡାକ୍ତର ମୁଁ । ରୋଗୀସେବା ମୋର ମୁଖ୍ୟ କର୍ତ୍ତବ୍ୟ, ତଥାପି ରୋଗୀର ସମସ୍ତ ବିବରଣୀ ନ ଜାଣିଲେ ମୋର ବା ଉପାୟ କ’ଣ । ଶେଷଥର ପାଇଁ ମୋର ଅନୁରୋଧ, ଆପଣ ସବୁକଥା ଖୋଲି କୁହନ୍ତୁ" କହି ପାଖ ଚେୟାର ଖଣ୍ଡିକରେ ବସିପଡ଼ିଲେ ସୁଶାନ୍ତବାବୁ ।

 

ବୀଣା ଆରମ୍ଭ କଲା–ପ୍ରକୃତିର ନିର୍ଯାତନାରେ ଯେତେବେଳେ ଆମେ ଘରଦ୍ୱାର ଛାଡ଼ି ଆସିଲୁ, ସେତେବେଳେ ଆମକୁ କେହି ଆଶ୍ରୟ ଦେଲେନି । ରାସ୍ତା କଡ଼ର ଗଛମୂଳ ହେଲା ଆମର ନିତିଦନିଆ ବାସସ୍ଥାନ । ସେତିକିବେଳେ ମୁଁ ହୋଇଥାଏ ଗର୍ଭବତୀ । ଦେହରେ ଖଟିବାର ଶକ୍ତି ନଥିବାରୁ ସ୍ୱାମୀ ମୋର ପ୍ରତିଦିନ ଭିକ୍ଷା କରିବାକୁ ଯାନ୍ତି । ମୁଁ ସେଇ ଗଛତଳେ ବସି ସନ୍ଧ୍ୟା ପର୍ଯ୍ୟନ୍ତ ତାଙ୍କରି ଆସିବା ପଥକୁ ଚାହିଁ ରହିଥାଏ । ଏମିତି କିଛି ଦିନ ଯିବାପରେ ସେ ଦିନେ ଭିକ୍ଷାକରି ଯାଇଥାନ୍ତି, ତା’ପରେ...ସୁଶାନ୍ତବାବୁ କଥା ଛଡ଼ାଇ ଆଣି କହିଲେ ତା’ପରେ କ’ଣ ହେଲା ? ଆଜିକି ପଚିଶବର୍ଷ ହେଲାଣି ବାବୁ, ଠିକ୍ ମୋର ମନେଅଛି, ପୌଷ ମାସର ପୂର୍ଣ୍ଣିମା ଥାଏ ମାତ୍ର ଦୁଇଟି ଦିନ ବାକି । ସେଦିନ ସେ ଭିକ୍ଷା କରି ଯାଇଥାନ୍ତି । ଏଇ ଅବସରରେ ତାଙ୍କରି ଅନୁପସ୍ଥିତିରେ ମୋର ଜନ୍ମ ହେଲା ସୁନ୍ଦର ପୁଅଟିଏ । ତା’ପରେ...ଆଉ କିଛି କହି ପାରିଲାନି ବୀଣା । ଭୋ ଭୋ ହୋଇ କାନ୍ଦି ଉଠିଲା । କୋହରେ ସେ ଅଣନିଃଶ୍ୱାସୀ ହୋଇପଡ଼ିଲା । ନିଃଶ୍ୱାସ ତା’ର ସ୍ଥିର ହେଲାନି ।

 

ସୁଶାନ୍ତବାବୁ ଏକ ଧ୍ୟାନରେ ସମସ୍ତ ଘଟନା ଶୁଣି ଯାଉଥିଲେ । ନିଜ ସମ୍ବନ୍ଧରେ କିଛି ଆବିଷ୍କାର ହେଲାପରି ମନେ ହେଲାରୁ, ତୁଳସୀ ଠାରୁ ଶୁଣି ଯାହା ସେ ଡାଇରୀରେ ଲେଖି ରଖିଥିଲେ, ବୀଣାର କଥା ସହିତ ଗୋଟି ଗୋଟି କରି ମିଳାଇ ଯାଉଥିଲେ ସେ । ଟିକିଏ ରହି ସୁଶାନ୍ତବାବୁ ପୁଣି କହିଲେ ହଁ....ତା’ପରେ କ’ଣ ହେଲା ?

 

"ମୋର ଠିକ୍ ମନେଅଛି ଡାକ୍ତରବାବୁ, ମୋ ପୁଅର ଛାତିରେ ଗୋଟିଏ ବଡ଼ ତିଳଚିହ୍ନ ରହିଥିଲା । ପୁଅମୋର ଗୋଡ଼ହାତ ହଲାଇ କୁଆଁ କୁଆଁ ହୋଇ କାନ୍ଦୁଥିଲା, ଏତିକି ମୋର ସ୍ପଷ୍ଟଭାବେ ମନେଅଛି । ତା’ପରେ ଆଉ ମୁଁ କିଛି ଜାଣେନା ।

 

ଶୁଣି ଶୁଣି ସୁଶାନ୍ତବାବୁ ଧୈର୍ଯ୍ୟହରା ହୋଇଉଠିଲେ । ଆଖି ଛଳ ଛଳ ହୋଇଆସିଲା । ପେଟ ଭିତରରୁ କିଏ ଯେମିତି ତାଙ୍କର କହି ଉଠୁଛି, "ଆଉ ଭାବୁଛ କ’ଣ ସୁଶାନ୍ତ । ଏଇ ତୋର ଜନ୍ମଦାତ୍ରୀ ! ତୁ ତାଙ୍କୁ ଛାଡ଼ି ଦେନାରେ । ଛାଡ଼ିଦେଲେ ଆଉ ପାଇବୁନାହିଁ । ଯାହାଙ୍କୁ ତୁ ପାଇବାପାଇଁ ଦିନରାତି ଭାବିହେଉଛୁ, ସେଇ ତୋର ପାଖରେ, ଅତି ନିକଟରେ ।

 

ସୁଶାନ୍ତବାବୁ ଆଉ ଥୟଧରି ବସି ପାରୁ ନଥିଲେ । ମମତାର ଅଦେଖା ରଜ୍ଜୁରେ ମନ ତାଙ୍କର ବାନ୍ଧିହୋଇ ପଡ଼ୁଥିଲା । ତଥାପି ସବୁ ଶୁଣିବାପାଇଁ ସୁଶାନ୍ତବାବୁ ପଚାରିଲେ, ତା’ପରେ କ’ଣ ହେଲା ?

 

"ତା’ପରେ ମୁଁ ଅଜ୍ଞାନ ହୋଇପଡ଼ିଛି । ସ୍ୱାମୀ ଆସି ମୋତେ ଚେତା କରାଇଲେ । କେତେ ଖୋଜିଲୁ ଆମର ପୁଅକୁ; କିନ୍ତୁ ଆଉ ପାଇଲୁନାହିଁ । କିଏ ନେଲା, କି କ’ଣ ହେଲା, ତା’ ଆମେ ଆଉ ଜାଣିପାରିଲୁନି ।"

 

କାନ୍ଦି କାନ୍ଦି ବୀଣାର ଆଖି ଦୁଇଟି ଲାଲ ହୋଇଗଲାଣି । ଆଖିର ଲୁହରେ ପାଦ ତଳ ଭୂଇଁ ଭିଜିଗଲାଣି; ତଥାପି ବୀଣାର ଆଖିରୁ ଲୁହ ବନ୍ଦ ହେଉନି । ଥରିଲା ଥରିଲା କଣ୍ଠରେ ସେ ଗାଇ ଚାଲିଛି ତା’ର ଜୀବନର ଅତୀତ କାହାଣୀ । ଶେଷରେ ବୀଣା କହିଲା, "ମୋ କଳାମାଣିକକୁ ସତେ କ’ଣ ପାଇବି ଡାକ୍ତରବାବୁ ?"

 

"ପାଇବ । ନିଶ୍ଚୟ ପାଇବ । ବୀଣାକୁ ସାନ୍ତ୍ୱନା ଦେବାକୁ ସୁଶାନ୍ତବାବୁ କହିଲେ, "ଆଚ୍ଛା, ଆପଣ କ’ଣ ଏ ପର୍ଯ୍ୟନ୍ତ ସେ ପୁଅକୁ ଭୁଲିପାରି ନାହାନ୍ତି ?"–କେମିତି ଭୁଲିଯିବୁ ଡାକ୍ତରବାବୁ ? ରକ୍ତ ଦେଇ ପରା ଜନ୍ମ କରିଛୁ ? ପୁଅ ଯଦି ମରିଯାଇଥାନ୍ତା, ତେବେ ହୁଏତ ମନ ଜାଣିଥାନ୍ତା ସନ୍ତାନ ନାହିଁ ବୋଲି; କିନ୍ତୁ ଜନ୍ମ ଦେଇ ତାକୁ ଏମିତି ହରାଇ ବସି କୌଣସି ବାପ-ମା କ’ଣ ତା’ର ସନ୍ତାନକୁ ଭୁଲିଯାଇପାରେ ? ଆଉ ଆମେ ବା କିପରି ଭୁଲିଯିବୁ ? ମୁହୂର୍ତ୍ତେ ସୁଦ୍ଧା ତାକୁ ଭୁଲିପାରୁନୁ ଡାକ୍ତରବାବୁ ! ସର୍ବଦା ହୃଦୟ ଭିତରେ ମନ ମୋର ପୁଅକୁ ଖୋଜୁଛି ।

 

ସୁଶାନ୍ତବାବୁ ଏସବୁ ଶୁଣିସାରି ଲୁହବୁନ୍ଦାକୁ ଆଖି କୋଣରେ ଅଟକାଇ ରଖିପାରି ନାହାନ୍ତି । ସେ ବୁଝିଲେଣି ଏଇ ତାଙ୍କର ଜନ୍ମଦାତ୍ରୀ । ଯାହା ସେ ତାଙ୍କର ଭାବୀ ପ୍ରିୟତମା ତୁଳସୀଠାରୁ ଶୁଣିଥିଲେ, ସବୁକଥା ଠିକ୍ ମିଳିଯାଉଛି । ନିଶ୍ଚୟ ତାଙ୍କର ମା ବାପ ଏଇ । ମନ ଭିତରେ କିଏ ଯେମିତି ତାଙ୍କର କହି ଉଠୁଛି, ଆଉ ଚାହିଁରହିଛୁ କ’ଣରେ, ଡେଇଁପଡ଼ ମା କୋଳକୁ । ଜନ୍ମରୁ ତୁ ମାତୃ ସ୍ନେହରୁ ବଞ୍ଚିତ ରହିଛୁ । ଏଇ ତୋର ଶୁଭ ମୁହୂର୍ତ୍ତ । ଦୀର୍ଘ ଦିନର ମାତୃସ୍ନେହ ଆଦାୟ କର ତୁ ।

 

ସୁଶାନ୍ତବାବୁ କିଛି ସ୍ଥିର କରିପାରୁନାହାନ୍ତି ! ସେ କ’ଣ ସ୍ୱପ୍ନ ଦେଖୁଛନ୍ତି ନା ଉଦ୍‍ଭ୍ରାନ୍ତ ଭାବନାରେ ବିଚଳିତ ହୋଇ ପଡ଼ିଛନ୍ତି । ଗତ ରାତିରେ ସେ ତ ଠିକ୍ ଏଇ ସ୍ୱପ୍ନ ଦେଖିଥିଲେ । କିଏ ଯେମିତି ତାକୁ କହିଦେଇ ଗଲା–ଆରେ ସୁଶାନ୍ତ ! ଦୀର୍ଘଦିନ ହେବ ଯାହାର ପ୍ରତୀକ୍ଷାରେ ବସି ବସି ଲୁହ ଝରାଉଛୁ, ସିଏ ତୋର ଅତି ନିକଟରେ; କିନ୍ତୁ ତୁ ତାକୁ ଚିହ୍ନିପାରିନୁ । ମେଡ଼ିକାଲରେ ଯେଉଁ ସ୍ତ୍ରୀକୁ ସାହସ ଦେଇଛୁ ସ୍ୱାମୀକୁ ତା’ର ଭଲ କରିଦେବା ପାଇଁ, ସେ କିଏ ଜାଣୁ । ସେଇ ତୋର ଜନ୍ମଦାତ୍ରୀ ମା, ଆଉ ସେ ତୋର ଜନ୍ମଦାତା ପିତା ।

 

ବୀଣାର ସମସ୍ତ ରୋମାଞ୍ଚକର କଥାକୁ ମନ ଭିତରେ ବିଶ୍ଳେଷଣ କରି ହେଉଥିଲେ ସୁଶାନ୍ତବାବୁ । କଳା ଜାଇର କଥା ଶୁଣିବା ବେଳକୁ ମନ ତାଙ୍କର କହି ଉଠିଥିଲା, ନିଶ୍ଚୟ ଏଇ ତାଙ୍କର ଜନ୍ମଦାତ୍ରୀ । ତା’ ନ ହେଲେ ସେ ବା କିପରି ସଠିକ ଚିହ୍ନଟା କହିପାରି ଥାନ୍ତା । ଠିକ୍ ତ ସେଇ କଳା ଜାଇଟା ଏପର୍ଯ୍ୟନ୍ତ ତାଙ୍କର ଛାତିରେ ସ୍ପଷ୍ଟଭାବେ ରହିଛି !

 

ସୁଶାନ୍ତ ଆଉ ଧୈର୍ଯ୍ୟଧରି ବସି ପାରିଲେନି । ସଂଯମର ବନ୍ଧଭାଙ୍ଗି ପାଟିରୁ ତା’ର ବାହାରି ଆସିଲା, ମା,....ମା, ମୁଁ ତୋର ସେଇ ଅଧମ ସନ୍ତାନ ।

 

ପ୍ରଶ୍ନୀଳ ଆଖିରେ ଚାହିଁରହିଛି ବୀଣା । କ’ଣ କହିବ ତୁଣ୍ଡ ତା’ର ପଇଟୁ ନାହିଁ । ମାତୃହୃଦୟ ତା’ର ତନ୍ନତନ୍ନ କରି ଆଦେଶ କରୁଛି ସୁଶାନ୍ତଙ୍କୁ କୋଳକୁ ଟାଣି ଆଣିବାକୁ, କିନ୍ତୁ ପଛେଇ ଯାଉଛି ବୀଣା ।

 

ସୁଶାନ୍ତବାବୁ ଦେହରୁ ସମସ୍ତ ପୋଷାକ ଖୋଲିଦେଇ କହି ଉଠିଲେ, ମୁଁ ତୋର ସନ୍ତାନ ବୋଲି ବିଶ୍ୱାସ ହେଉନି ? ଦେଖ ମା, ସେଇ ତିଳଚିହ୍ନ ଏବେବି ମୋ ଛାତିରେ ରହିଛି । ତୁ କ'ଣ ସନ୍ତାନକୁ ତୋର ଚିହ୍ନି ପାରୁନୁ ।

 

ଆକୁଳ କଣ୍ଠରେ ବୀଣା କହିଉଠିଲା, ସତେ କ’ଣ ତୁ ମୋର ସେଇ ହଜିଲା ମାଣିକ ?

 

ସୁଶାନ୍ତବାବୁ ଆଉ ସ୍ଥିରହୋଇ ରହିପାରିଲେନି । ମା...ମା, କହି ବୀଣା କୋଳକୁ ଡେଇଁ ପଡ଼ିଲେ । ବୀଣା ଆନନ୍ଦରେ କୋଳେଇ ନେଇ ମାତୃତ୍ୱର ଅଶେଷ ଚୁମ୍ବନ ରେଖା ସୁଶାନ୍ତବାବୁଙ୍କ ମୁହଁରେ ଭରି ଦେଲା ।

 

ତିନିବର୍ଷର ଶିଶୁଟି ପରି ସୁଶାନ୍ତବାବୁ ବୀଣା କୋଳରେ ରହି ଶୋଭା ପାଉଛନ୍ତି । ମନରେ ତାଙ୍କର ବିକାର ନାହିଁ । ଦୀର୍ଘ ପଚିଶବର୍ଷ ପରେ ମାତୃ ସ୍ନେହ ଟିକକ ପ୍ରାଣଭରି ଆଦାୟ କରୁଛନ୍ତି ସେ । ଦୁହିଁଙ୍କ ଆଖିରୁ ଆନନ୍ଦାଶ୍ରୁ ଗଡ଼ି ଚାଲିଛି ଏକ ଧାର ହୋଇ ।

 

ଆନନ୍ଦର କଳ କୂଜନରେ ପ୍ରକାଶର ନିଦ ଭାଙ୍ଗିଗଲା । ଆଖିଖୋଲି ଚାହିଁଲା ସେ । ଡକ୍ଟର ବିଶ୍ୱାସକରି ପାରୁ ନଥିଲା । ଅବାକ ହୋଇ ଖାଲି ବୀଣାକୁ ଏକ ଦୃଷ୍ଟିରେ ଚାହିଁ ରହିଥିଲା ପ୍ରକାଶ ।

 

ବୀଣା କହିଲା, ଆରେ ଏପରି ଅବାକ ହୋଇ ଚାହିଁରହିଛ କ’ଣ ? ସୁଶାନ୍ତ ଯେ ଆମରି ପୁଅ । ସେ ଆଉ ଆମ ଆଖିରେ ଡକ୍ଟର ସୁଶାନ୍ତବାବୁ ନୁହେଁ, ଆମର ସେଇ ହଜିଲା ମାଣିକ ସୁଶାନ୍ତ, ଆଉ ଆମେ ତା’ର ସେଇ ଦୀନହୀନ ଗରିବ ପିତାମାତା ।

 

ସୁଶାନ୍ତବାବୁ ଧାଇଁଯାଇ ପ୍ରକାଶ ପାଦରେ ମୁଣ୍ଡଲଗାଇଲା ଆଶୀର୍ବାଦ ଫୁଲ ଝରିଲାପରି ସୁଶାନ୍ତ ଉପରେ ଦୁଇଟୋପା ଲୁହ ପ୍ରକାଶ ଆଖିରୁ ଝରିପଡ଼ିଲା ।

 

ଉପସ୍ଥିତ ନର୍ସ, କମ୍ପାଉଣ୍ଡରମାନେ ଏ ଘଟନା ଦେଖି ଆଶ୍ଚର୍ଯ୍ୟ ହୋଇଗଲେ । ମୁହୂର୍ତ୍ତକ ଭିତରେ ସାରା ମେଡ଼ିକାଲରେ କଥାଟା ଚହଳ ପକାଇ । ସମସ୍ତେ ଧାଇଁ ଆସିଲେ ଘଟନାସ୍ଥଳକୁ । ଯେଉଁ ଡାକ୍ତରମାନେ ପଇସା ଲୋଭରେ ମିଥ୍ୟା ରିପୋର୍ଟ ଦେଇ ପ୍ରକାଶକୁ ମେଡ଼ିକାଲରୁ ଡିସ୍‍ଚାର୍ଜ କରିଦେବାକୁ ବସିଥିଲେ, ସେମାନେ ଲଜ୍ଜାରେ ମୁଣ୍ଡ ଅବନତ କରି ଚାଲିଗଲେ ।

 

ସୁଶାନ୍ତବାବୁ ଆଉ ଡେରି ନକରି ପିତା ମାତାଙ୍କୁ ଗାଡ଼ିଭିତରକୁ ଆଣି ଛୁଟିଚାଲିଲେ ନିଜର ବାସଭବନକୁ ।

 

ବୀଣା ଆଉ ପ୍ରକାଶର ମନ ଆନନ୍ଦରେ ଉତ୍‍ଫୁଲ୍ଲିତ ହୋଇ ଉଠୁଛି । ଦୁହିଁଙ୍କ ଅଧର କୋଣରେ ଫୁଟି ଉଠୁଛି ସ୍ମିତହାସ୍ୟ ରେଖା ।

 

ଗାଡ଼ି ଆଗେଇ ଚାଲିଛି ତା’ର ଗନ୍ତବ୍ୟ ପଥରେ ।

 

ଭାବୀ ସମୁଦି ସମୁଦୁଣୀଙ୍କୁ ପାଇ କନକ ଦେବୀଙ୍କର ଗୋଡ଼ ଏଇ ତଳେ ଲାଗୁନି । ସେ ଆଉ ମୁହୂର୍ତ୍ତକ ପାଇଁ ଛାଡ଼ି ଯାଉ ନାହାନ୍ତି । ସମୁଦୁଣୀ ବୀଣା ସହିତ ଖାଲି ବସି ବସି ଗପ ଲଗେଇଛନ୍ତି । ଢିଙ୍କିଶାଳରୁ ଢେଙ୍କାନାଳ ପର୍ଯ୍ୟନ୍ତ କଥା ପଡ଼ିଛି ।

 

ଭାବୀ ଶ୍ଵଶୁରଙ୍କ ସେବାରେ ତୁଳସୀ ମନପ୍ରାଣ ଢାଳିଦେଇଛି । ପ୍ରକାଶ ଆଜି ସୁସ୍ଥ ହୋଇ ଗଲାଣି ସମ୍ପୂର୍ଣ୍ଣଭାବେ । ପୂର୍ବ ସ୍ୱାସ୍ଥ୍ୟ ଫେରି ଆସିଲାଣି ତା’ର । ମନରେ ଆଉ ତା’ର କୌଣସି ଚିନ୍ତା ନାହିଁ । ଦୀର୍ଘ ଦିନ ପରେ ସେଇ ସର୍ବନିୟନ୍ତା ପରମେଶ୍ୱରଙ୍କ କୃପାରୁ ଅତୀତର ସମସ୍ତ ହଜିଲା ସମ୍ପଦ ସେ ଫେରିଯାଇଛି । ଆଉ ବା ତା’ର ଦୁଃଖ କ’ଣ, ଅନୁଶୋଚନା କ’ଣ ? କିନ୍ତୁ ପ୍ରକାଶର ମନରେ ସର୍ବଦା ଗୋଟିଏ କଥା ଖେଳୁଛି, ତା’ର ପୁଅ ସୁଶାନ୍ତର ବିଭାଘର ହେବ ତା’ର ଜନ୍ମିତ ପଲ୍ଲୀରେ । ଗୋପାଳବାବୁଙ୍କ ଝିଅ ତୁଳସୀ ସହିତ ତାଙ୍କ ପୁଅର ବିଭାଘର ହେବ ଭାବି ଆନନ୍ଦରେ ଅଧୀର ହୋଇପଡ଼ୁଛି ପ୍ରକାଶ । ମନରେ ତା’ର ଅଧିକରୁ ଅଧିକ ଆନନ୍ଦର ଉତ୍ତାଳ ତରଙ୍ଗ ଫୁଲି ଫୁଲି ଉଠୁଛି । ପ୍ରକାଶର ଇଚ୍ଛା, ସେ ଏଠାରେ ପୁଅର ବିବାହ କରାଇ ଦେବନି । ସେ ଯେଉଁ ଜନ୍ମଭୂମିରୁ କରାଳର କାଳ ସ୍ରୋତରେ ବିତାଡ଼ିତ, ନିଷ୍ପେଷିତ ହୋଇ ନିଃସହାୟପରି ପର ଦୁଆରେ ଦିନ କାଟୁଛି ସେଇ ଜନ୍ମିତ ପଲ୍ଲୀରେ ସୁଶାନ୍ତର ଶୁଭ ପରିଣୟ ସମାପନ ହେବ । ତାଙ୍କର ସେଇ ଭଙ୍ଗା କୁଡ଼ିଆରେ ସୁଶାନ୍ତ ସହିତ ହେବ ତୁଳସୀର ଶୁଭପରିଣୟ । ଯେଉଁଠି ସେ ଛୋଟରୁ ବଡ଼ ହୋଇଛି । ସେଇ ଜନ୍ମମାଟି ତାଙ୍କୁ ଆକାଂକ୍ଷିତଭାବେ ଚାହିଁ ରହିଥିବ । ହଁ–ହଁ ସେଇଠିକୁ ସେ ଫେରିଯାଇ ବିଭାଘରର ଆୟୋଜନ କରିବ । ଭଙ୍ଗା ପଲା ତା’ର ହସିଉଠିବ ।

 

ଏକଥା ଶୁଣି ଗୋପାଳବାବୁଙ୍କ ମନରେ କୌଣସି ଦୁଃଖ ନାହିଁ । ବରଂ ଆହୁରି ଆନନ୍ଦିତ ହେଉଛନ୍ତି ସେ । ସୁଶାନ୍ତର ଜନ୍ମିତ ପଲ୍ଲୀରେ ବିଭାଘର ହେଲେ ଆହୁରି ସୁନ୍ଦର ହେବ । ସେଥିପାଇଁ ଗୋପାଳବାବୁ ଓ ସୁଶାନ୍ତ ପ୍ରାଣପଣେ ଘର ତିଆରିପାଇଁ ଏଇ କେଇଦିନ ହେବ ଲାଗିପଡ଼ିଛନ୍ତି । ପ୍ରକାଶର ବାପ ଅଜାଙ୍କ ଜାଗାରେ ଯେଉଁଠି ଦିନେ ଘର ଖଣ୍ଡ ଉପରେ ନଡ଼ା କେରାଏ ନଥିଲା ଆଜି ପୁଣି ସେଠାରେ ସୁନ୍ଦର ଘର ଠିଆ ହୋଇଛି । ତେଣୁ ଆଉ ସେ ବିଳମ୍ବ ନ କରି କାଲିରେ ଜନ୍ମଭୂମିକୁ ଫେରି ଯିବାକୁ ସମସ୍ତ ବ୍ୟବସ୍ଥା ଚାଲିଛି ।

 

ପ୍ରକାଶ ଆଜି ଫେରି ଆସିଛି ତା’ର ଜନ୍ମିତ ପଲ୍ଲୀକୁ ପ୍ରାଣପ୍ରିୟା ବୀଣା ଆଉ ପୁଅ ସୁଶାନ୍ତକୁ ସାଙ୍ଗରେ ଧରି । ଆଖିରେ ତା’ର ନୂତନତାର ଭାବ । ଯେଉଁ ପଲ୍ଲୀରୁ ଦିନେ ସମସ୍ତେ ପେଟର ଦାଉ ସମ୍ଭାଳି ନ ପାରି ଚାଲି ଯାଇଥିଲେ, ସେମାନଙ୍କ ମଧ୍ୟରୁ କେତେଜଣ ପୁଣି ଫେରି ଆସିଛନ୍ତି । ଅତୀତରେ ତାଙ୍କର ଜନ୍ମିତ ପଲ୍ଲୀଟି ଯେମିତି ଆନନ୍ଦ କଳରୋଳରେ ମୁଖରିତ ହେଉଥିଲା ଆଜି ଠିକ୍ ସେମିତି ବୃକ୍ଷ ଫଟାଇ ହସୁଛି । କୌଣସି ପରିବର୍ତ୍ତନ ହୋଇନି । ସବୁ ସେମିତି ଅପରିବର୍ତ୍ତିତ ରହିଛି । କେବଳ ନାହାନ୍ତି କେତେ ଜଣ ପଡ଼ୋଶୀ, ଆତ୍ମୀୟ ସ୍ଵଜନ । କେତେ ଲୋକ ଏବେବି ଫେରୁଛନ୍ତି । କେତେ ଜଣ ଆଉ ଫେରି ନାହାନ୍ତି । ଆଉ କେତେଜଣ ଖାଇବାକୁ ନପାଇ ମଶାଣି ପଦାରେ ଶୋଇ ଯାଇ ସ୍ମୃତି ରଖିଦେଇ ଯାଇଛନ୍ତି କେତେ ଖଣ୍ଡ ହାଡ଼କୁ-। ଯେଉଁ କେତେ ଜଣ ମରଣର ବିଶାଳ ପାଟିରୁ ଉଧୁରି ଯାଇଛନ୍ତି, ସେମାନେ ଆଜି ପୁଣି ଫେରିଆସି ସୁନାର ସଂସାର ଯୋଡ଼ି ଦେଇଛନ୍ତି । ଆଉ ସେ ମଧ୍ୟ ସେମିତି ବିଜୟର ବୈଜୟନ୍ତୀ ଉଡ଼ାଇ ଆଜି ଜନ୍ମମାଟିକୁ ଫେରି ଆସିଛି । ଯେଉଁ ମାଟିରୁ ଦିନେ ସେ କାନ୍ଦି କାନ୍ଦି ଚାଲିଯାଇଥିଲା, ଆଜି ସେ ସେହି ମାତୃଭୂମିକୁ ହସି ହସି ଫେରିଆସିଛି । ମାତୃଭୂମିର ପ୍ରବଳ ଆକର୍ଷଣ ପୁଣି ତାକୁ ମମତାର ଅଙ୍କୁଶ ଲଗାଇ ଟାଣି ଆଣିଛି ।

 

ଦୀର୍ଘ ଦିନ ପରେ ପ୍ରକାଶର ଫେରିବା କଥା ଶୁଣି ସମସ୍ତେ ଧାଇଁ ଆସୁଛନ୍ତି ଦେଖା ସାକ୍ଷାତ କରିବାପାଇଁ । ପ୍ରକାଶ ମଧ୍ୟ ସେମାନଙ୍କ ସହିତ ଦେଖା ସାକ୍ଷାତ କରି ଆନନ୍ଦରେ ନିଜକୁ ହଜାଇ ଦେଉଛି ।

 

ଆଜିକି ଚାରିଦିନ ହେଲା ସୁଶାନ୍ତ ସହିତ ତୁଳସୀର ଶୁଭପରିଣୟ ସରି ଯାଇଛି । ଆନନ୍ଦର କୋଳାହଳରେ ସାହି ଘର ଫାଟି ପଡ଼ୁଛି । ଏବେବି ବନ୍ଧୁବାନ୍ଧବମାନଙ୍କର ଭିଡ଼ କମିନି ।

 

ଆଜି ଚଉଠି । ଜୀବନର ଅଲିଭା ଅଭୁଲା ଦିନ । ଯେଉଁ ଦିନଟି ଜୀବନରେ ମାତ୍ର ଥରକପାଇଁ ଆସେ । ଯେଉଁ ଦିନଟିକୁ ପାଇବାପାଇଁ ଯୁବକ ଯୁବତୀଙ୍କର କେତେ ଦିନ, କେତେ ରାତି ଆଶା ନିରାଶାରେ ବିତେ । ଯେଉଁ ଶୁଭ ମୁହୂର୍ତ୍ତଟିକୁ ପାଇବାପାଇଁ ଯୁବକଯୁବତୀ ଅଶେଷ ଆକାଂକ୍ଷିତ ମନରେ ଚାହିଁ ରହିଥାନ୍ତି, ଆଜି ସେଇ ଦିନଟି ସୁଶାନ୍ତ ଜୀବନରେ ଆସିଛି । ଆଉ କେଇଟି ମୁହୂର୍ତ୍ତ ପରେ ପ୍ରିୟତମା ତୁଳସୀ ସହିତ ତା’ର ମଧୁର ମିଳନ ହେବ । ସେଇ ଶୁଭ ମୁହୂର୍ତ୍ତକୁ ଅପଲକ ନୟନରେ ଚାହିଁ ରହିଛି ସୁଶାନ୍ତ ।

 

ନିଥର ଚାନ୍ଦିନି ରାତି..... । ଆକାଶ ବକ୍ଷରେ ସୁ-ଶୀତଳ ଚନ୍ଦ୍ରମା ସାରା ପୃଥିବୀ ବକ୍ଷରେ ରହି ରହି ସୁଶୀତଳ କିରଣ ଢାଳୁଛି । ପାଖ ଆମ୍ର କୁଞ୍ଜରୁ କଳା କୋକିଳ ତା’ର ପ୍ରିୟତମ ଫଗୁଣର ସ୍ୱାଗତପାଇଁ ଲଳିତ କୁହୁ ତାନର ଗୁଞ୍ଜନ ତୋଳୁଛି । ଆମ୍ବ ବକୁଳର ଆମୋଦ ଭରା ମଳୟରେ ଚଉଦିଗ ମହକି ଉଠୁଛି । ପୃଥିବୀ ରାଣୀ ପ୍ରୀତିର ନବ ସୁଷମାର ବକ୍ଷ ମେଲାଇ ହସୁଚି, ହସାଉଛି ସାରା ଦୁନିଆକୁ ।

 

ସୁସଜ୍ଜିତ ସୁରମ୍ୟ କୋଠରିରେ ତୁଳସୀ ବସିଛି ତା’ର ପରିଚିତ ପ୍ରିୟତମ ସୁଶାନ୍ତ ପ୍ରତୀକ୍ଷାରେ । ମନରେ ତା’ର ଅସରନ୍ତି ଭାବନା । ଏତେ ପରିଚୟ ଥାଇ ମଧ୍ୟ ଅଜଣା ଆତଙ୍କରେ ଶିହରି ଉଠୁଛି ତୁଳସୀର କୋମଳ ପ୍ରାଣ । ଲଜ୍ଜା ସଙ୍କୋଚ ତା’ର କୋମଳ ମନକୁ ଉପବେଷ୍ଟନ କରି ବସିଛି । ତୁଳସୀ ଭାବୁଛି, ସେ ଲଜ୍ଜା କାହିଁକି କରିବ ? ନା...ନା ସେ ଲଜ୍ଜା କରିବନି । ତା’ର ତ ସେଇ ପରିଚିତ ସୁଶାନ୍ତ ଭାଇ ଆସିବେ, କେତେ ଆଦର ସ୍ନେହ କରି କୋଳକୁ ଟାଣି ନେବେ, କେତେ ଚାଟୁକଥା କହି ମନ ନେବେ ତା’ର । ଦୀର୍ଘ ଦିନର ଆଶା ତା’ର ପୂରଣ ହେବ । ତା’ର ଚିର ଈପ୍ସିତ ବାସନା....

 

ତୁଳସୀ ଭାବନାର ଶେଷ ନ ହେଉଣୁ ଘର ଭିତରକୁ ପଶି ଆସିଲା ସୁଶାନ୍ତ । ତୁଳସୀ ଟିକେ ଲାଜେଇ ଗଲା ତା’ର ପ୍ରିୟତକୁ ଦେଖି । ଗୋଲାପି ଅଧରରୁ ତା’ର ଚେନା ଚେନା ହସ ଝରି ପଡ଼ିଲା । ତୁଳସୀ ଆଉ ମୁହୂର୍ତ୍ତେ ଅପେକ୍ଷା ନ କରି ସାଇତି ରଖିଥିବା ଫୁଲ ମାଳାଟିକୁ ସୁଶାନ୍ତ ଗାଳାରେ ଲମ୍ବାଇ ଦେବାକୁ ଗଲାବେଳେ ସୁଶାନ୍ତ କହିଲା; ତୁଳସୀ, ଏବେବି ମଧ୍ୟ ସମୟ ଅଛି । ଆଉ ଥରେ ତୁମେ ଚିନ୍ତା କରି ଦେଖ । ମୁଁ ଜଣେ ଗରିବ, ଦୀନହୀନ ଭିକାରିର ସନ୍ତାନ, ଆଉ ତୁମେ ଲକ୍ଷପତିର ଏକମାତ୍ର ଆଦରଣୀୟ କନ୍ୟା, ନୟନ ପିତୁଳୀ !

 

–"ତଥାପି ତୁମର ମୋ ପ୍ରତି ଏ ପ୍ରଶ୍ନ ? ମୋତେ ଭୁଲ୍ ବୁଝନା ପ୍ରିୟତମ । ଦୁନିଆରେ ଭଲ ପାଇବା ପାଖରେ ନଥାଏ ଛୋଟ-ବଡ଼, ସୁନ୍ଦର-ଅସୁନ୍ଦରର ଭେଦଭାବ । ପ୍ରେମ ପାଖରେ ଦୁନିଆର ସମସ୍ତ ବସ୍ତୁ ନଗଣ୍ୟ । ସତୀ ସ୍ତ୍ରୀ ପାଖରେ ସ୍ୱାମୀହିଁ ତା’ର ସବୁ । ସ୍ୱାମୀ ଦେବତାଙ୍କୁ ସ୍ତ୍ରୀ ତା’ର ପାଖରେ ପାଇଲେ ଇନ୍ଦ୍ର ଆସନକୁ ମଧ୍ୟ ତୁଚ୍ଛ ମନେ କରେ । ସ୍ୱାମୀର ପାଦ ଧୂଳିକୁ ସେ ଅମୃତ ଠାରୁ ଆହୁରି ଉଚ୍ଚ ମନେ କରେ; ଆଉ ତୁମେ...

 

ସୁଶାନ୍ତ ତୁଳସୀ ମୁହଁରୁ ସ୍ୱାମୀ ପଦଟି ଶୁଣି ଚମକି ଉଠିଲା ।

 

ତୁଳସୀର ଉପଦେଶବାଣୀକୁ ସେ ମୁଣ୍ଡ ନୁଆଇଁ ମାନିନେବାକୁ ବାଧ୍ୟ ହେଲା । ପ୍ରିୟତମାର ଚାଟୁଳ ବାଣୀରେ ନିଜକୁ ହଜାଇ ଦେଲା ସେ ।

 

ଦୀର୍ଘ ଦିନର ସଞ୍ଚିତ ଫୁଲ ମାଳଟିକୁ ତୁଳସୀ ସୁଶାନ୍ତ ଗଳାରେ ଲମ୍ବାଇ ଦେଇ ଚରଣ ତଳେ ଲୋଟିପଡ଼ିଲା ।

 

ସୁଶାନ୍ତ ପ୍ରିୟତମା ତୁଳସୀକୁ ତଳୁ ଉଠାଇ ଆଣି କୋଳରେ ଧରିଲା । ରୁଷିଆର ଶୁଖିଲା ଫୁଲମାଳଟିକୁ ଦେଖି ଆଶ୍ଚର୍ଯ୍ୟ ନହୋଇ ରହି ପାରିଲାନି ସୁଶାନ୍ତ । ଏଇ ତ ସେଇ ମାଳଟି । ଯେଉଁ ମାଳଟିକୁ ସେ ରୁଷିଆରୁ ଆଣିଥିଲଶ । ତେବେ, ସେଇ ମାଳଟିକୁ କ’ଣ ଆଜି ପର୍ଯ୍ୟନ୍ତ ତୁଳସୀ ସାଇତି ରଖିଥିଲା । ସୁଶାନ୍ତ ଆଶ୍ଚର୍ଯ୍ୟ ହୋଇ ପ୍ରଶ୍ନ କଲା–ତୁଳସୀ ! ଆଜି ପର୍ଯ୍ୟନ୍ତ କ'ଣ ତୁମେ ସେଇ ମାଳଟିକୁ ସାଇତି ରଖିଥିଲ ?

 

ଛୋଟ "ହଁ" ଟିଏ ମାରି ନୀରବ ହେଲା ତୁଳସୀ ।

 

"କାହିଁକି ରଖିଥିଲ ?

 

"ଯେଉଁ ଦେବତାଙ୍କୁ ପାଇଁ ସେ ଫୁଲ ହାରଟିକୁ ମନାସୀ ଥିଲି, ତାକୁ ସେଇ ଦେବତାଙ୍କ ପୂଜାରେ ନ ଲଗାଇ ଆଉ କ'ଣ କରିଥାନ୍ତି କହିଲ ?"

 

ଏତେ ଦିନପରେ ସୁଶାନ୍ତ ଆଜି ପ୍ରିୟତମା ତୁଳସୀ ମନର ଈପ୍ସିତ କାମନା ବୁଝି ପାରିଛି-। ଆଜି ତୁଳସୀ ତା’ର ଧର୍ମପତ୍ନୀ, ପ୍ରାଣର ପ୍ରୀତି-ପ୍ରତିମା । ସୁଶାନ୍ତର ଭାବନା କ୍ରମଶଃ ଧିମେଇ ଆସୁଛି । ସୁପ୍ତ ମନ ତା’ର ଜାଗରିତ ହୋଇଉଠୁଛି । କେତେ ବଣ ବୁଦା ପାହାଡ଼, ଖମା ଡେଇଁ ସେ ଆଜି ପ୍ରିୟତମା ପାଖରେ ତା’ର ପହଞ୍ଚିଛି । ଭୋକିଲା ମନ ଚାହିଁ ରହିଛି ପ୍ରିୟତମାକୁ ତା’ର.......

 

ତୁଳସୀ ସୁଶାନ୍ତର ମନ୍ଦାକ୍ଷ ଚାହାଣିରେ ଆତ୍ମହରା ହୋଇ ଉଠୁଛି । କାମ ଦେବତାର ଫୁଲଶର ମର୍ମେ ମର୍ମେ ଅନୁଭବ କରୁଛି ସେ । "ମନ ତା’ର କହୁଛି, ଆଉ କାହିଁକି ଠିଆ ହୋଇ ରହିଛ ପ୍ରିୟତମ, ତୁମର କୋମଳ ସ୍ପର୍ଶପାଇଁ ମୁଁ ଯେ ଆକୁଳ ଅନ୍ତରେ ଚାହିଁ ରହିଛି ! ତୁମରି ମଧୁର ସ୍ପର୍ଶ ଟିକକ ଦେଇ ମନର ଆଶା ମୋର ପୂରଣ କର । ମୋତେ ଆସି ଜଡ଼ାଇ ଧର ତୁମରି ବକ୍ଷ ଉପରେ । ତୁମରି ଅଙ୍ଗରେ ମୋର ଏ ଅଲୋଡ଼ା ପ୍ରାଣ ମିଶି ଏକାକାର ହେଇଯାଉ ।" ତୁଳସୀର ସର୍ବାଙ୍ଗ ଥରି ଉଠୁଛି । ଆଉ କିଛି ଭାବି ପାରୁନି ସେ–ତୃଷିତ ହରିଣୀ ପାରି ଆଖି ଯୋଡ଼ିକ ତା’ର ଚଞ୍ଚଳ ହୋଇଉଠୁଛି । ମନ ତା’ର ଅସ୍ଥିର, ଥୟ ଧରୁନି । ପ୍ରାଣ ତା’ର ହା-ହା-କାର କରୁଛି ଟିକିଏ ସ୍ପର୍ଶପାଇଁ । ଅଲୋଡ଼ା ପ୍ରାଣ ତା’ର ଚାହୁଁଛି ଟିକିଏ ଆଦର, ଚେନାଏ ସ୍ନେହ, ପ୍ରାଣଭରା ପ୍ରୀତି ।

 

ସୁଶାନ୍ତ ଆଉ ଥୟଧରି ପାରିଲାନି । ନିଜ ଅଜାଣତରେ ତୁଳସୀକୁ କୋଳକୁ ଟାଣି ଆଣି ଉଷ୍ମ ଚୁମ୍ବନ ରେଖାଟିଏ ଆଙ୍କି ଦେଲା । ତୁଳସୀ ନିଜକୁ ଆତ୍ମ ବିହ୍ୱଳତାରେ ପ୍ରିୟତମର ମୁହଁରେ । ସୁଶାନ୍ତ କ୍ଷୁଧିତ ସିଂହପରି ତୁଳସୀକୁ ଆହୁରି ଜୋର୍‍ରେ ବକ୍ଷ ଉପରକୁ ଭିଡ଼ିଆଣିଲା ।

 

ତୁଳସୀ ଲାଜକୁଳୀ ଲତାପରି ଝାଉଁଳି ପଡ଼ି ସୁଶାନ୍ତର ଅବୟବରେ ଗୁଡ଼ାଇ ହୋଇପଡ଼ିଲା । ତା'ପରେ.......

 

ସୁଶାନ୍ତ ଡାକିଲା, ତୁଳସୀ ତୁମେ କେଉଁଠି ?

 

–"ସ୍ୱର୍ଗର ନନ୍ଦନ ବନରେ ।"

 

କ'ଣ କରୁଛ ?

 

ଖାଲି ବିଚରଣ କରୁଛି–ଆଉ ତୁମେ କେଉଁଠି ?

 

ସେ....ପାରିଜାତ ଉପବନରେ ।

 

କ'ଣ କରୁଛ ?

 

ଖୋଜୁଛି.........

 

"କ'ଣ ଖୋଜୁଛ ।"

 

"ନନ୍ଦନ କାନନର ଶ୍ରେଷ୍ଠ ସମ୍ପଦ.....,ପାରିଜାତ ।"

 

ପାଇଲେ କ'ଣ କରିବ ?

 

ମୋ ପ୍ରିୟାର କାକ କୃଷ୍ଣ କବରୀରେ ଖୋସିଦେବି । ଦେବ ଉପବନରେ ରହି ସୁନ୍ଦର ମାନୁନି ସେ । ମୋ ପ୍ରିୟାର ଚୂର୍ଣ୍ଣକୁନ୍ତଳ ସହିତ ବେଶ୍ ସାଜିବ ।

 

କିଲି କିଲି ହୋଇ ହସି ଉଠିଲା ତୁଳସୀ । ଆଉ ତା'ପରେ....

 

ଆନନ୍ଦର ଉତ୍‍କ୍ଷିପ୍ତ ଲହରୀରେ ଦୁହେଁ ଭାସି ଯାଉଥିଲେ ।

 

ଦୀର୍ଘଦିନ ଜଞ୍ଜାଳପରେ ଏକୁଟିଆ କୋଠରିରେ ନୀରବରେ ବସିଛି ପ୍ରକାଶ । ଚଳଚ୍ଚିତ୍ରପରି ଆଖି ଆଗରେ ତା’ର ନାଚିଉଠୁଛି ହଜିଲା ଅତୀତର ଦିନଗୁଡ଼ାକ । ଅତୀତ ଜୀବନର କଥାଗୁଡ଼ାକ ତା' ମନ ବହିର ପୃଷ୍ଠାରେ ଗୋଟିକ ପରେ ଗୋଟିଏ ଓଲଟି ଚାଲିଛି, ସେ ଭାବୁଛି, ଆଉ ସେ ବିରହ ରାଗିଣୀ ତା’ ଭଙ୍ଗା ମନର ବୀଣା ତନ୍ତ୍ରୀରେ ବଜାଇବନି, କିନ୍ତୁ ତା’ର ଅଜାଣତରେ ମନବୀଣାରେ ତା’ର ବାଜି ଉଠୁଛି; ସେହି ପୁରୁଣା ଦିନର କରୁଣ ଧ୍ୱନି । ଆଖିରୁ ତା’ର ଲୁହର ଧାର ଗଡ଼ି ଚାଲିଛି । ସେ ଲୁହ ଦୁଃଖର ନୁହେଁ, ଗ୍ଳାନିର ନୁହେଁ, ସେ ଲୁହ ଦୀର୍ଘ ଦିନର ଆନନ୍ଦାଶ୍ରୁ ।

 

ବୀଣା ଘର ଭିତରକୁ ପଶି ଆସି ଦେଖିଲା ପ୍ରିୟତମ ତା’ର କୌଣସି ଭାବନାରେ ବୁଡ଼ି ରହିଛନ୍ତି । ବୀଣା ପ୍ରକାଶକୁ ଟିକିଏ ହଲାଇ ଦେଇ କହିଲା, "ଆଜି ଏପରି ଶୁଭ ଦିନରେ କ'ଣ ଏତେ ବସି ଭାବୁଛ ମ ? ଟିକିଏ ହସ......"

 

–"ଭାବୁଛି, ଜୀବନର ହଜିଲା ଅତୀତ । କେତେ ଦୁଃଖ, କେତେ ଲୁହ, ସେସବୁ ଆଜି ଗୋଟି ଗୋଟି ହୋଇ ମନେପଡ଼ୁଛି । ଅସ୍ତମିତ ଦିନର କଥାଗୁଡ଼ାକ ଭାବିଲେ ଏବେବି ଦେହ ମୋର ଶୀତେଇ ଉଠୁଛି । କେତେ ଦୁଃଖ ତୁମେ ମୋ ପାଇଁ ନ ସହିଛ ! ପଙ୍କିଳ ପଥର କଥା ଏବେବି ମୋ ମନରୁ ଲିଭିନି ।"

 

–"ସେ ସବୁ ଆଜି ପୁଣି କାହିଁକି ମନକୁ ଆଣୁଛ ?"

 

–"ତଥାପି ତ ମୁଁ ଭୁଲି ପାରୁନି ବୀଣା ।"

 

"ସେଦିନ ତ ଆଜି ଆଉ ନାହିଁ ।"

 

–ନାହିଁ ସତ । ତଥାପି–

 

"ସେ ପଥରୁ ଆମକୁ ମଙ୍ଗଳମୟ ପରମେଶ୍ୱର ଆଜି ତ ଫେରାଇ ଆଣିଛନ୍ତି ।" ତାଙ୍କରି ଦୟାରୁ ଆମେ ତ ପୁଣି ଶୁଭରେ ଫେରି ଅସିଛେ ।

 

"ନା, ଈଶ୍ୱର ଆମକୁ ଶୁଭରେ ଫେରାଇ ଆଣି ନାହାନ୍ତି, ଫେରାଇ ଆଣିଛି, ମୋ ଦେବୀ.......ବୀଣା ।"

 

ବୀଣା ଲାଜରା ହୋଇପଡ଼ିଲା । କଟାକ୍ଷ ଚାହାଣି ହାଣି କହିଲା ମୁଁ ତୁମର ଦେବୀ, ଆଉ ତୁମେ ମୋର..... ?

 

"ଅନୁଗତ ଜନ"

 

ନା ନା ନା ।

 

ଆଉ କ'ଣ ?

 

ବୀଣା ହସି ହସି କହିଲା, ତୁମେ "ମୋ ଦେବତା ।"

Image